ପିଣ୍ଡବ୍ରହ୍ମାଣ୍ଡ ସାଧକ ମେରୁଦଣ୍ଡର ନିମ୍ନସ୍ଥ ଛ’ଟି ଚକ୍ରର ସ୍ଥିତିରୁ ବିଚ୍ୟୁତ ହୋଇ ସହସ୍ରାର ଚକ୍ରର ଚେତନା ବା ବଳରାମଙ୍କ ସ୍ଥିତି ବଞ୍ଚାଇ ରଖେ। ଏହି ସ୍ଥିତିରେ ସାଧନା ଅତୁଟ ରହିଲେ, ଜାତ ହୁଏ ଦେବକୀ ବା ସାଧନାର ଦୀପ୍ତିର ଅଷ୍ଟମ ଗର୍ଭ। ଏହି ଅଷ୍ଟମ ଗର୍ଭର ଚେତନା ହିଁ ବିନାଶ କରିପାରେ କଂସରୂପୀ ମୋକ୍ଷକାମନାକୁ। ଏହି ଅଷ୍ଟମଗର୍ଭ ହେଉଛି ସେହି ବିଷ୍ଣୁତତ୍ତ୍ୱ, ଯାହା ମୋକ୍ଷ କାମନା କାରଣରୁ ସାଧକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୁଳନକୁ ନାଶ କରେ। ଏହି ଅବତାର ସାଧକମାନଙ୍କୁ ଏକାତ୍ମତାର ସଂପୂର୍ଣ୍ଣତାକୁ ଅନୁଭବ କରିବାପାଇଁ ପ୍ରେରିତ କରେ। ଏଣୁ ଏହି ଅଷ୍ଟମ ଗର୍ଭରୁ ଜାତ ଚେତନାକୁ ପୂର୍ଣ୍ଣ ଅବତାର କୁହାଯାଏ। ପୂର୍ଣ୍ଣତାର ଅନୁଭବ ଅପୂର୍ଣ୍ଣତାର ଚେତନାକୁ ରହିବାକୁ ଦିଏ ନାହିଁ। ପୂର୍ଣ୍ଣତା ଆଡ଼କୁ ବା ବ୍ରାହ୍ମୀସ୍ଥିତିର ଚେତନା ଆଡ଼କୁ ଅଗ୍ରସର ହେଉଥିବା ସାଧକ, ପାଇବାର ଇଚ୍ଛାମାନଙ୍କରୁ ମୁକ୍ତ ହୋଇ ଚାଲେ। ଏହା ହେଉଛି ପ୍ରକୃତ ଅର୍ଥରେ କାମନାର ବିନାଶ। ପୂର୍ଣ୍ଣତା ହେଉଛି ପାର୍ଥକ୍ୟର ସମ୍ଭାରରୂପୀ ମାୟାର ବିନାଶର କାରଣ। ପାର୍ଥକ୍ୟର ଚେତନା ହିଁ କାମନାର ଉତ୍ସ। ଏଭଳି କିଛି ଅଛି, ଯାହା ମୋ’ ପାଖରେ ନାହିଁ- ଏହି ଭାବନାରୁ ହିଁ କାମନା ସୃଷ୍ଟି ହୁଏ। ଏହିଭଳି ଏକ କାମନା ହେଉଛି ମୋକ୍ଷ କାମନା। ତାହା ସବୁ କାମନାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓ ବଳଶାଳୀ। ମୋକ୍ଷ ଓ ଅମୋକ୍ଷର ପାର୍ଥକ୍ୟ ଦୂର ହେଲେ ହିଁ କଂସରୂପୀ ମୋକ୍ଷକାମନାର ଅନ୍ତ ସମ୍ଭବ। ଏହା ସମ୍ଭବ କରନ୍ତି ଦେବକୀ ଓ ବସୁଦେବଙ୍କର ଅଷ୍ଟମ ସନ୍ତାନ।

Advertisment

ଏହି ଅଷ୍ଟମ ଗର୍ଭ ହେଉଛି ସହସ୍ରାରଠାରୁ ମଧ୍ୟ ଉଚ୍ଚସ୍ତରର ଚେତନା। ଏହା ଶରୀରାତୀତ ଚେତନା। ସହସ୍ରାର ଚେତନା ବି ପିଣ୍ଡବ୍ରହ୍ମାଣ୍ଡର ପରିଧିରେ କୌଣସି ନା କୌଣସି ଉପାୟରେ ବଦ୍ଧ। କିନ୍ତୁ ଅଷ୍ଟମ ଗର୍ଭ ଶରୀରର ବନ୍ଧନରୁ ମୁକ୍ତ। ଏହା ସଂପୂର୍ଣ୍ଣ ବ୍ରହ୍ମାଣ୍ଡର ଚେତନା। ଏହା ସଂପୂର୍ଣ୍ଣ ସଚରାଚର ବ୍ରହ୍ମାଣ୍ଡର ଏକାତ୍ମତାର ଚେତନା। ଏହା ହିଁ ବ୍ରାହ୍ମୀସ୍ଥିତି। ସାଧକଙ୍କ ମଧ୍ୟରେ ଅଷ୍ଟମ ଗର୍ଭ ବା ସଂପୂର୍ଣ୍ଣ ବ୍ରହ୍ମାଣ୍ଡର ଏକାତ୍ମତାକୁ ଗ୍ରହଣ କରିବା ପ୍ରଚେଷ୍ଟା ଜାଗ୍ରତ ହେବା ମାତ୍ରେ, କଂସ ବା ମୋକ୍ଷ କାମନା ସଜାଗ ହୋଇଯାଏ। ସେ ମରିବାକୁ ଚାହେଁ ନାହିଁ। ସାଧକଙ୍କ ମଧ୍ୟରେ ମୋକ୍ଷ କାମନାକୁ ବଞ୍ଚାଇ ରଖିବାର ଇଚ୍ଛା ଅଧିକ ସୁଦୃଢ଼ ହେବା ଆରମ୍ଭ ହୁଏ। ଅଷ୍ଟମ ଗର୍ଭ ହାତରେ ନିଜର ମୃତ୍ୟୁ ନହେଉ, ଏଥିପାଇଁ ସବୁ ବ୍ୟବସ୍ଥା କରେ ମୋକ୍ଷକାମନା ବା କଂସ। ସାଧନାର ଦୀପ୍ତିରୂପୀ ଦେବକୀ ଓ ଜୀବନୀଶକ୍ତିରୂପୀ ବସୁଦେବଙ୍କ ଉପରେ ନିଜର ଅକ୍ତିଆରକୁ ଅଧିକରୁ ଅଧିକ ବଢ଼ାଏ। ଇଚ୍ଛା କରେ ଶରୀରାତୀତ ବ୍ରହ୍ମାଣ୍ଡର ଏକାତ୍ମତା ଜନ୍ମ ହେବା ମାତ୍ରେ ତାହାକୁ ମାରି ଦେବ।