ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଜଣେ ବ୍ୟବସାୟୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଉକ୍ତ ବ୍ୟବସାୟୀ ଜଣକ ତାଙ୍କ ଗ୍ରାମର ପ୍ରତ୍ୟେକ ପରିବାରର ଆର୍ଥିକ ସମସ୍ୟା ଦୂର କରି ପାଇଁ ଉଦ୍ୟମ କରିଛନ୍ତି। ଉକ୍ତ ବ୍ୟବସାୟୀ ଜଣକ ଗ୍ରାମର ପ୍ରତ୍ୟେକ ପରିବାରକୁ ୫୮ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ଏହି ବ୍ୟବସାୟୀଙ୍କ ନାମ ହେଉଛି ଲି ଜୋଙ୍ଗ କ୍ୟୁନ ଓ ବୟସ ୮୨ବର୍ଷ। ସେ ପ୍ରପଟି ଡେଭଲପର ଗ୍ରୁପର ପ୍ରତିଷ୍ଠାତା ।
ଦକ୍ଷିଣ କୋରିଆରେ ବସବାସ କରୁଥିବା ବ୍ୟବସାୟୀ ଲି ଜୋଙ୍ଗ କ୍ୟୁନ ନିକଟରେ ଘୋଷଣା କରି କହିଛନ୍ତି କି, ‘ମୋର ପିଲାଦିନ ଯେଉଁ ଗ୍ରାମରେ କଟିଛି ମୁଁ ସେହି ଗ୍ରାମରେ ବସବାସ କରୁଥିବା ପ୍ରତି ଘରକୁ ୫୮ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବି। ଏହି ଗ୍ରାମରେ ପାଖାପାଖି ୨୮୦ଟି ପରିବାର ବସବାସ କରନ୍ତି।’
କେବଳ ଏତିକି ନୁହେଁ ତାଙ୍କ ସ୍କୁଲ ସାଙ୍ଗମାନଙ୍କୁ ବି ଲି ବଡ଼ବଡ଼ ଉପହାର ଦେଇଛନ୍ତି। ଏସବୁକୁ ଦେଖିଲେ ସେ ମୋଟ ୧୫୦୦କୋଟି ଟଙ୍କାର ଦାନ କରି ସାରିଲେଣି। ଲୋକେ ଉକ୍ତ ବ୍ୟବସାୟୀଙ୍କ ଏଭଳି ଦାନ ଦେଖି ଭୁରିଭୁରି ପ୍ରଶଂସା କରୁଛନ୍ତି।
ବ୍ୟବସାୟୀ ଲି ଜୋଙ୍ଗ କ୍ୟୁନଙ୍କ ମୋଟ ସମ୍ପତ୍ତି ଦେଢ଼ ଲକ୍ଷ କୋଟି ଟଙ୍କା ପାଖାପାଖି ହେବ। ସେ ଦକ୍ଷିଣ କୋରିଆରେ ଧନୀ ଶ୍ରେଶୀରେ ଶୀର୍ଷରେ ରହିଛନ୍ତି। ପିଲା ଦିନେ ଲି ଅନେକ ଆର୍ଥିକ ସଙ୍କଟ ଦେଇ ଗତି କରିଛନ୍ତି। ଏହି ସମୟରେ ଗ୍ରାମବାସୀ ତାଙ୍କର ବହୁତ ସାହାଯ୍ୟ କରିଥିଲେ। ତେଣୁ ଗ୍ରାମବାସୀଙ୍କ ଋଣ ସୁଝିବା ପାଇଁ ଏହି ଅର୍ଥ ରାଶିର ଘୋଷଣା କରିଛନ୍ତି ସେ।