ସ୍ଥିରୀକୃତ ତାରିଖର ୩ ଦିନ ପୂର୍ବରୁ ଏହି କାରଣରୁ ବିବାହ କ‌ଲେ କ୍ଷମା ବିନ୍ଦୁ, ଦେଖନ୍ତୁ ଫଟୋ

ଅହମଦାବାଦ: ଜୁନ୍‌ ୧୧ ତାରିଖ ଦିନ ଆତ୍ମ-ବିବାହ (ନିଜକୁ ନିଜେ ବାହାହେବା) କରିବା ଲାଗି ନିଷ୍ପତ୍ତି ନେଇଥିବା ବଡ଼ଦୋରାର ୨୪ ବର୍ଷୀୟ କ୍ଷମା ବିନ୍ଦୁ ସ୍ଥିରୀକୃତ ତାରିଖର ୩ ଦିନ ପୂର୍ବରୁ ବିବାହ କରି ସାରିଛନ୍ତି। କ୍ଷମା ତାଙ୍କ ଘରେ ବୈଦିକ ରୀତିନୀତିରେ ବିବାହ କରିଛନ୍ତି। ତାଙ୍କର ହଳଦୀ, ମେହନ୍ଦୀ, ସଂଗୀତ ସବୁ କିଛି ହୋଇଛି। କ୍ଷମାଙ୍କ ବିବାହରେ ପରିବାର ଲୋକରୁ ନେଇ ସଂପର୍କୀୟ, ବନ୍ଧୁପରିଜନ ସମସ୍ତେ ଉପସ୍ଥିତ ରହିଥିଲେ। କେବଳ ଏହି ବିବାହରେ ବର ଓ ପଣ୍ଡିତ ନଥିଲେ।

କ୍ଷମା ଜୁନ୍‌ ୧୧ ତାରିଖରେ ବିବାହ କରିଥାନ୍ତେ। ମାତ୍ର ତାଙ୍କ ମନରେ ଭୟ ଥିଲା ଯେ ସେଦିନ କେହି ତାଙ୍କ ଘରକୁ ଆସି କାଳେ କୌଣସି ପ୍ରକାରର ହଙ୍ଗାମା ସୃଷ୍ଟି କରିଦେବେ। ତାଙ୍କୁ ବରାବର ଲୋକଙ୍କ ନିକଟରୁ ଧମକ ମିଳୁଥିବା ହେତୁ ସେ ତାଙ୍କ ସ୍ବତନ୍ତ୍ର ଦିନକୁ ନଷ୍ଟ ନ କରିବାରୁ ଜୁନ୍‌ ୮ ତାରିଖରେ ହିଁ ବିବାହ କରି ଦେଇଛନ୍ତି।

www.aajtak.in

କ୍ଷମା ପ୍ରଥମେ ମନ୍ଦିରରେ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ତାଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ବିଜେପି ନେତ୍ରୀ ସୁନୀତା ଶୁକ୍ଳା। କ୍ଷମା ବିନ୍ଦୁଙ୍କ ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଶୁକ୍ଳା କହିଥିଲେ, ‘ସେ ଯଦି ମନ୍ଦିରରେ ବାହା ହେବାକୁ ଚାହୁଁ ଥାଆନ୍ତି, ଆମେ ତାହା କରାଇ ଦେବୁନାହିଁ। ଏପ୍ରକାର ବିବାହ ହିନ୍ଦୁବାଦ ବିରୋଧୀ। ବିନ୍ଦୁ ମାନସିକ ବିକାରଗ୍ରସ୍ତ। ପୁଅଟିଏ ପୁଅକୁ ଅଥବା ଝିଅଟିଏ ଝିଅକୁ ବିଭା ହେବା କଥା ହିନ୍ଦୁ ସଂସ୍କୃତିରେ କେଉଁଠି ଉଲ୍ଲେଖ ନାହିଁ। ମୁଁ ଉକ୍ତ ବିବାହ ଅନୁଷ୍ଠାନ ସ୍ଥଳୀର ବିରୋଧ କରୁଛି। କୌଣସି ମନ୍ଦିରରେ ସେ ଆତ୍ମ-ବିବାହ କରିପାରିବ ନାହିଁ। ଏଭଳି ବିବାହ ହିନ୍ଦୁବାଦର ବିରୁଦ୍ଧାଚରଣ କରେ। ଏ ବିବାହ ହିନ୍ଦୁ ଜନସଂଖ୍ୟା ହ୍ରାସ କରିବ। ଯଦି କୌଣସି କଥା ଧର୍ମର ବିରୁଦ୍ଧାଚରଣ କରେ, ତେବେ ଆଉ କୌଣସି ପ୍ରଥା ଅନୁସରଣ କରାଯାଇ ପାରିବ ନାହିଁ।’

ସୂଚନାଯୋଗ୍ୟ, ଆତ୍ମ-ବିବାହ କରିଥିବା କ୍ଷମା ସମାଜବିଜ୍ଞାନରେ ସ୍ନାତକ ହାସଲ କରି ସମ୍ପ୍ରତି ଏକ ଘରୋଇ କମ୍ପାନିରେ ବରିଷ୍ଠ ‘ରିକୃଇଟ୍‌ମେଣ୍ଟ୍‌ ଅଫିସର୍‌’ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ପିତାମାତା ଇଞ୍ଜିନିୟର। ବାପା ଦକ୍ଷିଣ ଆଫ୍ରିକାରେ ଓ ମାଆ ଅହମଦାବାଦରେ ରହୁଛନ୍ତି। କ୍ଷମା ନିଜକୁ ଏତେ ସୁଖ ପାଆନ୍ତି ଯେ, ନିଜ ଭିତରେ ହିଁ ସେ ନିଜର ବର ଖୋଜିପାଇଛନ୍ତି। ତେଣୁ, ସେ ଆତ୍ମ-ବିବାହ କରିଛନ୍ତି।

ସମ୍ବନ୍ଧିତ ଖବର