ସ୍ବରାଜ ମିଶ୍ର
‘‘ଦିକିଦିକି ଜଳେ ଜୁଇ
ଧୂଆଁ ମୋଡ଼ି ମୋଡ଼ି ହୋଇ
ପାଚିଲା କୋଚିଲା ଶିରେ ବାନ୍ଧଇ ଜଟା...’’
କବି ସଚ୍ଚି ରାଉତରାୟଙ୍କ କବିତାର ଏମିତି କିଛି ଧାଡ଼ି ପଢ଼ିଲାବେଳେ ଆଖି ଆଗରେ ନାଚିଯାଏ ଗ୍ରାମ ଶ୍ମଶାନରେ କେଉଁ ଜଣେ ମୃତକଙ୍କର ଲିଭି ଆସୁଥିବା ଜୁଇର ଦୃଶ୍ୟ। ଅତି ପରିଚିତ, ଅତି କରୁଣ ସେ ଦୃଶ୍ୟ। ବିଶ୍ବାସ କରିବା କଷ୍ଟ, ମାତ୍ର ଓଡ଼ିଶାରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ଏକ ଚିତାଗ୍ନି ଜଳୁଛି ନିରବିଚ୍ଛିନ୍ନ ଭାବରେ ଗତ ଅଢ଼େଇ ଶହରୁ ଅଧିକ ବର୍ଷ ଧରି। ଗଞ୍ଜାମ ଜିଲ୍ଲାର ଧରାକୋଟଠାରେ ଋଷିକୂଲ୍ୟା ନଦୀର ଉତ୍ତର ବାଙ୍କରେ ଥିବା ଏକ ଶ୍ମଶାନଭୂମିରେ ଆଜି ବି ଜଳୁଛି ସେଇ ଅଲିଭା ଚିତା, ଯାହାକୁ ଜଳାଇ ରଖାଯାଇଛି ସେଠାରେ ପ୍ରତିଷ୍ଠିତ ଏକ ମଠ ପରିସରରେ। ନାଁ ତା’ର ସତୀମଠ।
କଥାଟି ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳ ଆଜି ଏକ ତହସିଲ। ଆସିକା ଠାରୁ ପ୍ରାୟ ୧୩ କି.ମି. ଦୂରରେ ଋଷିକୂଲ୍ୟା ନଦୀତଟ ବଣଜଙ୍ଗଲ ଘେରା ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିଲା ଧରାକୋଟ ଗଡ଼ କାହିଁ କେତେକାଳରୁ। ଇତିହାସ କହେ, ପ୍ରାଚୀନ ଖିଡ଼ିସିଙ୍ଗି ରାଜ୍ୟର ଏକ ଅଂଶ ଧରାକୋଟରେ ଶାସନ ଆରମ୍ଭ କରିଥିଲେ ମହାରାଜ ହାଡୁ ସିଂହ ୧୪୭୭ ମସିହାରେ। ସେ ଥିଲେ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମସାମୟିକ। ୧୫୧୫ ମସିହାରେ ପୁରୀ ଆସି ସେ ଶ୍ରୀଚୈତନ୍ୟ ଦେବ ଓ ଅତିବଡ଼ୀ ଜଗନ୍ନାଥ ଦାସଙ୍କୁ ଭେଟିଥିଲେ। ବିଶ୍ୱାସ କରାଯାଏ ଯେ ସେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଓ ବଳରାମ ଦାସଙ୍କ ଜଗମୋହନ ରାମାୟଣର ଗୋଟିଏ ଲେଖାଏଁ ନକଲ କରାଇ ଧରାକୋଟ ଘେନି ଆସିଥିଲେ ଏବଂ ନିଜ ରାଜ୍ୟରେ ଏ ଦୁଇଟି ଗ୍ରନ୍ଥ ନିୟମିତ ପାଠ କରିବାର ପରମ୍ପରା ଆରମ୍ଭ କରିଥିଲେ। ତାଙ୍କର ଉତ୍ତରାଧିକାରୀମାନଙ୍କ ଭିତରୁ ଅଧିକାଂଶ ଥିଲେ ଜଗନ୍ନାଥ ଭକ୍ତ। ଶିବରାମ ରଥଙ୍କ ‘ଧରାକୋଟ ଐତିହ୍ୟ’ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ହାଡୁ ସିଂହଙ୍କ ବଂଶଜ ରାଜା ଜୟସିଂହ ଖ୍ରୀ.୧୭୩୨ରେ ସିଂହାସନ ଆରୋହଣ କରିଥିଲେ। ସେ ଥିଲେ ଜଣେ ସୁଶାସକ, କବି ଓ ସଙ୍ଗୀତପ୍ରେମୀ। ଖ୍ରୀ.୧୭୫୮ରେ ତାଙ୍କର ମୃତ୍ୟୁ ହୋଇଥିଲା। ଋଷିକୂଲ୍ୟା ଉତ୍ତର ବାଙ୍କରେ ଥିବା ମହାଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ଏବଂ ତାଙ୍କର ପତ୍ନୀ ପଦ୍ମମାଳା ଦେବୀ ସ୍ବାମୀଙ୍କ ଚିତାରେ ଝାସ ଦେଇ ପ୍ରାଣ ବିସର୍ଜନ କରିଥିଲେ।
ତାଙ୍କ ଅନ୍ତେ ତାଙ୍କର ତଳଭାଇ ରାଜେନ୍ଦ୍ର ସିଂହ ସିଂହାସନରେ ବସିଲେ। କୁହାଯାଏ, ଥରେ ରାଜେନ୍ଦ୍ର ସିଂହ ଘନଜଙ୍ଗଲରେ ମୃଗୟାରୁ ଫେରିବା ବାଟରେ ଭୀଷଣ ବର୍ଷା ଓ ପବନରୁ ରକ୍ଷା ପାଇବାପାଇଁ ଏକ କୁଡ଼ିଆ ଭିତରୁ ଆଲୋକ ଆସୁଥିବାର ଦେଖି ସେଠାକୁ ଆଶ୍ରୟ ନେବା ପାଇଁ ଗଲେ। ପ୍ରବଳ ବର୍ଷା ଓ ପବନ ସତ୍ତ୍ବେ ସେଠାରେ ନିଆଁ ଜଳୁଥିଲା ଏବଂ ପାଖରେ ବସିଥିଲେ ଜଣେ ଅବଧୂତ ସାଧୁ। ପଚାରିବାରୁ ଜାଣିଲେ, ସାଧୁଙ୍କ ନାମ ନିରାକାର ଦାସ ବାବାଜୀ। ସେ ସୂଚନା ଦେଇଥିଲେ ଯେ ଏହା ରାଜା ଜୟସିଂହ ଓ ପଦ୍ମମାଳା ଦେବୀଙ୍କ ପବିତ୍ର ଚିତାଗ୍ନି, ଯାହାକୁ ସେ ନିର୍ବାପିତ ହେବାକୁ ନଦେଇ ସେଠାରେ ଜଳାଇ ରଖିଛନ୍ତି। ରାଜା ଏହା ଶୁଣି ଖୁବ୍ ପ୍ରଭାବିତ ହେଲେ। ଉଆସକୁ ଫେରିଆସିବା ପରେ ସେ ତୁରନ୍ତ ସାଧୁଙ୍କୁ ସେହି ସ୍ଥାନରେ ଏକ ଆଶ୍ରମ ନିର୍ମାଣ କରିବା ପାଇଁ ଜମି ଦେବା ସହିତ ପବିତ୍ର ଅଗ୍ନିକୁ ଜଳାଇ ରଖିବା ପାଇଁ ନିୟମିତ କାଠ ଯୋଗାଇବାର ବ୍ୟବସ୍ଥା କଲେ। ସେହି ମଠଟି ଏବେ ସତୀମଠ ନାମରେ ପରିଚିତ। ଏହା ଧରାକୋଟର ଜଗମୋହନ ପଞ୍ଚାୟତରେ ଋଷିକୂଲ୍ୟା ତଟରେ ଶ୍ମଶାନ ପରିସର ଉପକଣ୍ଠରେ ଅବସ୍ଥିତ। ଏଠାରେ ଧରାକୋଟ ରାଜବଂଶର ରାଜା ଓ ରାଣୀମାନଙ୍କର ସମାଧିପୀଠ ରହିଛି।
ଇତିହାସ କହେ, ରାଜେନ୍ଦ୍ର ସିଂହଙ୍କ ପରେ ଧରାକୋଟ ରାଜସିଂହାସନ ମଣ୍ଡନ କରିଥିବା ରାଜା କୃଷ୍ଣ ସିଂହଙ୍କର ପତ୍ନୀ ଚନ୍ଦ୍ରମା ଦେବୀ ମଧ୍ୟ ୧୭୮୮ ମସିହା ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ପତିଙ୍କ ମୃତ୍ୟୁପରେ ଚିତା ଆରୋହଣ କରି ପତିଙ୍କ ସହଗାମିନୀ ହୋଇଥିଲେ। ଏକଥା କବି ଚିନ୍ତାମଣି ମହାନ୍ତି ତାଙ୍କ ‘ଧରାକୋଟ ଦର୍ଶନ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପରମ ଶାସ୍ତ୍ରଜ୍ଞ ତଥା ମହାଭାରତ ଗ୍ରନ୍ଥର ଓଡ଼ିଆ ଅନୁବାଦ କରିଥିବା ରାଜା କୃଷ୍ଣଚନ୍ଦ୍ରଙ୍କୁ ବ୍ୟାସକବି ଫକୀରମୋହନ ମଧ୍ୟ ‘ଅବସର ବାସରେ’ ପୁସ୍ତକରେ ସ୍ଥାନୀତ ଏକ କବିତାରେ ଉଚ୍ଚ ପ୍ରଶଂସା କରିଛନ୍ତି। ସତୀମଠ ଠାରେ ଏବେ ରାଜ ଶ୍ମଶାନ ଓ ଅବଧୂତଙ୍କ ଗାଦି ରହିଛି। ବାବାଜୀ କୃପାସିନ୍ଧୁ ଦାସ ଏହି ମଠ ଦାୟିତ୍ବରେ ରହି ଚିତାଗ୍ନିର ରକ୍ଷଣାବେକ୍ଷଣ ସହ ନିୟମିତ ପୂଜାର୍ଚ୍ଚନା କରି ଆସୁଛନ୍ତି।
ଦେଶରେ ଅନେକ ଦିନ ତଳୁ ସତୀଦାହ ପ୍ରଥା ନିଷିଦ୍ଧ ହୋଇଛି ଏବଂ ଏବେ ଏହାର ସମ୍ପୂର୍ଣ୍ଣ ବିଲୋପ ହୋଇଛି। ଧରାକୋଟ ମଧ୍ୟ ପରବର୍ତ୍ତୀ କାଳରେ ନାରୀ ସ୍ବାଧୀନତା ଓ ସଶକ୍ତୀକରଣ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୨୦୧୦ ମସିହାରେ ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁପରେ ଧରାକୋଟ ରାଜବଂଶ ଇତିହାସରେ ପ୍ରଥମ ମହିଳା ଭାବେ ତାଙ୍କର ଜ୍ୟେଷ୍ଠାକନ୍ୟା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ସିଂହଦେଓ ସିଂହାସନ ଆରୋହଣ କରିଛନ୍ତି। ପବିତ୍ର ରଥଯାତ୍ରା ସମୟରେ ସେ ହିଁ ପାରମ୍ପରିକ ଛେରାପହଁରା ବିଧି ସମ୍ପାଦନ କରି ଆସୁଛନ୍ତି, ଯାହା ଏକ ନୂଆ ପରମ୍ପରା ସୃଷ୍ଟି କରିଛି। ତେବେ ଅତୀତର ସ୍ମାରକୀ ରୂପେ ଏବେବି ଋଷିକୂଲ୍ୟା ତଟରେ ସତୀମଠ ପରିସରରେ ଜଳୁଛି ସେଇ ଅଲିଭା ଚିତାଗ୍ନି, ଯାହାକୁ ଦୀର୍ଘ ୨୬୬ ବର୍ଷ ଧରି ନିର୍ବାପିତ ହେବାକୁ ଦିଆଯାଇନାହିଁ।