କୋଟା: ରାଜସ୍ଥାନର କୋଟାରେ ହୋଇଥିବା ଏକ ବିବାହ ଏବେ ଚର୍ଚ୍ଚାରେ ରହିଛି। ଜଣେ ବର ବିବାହ କରିବାକୁ ନିଜ ବରଯାତ୍ରୀଙ୍କୁ ନେଇ ହସ୍ପିଟାଲ୍ରେ ପହଞ୍ଚିବା କଥା ସଭିଙ୍କୁ ଚକିତ କରିଛି। ଜାଣିବାକୁ ମିଳିଛି ଯେ ବିବାହର କିଛି ସମୟ ପୂର୍ବରୁ କନ୍ୟା ଜଣକ ସିଡ଼ିରୁ ଖସି ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଫଳରେ ବର ଜଣକ ବାରଯାତ୍ରୀଙ୍କୁ ନେଇ ମଣ୍ଡପ ପରିବର୍ତ୍ତେ ସିଧା ହସ୍ପିଟାଲ୍ରେ ପହଞ୍ଚିଥିଲେ।
କନ୍ୟା ଜଣକ ଏମ୍ବିଏସ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ସେହି ହସ୍ପିଟାଲ୍ ଭିତରେ ଥିବା ଏକ ରୁମ୍ ଭିତରେ ସଂପର୍କୀୟଙ୍କ ଉପସ୍ଥିତରେ ବିବାହ ସଂପନ୍ନ ହୋଇଛି।
ସଂପର୍କୀୟମାନେ ହସ୍ପିଟାଲ୍ରେ ଏକ ରୁମ୍ ବୁକ୍ କରି ତାହାକୁ ସଜେଇଥିଲେ। ସେଠାରେ ବିବାହ ହେଲା। ବିବାହ ପରେ ବି ଏବେ ହସ୍ପିଟାଲ୍ରେ କନ୍ୟା ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ସୂଚନାରୁ ପ୍ରକାଶ ଯେ କୋଟା ଜିଲ୍ଲାର ରାମଗଞ୍ଜମଣ୍ଡି ଅଞ୍ଚଳର ଭାବପୁରୀ ନିବାସୀ ପଙ୍କଜଙ୍କ ବିବାହ ଶନିବାର ଦିନ ରାବତଭାଟାର ବାସିନ୍ଦା ମଧୁୁ ରାଠୋରଙ୍କ ସହ ହେବାର ଥିଲା।
ଗତ ସପ୍ତାହରୁ ଦୁହିଁଙ୍କ ଘରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥାଏ। ମାତ୍ର ଠିକ୍ ବିବାହର ଗୋଟାଏ ଦିନ ପୂର୍ବରୁ ସିଡ଼ିରୁ ଖସି ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଏମ୍ବିଏସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ମଧୁଙ୍କ ୨ଟି ହାତରେ ଗଭୀର ଆଘାତ ଲାଗିଥିବା ହେତୁ ଡାକ୍ତରମାନେ ତାଙ୍କୁ କିଛି ଦିନ ହସ୍ପିଟାଲ୍ରେ ଭର୍ତ୍ତି କରିବାକୁ କହିଥିଲେ। ଏପରିସ୍ଥିିତିରେ ପରିବାର ଲୋକ ବିବାହ ହସ୍ପିଟାଲ୍ରେ କରିବାର ନିଷ୍ପତ୍ତି ନେଇଥିଲେ।