ଭୋଜିରେ ପ୍ଲାଷ୍ଟିକ ପ୍ଲେଟ ବ୍ୟବହାର କଲେ ମିଳିବନି ବିବାହ ପ୍ରମାଣପତ୍ର !
କୋଚି : ଏଣିକି ବିବାହ ପ୍ରମାଣ ପତ୍ର ପାଇବାକୁ ହେଲେ ବିବାହ ଭୋଜିରେ ପ୍ଲାଷ୍ଟିକ ପ୍ଲେଟ୍ ବ୍ୟବହାର ବନ୍ଦ କରିବାକୁ ପଡ଼ିବ । କୌଣସି ବିବାହ ଉତ୍ସବରେ ପ୍ଲାଷ୍ଟିକ ପ୍ଲେଟ ବ୍ୟବହାର କଲେ ଜରିମାନା ଦେବା ଦେବା ସହିତ ବିବାହ ପ୍ରମାଣପତ୍ର ମଧ୍ୟ ମିଳିବ ନାହିଁ । ପରିବେଷକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏଭଳି ବାଟ ଆପଣେଇଛନ୍ତି କେରଳର କନୁର ଜିଲ୍ଲାର କୋଲାଡ଼ ପଞ୍ଚାୟତର ଗ୍ରାମବାସୀ।
Sambad is now on WhatsApp
Join and get latest news updates delivered to you via WhatsApp
ବିବାହ ଭୋଜିରେ ବହୁ ପରିମାଣରେ ପ୍ଲାଷ୍ଟିକ ପ୍ଲେଟର ବ୍ୟବହାର ଦ୍ୱାରା ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ିଥାଏ। କାରଣ ଏହା ବାୟୋଡିଗ୍ରେଡେବୁଲ୍ ନୁହେଁ। ଯେ କୌଣସି ବିବାହ ଉତ୍ସବ ହେଉ ବା ପର୍ବ ହେଉ ଲୋକମାନେ ପ୍ଲାଷ୍ଟିକ ପ୍ଲେଟ ବ୍ୟବହାର କରିଥାନ୍ତି । ଯାହା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ଏ ସବୁରୁ ପରିବେଶକୁ ରକ୍ଷା କରିବା ପାଇଁ କୋଲଡ଼ ପଞ୍ଚୟତର ଗ୍ରାମବାସୀମାନେ ‘ମାଳିନ୍ୟମିଲଥା ମଙ୍ଗଲମ’ନାମକ ଅଭିଯାନ ଆରମ୍ଭ କରିଛନ୍ତି। ଏହାର ଅର୍ଥ ହେଲା ପ୍ରଦୂଷଣ ବିନା ବିବାହ।
ଯେତେବେଳେ ଏହି ଅଭିଯାନ ଆରମ୍ଭ ହେଲା, ପ୍ରଥମେ ଏହି ନିୟମ କେବଳ ବିବାହ ଭୋଜି ପାଇଁ ଲାଗୁ ହୋଇଥିଲା। ପରେ ପରେ ଏହା ସବୁ ପର୍ବ ପାଇଁ ଲାଗୁ କରାଗଲା। ଯେଉଁଠିକି ୧୦୦ରୁ ଊର୍ଦ୍ଧ୍ୱ ଲୋକ ଥିବେ ସେଠି ଏହି ନିୟମ ଲାଗୁ କରାଗଲା । ପୁରା କୋଲାଡ଼ ବାସୀ ଏହି ନିୟମକୁ ମାନିବା ସହିତ ଏହାକୁ ସଫଳ କରିପାରିଛନ୍ତି । ନିୟମକୁ ଉଲଙ୍ଘନ କରୁଥିବା ଲୋକମାନଙ୍କୁ ଜରିମାନା ମଧ୍ୟ ଦେବାକୁ ପଡ଼ିଥାଏ । ନିୟମ ଅନୁଯାୟୀ ସେହି ପଞ୍ଚାୟତରେ ଯାହା ବି ବିବାହ କାର୍ଯ୍ୟ ହେବ ସେଥିପାଇଁ କେତେ ଲୋକ ଆସିବେ ଏ ସବୁ ବିଷୟରେ ପଞ୍ଚାୟତକୁ ସୁଚନା ଦେବାକୁ ପଡ଼ିଥାଏ, ଯିଏ ଏହି ନିୟମ ଉଲଂଙ୍ଘନ କରେ ସେ ୧୦,୦୦୦ ଟଙ୍କା ଜରିମାନା ଦେବା ସହିତ ବିବାହ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ରହେ । ଯିଏ ନିୟମ ଅନୁସାରେ କାମ କରେ ତାକୁ ପୁରସ୍କୃତ ମଧ୍ୟ କରାଯାଇଥାଏ ।
ଏହା ସହିତ କୋଲାଡ଼ ପଞ୍ଚାୟତରେ ଥିବା ପ୍ରତି ସ୍କୁଲମାନଙ୍କରେ ପ୍ଲାଷ୍ଟିକ ବୋତଲ ସହିତ ପ୍ଲାଷ୍ଟିକ କଲମର ବ୍ୟବହାରକୁ ବନ୍ଦ କରାଯାଇଥିବା ବେଳେ ନଭେମ୍ବର ମାସରେ ନୂଆ ଘର ନିର୍ମାଣ ପାଇଁ ଆବେଦନ କରିଥିବା ଆବେଦନକାରୀମାନଙ୍କୁ ୫ଟି ଗଛ ରୋପଣ କରିବା ସହିତ ଏହାର ଏକ ଫଟୋ ଆବେଦନ ପତ୍ର ସହ ଦେବା ପାଇଁ କୁହାଯାଇଛି । ପରିବେଶ ସୁରକ୍ଷା ରଖିବା ପାଇଁ କୋଲାଡ଼ ଗ୍ରାମବାସୀଙ୍କର ଏହି ପ୍ରୟାସ ନିହାତି ଭାବେ ପ୍ରଶଂସାଯୋଗ୍ୟ ।