ଗର୍ବଗଞ୍ଜନ ଶ୍ରୀକୃଷ୍ଣଙ୍କ ଆଖିରୁ ନିଜ ପତ୍ନୀ ବି ବର୍ତ୍ତି ପାରିନଥିଲେ; ଗର୍ବ ଭାଙ୍ଗିବାକୁ ପତ୍ନୀ ସତ୍ୟଭାମାଙ୍କ ସହ ଏପରି ଛଳନା କରିଥିଲେ ଦ୍ୱାରକାଧୀଶ
ଆପଣ ତ ଜାଣିଥିବେ ନିଶ୍ଚୟ ଯେ ଭଗବାନ ସବୁ ସହ୍ୟ କରିପାରନ୍ତି ମଣିଷର ଗର୍ବକୁ ବାଦ୍ ଦେଇ। ଏପରିକି ଭଗବାନ ଶ୍ରୀକୃଷ୍ଣ ଗୀତାରେ ଏକଥା ବି କହିଛନ୍ତି ଯେ ସବୁ ଭୁଲ୍ର କ୍ଷମା ଅଛି, ମାତ୍ର ଗର୍ବୀ ଲୋକଟିଏ କୌଣସି ମତେ କ୍ଷମାଯୋଗ୍ୟ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱାପର ଯୁଗର କଥା। ଶ୍ରୀକୃଷ୍ଣ ସେତେବେଳେ ଦ୍ୱାରାକାଧୀଶ ହୋଇ ସାରିଥାନ୍ତି। ଶ୍ରୀକୃଷ୍ଣଙ୍କ ସମସ୍ତ ପତ୍ନୀମାନଙ୍କ ମଧ୍ୟରୁ ସତ୍ୟଭାମା ଟିକେ ଗର୍ବୀ ସ୍ୱଭାବର। ସେ ସବୁବେଳେ ଚିନ୍ତା କରନ୍ତି ଯେ ଶ୍ରୀକୃଷ୍ଣ ଏକାନ୍ତ ତାଙ୍କର। ଏକଥା କୃଷ୍ଣ ଜାଣିପାରିଲେ। ସେ ନିଜ ପତ୍ନୀ ସତ୍ୟଭାମାଙ୍କ ଗର୍ବ ଖର୍ବ କରିବାକୁ ଚିନ୍ତା କଲେ। ସତ୍ୟଭାମା ଦିନେ ଆସି ଶ୍ରୀକୃଷ୍ଣଙ୍କ ଆଗରେ ଅନ୍ୟ ସମସ୍ତଙ୍କ ଅପେକ୍ଷା ତାଙ୍କୁ ଟିକେ ଅଧିକ ସ୍ନେହ କରିବାକୁ ଅଳି କଲେ। ଶ୍ରୀକୃଷ୍ଣ ତାଙ୍କୁ ଏକ ପରାମର୍ଶ ଦେଇ କହିଲେ ତୁମେ ଏକ ଯଜ୍ଞ କର। ପୂରା ଶ୍ରଦ୍ଧାର ସହ ସେହି ଯଜ୍ଞ ସମାପ୍ତ ହେବା ପାରେ ମୁଁ ତୁମକୁ ସବୁଠାରୁ ଅଧିକ ସ୍ନେହ କରିବି। ସତ୍ୟଭାମା ଏହି କଥାରେ ଅନେକ ଖୁସି ହୋଇଗଲେ ସେ ସଙ୍ଗେ ସଙ୍ଗେ କୁଳପୁରୋହିତ ନାରଦଙ୍କୁ ଡାକି ଯଜ୍ଞ ଆୟୋଜନ କଲେ। ସତକୁ ସତ ବିରାଟ ଯଜ୍ଞର ଆୟୋଜନ କରାଗଲା।
ଯଜ୍ଞ ଶେଷ ବେଳକୁ ସତ୍ୟଭାମାଙ୍କୁ ନାରଦ କହିଲେ ଯେ ତୁମେ ପୁରୋହିତଙ୍କୁ ଶାନ୍ତି ନକରିବା ପର୍ଯ୍ୟନ୍ତ ତୁମ ଯଜ୍ଞ ସଂପୂର୍ଣ୍ଣ ହେବ ନାହିଁ। ସତ୍ୟଭାମା ଗର୍ବର ସହ ନାରଦଙ୍କୁ ପ୍ରଶ୍ନ କଲେ, ‘ଦାନରେ କ’ଣ ନେବାକୁ ଚାହାନ୍ତି ମୁନିଶ୍ରୀ। ମୁଁ ମୋର ସମସ୍ତ ଗହଣା ବି ଦେବା ପାଇଁ ପ୍ରସ୍ତୁତ ଅଛି।’ ନାରଦ ଉତ୍ତର ଦେଲେ କି ନିଜର ପ୍ରିୟ ଜିନିଷକୁ ଦାନ କରିବାରେ ହିଁ ଦାନ ସଫଳ ହୋଇଥାଏ। ସତ୍ୟଭାମାଙ୍କୁ ତାଙ୍କ ପ୍ରିୟ ଜିନିଷ ପଚାରିବାରୁ ସେ କହିଲେ କି ଦ୍ୱାରାକାଧୀଶ ଶ୍ରୀକୃଷ୍ଣ ହିଁ ମୋ ଜୀବନର ସବୁଠାରୁ ପ୍ରିୟ। ନାରଦ ତା’ପରେ ସତ୍ୟାଭାମାଙ୍କୁ ଶ୍ରୀକୃଷ୍ଣଙ୍କୁ ଦାନ କରିବାକୁ କହିଲେ। ଚମକି ପଡ଼ିଲେ ସତ୍ୟଭାମା। ଯାହାଙ୍କ ସଂପୂର୍ଣ୍ଣ ପ୍ରେମ ପାଇବା ପାଇଁ ଏତେ ଆଡ଼ମ୍ବର, ତାଙ୍କୁ ବା ସେ କେମିତି ଦେଇପାରିଥାନ୍ତେ!
ନାରଦ ପୁଣି କହିଲେ ଏହାର ଏକ ସମାଧାନ ଅଛି। ତୁମେ ଯଦି ଶ୍ରୀକୃଷ୍ଣଙ୍କ ଓଜନର ଅନ୍ୟ କିଛି ପତାର୍ଥ ଦେଇପାରିବ ତେବେ ଶ୍ରୀକୃଷ୍ଣଙ୍କୁ ମୁଁ ତୁମ ପାଖରେ ଛାଡ଼ି ଦେଇଯିବି। ସତ୍ୟଭାମା ଅନେକ ଖୁସି ହୋଇଗଲେ। ଏକ ବିରାଟ ନିକିତି ଆସିଲା। ଗୋଟାଏ ପାଖରେ ବସିଲେ ଶ୍ରୀକୃଷ୍ଣ। ଅନ୍ୟ ପାଖରେ ଅଳଙ୍କାର କାଣ୍ଡି କରାଗଲା। ଏପରିକି ସତ୍ୟଭାମାଙ୍କ ଭଣ୍ଡାର ବି ଫାଙ୍କା ହୋଇଗଲା। ହେଲେ ଶ୍ରୀକୃଷ୍ଣଙ୍କ ପକ୍ଷ ସେହିପରି ଭାରି ରହିଲା। ସତ୍ୟଭାମା ଅତ୍ୟନ୍ତ ବିଚଳିତ ହୋଇପଡ଼ିଲେ। ଗୋଟାଏ ପରେ ଗୋଟାଏ ନିଜ ଦେହରୁ ସବୁତକ ଅଳଙ୍କାର କାଢ଼ି ରୁଣ୍ଡ କଲେ। ହେଲେ କିଛି ବି ପରିବର୍ତ୍ତନ ଘଯିଲା ନାହିଁ। କ’ଣ କରି ନିଜ ସ୍ୱାମୀଙ୍କୁ ସେ ଦାନରେ ନ ଦେଇ ନିଜ ପାଖରେ ରଖିବେ ଚିନ୍ତା କରି କରି ବିବ୍ରତ ହୋଇପଡ଼ିଲେ।
ଏତକି ବେଳେ ସେ ରୁକ୍ମୁଣୀଙ୍କ ପାଖରେ ଶରଣ ପଶିଲେ। ତାଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କଲେ। ରୁକ୍ମୁଣୀ ସତ୍ୟାଭାମାଙ୍କୁ ନିଜ ଗର୍ବ ପରିତ୍ୟାଗ କରି ସମର୍ପଣ ଭାବ ଆଣିବାକୁ ପରାମର୍ଶ ଦେଲେ। ନାରୀର ଆଭୁଷଣ ଗହଣା ନୁହେଁ, ସମର୍ପଣ ହୋଇଥାଏ। ଜଣେ ନାରୀ ନିଜ ସ୍ୱାମୀଙ୍କ ସ୍ନେହ ପାଇବାକୁ ହେଲେ ପ୍ରଥମେ ନିଜକୁ ସମର୍ପଣ କରିବା ଉଚିତ। ସତ୍ୟଭାମା ନିଜ ଭୁଲ୍ ବୁଝିପାରିଲେ। ସେ ଅତ୍ୟନ୍ତ ସମର୍ପଣର ସହ ଶ୍ରୀକୃଷ୍ଣଙ୍କ ପ୍ରିୟ ତୁଳସୀ ପତ୍ରରୁ ଆଣି ଗୋଟାଏ ନିକିତି ସେପାଖରେ ପକାଇ ଦେଲେ। ସଙ୍ଗେ ସଙ୍ଗେ ନିକିତି ଭାରି ହୋଇଗଲା ଓ କୃଷ୍ଣ ଉପରକୁ ଉଠିଗଲେ। ସବୁ ସମସ୍ୟାର ସମାଧାନ ହୋଇଗଲା ଟିକିଏ ସମର୍ପଣ ପରେ।