‘ଲୋ ରେବତୀ- ଲୋ ରେବୀ-
ଲୋ ନିଆଁ- ଲୋ ଚୁଲୀ’
ଫକୀରମୋହନଙ୍କ ଗପରେ ରେବତୀର ଜେଜୀଙ୍କ ସେ କରୁଣ ଅଭିସମ୍ପାତ ମନେ ପକାଇଦିଏ ଊନବିଂଶ ଶତାବ୍ଦୀର ଓଡ଼ିଶାରେ ନାରୀଶିକ୍ଷା ପ୍ରତି ଥିବା ଅହେତୁକ ବିରୋଧର କଥା। ସେ ସମୟରେ ପାଠପଢ଼ି ଆଗକୁ ବଢ଼ିବା ପାଇଁ ଆଶା ବାନ୍ଧିଥିବା ରେବତୀ ପରି ଅନେକ କିଶୋରୀଙ୍କ ପୋଥିରେ ଡୋରି ବନ୍ଧା ହୋଇଛି। ଅନେକେ ସ୍ବପ୍ନ ଦେଖିବା ବନ୍ଦ କରି ଦେଇଛନ୍ତି। ମାତ୍ର ରେବତୀ ଗଳ୍ପ ଲେଖାହେବାର କେଇ ବର୍ଷ ଆଗରୁ ତା’ରି ପରି ଝିଅଟିଏ ଅଣ୍ଟା ଭିଡ଼ିଥିଲା ଓଡ଼ିଶାରେ ନାରୀଶିକ୍ଷାର ପ୍ରସାର ପାଇଁ। ମାତ୍ର ଷୋହଳ ବର୍ଷ ବୟସରେ ସେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଓଡ଼ିଶାର ପ୍ରଥମ ପତ୍ରିକାର ସମ୍ପାଦିକା ପଦ ମଣ୍ଡନ କରିଥିଲା। ନାଁ’ଟି ତା’ର ରେବା। ରେବା ରାୟ।
୧୮୯୮ରେ ବ୍ୟାସକବିଙ୍କ ‘ରେବତୀ’ ଗଳ୍ପ ପ୍ରକାଶିତ ହେବାର ଛଅ ବର୍ଷ ପୂର୍ବରୁ ରେବା ରାୟ କଟକରୁ ପ୍ରକାଶିତ ମହିଳା ପତ୍ରିକା ‘ଆଶା’ର ସମ୍ପାଦିକା ହୋଇଥିଲେ। କେବଳ ସେତିକି ନୁହେଁ, ନାରୀଶିକ୍ଷାର ପ୍ରସାର ପାଇଁ ୧୯୦୫ରେ ସେ ଏକ ଆଦର୍ଶ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କଲେ ଏବଂ ତା’ର ଚାରିବର୍ଷ ପରେ ‘ପ୍ରଭାତ’ ନାମରେ ଏକ ପତ୍ରିକା ଆରମ୍ଭ କଲେ, ଯାହାକି ଓଡ଼ିଶାର ପ୍ରଥମ ‘ଶିଶୁପତ୍ରିକା’ର ମାନ୍ୟତା ପାଇଛି। ଏ ମହିୟସୀ ମହିଳାଙ୍କ ଜୀବନ କାହାଣୀ ଯେତିକି ରୋମାଞ୍ଚକର ସେତିକି ପ୍ରେରଣାପ୍ରଦ। ୧୮୭୬ ମସିହାରେ କଟକ ସହରରେ ଜନ୍ମଗ୍ରହଣ କରିଥିବା ରେବାଙ୍କର ପିଲାଦିନର ନାଁ ରେବା ରାଓ। ବାପାଙ୍କ ନାମ ଜଗନ୍ନାଥ ରାଓ ଓ ମା’ଙ୍କ ନାମ ରମାବାଈ। ଜଗନ୍ନାଥ ଥିଲେ ଭକ୍ତକବି ମଧୁସୂଦନ ରାଓଙ୍କ ସାନଭାଇ। ପିଲାଟି ଦିନରୁ ବଡ଼ବାପାଙ୍କ ସାହିତ୍ୟ ଓ ସଂସ୍କାରଧର୍ମୀ ଆଭିମୁଖ୍ୟ ଦ୍ବାରା ଖୁବ୍ ପ୍ରଭାବିତ ହୋଇଥିଲେ ରେବା। ସେତେବେଳେ ନାରୀଶିକ୍ଷା ପ୍ରତି ଘୋର ସାମାଜିକ ବିରୋଧ ଥିଲେ ମଧ୍ୟ ଭକ୍ତକବିଙ୍କ ପ୍ରେରଣାରେ ତାଙ୍କ ପରିବାରର ଝିଅମାନେ ପାଠପଢ଼ା ଆରମ୍ଭ କରିଥିଲେ। ୧୮୮୭ରେ ରେବା ଭର୍ଣ୍ଣାକୁଲାର୍ (ମଧ୍ୟଇଂରାଜୀ) ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଆଗକୁ ପଢ଼ିପାରି ନଥିଲେ। ମାତ୍ର ୧୫ ବର୍ଷ ବୟସରେ ତାଙ୍କର ବିବାହ ହୋଇଯାଇଥିଲା। ପ୍ୟାରୀମୋହନ ଏକାଡେମିରେ ତୃତୀୟ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ବ୍ରାହ୍ମ ଧର୍ମାବଲମ୍ବୀ ଯୁବକ ସାଧୁଚରଣ ରାୟଙ୍କୁ ବିବାହ କରିବା ପରେ ତାଙ୍କର ନାମ ହେଲା ରେବା ରାୟ। ସାଧୁଚରଣ ୧୮୮୮ ମସିହାରୁ କଟକ ବ୍ରାହ୍ମସମାଜର ପୃଷ୍ଠପୋଷକତାରେ ‘ଆଶା’ ନାମରେ ଗୋଟିଏ ମାସିକ ପତ୍ରିକା ଆରମ୍ଭ କରିଥିଲେ, ଯାହା ଦୁଇବର୍ଷ ଚାଲି ବନ୍ଦ ହୋଇ ଯାଇଥିଲା। ତେବେ ବିବାହର ବର୍ଷକ ପରେ ରେବାଙ୍କ ଅନୁରୋଧରେ ଉଭୟେ ମିଶି ସେହି ପତ୍ରିକାକୁ ନୂତନ ରୂପରେ ପୁଣି ଆରମ୍ଭ କଲେ। ଏହା ହେଲା ଓଡ଼ିଶାର ପ୍ରଥମ ନାରୀ ପତ୍ରିକା ଏବଂ ରେବା ହେଲେ ପତ୍ରିକାର ସମ୍ପାଦନା ଦାୟିତ୍ବ ନେଇଥିବା ଓଡ଼ିଶାର ପ୍ରଥମ ମହିଳା।
ରେବା ଓ ସାଧୁଚରଣ ଉଭୟେ ବ୍ରାହ୍ମ ହୋଇଥିଲେ ମଧ୍ୟ ଧର୍ମପ୍ରଚାର ‘ଆଶା’ର ଉଦ୍ଦେଶ୍ୟ ନଥିଲା। ୧୮୯୨ ଜାନୁଆରି ସଂଖ୍ୟାରେ ପତ୍ରିକାର ଲକ୍ଷ୍ୟ ସ୍ପଷ୍ଟ କରିବାକୁ ଯାଇ ସମ୍ପାଦିକା ଲେଖିଥିଲେ - “ଆଶାର ଉଦ୍ଦେଶ୍ୟ ନୂତନ ଓ ସ୍ବତନ୍ତ୍ର। ଦେଶର ସାହିତ୍ୟ ଉନ୍ନତି ବା କୌଣସି ଧର୍ମ ପ୍ରଚାର କରିବା ଏହାର ଉଦ୍ଦେଶ୍ୟ ନୁହେଁ। ଉତ୍କଳର ସ୍ତ୍ରୀ ଶିକ୍ଷା ବିସ୍ତାରିତ ହେଉ ଏହା ‘ଆଶା’ର ମୁଖ୍ୟ ଉଦ୍ଦେଶ୍ୟ।” ଆଶା ପୃଷ୍ଠାରେ ମୁଖ୍ୟତଃ ନାରୀଶିକ୍ଷା ଓ ନାରୀସମସ୍ୟା ସମ୍ବଳିତ ଲେଖାମାନ ପ୍ରକାଶିତ ହେଉଥିଲା। ପରିବାରରେ ଶାଶୂ ଓ ସନ୍ତାନମାନଙ୍କ ପ୍ରତି କର୍ତ୍ତବ୍ୟଠାରୁ ଆରମ୍ଭ କରି, ବିଭିନ୍ନ ଐତିହାସିକ ନାରୀଙ୍କ ଜୀବନଗାଥା, କୌତୁକ କଥା ଓ ରନ୍ଧନ ପ୍ରଣାଳୀ ଆଦି ପ୍ରକାଶିତ ହେଉଥିବାରୁ ଏହା ପାଠକମହଲରେ ଆଦୃତି ଲାଭ କରିଥିଲା। ‘ଉତ୍କଳ ଦୀପିକା’ ଏହି ପତ୍ରିକାର ପ୍ରାପ୍ତିସ୍ବୀକାର କରି ୨୩ ଜାନୁଆରି ୧୮୯୨ରେ ଲେଖିଥିଲା- “ଆଶାର ବର୍ତ୍ତମାନ ସମ୍ପାଦକ ଏହି ଦେଶୀୟ ଜଣେ ଶିକ୍ଷତା ଯୁବତୀ ଶ୍ରୀମତୀ ରେବା ରାୟ ଓ ପ୍ରକାଶକ ବାବୁ ସାଧୁଚରଣ ରାୟ। ଉତ୍କଳରେ ସ୍ତ୍ରୀ ଶିକ୍ଷାର ବିସ୍ତାର ଏହାର ଉଦ୍ଦେଶ୍ୟ ଅଟଇ। ଜଣେ ସ୍ତ୍ରୀ କର୍ତ୍ତୃକ ସମ୍ପାଦିତ ମାସିକ ପତ୍ରିକାର ଉଦ୍ୟମ ଓଡ଼ିଶାରେ ଏହି ପ୍ରଥମ।”
ରେବାଙ୍କର ଏହି ଉଦ୍ୟମକୁ ତତ୍କାଳୀନ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଖୁବ୍ ପସନ୍ଦ କରିଥିଲେ। ନିଜେ ଉତ୍କଳଗୌରବ ମଧୁସୂଦନ ସମ୍ପାଦକଙ୍କୁ ପତ୍ରଲେଖି ସାଧୁବାଦ ଓ ଶୁଭକାମନା ଜଣାଇବା ସହିତ ୨୫ଟଙ୍କାର ସହଯୋଗ ରାଶି ପଠାଇଥିଲେ। କବିବର ରାଧାନାଥ ରାୟ ମଧ୍ୟ ‘ଆଶା’ର ଉତ୍ତରୋତ୍ତର ଉନ୍ନତି କାମନା କରି ୧୮୯୨ ଜୁନ୍ରେ ପତ୍ରଟିଏ ଲେଖିଥିଲେ। ରେବାଙ୍କ ପାଇଁ ରାସ୍ତା କିନ୍ତୁ ସହଜ ନଥିଲା। ଦୁର୍ଭାଗ୍ୟକୁ ୧୮୯୮ରେ ସାଧୁଚରଣଙ୍କର ଦେହାନ୍ତ ହେଲା। ସେତେବେଳେ ରେବାଙ୍କ ବୟସ ମାତ୍ର ୨୨। ଏପରି ସମୟରେ ତିନୋଟି ଛୋଟ ଛୋଟ ଛୁଆଙ୍କ ଦାୟିତ୍ବ ନେବା ସହିତ ପତ୍ରିକାଟିକୁ ବେଶୀଦିନ ଚଳାଇ ରଖିବା ସମ୍ଭବ ହୋଇପାରି ନଥିଲା। କିନ୍ତୁ ସେ ନିଜର ସାହିତ୍ୟ ସାଧନା ଅବ୍ୟାହତ ରଖିଥିଲେ। ୧୩ରୁ ୨୦ବର୍ଷ ବୟସ ଭିତରେ ସେ ଲେଖିଥିବା କବିତା ମଧ୍ୟରୁ ପ୍ରାୟ ଚାଳିଶଟିକୁ ନେଇ ତାଙ୍କର ‘ଅଞ୍ଜଳି’(୧୯୦୩) କବିତା ସଂକଳନ ପ୍ରକାଶ ପାଇଥିଲା। ପୁଣି ୧୯୦୪ରେ ପ୍ରକାଶିତ ହେଲା ତାଙ୍କର ଗଳ୍ପ ସଂକଳନ ‘ଶକୁନ୍ତଳା’।
ନାରୀଶିକ୍ଷାର ପ୍ରସାର ଲାଗି ସମର୍ପିତା ରେବା ୧୯୦୫ରେ ବାଳିକାମାନଙ୍କ ପାଇଁ ଏକ ବିଦ୍ୟାଳୟ ଆରମ୍ଭ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଉଚ୍ଛ୍ବସିତ ପ୍ରଶଂସା କରି ଉତ୍କଳ ଦୀପିକା ୧୭ ଫେବ୍ରୁଆରି ୧୯୦୬ ସଂଖ୍ୟାରେ ଲେଖିଥିଲେ- “ଏ ନଗରବାସିନୀ ଶ୍ରୀମତୀ ରେବା ରାୟ ଅପରିଚିତା ନୁହନ୍ତି। x x x ଅକିଞ୍ଚନ ଉତ୍କଳ କନ୍ୟାମାନଙ୍କର ସୁଶିକ୍ଷା ନିମନ୍ତେ ତାହାଙ୍କର ଦେହ, ମନ, ପ୍ରାଣ ଅର୍ପଣ କରିବାକୁ ସେ ବହୁଦିନରୁ ଯାହା ସଂକଳ୍ପ କରିଥିଲେ ବର୍ତ୍ତମାନ ତାହା କାର୍ଯ୍ୟରେ ପରିଣତ କରିବାର ଆରମ୍ଭ କରିଅଛନ୍ତି। କାଳିଗଳିସ୍ଥ ତାହାଙ୍କର ଗୃହରେ ଗୋଟିଏ ଆଦର୍ଶ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇ କେବଳ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ବାଳିକାମାନଙ୍କୁ ଗାଡ଼ିରେ ଅଣାଇ ଶିକ୍ଷା ଦିଆଯାଉଅଛି।” ସେଠାରେ ଓଡ଼ିଆ, ବଙ୍ଗଳା, ଇଂରାଜୀ ଭାଷା ଶିକ୍ଷା ସହିତ ସିଲାଇ, ସଙ୍ଗୀତ ଏପରିକି ରନ୍ଧନ କଳା ମଧ୍ୟ ଶିକ୍ଷା ଦିଆଯାଉଥିଲା। ଏହା ଥିଲା ସେ ସମୟର ପ୍ରତିକୂଳ ପରିସ୍ଥିତି ଓ ପରିବେଶରେ ଅତ୍ୟନ୍ତ ସାହସିକ ଉଦ୍ୟମ। ତେବେ କ୍ରମବର୍ଦ୍ଧିଷ୍ଣୁ ବ୍ୟୟଭାର ତଥା କିଛି ରକ୍ଷଣଶୀଳ ବ୍ୟକ୍ତିଙ୍କ ବିରୋଧ କାରଣରୁ ବିଦ୍ୟାଳୟ ଚଳାଇବା କଷ୍ଟକର ହୋଇପଡ଼ିଥିଲା। କିନ୍ତୁ, ତାଙ୍କର ନିଷ୍ଠା ଓ ଉଚ୍ଚମାନର ଶିକ୍ଷା ପଦ୍ଧତି ଦେଖି ଲେଫ୍ଟ୍ନାଣ୍ଟ୍ ଗଭର୍ଣ୍ଣର୍ ଏହି ବିଦ୍ୟାଳୟକୁ ସରକାରୀ ସ୍ବୀକୃତି ଦେଇଥିଲେ। ୧୯୧୨ ମସିହାରେ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଏହାକୁ ରେଭେନ୍ସା ଗାର୍ଲସ୍ ହାଇସ୍କୁଲ୍ ସହ ମିଶାଇ ଦିଆଯାଇଥିଲା।
ରେବା ରାୟ ଅନ୍ୟ ଯେଉଁ ଅବଦାନ ପାଇଁ ସବୁଦିନେ ସ୍ମରଣୀୟ ହୋଇ ରହିବେ ତାହା ହେଲା ୧୯୦୯ ମସିହାରେ ପ୍ରଥମ ଓଡ଼ିଆ ଶିଶୁପତ୍ରିକା ‘ପ୍ରଭାତ’ର ପ୍ରକାଶନ। ଶିକ୍ଷାର ପ୍ରସାର ସହ ଶିଶୁକିେଶାରମାନଙ୍କ ଚରିତ୍ର ଗଠନ ଥିଲା ପତ୍ରିକାର ମୂଳ ଉଦ୍ଦେଶ୍ୟ। ଏହାର ପ୍ରଥମ ଭାଗ, ପ୍ରଥମ ସଂଖ୍ୟାରେ ସମ୍ପାଦିକା ଲେଖିଥିଲେ- “ପ୍ରଭାତ ଯେଉଁ କରୁଣାମୟ ବିଶ୍ବବିଧାତାଙ୍କର କରୁଣା ଓ ପ୍ରେମର ଜୀବନ୍ତ ମଧୁମୟ ଛବି, ଆମ୍ଭମାନଙ୍କର ଏହି ‘ପ୍ରଭାତ’କୁ ତାଙ୍କରି ସ୍ନେହ, ପ୍ରେମର ଗୋଟିଏ କଣିକା ବୋଲି ଜାଣି ଆଜି ଉତ୍କଳର ବାଳକବାଳିକାଙ୍କର ଶ୍ରୀକରରେ ଅର୍ପଣ କରୁଅଛୁଁ।” ଦୀର୍ଘ ୫ ବର୍ଷ କାଳ ପ୍ରକାଶିତ ହେବା ପରେ ୧୯୧୪ରେ ଏହା ବନ୍ଦ ହୋଇଯାଇଥିଲା। ୧୯୫୭ ମସିହା ଅଗଷ୍ଟ ୭ ତାରିଖରେ ତାଙ୍କର ଦେହାବସାନ ପର୍ଯ୍ୟନ୍ତ ସାରା ଜୀବନ ସେ ଶିକ୍ଷା ଓ ସମାଜକଲ୍ୟାଣ ପାଇଁ ନିରବ ସାଧନାରେ ମଗ୍ନ ରହିଥିଲେ। କେତେ କିଶୋରକିଶୋରୀଙ୍କ ଜୀବନ ଗଢ଼ି ଦେଇଥିଲେ ସେ। ଫକୀରମୋହନଙ୍କ ଗଳ୍ପରେ ପାଠ ପଢ଼ିବାର ସ୍ବପ୍ନ ଦେଖିଥିବା ରେବତୀ ଅକାଳରେ ଝରି ଯାଇଥିଲା ସତ, ମାତ୍ର ତା’ଭଳି ଅସଂଖ୍ୟ କିଶୋରୀଙ୍କ ସ୍ବପ୍ନରେ ଡେଣା ଲଗାଇ ଦେଇଥିଲେ ରେବା।