ଜନ୍ମାଷ୍ଟମୀ କେବଳ ଶ୍ରୀମନ୍ଦିରର ନୁହେଁ, ସାରା ଓଡ଼ିଶାର ଏକ ପର୍ବ। ତେବେ ଶ୍ରୀମନ୍ଦିରରେ ଏହାକୁ ନେଇ ସ୍ବତନ୍ତ୍ର ନୀତି ରହିଛି। ବିଧିମତେ ଭାଦ୍ରବ କୃଷ୍ଣ ସପ୍ତମୀ ଓ ଅଷ୍ଟମୀରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଜନ୍ମନୀତି ପାଳିତ ହେବା ସହିତ, ନବମୀ ଦିନ ନନ୍ଦୋତ୍ସବ ଏବଂ ଦଶମୀଠାରୁ ବିଭିନ୍ନ କୃଷ୍ଣଲୀଳାତ୍ମକ ବେଶ ହୋଇଥାଏ। ଏହି ବେଶ ମଧ୍ୟରେ, ଦଶମୀ ଦିନ ବନଭୋଜି ଓ କୋଳିବିକା ବେଶ ଏବଂ ବକାସୁର ଓ ଅଘାସୁର ବଧ ବେଶ, ଏକାଦଶୀ ଦିନ କାଳୀୟଦଳନ ଓ ଧେନୁକାସୁର ବଧ ବେଶ, ଦ୍ବାଦଶୀ ଦିନ ପ୍ରଳମ୍ବାସୁର ବଧ ବେଶ ଏବଂ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ ହୋଇଥାଏ।
ସେହିପରି, ଭାଦ୍ରବ ଅମାବାସ୍ୟାଦିନ ବସ୍ତ୍ରହରଣ, ଶୁକ୍ଳ ପ୍ରତିପଦ ଦିନ ଦାବାଗ୍ନି ଲୀଳା, ଦ୍ବିତୀୟାଦିନ ନିକୁଞ୍ଜଲୀଳା, ତୃତୀୟାଦିନ ଅନ୍ଧ ମନ୍ଦିର ହାତୀ ଲୀଳା, ପଞ୍ଚମୀ ଦିନ ଦାହଲୀଳା, ଷଷ୍ଠୀରେ ବିମ୍ବାସୁର ବଧ ଓ ସପ୍ତମୀରେ କେକେଶୀବଧ, ଦଶମୀଦିନ ଲବଣିଖିଆ ଓ ମଥୁରାହାଟ ଜୁର ଓ କଂସବଧ ଆଦି ଲୀଳା ଅନୁଷ୍ଠିତ େହାଇଥାଏ। ତେବେ ଏହି ସମସ୍ତ ନୀତି କେବଳ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ନ ଥାଏ। ଶ୍ରୀମନ୍ଦିରର ରତ୍ନବେଦୀରେ କେତେକ ବେଶ ହେବା ସହିତ ଶ୍ରୀମନ୍ଦିର ପରିସରରେ ବା ଶ୍ରୀକ୍ଷେତ୍ରରେ କେତେକ ଲୀଳାତ୍ମକ ନୀତି ଅନୁଷ୍ଠିତ ହୋଇଥାଏ।
ଉଦାହରଣ ସ୍ବରୂପ, ଶ୍ରୀମନ୍ଦିରର ରତ୍ନବେଦୀରେ କାଳୀୟଦଳନ ବେଶ ହେବା ସହିତ, ମାର୍କଣ୍ଡ ପୁଷ୍ପରିଣୀରେ ମଧ୍ୟ କାଳୀୟଦଳନର ସ୍ବତନ୍ତ୍ର ଲୀଳାତ୍ମକ ନୀତି ଅନୁଷ୍ଠିତ ହୋଇଥାଏ। ସେହି ନୀତି ନିମନ୍ତେ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କର କାଷ୍ଠନିର୍ମିତ ବିଗ୍ରହ ଶ୍ରୀଭୁଜ ଓ ଶ୍ରୀପୟରଯୁକ୍ତ ହୋଇଥାଆନ୍ତି। ସେହିପରି, ଲବଣିଖିଆ ନୀତି କୁଣ୍ଢାଇବେଣ୍ଟ ସାହିର ଲବଣିଖିଆ ମଣ୍ଡପଠାରେ ଅନୁଷ୍ଠିତ ହୋଇଥାଏ। ସେଥିରେ ମହାଭୋଇ ସେବକଙ୍କ ଘରର ବୋହୂମାନେ ଚଳନ୍ତି ପ୍ରତିମା ରାମ ଓ କୃଷ୍ଣଙ୍କୁ ଅର୍ଘ୍ୟଦାନ ଓ ବନ୍ଦାପନା କରି ପାଛୋଟି ନିଅନ୍ତି ଏବଂ ଲବଣିଖିଆ ମଣ୍ଡପରେ ବିଜେ କରାନ୍ତି। ସେଠାରେ ମହାଭୋଇ ସେବକ ଦେଇଥିବା ସର, ଲବଣୀ ଆଦି ଭୋଗ କରାଯାଏ ଏବଂ ମହାଭୋଇ ସେବକଙ୍କ ଘରର ବୋହୂମାନେ ରାମ ଓ କୃଷ୍ଣ ଦୁଇ ଭାଇଙ୍କୁ ବନ୍ଦାପନା କରିଥାଆନ୍ତି।
ତେବେ ଏହି କୃଷ୍ଣଲୀଳାତ୍ମକ ନୀତି ଓ ବେଶ ମଧ୍ୟ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ଅନ୍ୟ ପର୍ବ ଉତ୍ସବାଦିରେ ହୋଇଥାଏ। ଶ୍ରାବଣ ଶୁକ୍ଳ ଦଶମୀଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ ଅନୁଷ୍ଠିତ ସପ୍ତଦିବସ ବ୍ୟାପୀ ଝୁଲଣଯାତ୍ରା ସମୟରେ ଶ୍ରୀକ୍ଷେତ୍ରର ମଠ ଓ ପୀଠ ଆଦିର ଝୁଲଣ କୁଞ୍ଜମାନଙ୍କରେ ମଧ୍ୟ ଅନେକ ଶ୍ରୀକୃଷ୍ଣଲୀଳାତ୍ମକ ବେଶ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା ସମୟରେ ମଧ୍ୟ ଚନ୍ଦନ ଚକଡ଼ାରେ ଶ୍ରୀମଦନମୋହନଙ୍କର ଅନେକ କୃଷ୍ଣଲୀଳାତ୍ମକ ବେଶ ହୁଏ।