ସେ ସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରଶାସନିକ ଅଧୀନରେ ରହିଥିଲା। ସମସ୍ତ ଓଡ଼ିଆ ଭାଷାଭାଷୀ ଲୋକ ଗୋଟିଏ ଅଞ୍ଚଳରେ ରହିଲେ,ଉନ୍ନତି ସମ୍ଭବ ବୋଲି କୃଷ୍ଣଚନ୍ଦ୍ର ଦେବ ହୃଦୟଙ୍ଗମ କରିପାରିଥିଲେ। ତଦନୁସାରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କାର୍ଯ୍ୟ କରିବାକୁ ସେ ଶପଥ ଗ୍ରହଣ କରିଥିଲେ। ପାରଳାଖେମୁଣ୍ଡି ଠାରେ ୧୯୧୨ରେ ହୋଇଥିବା ଉତ୍କଳ ସମ୍ମିଳନୀରେ ସେ ଜଣେ ପୁରୋଧା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ୧୯୧୪ ମସିହା ଡିସେମ୍ବର ୨୭ ଓ ୨୮ ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡି ଠାରେ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ। ସେଠାରେ ପ୍ରଥମ ଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ। ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ,"ଓଡ଼ିଆ ଭାଷାଭାଷୀଙ୍କୁ ଏକ ଶାସନାଧୀନ କରିବାପାଇଁ କେବଳ ଦାବି ନ କରି ସମଗ୍ର ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ।" କୃଷ୍ଣଚନ୍ଦ୍ରଙ୍କର ଏଇଭଳି ବଳିଷ୍ଠ ଓ ଅକାଟ୍ୟ ଯୁକ୍ତି ସମ୍ମିଳନୀର ନେତୃବର୍ଗ ଏପରିକି ବୟୋଜ୍ୟୋଷ୍ଠ ନେତା ମଧୁବାବୁଙ୍କୁ ମଧ୍ୟ ଚକିତ କରି ଦେଇଥିଲା। ଗଜପତିଙ୍କର ଏହି ବଜ୍ର ନିର୍ଘୋଷ ନିନାଦ ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଶଶିଭୂଷଣ ରଥ ଓ ମଧୁସୂଦନ ଦାସଙ୍କ ସମର୍ଥନ ପାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ପ୍ରସ୍ତାବ ଭାବରେ ଉତ୍କଳ ସମ୍ମିଳନୀରେ ଗୃହୀତ ହେଲା।
୧୯୧୭ ମସିହାରେ ମଣ୍ଟେଗୁ-ଚେମସ୍ ଫୋର୍ଡ କମିଟି ଭାଷାଭିତ୍ତିକ ପ୍ରଦେଶ ଗଠନ ସପକ୍ଷରେ ମତ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଉତ୍କଳର ସଦସ୍ୟଭାବେ କୃଷ୍ଣଚନ୍ଦ୍ର ଦିଲ୍ଲୀଠାରେ ମଣ୍ଟେଗୁଙ୍କ ସହିତ ସାକ୍ଷାତ କରିଥିଲେ। ୧୯୨୨ ମସିହାରେ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପାଇଁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଗୃହୀତ ହୋଇଥିଲା। ଫିଲିପ୍ ଡଫ୍ କମିଟି ବିଶାଖାପାଟଣା ଓ ଗଞ୍ଜାମ ଗସ୍ତ ବେଳେ ଗଜପତିଙ୍କ ସହିତ ସାକ୍ଷାତ କରିଥିଲେ। ୧୯୨୭ ମସିହାରେ ଭାରତରେ ଶାସନ ସଂସ୍କାର ପାଇଁ ବ୍ରିଟିଶ୍ ସରକାର ସାଇମନ୍ କମିସନ୍ ନିଯୁକ୍ତି କରିଥିଲେ। ସମଗ୍ର ଦେଶ ସେତେବେଳେ ସାଇମନ୍ କମିସନଙ୍କୁ ବାସନ୍ଦ କରିଥିଲେ। କିନ୍ତୁ ଓଡ଼ିଶାର ସ୍ୱାର୍ଥ ନିମନ୍ତେ ଗଜପତି ଅଣ୍ଟା ଭିଡ଼ି ସାଇମନ୍ କମିଶନ୍ ସହିତ କଥାବାର୍ତ୍ତା କରିବା ପାଇଁ ଆଗେଇ ଆସିଥିଲେ। ଯା'ଫଳରେ ଓଡ଼ିଶା କଥା ବିଚାର କରିବା ପାଇଁ ଅଟଲିଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରାଗଲା ଓ ସେହି କମିଟି ଓଡ଼ିଶା ପାଇଁ ଅନୁକୂଳ ମତ ପ୍ରକାଶ କଲେ। ପ୍ରଥମ ଗୋଲ ଟେବୁଲ ବୈଠକ (୧୯୩୦-୩୧) ଲଣ୍ଡନଠାରେ ଅନୁଷ୍ଠିତ ହେଲା। ବିହାର ଓ ଓଡ଼ିଶା ସରକାଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟ ଭାବେ ଗୋଲ ଟେବୁଲ୍ ବୈଠକରେ ଯୋଗ ଦେଇଥିଲେ।
ବୈଠକରେ ଓଡ଼ିଶାର ଦାବି ଉତ୍ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ, ‘ଆମେ ଚାହୁଁ ଭାଷା ଓ ଜାତି ସୂତ୍ରରେ ପ୍ରଦେଶ ଗଠନ। ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନ ଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ।’ ମହାରାଜାଙ୍କ ଯୁକ୍ତିଯୁକ୍ତ ବକ୍ତବ୍ୟ ଶୁଣି ଗୋଲ ଟେବୁଲ୍ ବୈଠକରେ ଉପସ୍ଥିତ ବ୍ରିଟିଶ ସରକାରଙ୍କର ପ୍ରତିନିଧିମାନେ ସ୍ତବ୍ଧ ହୋଇଯାଇଥିଲେ।
ବିଲାତ ସରକାର ୧୯୩୧ ମସିହାରେ ଓଡ଼ନେଲ କମିଟି ବସାଇଲେ ଓ ଏହି କମିଟି ମୂଖ୍ୟତଃ ତିନୋଟି ବିଷୟ ପ୍ରତି ଧ୍ୟାନ ଦେଇଥିଲେ। ତନ୍ମଧ୍ୟରୁ ଗୋଟିଏ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୀମା ନିର୍ଦ୍ଧାରଣ। ୧୯୩୨ ମସିହାରେ ଓଡ଼ନେଲ କମିଟି ରିପୋର୍ଟ ପ୍ରକାଶ ପାଇଲା। ଫିଲିପ୍ ଡଫ୍ କମିଟିର ଅନୁମୋଦନ ଲାଭକରି ୧୯୩୩ ମସିହାରେ ଏହି ବିଷୟ ଶ୍ୱେତପତ୍ରରେ ପ୍ରକାଶ ପାଇଲା। ତେବେ ଏହି ଶ୍ୱେତପତ୍ର ନୈରାଶ୍ୟଜନକ ଥିଲା। କାରଣ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରୀ ଏଥିରୁ ବାଦ୍ ପଡ଼ିଥିଲା। ମଧୁବାବୁଙ୍କ ନିବେଦନ କ୍ରମେ କୃଷ୍ଣଚନ୍ଦ୍ର ଜଏଣ୍ଟ ସିଲେକ୍ଟ କମିଟି ଆଗରେ ଏହି କଥା ଉପସ୍ଥାପନା କରିବା ନିମନ୍ତେ ବିଲାତ ଯାଇ ୧୯୩୪ରେ ପାରଳାଖେମୁଣ୍ଡିର ଓଡ଼ିଶାରେ ମିଶ୍ରଣ ପାଇଁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିଠାରେ ଆବେଦନ କରିଥିଲେ। ଏହି କମିଟିର ଅଧ୍ୟକ୍ଷ ଲର୍ଡ଼ ଲିନ୍ଲିଥ୍ଗୋଙ୍କୁ ପ୍ରଭାବିତ କରିପାରିଥିଲେ। ପରେ ଭାରତର ବଡ଼ଲାଟ ଲର୍ଡ଼ ଉଇଲିଂଡ଼ନ୍ଙ୍କୁ ପ୍ରଭାବିତ କରି ଓଡ଼ିଶା ସହିତ ପାରଳାଖେମୁଣ୍ଡି ଓ ଜୟପୁରକୁ ମିଶାଇବା ପାଇଁ ରାଜି କରାଇ ପାରିଥିଲେ। ତାଙ୍କ ଦେଇ ଲେଖା ମେମୋରେଣ୍ଡମରେ ଓଡ଼ିଶା ସହିତ ପାରଳାଖେମୁଣ୍ଡିର ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଁ ସ୍ପଷ୍ଟ ଦାବିକୁ ଅଗ୍ରାଧିକାର ଦେଇ ଇଂରେଜ ସରକାର ଏହାକୁ ଓଡ଼ିଶା ଅନ୍ତର୍ଗତ କରିଥିଲେ।