ଅହମଦାବାଦ: ଗୁଜରାଟର ଝିଅ କ୍ଷମା ବିନ୍ଦୁ ଗତ ବର୍ଷ ଜୁନ ୧୦ ତାରିଖରେ ଦେଶର ପ୍ରଥମ ‌‘ସୋଲଗାମୀ’ ବିବାହ କରିଥିଲେ। ଏହା ମଧ୍ୟରେ ତାଙ୍କ ବିବାହକୁ ବ‌ର୍ଷେ ପୂରିଯାଇଛି। ସେ ଏହି ଅବସରରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ନିଜର ସୁଖୀ ବୈବାହିକ ଜୀବନର ମୁହୂର୍ତ୍ତକୁ ଦେଖାଇଛନ୍ତି। ତାହାର କ୍ୟାପ୍‌ସନ୍‌ରେ ସେ ‘ହ୍ୟାପି ଫାଷ୍ଟ୍‌ ଆନିଭର୍ସରି’ ବୋଲି ଲେଖିଛନ୍ତି।

Advertisment

ତାଙ୍କର ପ୍ରଥମ ବିବାହ ବ‌ାର୍ଷିକୀ ଅବସରରେ ଏହି ପୋଷ୍ଟ୍‌ ପୁଣି ଥରେ ଲୋକଙ୍କ ଧ୍ୟାନ କେନ୍ଦ୍ରିତ କରିଛି। ସେ ‌‘ସୋଲଗାମୀ’ ବିବାହ ପରି ଏକ ସାହସିକ ପଦକ୍ଷେପ ନେଇ ‘ଆତ୍ମ ପ୍ରେମ’, ‘ସ୍ବତନ୍ତ୍ରତା’ ଏବଂ ‘ବ୍ୟକ୍ତିଗତ ସନ୍ତୁଷ୍ଟି’କୁ ଗୁରତ୍ବ ଦେଇଛନ୍ତି। ତାଙ୍କର ପ୍ରଥମ ବିବାହ ବାର୍ଷିକୀ ଅବସରରେ କ୍ଷମାଙ୍କୁ କେହି  କେହି ଶୁଭେଚ୍ଛା ଜଣାଇଛନ୍ତି ତ ପୁଣି କେହି ତାଙ୍କର ଏପରି ସମାଜ ବିରୋଧୀ ନିଷ୍ପତ୍ତିକୁ ପରିହାସ କରିଛନ୍ତି।

ଗତବର୍ଷ ତାଙ୍କ ବିବାହରେ ହିନ୍ଦୁ ବିବାହର ସବୁ ରୀତି ପାଳନ କରାଯାଇଥିଲେ ମଧ୍ୟ ସେଠାରେ କେହି ବର, ବରଯାତ୍ରୀ ବା ବରପକ୍ଷ ନ ଥିଲେ। ବିନ୍ଦୁଙ୍କ ଆତ୍ମବିବାହ ଘୋଷଣା ପରଠାରୁ ବିବାଦର ସୂତ୍ରପାତ ହୋଇଥିଲା। ତାଙ୍କୁ ବିଭିନ୍ନ ଲୋକ ସମର୍ଥନ କରିଥିଲେ ବି ଅନେକ ‌ଲୋକ ଏହା ହେଉଛି ହିନ୍ଦୁଧର୍ମର ବିରୋଧୀ ବୋଲି କହି ଆ‌କ୍ଷେପ କରିଥିଲେ। ହେଲେ ବି ପଛଘୁଞ୍ଚା ଦେଇ ନଥିଲେ କ୍ଷମା। ବରଂ ଗୁଜରାଟର ଝିଅ କ୍ଷମା ବିନ୍ଦୁ ଧାର୍ଯ୍ୟ ତାରିଖ ପୂର୍ବରୁ ବିବାହ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ।