ରଖେ ହରି ମାରେ କିଏ? ପେଟରେ ୩ଟି ଲୁହାରଡ୍‌ ଫୁଟି ଯିବା ପରେ ୪୦ କିଲୋମିଟର ଯାତ୍ରା କରି ହସ୍ପିଟାଲରେ ପହଞ୍ଚିଲେ ମିସ୍ତ୍ରୀ

କୋଲ୍‌କାତା: କଥାରେ ଅଛି ରଖେ ହରି ମାରେ କିଏ?ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ। ଜଣେ ମିସ୍ତ୍ରୀ ପେଟରେ ୩ଟି ଲୁହା ରଡ୍‌ ଫୁଟିିଯାଇଥିବା ଅବସ୍ଥାରେ ଦୀର୍ଘ ୪୦ କିଲୋମିଟର ରାସ୍ତା ଆମ୍ବଲାନ୍ସରେ ଆସି କୋଲକାତାର ଚିତ୍ତରଂଜନ ନ୍ୟାସନାଲ୍‌ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ (ସିଏନ୍‌ଏମସି)ରେ ପହଞ୍ଚଥିଲେ। ସେଠାରେ ଡାକ୍ତରମାନଙ୍କର ଏକ ଦଳ ସାଢ଼େ ୩ ଘଣ୍ଟାର ଅପରେସନ୍‌ କରି ମିସ୍ତ୍ରୀଙ୍କ ଜୀବନ ବଞ୍ଚାଇଥିଲେ।

ଉଦୟ ସରଦାର(୪୫)ବୃତ୍ତିରେ ଜଣେ ମିସ୍ତ୍ରୀ। ସେ ଦକ୍ଷିଣ ୨୪ ପ୍ରଗଣାର ଘୁଟିଆରି ସରିଫ୍‌ ଅଞ୍ଚଳରେ ଏକ କୋଠାଘରେ କାମ କରୁଥିବା ସମୟରେ ତଳକୁ ଗଳି ପଡ଼ିଲେ। ଦୁର୍ଭାଗ୍ୟକୁ ମାଟିରେ ପୋତା ହୋଇଥିବା ୩ଟି ଲୁହାରଡ୍‌ ତାଙ୍କ ପେଟ ଭିତରେ ପଶିଯାଇଥିଲା। ପ୍ରବଳ ରକ୍ତସ୍ରାବ ହେଉଥିଲେ ମଧ୍ୟ ଉଦୟଙ୍କ ଚେତା ବୁଡ଼ି ନ ଥିଲା। ତାଙ୍କୁ କାମ କରୁଥିବା ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ନେଇଗଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଏକ ଆମ୍ବୁଲାନ୍ସରେ କୋଲକାତା ପଠାଇ ଦିଆାଗଲା। ଯନ୍ତ୍ରଣା ହେଉଥିଲେ ବି ଧୈର୍ଯ୍ୟ ଧରି ଉଦୟ ସରଦାର ଅଢ଼େଇ ଘଣ୍ଟା ଯାତ୍ରା କରି ସିଏନ୍‌ଏମ୍‌ସିରେ ପହଞ୍ଚଥିଲେ।

ଡାକ୍ତରମାନେ ତାଙ୍କ ଅବସ୍ଥା ଦେଖି ବିଚଳିତ ହୋଇପଡ଼ିଲେ। ଏକ୍ସରେ କରାଯାଇ ଦେଖାଗଲା ଯେ, ରଡ୍‌ ତିନିଟି ପେଟ ଏପଟେ ପଶି ସେପଟେ ବାହାରି ଥିଲେ ମଧ୍ୟ କିଡ୍‌ନି,ଲିଭରରେ କ୍ଷତି ହୋଇ ନ ଥିଲା। ଏହାପରେ ଡାକ୍ତରମାନଙ୍କର ଏକ ଦଳ ଅତ୍ୟନ୍ତ ସାବଧାନତାର ସହ ଅପରାହ୍ଣ ୪.୩୦ରେ ଅପରେସନ୍‌ କରି ସରଦାରଙ୍କ ପେଟରୁ ରଡ୍‌ ତିନିଟି ବାହାର କରିଥିଲେ।

ସିଏନ୍‌ଏମ୍‌ସିର ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ୍‌ ସନ୍ଦିପ ଘୋଷ କହିଛନ୍ତି, ‘ଆମେ କାଳ ବିଳମ୍ବ ନ କରି ଯେତେ ଶୀଘ୍ର ସମ୍ଭବ ଅପରେସନ୍‌ କରିଛୁ। ଯଦିଓ ତାଙ୍କ କିଡ୍‌ନି, ଇଣ୍ଟେଷ୍ଟାଇନ୍‌ ଓ ଲିଭରରେ ଆଘାତ ଲାଗିଛି କିନ୍ତୁ କ୍ଷତିଗ୍ରସ୍ତ ହୋଇପାରି ନାହିଁ। ଏବେ ସେ ପର୍ଯ୍ୟବେକ୍ଷଣରେ ଅଛନ୍ତି। ଆମେ ତାଙ୍କୁ ଖୁବ୍‌ ଶୀଘ୍ର ବିପଦମୁକ୍ତ ଘୋଷଣା କରିବୁ।’

ସମ୍ବନ୍ଧିତ ଖବର