ଜଣାଅଜଣା ଓଡ଼ିଶା: ନାରାୟଣ ପରି ଜଣେ ସାମନ୍ତ, ନାହିଁ ନାହିଁ ତ

ସ୍ବରାଜ ମିଶ୍ର

ଓଡ଼ିଶା ବିଧାନସଭାର ନବନିର୍ବାଚିତ ବାଚସ୍ପତି ଦାୟିତ୍ବ ଗ୍ରହଣ କରିସାରିଛନ୍ତି। ଏବେ ଉପବାଚସ୍ପତି କିଏ ହେବେ ଜାଣିବା ପାଇଁ ସମସ୍ତଙ୍କର ଅପେକ୍ଷା। ଏଭଳି ମର୍ଯ୍ୟାଦାପୂର୍ଣ୍ଣ ପଦବିଗୁଡ଼ିକ ପାଇଁ ସାଧାରଣତଃ ଅଭିଜ୍ଞ, ନୀତିନିଷ୍ଠ ଓ ନିରପେକ୍ଷ ବ୍ୟକ୍ତିମାନଙ୍କୁ ହିଁ ଚୟନ କରାଯାଇଥାଏ। ଅନେକେ ହୁଏତ ଭୁଲିଯାଇଥିବେ, ୧୯୭୧ ମସିହାରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦ ମଣ୍ଡନ କରିଥିଲେ ଏଭଳି ଜଣେ ବ୍ୟକ୍ତିତ୍ବ, ଯେ କି ରାଜପରିବାରର ସଦସ୍ୟ ହୋଇ ମଧ୍ୟ ଜଣେ ସନ୍ୟାସୀ ଭଳି ଜୀବନ ଜିଉଁଥିଲେ। ସେ ଥିଲେ ଜଣେ ଉତ୍ସର୍ଗୀକୃତ ଦେଶସେବକ, ବିଚକ୍ଷଣ ରାଜନୀତିଜ୍ଞ, ପୁଣି ଜଣେ ଋଷିପ୍ରତିମ ମଣିଷ। ଲୋକମୁଖରେ ‘କୁଜଙ୍ଗ ଗାନ୍ଧୀ’ ନାମରେ ପରିଚିତ ଏହି ମହାନ୍ ବ୍ୟକ୍ତିଙ୍କ ନାମ ନାରାୟଣ ବୀରବର ସାମନ୍ତ। ସ୍ଥାନୀୟ ଲୋକଙ୍କ ପାଇଁ ଅତି ଆଦରର ‘ସାଆନ୍ତେ’ ଏବଂ କନିଷ୍ଠଙ୍କ ପାଇଁ ଅତି ଆପଣାର ‘ବାବା’।

୧୯୦୦ ମସିହା କାର୍ତ୍ତିକ କୃଷ୍ଣପକ୍ଷ ଏକାଦଶୀରେ ଅବିଭକ୍ତ କଟକ ଜିଲ୍ଲାର ଇନ୍ଦୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ନାରାୟଣଙ୍କର ପିଲାଦିନର ନାମ ଥିଲା ମିହିର ଜଗଦ୍ଦେବ। ମାତ୍ର ସେ ତାଙ୍କର ମାମୁଘର ଆଠଗଡ଼ ରାଜପରିବାରକୁ ପୋଷ୍ୟପୁତ୍ର ହୋଇ ଯିବା ପରେ ନାରାୟଣ ବୀରବର ସାମନ୍ତ ନାମରେ ପରିଚିତ ହେଲେ। ଆଠଗଡ଼ରେ ସ୍କୁଲଶିକ୍ଷା ଶେଷ ପରେ ରେ‌େଭନ୍ସା କଲେଜରେ ପାଦ ନ ଦେଉଣୁ ସେ ରାଜନୀତି ଓ ସମାଜସେବାରେ ଜଡ଼ିତ ହୋଇପଡ଼ିଲେ। ୧୯୨୦ରେ ଯାଜପୁର, କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଳୟଙ୍କରୀ ବନ୍ୟା ସମୟରେ ସେ ଉତ୍କଳମଣି ଗୋପବନ୍ଧୁଙ୍କ ନେତୃତ୍ବରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବାଣ୍ଟିବା ପାଇଁ ଚାଲିଯାଇଥିଲେ। ପରେ ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ଏବଂ ସେ ପାଠପଢ଼ା ଛାଡ଼ି ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଲେ। ୧୯୨୦ ସେପ୍ଟେମ୍ବର ମାସରେ କଂଗ୍ରେସର କଲିକତା ସ୍ବତନ୍ତ୍ର ଅଧିବେଶନରେ ଗାନ୍ଧୀଜୀଙ୍କ ଅସହଯୋଗ ପ୍ରସ୍ତାବ ଆଗତ ହେବା ପରେ ସର୍ବପ୍ରଥମେ ନାରାୟଣ କଲେଜ ଛାଡ଼ିଲେ। ନାରାୟଣଙ୍କ ନିଜ ଭାଷାରେ ‘‘କଲିକତାର ସ୍ବତନ୍ତ୍ର ଅଧିବେଶନ ପ୍ରସ୍ତାବ ପ୍ରଥମେ ମୋ ଠାରେ କାର୍ଯ୍ୟକାରୀ ହେଲା। କଲେଜ ଛାଡ଼ିବା ଦ୍ବାରା ମୁଁ ପ୍ରଥମ ଅସହଯୋଗୀ ଛାତ୍ର ଥିବାରୁ ଚାରିଆଡ଼େ ମୋତେ ଖୁବ୍ ପ୍ରଶଂସା ମିଳିଲା।’’

ନାରାୟଣ କୁଜଙ୍ଗ ଅଞ୍ଚଳରେ ଲବଣ ସତ୍ୟାଗ୍ରହରେ ପ୍ରମୁଖ ଭୂମିକା ନେଇଥିଲେ। ତାଙ୍କରି ପ୍ରରୋଚନାରେ କୁଜଙ୍ଗର ବିଧବାରାଣୀ ଭାବବତୀ ପାଟମହାଦେଈ ଏହାର ନେତୃତ୍ବ ନେଲେ। ଜଣେ ରାଣୀ ଏପରି ଲବଣ ସତ୍ୟାଗ୍ରହରେ ଯୋଗଦେବା ସେତେବେଳେ ଥିଲା ସମଗ୍ର ଭାରତରେ ପ୍ରଥମ ଘଟଣା। ରାଣୀ ଭାବବତୀ କିନ୍ତୁ ନାରାୟଣଙ୍କ ବ୍ୟକ୍ତିତ୍ୱରେ ଏଭଳି ପ୍ରଭାବିତ ହୋଇଥିଲେ ଯେ ନିଜର କନିଷ୍ଠା କନ୍ୟା ରତ୍ନମାଳି ଜେମାଙ୍କୁ ତାଙ୍କରି ହାତରେ ଅର୍ପି ଦେଇଥିଲେ । ୧୯୩୧ ମସିହା ଜ୍ୟେଷ୍ଠ ମାସରେ ରତ୍ନମାଳିଙ୍କୁ ବିବାହ କଲେ ନାରାୟଣ ବୀରବର ସାମନ୍ତ ଏବଂ କୁଜଙ୍ଗ ହିଁ ହେଲା ତାଙ୍କର କର୍ମଭୂମି। ସେମାନଙ୍କର ତିନୋଟି ସନ୍ତାନ- ପୁଅ ବିଶ୍ବମ୍ଭର, ଝିଅ ପ୍ରତିଜ୍ଞା ଓ ବାଣୀ। ସମୟକ୍ରମେ ୧୯୫୯ ମସିହାରେ ତାଙ୍କର ବଡ଼ଝିଅ ପ୍ରତିଜ୍ଞାଙ୍କୁ ବିବାହ କରିଥିଲେ ସାହିତ୍ୟିକ ମନୋଜ ଦାସ।

ସ୍ବାଧୀନତା ପୂର୍ବରୁ ବିହାର ଓଡ଼ିଶା କାଉନସିଲକୁ ନିର୍ବାଚିତ ହୋଇ ଯାଇଥିଲେ ନାରାୟଣ। ୧୯୪୯ରେ ସ୍ବାଧୀନ ଭାରତର ପ୍ରଥମ ଉପନିର୍ବାଚନରେ ସେ ତିର୍ତ୍ତୋଲ-ଏରସମା ଆସନରୁ ବିଜୟୀ ହୋଇଥିଲେ। ସେତେବେଳକୁ ସ୍ବାଧୀନ ଭାରତର ସଂବିଧାନ ଲାଗୁ ହୋଇ ନଥିଲେ ମଧ୍ୟ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ରାଜ୍ୟରେ ୧୯୩୭ ଓ ୧୯୪୬ରେ ଦୁଇଟି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇସାରିଥାଏ। ୧୯୪୬ରେ ତିର୍ତ୍ତୋଲ-ଏରସମା ଆସନରୁ ସାରଙ୍ଗଧର ଦାସ ନିର୍ବାଚିତ ହୋଇଥିଲେ। ମାତ୍ର ସେ ଇସ୍ତଫା ଦେବାରୁ ୧୯୪୯ରେ ଉପନିର୍ବାଚନ ହେଲା ଏବଂ ସେଠାରେ କଂଗ୍ରେସ ଦଳ ତରଫରୁ ନାରାୟଣ ବୀରବର ସାମନ୍ତଙ୍କୁ ପ୍ରାର୍ଥୀ କରାଗଲା। ଏକ ସଂଘର୍ଷପୂର୍ଣ୍ଣ ପ୍ରତିଦ୍ବନ୍ଦ୍ବିତାରେ ସେ ଜନପ୍ରିୟ ସୋସାଲିଷ୍ଟ ନେତା ନିଶାମଣି ଖୁଣ୍ଟିଆଙ୍କୁ ହରାଇ ନିର୍ବାଚିତ ହୋଇଥିଲେ।

ପାରାଦ୍ବୀପ ବନ୍ଦର ଥିଲା ତାଙ୍କର ସ୍ବପ୍ନ। ତା’ର ସ୍ଥାନ ନିରୂପଣ ଠାରୁ ଆରମ୍ଭ କରି ବିଜୁବାବୁଙ୍କ ପାଖେପାଖେ ରହି ଯୋଜନାର ଖସଡ଼ା ପ୍ରସ୍ତୁତି ତଥା ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରି ବନ୍ଦରର ଶିଳାନ୍ୟାସ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଶିଳାନ୍ୟାସ ବେଳେ ଏରସମାର ବିଧାୟିକା ଥିଲେ ନାରାୟଣଙ୍କ ପତ୍ନୀ ରତ୍ନମାଳି ଜେମା। ଏହାପରେ ନାରାୟଣ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ଲଢ଼ିଥିଲେ ୧୯୭୧ରେ। ଏଥର ସେ ବିଜୁ ପଟ୍ଟନାୟକଙ୍କ ଦ୍ବାରା ନବଗଠିତ ଉତ୍କଳ କଂଗ୍ରେସ ଟିକେଟରେ ଏରସମାରୁ ନିର୍ବାଚନ ଲଢ଼ି କମ୍ୟୁନିଷ୍ଟ ପ୍ରାର୍ଥୀ ଲୋକନାଥ ଚୌଧୁରୀଙ୍କୁ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନଥିବାରୁ ସେଥର ବିଶ୍ବନାଥ ଦାସଙ୍କ ନେତୃତ୍ବରେ ସ୍ବତନ୍ତ୍ର, ଉତ୍କଳ କଂଗ୍ରେସ ଓ ଝାଡ଼ଖଣ୍ଡ ଦଳର ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେଲା। ବିପୁଳ ଜନସମର୍ଥନ ପାଇ ଜିତିଥିବା ନାରାୟଣଙ୍କୁ ମନ୍ତ୍ରିମଣ୍ଡଳରେ ନେବାର ପ୍ରସ୍ତାବ ଥିଲା। ମାତ୍ର ତ୍ୟାଗ ଓ ଜନସେବା ଯାହାଙ୍କର ଜୀବନର ବ୍ରତ, ସେ ମନ୍ତ୍ରୀପଦ ଗ୍ରହଣ କରିବାକୁ ରାଜି ହୁଅନ୍ତେ କିପରି? ବିଜୁବାବୁଙ୍କ ଅନୁରୋଧରେ ଶେଷକୁ ସେ ବିଧାନସଭାର ଉପବାଚସ୍ପତି ପଦ ସ୍ବୀକାର କରିଥିଲେ। ବାଚସ୍ପତି ଆସନ ମଣ୍ଡନ କରିଥିଲେ ଲୋଇସିଂହା ଆସନରୁ ସ୍ବତନ୍ତ୍ର ଦଳ ଟିକେଟରେ ଜିଣିଥିବା ନନ୍ଦକିଶୋର ମିଶ୍ର।

ସାମନ୍ତ ଜଣେ ଦୟାବାନ୍‌ ଓ ବଦାନ୍ୟ ମଣିଷ ଥିଲେ। କଟକର ଯୋବ୍ରା ନିକଟରେ ଥିବା ତାଙ୍କର ଆବାସ ‘କୁଜଙ୍ଗ କୁଟୀର’ର ଦ୍ବାର ଦୁଃଖୀରଙ୍କିଙ୍କ ପାଇଁ ସଦାବେଳେ ଖୋଲା ରହୁଥିଲା। ଲୋକେ ତାଙ୍କୁ ଏତେ ଶ୍ରଦ୍ଧା କରୁଥିଲେ ଯେ ଶଙ୍ଖୋଳିବା ବେଳେ ପାଦ ଛୁଇଁବା ସହ ତାଙ୍କୁ ଆଦରରେ କୁଣ୍ଢାଇ ପକାଉଥିଲେ। ସମାଜସେବା, ସାହିତ୍ୟ ସାଧନା ଓ ଯତିବ୍ରତର ମହାସଙ୍ଗମ ସାମନ୍ତଙ୍କ ଜୀବନରେ ଦେଖିବାକୁ ମିଳିଥିଲା। ‌ ଆନନ୍ଦମଠ, କପାଳ କୁଣ୍ଡଳା ଓ ଯୋଗବଶିଷ୍ଠ ରାମାୟଣ ଆଦି ଗ୍ରନ୍ଥର ଅନୁବାଦ ସହିତ ସେ ଅନେକ କବିତା ଓ ପ୍ରବନ୍ଧ ରଚନା କରିଛନ୍ତି। ତାଙ୍କର ୧୭୩ଟି କବିତା ଓ ୩ଟି ଗଦ୍ୟ ରଚନା‘ଚିନ୍ମୟ ଚେତନା’ ନାମକ ପୁସ୍ତକରେ ସଂକଳିତ ହୋଇଛି। ଏଭଳି ଜଣେ ବିରଳ ବ୍ୟକ୍ତିତ୍ବ ଯେ ଆମ ବିଧାନସଭାର ଉପବାଚସ୍ପତି ପଦ ମଣ୍ଡନ କରିଥିଲେ ତାହା ଆମ ପାଇଁ ଗୌରବର ବିଷୟ। ୧୯୯୯ ମସିହା ଏପ୍ରିଲ୍‌ ୯ ତାରିଖରେ ତାଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର