୮ବର୍ଷୀୟ ରୋଗୀ ଓ ତା’ର ବାପାମାଆଙ୍କୁ ଘରେ ଛାଡ଼ିବାକୁ ୫୪୦ କିଲୋମିଟର୍ ଗାଡ଼ି ଚଳାଇଲେ ଡାକ୍ତର

କୋଲକାତା: ଲକଡାଉନ ସମୟରେ ଜଣେ ୮ବର୍ଷୀୟ ରୋଗୀକୁ ସହର ଠାରୁ ୨୭୦ କିଲୋମିଟର ଦୂର ତାଙ୍କ ଘରେ ଛାଡ଼ିବାକୁ “ଏସଏସକେଏମ୍’ ଡାକ୍ତରଖାନାର ଜଣେ ଡାକ୍ତର ନିଜେ ଗାଡ଼ି ଚଳାଇ ଯାଇଥିଲେ ।

ମାର୍ଚ ୨୫ ତାରିଖରେ ହସପିଟାଲରୁ ବାହାରୁଥିବା ବେଳେ ନିଶ୍ଚେତକ ବିଭାଗର ଡାକ୍ତର ବବଲୁ ସର୍ଦାର ଦେଖିଲେ ଗୋଟାଏ ପରିବାର ଆମ୍ବୁଲନାସ୍ ଡ୍ରାଇଭରମାନଙ୍କ ସହ ଦର କଷାକଷି କରୁଛନ୍ତି । ସେମାନେ ୧୩/୧୪ ହଜାର ଟଙ୍କା ଦାବି କରୁଥିଲେ । କିନ୍ତୁ, ତାହା ଦେବା ପରିବାର ମୁଖ୍ୟ ଦିନ ମଜୁରିଆ ରାଜେଶ ବକ୍ସିଙ୍କ ପକ୍ଷେ ସମ୍ଭବ ନ ଥିଲା । ତେଣୁ, ସେମାନଙ୍କୁ ସହାୟତା କରିବାକୁ ଡାକ୍ତର ସର୍ଦାର ଆଗେଇ ଆସିଲେ ।

Image Source: Millennium Post

ଡାକ୍ତର ସର୍ଦାର କହନ୍ତି, ଅନ୍ତଃନଳୀ ଅବରୋଧ ରୋଗରେ ଶିକାର ହୋଇଥିବା ୮ ବର୍ଷୀୟ ଆଞ୍ଜେଲା ମୋ ରୋଗୀ ନୁହେଁ । ଚିକିତ୍ସା ପରେ ତାଙ୍କୁ ମାର୍ଚ ୨୩ ତାରିଖରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ମାତ୍ର ଲକଡାଉନ ଯୋଗୁଁ ତା’ ବାପା ମାଆ ଓ ସେ ଘରକୁ ଫେରିବାକୁ ଗାଡ଼ି ନ ପାଇ ଡାକ୍ତରଖାନା ପରିସରରେ ମାର୍ଚ ୨୫ଯାଏଁ ପଡ଼ି ରହିଥିଲେ । ଆର୍ଥିକ ଅନଟନ ଯୋଗୁଁ ସେ ଦୁର୍ଦ୍ଦଶାଗ୍ରସ୍ତ ହୋଇଥିବା ଜାଣି ମୁଁ ସେମାନଙ୍କୁ ସହାୟତା କରିବାକୁ ଇଚ୍ଛାକଲି ।

ସେତେବେଳକୁ ରାତି ୯ଟା ବାଜିଲାଣି । ସେମାନଙ୍କୁ ଗାଡ଼ିରେ ବସାଇ ୨୭୦ କିଲୋମିଟର ଦୂର ସୁଲୁଙ୍ଗା ଅଭିମୁଖେ ବାହାରିଲି । ରାତି ୩ଟାରେ ଯାଇ ସେଠାରେ ପହଞ୍ଚିଲି । କେବଳ ଇଲ୍ଲମବଜାର ଠାରେ ପୁଲିସ ମୋ ଗାଡ଼ିକୁ ଅଟକାଇଥିଲା । ସବୁକଥା କହିବା ପରେ ପୁଲିସ ଛାଡ଼ି ଦେଲା । ଆଉ ବାଟରେ କିଛି ଅସୁବିଧା ହୋଇ ନ ଥିଲା ।

ସେଠାରୁ ପୁଣି ଗାଡ଼ି ଚଳାଇ ଫେରିବା ପରେ ସକାଳ ୧୦ଟାରେ ପୁଣି ଡାକ୍ତରଖାନା ଯାଇ ଡିୟୁଟିରେ ଯୋଗ ଦେଇଥିଲେ ଡାକ୍ତର ସର୍ଦାର । ଯାତାୟତରେ ପ୍ରାୟ ୩୦ ଲିଟର ପେଟ୍ରୋଲ ଖର୍ଚ୍ଚ ହୋଇଥିଲା ଯାହା ଡାକ୍ତର ସର୍ଦାର ନିଜେ ବହନ କରିଥିଲେ ।

ସମ୍ବନ୍ଧିତ ଖବର