ସ୍ବରାଜ ମିଶ୍ର
ପାଖାପାଖି ୧୧୦ ବର୍ଷ ତଳେ ବାଲେଶ୍ବର ମାଟିରେ ଏକ ସାହସିକ ସମର ଲଢ଼ା ଯାଇଥିଲା, ଯାହାକୁ ସ୍ମରଣ କରି ପ୍ରଖ୍ୟାତ କବି କାଜି ନଜ୍ରୁଲ୍ ଇସ୍ଲାମ୍ ତାଙ୍କ କବିତାରେ ଓଡ଼ିଶା ମାଟିର ଉଚ୍ଛ୍ବସିତ ଜୟଗାନ କରିଥିଲେ। ସେ ବାଲେଶ୍ବରର ଚଷାଖଣ୍ଡ ମାଟିକୁ ‘ନବଭାରତର ହଳଦୀଘାଟ’ ଆଖ୍ୟା ଦେଇଛନ୍ତି। ମୟୂରଭଞ୍ଜର କପ୍ତିପଦା, ବାଲେଶ୍ବରର ଚଷାଖଣ୍ଡ ଓ ଆଖପାଖ ଅଞ୍ଚଳ ଥିଲା ଏହି ସଶସ୍ତ୍ର ସଂଗ୍ରାମର ପ୍ରେକ୍ଷାପଟ ଏବଂ ଏ ଲଢ଼େଇର ନାୟକ ଥିଲେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ‘ବାଘାଯତୀନ୍’ ଓରଫ୍ ଯତୀନ୍ଦ୍ରନାଥ ମୁଖାର୍ଜୀ। ଏହି ବିପ୍ଳବୀ ବୀର ୧୮୭୯ ମସିହାରେ ଅବିଭାଜିତ ବଙ୍ଗର କୁଷ୍ଟିଆ ଜିଲ୍ଲାରେ ଜନ୍ମ ନେଇଥିଲେ। ପିତା ଉମେଶ ଚନ୍ଦ୍ର ମୁଖାର୍ଜୀ ଓ ମାତା ଶରଦଶଶୀ ଆଦରରେ ପୁଅର ନାମ ଦେଇଥିଲେ ଯତୀନ୍ଦ୍ର। ପିଲାଦିନରୁ ଖେଳକୁଦ, କୁସ୍ତିକସରତ ଓ ଘୋଡ଼ାଚଢ଼ାରେ ତାଙ୍କର ଥିଲା ପ୍ରବଳ ଆଗ୍ରହ। ପ୍ରିୟ ଘୋଡ଼ା ‘ସୁନ୍ଦରୀ’ ପିଠିରେ ବସି ଲଗାମ ଛାଡ଼ିଦେଇ ଦ୍ରୁତଗତିରେ ତାକୁ ଏପରି ଦଉଡ଼ାଉଥିଲେ ଯେମିତି ସେ ଯୁଦ୍ଧ ଲଢ଼ିବାକୁ ଯାଉଛନ୍ତି।
୧୮୯୯ରେ ଏଣ୍ଟ୍ରାନ୍ସ ପାସ୍ କରି କଲିକତାରେ ସେଣ୍ଟ୍ରାଲ୍ କଲେଜରେ ପଢୁଥିବା ବେଳେ ସେ ଅନେକ ସ୍ବାଧୀନଚେତା ବିପ୍ଳବୀଙ୍କ ସଂସ୍ପର୍ଶରେ ଆସିଲେ। ତେବେ ତାଙ୍କୁ ସବୁଠାରୁ ବେଶୀ ପ୍ରଭାବିତ କରିଥିଲେ ବିପ୍ଳବୀ ଶ୍ରୀଅରବିନ୍ଦ ଓ ସ୍ବାମୀ ବିବେକାନନ୍ଦ। ୧୯୦୫ରେ ଲର୍ଡ କର୍ଜନ୍ଙ୍କ ବଙ୍ଗଭଙ୍ଗ ନିଷ୍ପତ୍ତିର ପ୍ରତିକ୍ରିୟାରେ ବଙ୍ଗ ସମେତ ସମଗ୍ର ପୂର୍ବ ଭାରତରେ ବିଶାଳ ଜନ ଆନ୍ଦୋଳନ ତେଜି ଉଠିଥାଏ। ସ୍ବାଧୀନଚେତା ଯୁବକମାନେ ସଂଗଠିତ ହେଉଥାନ୍ତି ସଶସ୍ତ୍ର ସଂଗ୍ରାମ ପାଇଁ। ସାହସୀ ଯତୀନ୍ଦ୍ର ସେହି ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ସାଜିଲେ। ସେତେବେଳକୁ ଲୋକମୁଖରେ ତାଙ୍କ ନାଁ ପଡ଼ିଯାଇଥାଏ ବାଘାଯତୀନ। ୧୯୦୬ ମସିହାରେ ମାମୁଘରକୁ ଯାଇଥିବା ବେଳେ ସେଇଠି ନିଜର ମାମୁପୁଅ ଭାଇଙ୍କ ସହିତ ଏକ ମହାବଳ ବାଘ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ସେ। କେବଳ ଏକ ଛୁରୀ ଧରି ବାଘ ସହ ଲଢ଼େଇ କରି ତାକୁ ଜୀବନରେ ମାରି ଦେଇଥିବାରୁ ତାଙ୍କ ନାଁ ସବୁଆଡ଼େ ରାଷ୍ଟ୍ର ହୋଇଯାଇଥିଲା ଏବଂ ଲୋକେ ତାଙ୍କ ସାହସ ଓ ବୀରତ୍ବ ଦେଖି ତାଙ୍କୁ ବାଘାଯତୀନ୍ ଡାକିବା ଆରମ୍ଭ କରି ଦେଇଥିଲେ।
କେବଳ ସାହସ ନୁହେଁ, ତାଙ୍କ ପାଖରେ ଥିଲା ସାଂଗଠନିକ ଦକ୍ଷତା ଓ ନେତୃତ୍ବ ନେବାର ଶକ୍ତି। ଏଣୁ ଖୁବ୍ ଶୀଘ୍ର ସେ ‘ଯୁଗାନ୍ତର’ ଭଳି ନବଗଠିତ ସଂଗ୍ରାମୀ ଯୁବସଂଗଠନର ବିପ୍ଳବାତ୍ମକ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ହୋଇପଡ଼ିଲେ। ‘ଆଲିପୁର ଷଡ୍ଯନ୍ତ୍ର’ ଓ ‘ହାଓଡ଼ା ଷଡ୍ଯନ୍ତ୍ର’ ଆଦି ବିଭିନ୍ନ ମାମଲାରେ ସେ ଛନ୍ଦି ହୋଇ ପଡ଼ିଥିଲେ ଏବଂ ଗୋପନରେ ରହି ବିପ୍ଳବାତ୍ମକ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ପାଇଁ ବାଛିନେଇଥିଲେ ଓଡ଼ିଶା ଭୂଇଁକୁ। ବାଲେଶ୍ବର ଓ ମୟୂରଭଞ୍ଜର ସୀମାନ୍ତରେ ଥିବା କପ୍ତିପଦା ଜଙ୍ଗଲ ପାଲଟିଥିଲା ତାଙ୍କ ଗୁପ୍ତ ରହଣିସ୍ଥଳ।
ଯତୀନ୍ଦ୍ରନାଥ ସେଣ୍ଟ୍ରାଲ୍ କଲେଜରେ ପଢୁଥିବା ବେଳେ ତାଙ୍କର ସହପାଠୀ ମନୀନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ସହାୟତାରେ ସେ ପହଞ୍ଚିଥିଲେ କପ୍ତିପଦା ଅଞ୍ଚଳରେ ଥିବା ତାଙ୍କ ଗାଁ ମହୁଲଡ଼ିହାରେ। ମନୀନ୍ଦ୍ରଙ୍କ ବାପା କେଦାରନାଥ ସେଇଠି ସେମାନଙ୍କ ରହିବାର ବ୍ୟବସ୍ଥା କରିଦେଇଥିଲେ। ବାଘାଯତୀନ୍ଙ୍କ ସହ ତାଙ୍କର ଆଉ ଚାରିଜଣ ବନ୍ଧୁ ବି ରହୁଥିଲେ ଛଦ୍ମବେଶରେ। ସେଠାରେ ଯତୀନ୍ ନିଜର ନାମ ରଖିଥିଲେ ରାମାନନ୍ଦ ସ୍ବାମୀ। ଲୋକଙ୍କୁ ହୋମିଓପାଥି ଔଷଧ ଦେବା ସହିତ ସେମାନଙ୍କ ସୁଖଦୁଃଖରେ ଠିଆହୋଇ ତାଙ୍କର ବିଶ୍ୱାସ ଜିତିଥିଲେ। ନିକଟସ୍ଥ ମୟୂରହୁଡ଼ା ପାହାଡ଼ ପାଦଦେଶର ଘନଜଙ୍ଗଲ ଭିତରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଅଭ୍ୟାସ ସହିତ ସ୍ଥାନୀୟ ଯୁବକଙ୍କ ପ୍ରଶିକ୍ଷଣ ଓ ଗୁପ୍ତ ମନ୍ତ୍ରଣା ଚାଲୁଥିଲା। ଏ ଭିତରେ ୧୯୧୪ରେ ପ୍ରଥମ ବିଶ୍ବଯୁଦ୍ଧ ଆରମ୍ଭ ହୋଇଗଲା। ସେତେବେଳେ ବିପ୍ଳବୀମାନଙ୍କର ମୁଖ୍ୟ କାର୍ଯ୍ୟକ୍ରମ ଥାଏ ବିଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନି କରିବା। ଏଥିପାଇଁ ବାଲେଶ୍ବର ମୋତିଗଞ୍ଜ ବଜାରରେ ଥିବା ସାଇକେଲ ବିକ୍ରୟ ଓ ମରାମତି ଦୋକାନ ‘ୟୁନିଭର୍ସାଲ୍ ଏମ୍ପୋରିଅମ୍’ ଓ କଲିକତାର ‘ହ୍ୟାରି ଏଣ୍ଡ୍ ସନ୍ସ’ କମ୍ପାନି ମାଧ୍ୟମରେ ଯୋଗାଯୋଗ ଓ ଖବର ନେଣଦେଣ ଚାଲିଥାଏ। ୟୁନିଭର୍ସାଲ୍ ଏମ୍ପୋରିଅମ୍ ଦାୟିତ୍ବରେ ଥାଆନ୍ତି ଯତୀନ୍ଙ୍କ ବନ୍ଧୁ ଶୈଳେଶ୍ବର ବୋଷ। ଜର୍ମାନ୍ ଜାହାଜ ‘ମାଭେରିକ୍’ ମାଧ୍ୟମରେ ଆସିବାର ଥିଲା ଗୁପ୍ତ ଅସ୍ତ୍ରଶସ୍ତ୍ର, ଯାହାକୁ ବ୍ରିଟିଶ୍ ପୁଲିସର ନଜର ଏଡ଼ାଇବା ଲାଗି ବାଲେଶ୍ବର ପ୍ରେରଣ କରାଗଲା। ମାତ୍ର ଜର୍ମାନ୍ ଏଜେଣ୍ଟଙ୍କ ଧୋକା ଯୋଗୁ ଖବର ପହଞ୍ଚିଗଲା ବ୍ରିଟିସ୍ ଗୁପ୍ତଚରଙ୍କ ପାଖରେ। ତା’ପରେ ଆରମ୍ଭ ହୋଇଗଲା ବ୍ୟାପକ ଚଢ଼ାଉ ଓ ଖାନତଲାସ। ୟୁନିଭର୍ସାଲ୍ ଏମ୍ପୋରିଅମ୍ ଖାନତଲାସିରୁ ମିଳିଥିବା ହାତଲେଖା କାଗଜପତ୍ରରୁ ପୁଲିସ କପ୍ତିପଦା ରହଣିସ୍ଥଳର ସୂଚନା ପାଇଲା। ମାତ୍ର କପ୍ତିପଦାରେ ପହଞ୍ଚିଲାବେଳକୁ ବିପ୍ଳବୀମାନେ ସେଠାରୁ ଖସି ଚାଲିଯାଇଥିଲେ। ସେତେବେଳକୁ ବୁଢ଼ାବଳଙ୍ଗରେ ପାଣି ବଢ଼ିଥାଏ। ସେଇ ପାଣିକାଦୁଅ ଭିତରେ ବଣଜଙ୍ଗଲ ବିଲବାଡ଼ି ପାରହୋଇ ସେମାନେ ପହଞ୍ଚିଯାଇଥିଲେ ବୁଢ଼ାବଳଙ୍ଗର ଅନତିଦୂରରେ ଥିବା ଚଷାଖଣ୍ଡ ଗାଁରେ। ସେଇଠି ଦେଶୁଆ ପୋଖରୀ ନିକଟରେ ଲୁଚିଥିବା ସମୟରେ ପୁଲିସ ଘେରିଯାଇଥିଲା ସେମାନଙ୍କୁ ଏବଂ ଆରମ୍ଭ ହେଲା ସଶସ୍ତ୍ର ଲଢ଼େଇ। ସେଦିନଟି ଥିଲା ୧୯୧୫ ମସିହା ସେପ୍ଟେମ୍ବର ୯ ତାରିଖ।
ଗୋଟିଏ ପଟେ ପାଞ୍ଚଶହ ସଶସ୍ତ୍ର ପୁଲିସ ଓ ଅନ୍ୟପଟେ ମାତ୍ର ପାଞ୍ଚଜଣ ବିପ୍ଳବୀ। ଯତୀନ୍ଙ୍କ ସହ ଚିତ୍ତପ୍ରିୟ, ମନୋରଞ୍ଜନ, ନୀରେନ୍ ଓ ଯତୀଶ। ସେ ଘମାଘୋଟ ଲଢ଼େଇରେ ଘଟଣାସ୍ଥଳରେ ଚିତ୍ତପ୍ରିୟଙ୍କ ମୃତ୍ୟୁ ହେଲା। ବାଘାଯତୀନ୍ ଗୁରୁତର ଆହତ ହେଲେ ଓ ବାକି ତିନିଜଣ ଗିରଫ ହେଲେ। ଯତୀନ୍ଙ୍କ ତଳିପେଟରେ ଗୁଳିବାଜି ପ୍ରଚୁର ରକ୍ତସ୍ରାବ ହୋଇଥାଏ। ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ବାଲେଶ୍ବର ମିଲିଟାରି ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଚେତା ଫେରିବା ପରେ ସେ ଶତ୍ରୁ ହାତରୁ ଚିକିତ୍ସା ପ୍ରତ୍ୟାଖ୍ୟାନ କଲେ ଏବଂ ୧୯୧୫ ସେପ୍ଟେମ୍ବର ୧୦ ତାରିଖରେ ପ୍ରାଣ ହରାଇଲେ। ମୃତ୍ୟୁପୂର୍ବର ଜମାନବନ୍ଦୀରେ ସେ ସମସ୍ତ ଦୋଷ ନିଜ ଉପରକୁ ନେଇ ସହଯୋଗୀମାନେ ନିର୍ଦୋଷ ବୋଲି ଦର୍ଶାଇଥିଲେ ମଧ୍ୟ ନୀରେନ ଓ ମନୋରଞ୍ଜନଙ୍କୁ ଫାଶୀ ଦିଆଯାଇଥିଲା। ଯତୀଶ ପାଲ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ବାଘାଯତୀନ୍ଙ୍କର ବୟସ ମାତ୍ର ୩୬। ସେ କେବଳ ଜଣେ ବିପ୍ଳବୀ ନଥିଲେ, ଥିଲେ ପ୍ରଚଣ୍ଡ ସ୍ବାଭିମାନ, ଦୁର୍ବାର ଦୁଃସାହସ ଓ ଆତ୍ମବିଶ୍ୱାସର ପ୍ରତୀକ। ଯେଉଁ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା ସେଠାରେ ଏବେ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଛି। ସେଇଠି ପ୍ରତିଷ୍ଠିତ ହୋଇଛି ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତି। ରେମୁଣା ବ୍ଲକ୍ର ଚଷାଖଣ୍ଡ ସଂଗ୍ରାମ ଭୂଇଁରେ ମଧ୍ୟ ସ୍ମୃତି ଉଦ୍ୟାନଟିଏ ପ୍ରତିଷ୍ଠିତ ହୋଇଛି। କପ୍ତିପଦା ମହୁଲଡିହାରେ ମନୀନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ସହ ଯତୀନ୍ଙ୍କ ପ୍ରତିମୂର୍ତ୍ତି ବି ସ୍ଥାପନ କରାଯାଇଛି। ଯତୀନ୍ଦ୍ରନାଥଙ୍କୁ କିନ୍ତୁ ସର୍ବଶ୍ରେଷ୍ଠ ସମ୍ମାନ ଜଣାଇଛନ୍ତି କାଜି ନଜ୍ରୁଲ୍ ଇସଲାମ୍ ତାଙ୍କ କବିତାରେ। ରକ୍ତତୀର୍ଥ ଚଷାଖଣ୍ଡର ସଂଘର୍ଷ ଭିତରେ ସେ ପ୍ରଚଣ୍ଡ ତେଜ ଓ ସ୍ବାଭିମାନର ଲଢ଼େଇ ଦେଖିଛନ୍ତି। ସେଥିପାଇଁ ସେ ତାହାକୁ ଯୋଡ଼ିଛନ୍ତି ଐତିହାସିକ ହଳଦୀଘାଟ ଯୁଦ୍ଧ ସହିତ। ‘ପ୍ରଳୟଶିଖା’ କବିତା ସଙ୍କଳନରେ ସ୍ଥାନିତ ତାଙ୍କ କବିତାର ଦୁଇଧାଡ଼ି ଆଜି ବି ଗୁଞ୍ଜରିତ ହେଉଛି ସବୁ ଦେଶପ୍ରେମୀଙ୍କ ହୃଦୟରେ-
‘‘ଅଧୀନ ଭାରତ କରିଲା ପ୍ରଥମେ
ସ୍ବାଧୀନ ଭାରତ ମନ୍ତ୍ରପାଠ,
ବାଲେଶ୍ବର ବୁଢ଼ାବଳଙ୍ଗର ତଟ
ନବଭାରତର ହଳଦୀଘାଟ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/26/oUWM9JMuTR1DrVvbuyFs.jpg)