କୋଲକାତା: ୨୦୨୦ ମସିହାରେ ମହାମାରୀ କରୋନା ସାରା ବିଶ୍ବରେ ତା’ର କାୟା ବିସ୍ତାର କରିବା ପରେ ‘ୱାର୍କ ଫ୍ରମ୍ ହୋମ୍’ କନ୍ସେପ୍ଟ ଆମ ଦୈନନ୍ଦିନ ଜୀବନ ସହ ଯୋଡ଼ି ହୋଇଯାଇଛି। ଘରେ ବସି କାମ କରିବାର ସୁଯୋଗ ଅଧିକାଂଶ କମ୍ପାନି କର୍ମଚାରୀମାନଙ୍କୁ ଯୋଗାଇ ଆସୁଛନ୍ତି। ଏପରିକି ଅସମୟରେ ଅଫିସ୍ କାମ କରିବା କର୍ମଚାରୀମାନଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ମାତ୍ର ନିକଟରେ ଜଣେ କର୍ମଚାରୀଙ୍କ ୱାର୍କ ଫ୍ରମ୍ ହୋମ୍ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ବ୍ୟକ୍ତି ଜଣକ ନିଜ ବିବାହ ଦିନରେ ହିଁ ବେଦୀ ଉପରେ ଲାପ୍ଟପ୍ ଧରି ଅଫିସ୍ କାମ କରୁଥିବାର ଦେଖିବାକୁ ମିଳିଛନ୍ତି।
ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋରେ ଦେଖିବାକୁ ମିଳିଛି ଯେ ବ୍ରାହ୍ମଣ ପୂଜା କରି ତାଙ୍କୁ ଆଶୀର୍ବାଦ ଦେଉଛନ୍ତି ହେଲେ ସେ ତଳକୁ ଚାହିଁ ଲାପ୍ଟପ୍ରେ ନିଜ କାମ କରୁଛନ୍ତି।
ଫଟୋଟିକୁ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ କାଲ୍କାଟା ଇନ୍ଷ୍ଟାଗ୍ରାମ୍ର୍ସ ଆଇଡିରେ ସେୟାର୍ କରାଯାଇଛି। ଯେତେବେଳ ୱାର୍କ ଫ୍ରମ୍ ହୋମ୍ ଆପଣଙ୍କୁ ଏକ ପରବର୍ତ୍ତୀ ସ୍ତରକୁ ନେଇଯାଏ। ଆପଣଙ୍କର କେହି ବନ୍ଧୁ ବି ଯଦି ଏପରି କରୁଛନ୍ତି ତ ତାଙ୍କୁ ଟ୍ୟାଗ୍ କରନ୍ତୁ ବୋଲି ଫଟୋରେ ଲେଖାଯାଇଛି।
ଏହି ଫଟୋକୁ ଦେଖିବା ପରେ କେହି କେହି ଯୁବକଙ୍କ ପ୍ରଶଂସା କରିବା ବେଳେ ଅନେକ ଲୋକ ତାଙ୍କୁ ସମାଲୋଚନା କରିଛନ୍ତି। ଜଣେ ବ୍ୟହାରକାରୀ ଲେଖିଛନ୍ତି, ‘ଏପରି କୌଣସି କମ୍ପାନି ନାହିଁ, ଯିଏ ନିଜ କର୍ମଚାରୀଙ୍କୁ ତାଙ୍କ ବାହାଘର ଦିନରେ କାମ କରାଏ। ଘର ଓ ଅଫିସ୍ କାମ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଯୁବକଙ୍କୁ ଶିଖିବା ଉଚିତ। ଯେଉଁ ଯୁବତୀଙ୍କୁ ସେ ବିବାହ କରୁଛନ୍ତି ତାଙ୍କୁ ଈଶ୍ବର ଭରସା।’