କିଛି ମାସ ତଳେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ୱେଲ୍‌ସ ଅନ୍ତର୍ଗତ ଲିସମୋର ସ୍ଥିତ ଇଷ୍ଟର୍ଣ୍ଣ ଫରେଷ୍ଟ ନର୍ସରିରୁ ଚାରା ସବୁ ଚୋରି ହୋଇଯାଉଥିବା ଘଟଣା ଜଣାପଡ଼ିଥିଲା। କର୍ମଚାରୀମାନେ ଚୋରି ପଛରେ ନର୍ସରିରୁ ଖସି ପଳାଉଥିବା ଛେଳିଙ୍କୁ ପ୍ରଥମେ ସନ୍ଦେହ କରିଥିଲେ। ନର୍ସରି ଉପରେ କଡ଼ା ନିଘା ରଖିବା ପରେ ଛେଳିମାନେ ଚାରାଗୁଡ଼ିକୁ ଖାଇ ନଷ୍ଟ କଲା ଭଳି କିଛି ପ୍ରମାଣ ମିଳିନଥିଲା। ଏପରି ଭାବରେ ନର୍ସରିରୁ ପ୍ରାୟ ୩,୮୦୦ ଡଲାର ବା ପ୍ରାୟ ୩ ଲକ୍ଷ ୧୬ ହଜାର ଟଙ୍କାର ଚାରା ଉଭାନ ହୋଇଯାଇଥିବା ବେଳେ ଏ ଘଟଣା ରହସ୍ୟମୟ ହୋଇ ପଡ଼ିଥିଲା।

Advertisment

ତେବେ ଦିନେ କର୍ମଚାରୀଙ୍କ ଆଖିରେ ଏକ କୋଆଲା ଭାଲୁ ଧରାପଡ଼ିଥିଲା। ଚାରା ଗାଏବ ହୋଇଯିବା ପଛରେ ତା’ର କାରନାମା ଥିବା ସ୍ପଷ୍ଟ ହୋଇଥିଲା। ସେଦିନ ସେ ପ୍ରଚୁର ପରିମାଣର ଚାରା ଖାଇବା ପରେ ସେ ରହୁଥିବା ଗଛ ଉପରକୁ ଆଉ ଚଢ଼ିପାରିନଥିଲା। ତେବେ ଏଥିରୁ ଏକ ଚିନ୍ତାଜନକ କଥା ସ୍ପଷ୍ଟ ହୋଇଛି ଯେ ଜଙ୍ଗଲରେ କୋଆଲା ଭାଲୁମାନଙ୍କୁ ଆବଶ୍ୟକ ମୁତାବକ ଖାଦ୍ୟ ମିଳୁନାହିଁ। ତେଣୁ ଏହି ଚୋରି ଘଟଣାକୁ ଏକ ଚେତାବନୀ ରୂପେ ଗ୍ରହଣ କରି ଜଙ୍ଗଲୀ ପଶୁପକ୍ଷୀଙ୍କ ଖାଦ୍ୟ ଓ ବାସସ୍ଥାନର ପୁନରୁଦ୍ଧାର ଲାଗି ପଦକ୍ଷେପ ନେବା ଅତ୍ୟାବଶ୍ୟକ ବୋଲି ପରିବେଶବିତ୍‌ମାନେ କହୁଛନ୍ତି।