୩୮ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ କରୋନାରୁ ସୁସ୍ଥ ହୋଇ ଦେଶରେ ପ୍ରଥମ ହେଲେ ୫୨ ବର୍ଷିଅ ବ୍ୟକ୍ତି

କୋଲକାତା: କରୋନା ଭାଇରସ୍‌ରେ ପୂର୍ବରୁ ଅନେକ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ମାତ୍ର କୋଲକାତାର ୫୨ ବର୍ଷିଅ ନିତାଇଦାସ ମୁଖାର୍ଜୀଙ୍କ କଥା ଟିକେ ଭିନ୍ନ। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ୩୮ ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ ବି କରୋନା ପରି ମହାମାରୀକୁ ଜିଣି ପାରିଛନ୍ତି। ସେ ଭଲ ହୋଇଯିବା ପରେ ତାଙ୍କ ପଡ଼ୋଶୀମାନେ ତାଙ୍କୁ ଏକ ଭବ୍ୟ ସ୍ବାଗତ ଜଣାଇ ଘରକୁ ପାଛୋଟି ନେଇଛନ୍ତି।

ଡାକ୍ତରମାନଙ୍କ କହିବା କଥା ହେଲା, ଏହା କୌଣସି ଚମତ୍କାରଠାରୁ କମ୍‌ ନୁହେଁ। କାହିଁକି ନା, କୋଭିଡ୍‌-୧୯ ଆକ୍ରାନ୍ତ ଯେତେ ଅଧିକ ଦିନ ଭେଣ୍ଟିଲେଟର୍‌ରେ ରହନ୍ତି ବଞ୍ଚିବାର ସମ୍ଭାବନା ସେତେ କମି କମି ଯାଇଥାଏ। ମାତ୍ର ନିତାଇଦାସଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଘଟିଛି।

The Economic Times

ଭଲ ହୋଇ ଘରକୁ ଫେରିବା ପରେ ଫୋନ୍‌ ଯୋଗ‌େ ନିଜର ବୟାନ ଦେଇ ୫୨ ବର୍ଷିଅ ମୁଖାର୍ଜୀ କୁହନ୍ତି, ‘‌ମୋତେ ଲାଗୁଛି ହସ୍ପିଟାଲ୍‌ ଓ ଡାକ୍ତରୀ ଦଳ ମୋତେ ନୂଆ ଜୀବନ ଦେଇଛନ୍ତି। ଆପଣ କହିପାରନ୍ତି କି ଏହା ମୋର ଦ୍ବିତୀୟ ଜନ୍ମ। ସେମାନଙ୍କ ବିନା ମୁଁ ଏବେ ସୁଦ୍ଧା ମରି ଯାଇଥାନ୍ତି। ସେମାନେ ହେଉଛନ୍ତି ପ୍ରକୃତ ନାୟକ।’

ଉଲ୍ଲେଖଯୋଗ୍ୟ, ମୁଖାର୍ଜୀଙ୍କର ସେପରି କୌଣସି ଯାତ୍ରା ଇତିହାସ ନାହିଁ। ମାତ୍ର ତାଙ୍କ ଭିତରେ କରୋନା ଲକ୍ଷଣ ଦେଖା ଦେବା ପରେ ଘର ଲୋକ ତାଙ୍କୁ  ମାର୍ଚ ୨୯ରେ ଏକ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ସେହି ଦିନ ରାତିରେ ହିଁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖା ଯାଇଥିଲା। ତା’ପର ଦିନ ପରୀକ୍ଷା ହେବାରୁ ତାଙ୍କ ଭିତରେ କୋଭିଡ୍ ୧୯ ପଜିଟିଭ୍‌ ବାହାରିଥିଲା। ସେଇଠୁ ମୃତ୍ୟୁ ସହ ତାଙ୍କର ଲଢ଼େଇ ଆରମ୍ଭ ହୋଇଥିଲା। ଶେଷରେ ମୃତ୍ୟୁର ପରାଜୟ ଘଟିଛି ଓ କରୋନାକୁ ହରାଇ ଘରକୁ ଫେରିଛନ୍ତି ଏହି ୫୨ ବର୍ଷିଅ ବ୍ୟକ୍ତି।

ସମ୍ବନ୍ଧିତ ଖବର