ପୁରାଣରେ ବର୍ଣ୍ଣିତ ସପ୍ତ କୁଳପର୍ବତ ମଧ୍ୟରୁ ବିନ୍ଧ୍ୟ ଅନ୍ୟତମ। ଆର୍ଯ୍ୟାବର୍ତ୍ତର ପରିଚିତି ସହିତ ଏହି ପର୍ବତ ସୁଦୃଢ଼ ଭାବରେ ଜଡ଼ିତ। ଭାରତର ଜାତୀୟ ସଂଗୀତରେ ମଧ୍ୟ ବିନ୍ଧ୍ୟର ନାମ ଉଚ୍ଚାରିତ। ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, ଉତ୍ତରପ୍ରଦେଶର ଦକ୍ଷିଣାଞ୍ଚଳ, ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ପ୍ରଲମ୍ବିତ ଏହି ପର୍ବତଶ୍ରେଣୀ, ପଶ୍ଚିମରେ ଗୁଜୁରାଟଠାରୁ ଉତ୍ତରରେ ଉତ୍ତରପ୍ରଦେଶ ଓ ବିହାର ଏବଂ ପୂର୍ବରେ ଛତିଶଗଡ଼ ପର୍ଯ୍ୟନ୍ତ ପ୍ରଲମ୍ବିତ। ଅନେକ ପର୍ବତର ଏକ ସଂଯୁକ୍ତ ଶ୍ରେଣୀ। ପୁରାଣ ଓ ଇତିହାସରେ ଏହାର ରହିଛି ବିଶେଷ ସ୍ଥାନ। ସଂପ୍ରତି ଏହାକୁ ସାତପୁରା ଶ୍ରେଣୀ କୁହାଯାଉଛି। ପୁରାଣରେ ବିନ୍ଧ୍ୟପର୍ବତକୁ ଆର୍ଯ୍ୟାବର୍ତ୍ତର ଦକ୍ଷିଣ ସୀମାରେଖା ଭାବରେ ବର୍ଣ୍ଣନା କରାଯାଇଛି। ଏକକଥାରେ କହିଲେ, ଏହା ଉତ୍ତରଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ ଏକ ବିଭାଜକ ରେଖା। ଏହି ପର୍ବତର ଏପରି ନାମକରଣର କାରଣ, ପୂର୍ବରୁ ଏଠାରେ ଅନେକ ନିଶାଦ ଜନଜାତିର ଲୋକ ବାସ କରୁଥିଲେ। ସେଥିପାଇଁ ଏହାର ନାମ ହୋଇଥିଲା ବିନ୍ଧ୍ୟ। କାରଣ, ନିଶାଦମାନେ ସାଧାରଣତଃ ଶିକାରୀ ଅଟନ୍ତି।
ଅନ୍ୟଟି ଏକ ପୌରାଣିକ ଉପାଖ୍ୟାନ। ପୁରାଣର ବର୍ଣ୍ଣନା ଅନୁସାରେ, ପୂର୍ବରୁ ପର୍ବତମାନଙ୍କର ପକ୍ଷ ଥିଲା। ସେମାନେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିଲେ। ତାହା ଯୋଗୁଁ ଜନଜୀବନର କ୍ଷତି ହେବାରୁ ଇନ୍ଦ୍ର ସେମାନଙ୍କର ପକ୍ଷ ଛେଦନ କଲେ। କିନ୍ତୁ ପର୍ବତମାନଙ୍କର ଉଚ୍ଚତା ଉପରେ ସେପରି କିଛି ପ୍ରତିବନ୍ଧକ ନଥିଲା। ପର୍ବତମାନଙ୍କ ମଧ୍ୟରେ ମେରୁ ସୁଉଚ୍ଚ ଥିଲା ଏବଂ ତାହା ଥିଲା ଦେବତାମାନଙ୍କର ସାମୟିକ ନିବାସସ୍ଥଳୀ। ଏକଦା ଅହଂକାରର ବଶବର୍ତ୍ତୀ ହୋଇ ବିନ୍ଧ୍ୟ ନିଜର ଆକାରକୁ ଏତେ ବଢ଼ାଇ ଦେଲା, ଯେ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ଆତଯାତରେ ବାଧା ସୃଷ୍ଟିହେଲା। ସେଥିପାଇଁ ଦେବତାମାନେ ଯାଇ ବିଷ୍ଣୁଙ୍କୁ ଗୁହାରି କଲେ। ବିଷ୍ଣୁ ସେମାନଙ୍କୁ ଅଗସ୍ତ୍ୟମୁନିଙ୍କ ପାଖକୁ ପଠାଇଲେ। ଅଗସ୍ତ୍ୟ ମୁନି ଦେବତାମାନଙ୍କୁ ଆଶ୍ୱାସନା ଦେଇ ଦକ୍ଷିଣକୁ ଯାତ୍ରା କଲେ। ଅଗସ୍ତ୍ୟଙ୍କୁ ଦେଖି ବିନ୍ଧ୍ୟ ଆନନ୍ଦିତ ହେବାରୁ ସେ କହିଲେ, “ମୋର ଦକ୍ଷିଣକୁ ଯାତ୍ରା କରିବାର ଅଛି; କିନ୍ତୁ ତୁମକୁ ଅତିକ୍ରମ କରି ଯିବା ସମ୍ଭବ ହେଉନି।’ ଅଗସ୍ତ୍ୟ ଏପରି କହିବାରୁ ବିନ୍ଧ୍ୟ ତାର ଉଚ୍ଚତାକୁ କମାଇ ଗୁରୁଙ୍କ ଯିବାପାଇଁ ରାସ୍ତା ଦେଇଦେଲା। ଅଗସ୍ତ୍ୟ ତାକୁ ଫେରିବା ପର୍ଯ୍ୟନ୍ତ ସେହିପରି ରହିବାକୁ କହି ଦକ୍ଷିଣକୁ ଗଲେ ଏବଂ ଆଉ ଫେରିଲେନି। ତେଣୁ ବିନ୍ଧ୍ୟ ସେହିପରି ଅନୁଚ୍ଚ ହୋଇ ରହିଗଲା ଏବଂ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହାର ନାମ ହେଲା ବିନ୍ଧ୍ୟ। ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ, ଏହି ପର୍ବତରେ ଥିଲା ମୟ ଦାନବର ମଣିମୟ ପ୍ରାସାଦ। ଏଠାରେ ରାବଣ ଓ ମନ୍ଦୋଦରୀଙ୍କର ବିବାହ ଅନୁଷ୍ଠିତ ହୋଇଥିଲା।
ସବୁଠାରୁ ବଡ଼ କଥା ହେଲା, ବିନ୍ଧ୍ୟପର୍ବତ ଦେବୀଦୁର୍ଗାଙ୍କର ନିତ୍ୟ ନିବାସସ୍ଥଳ। ତେଣୁ ତାଙ୍କର ଅନ୍ୟନାମ ବିନ୍ଧ୍ୟବାସିନୀ। ‘ଦୁର୍ଗା ସପ୍ତଶତୀ’ର ବର୍ଣ୍ଣନା ଅନୁସାରେ, ଦେବୀ ଯୋଗମାୟା ନନ୍ଦ-ଯଶୋଦାଙ୍କର କନ୍ୟା ଭାବରେ ଜନ୍ମ ଗ୍ରହଣ କରିଥିଲେ। କଂସ ଯେତେବେଳେ ତାଙ୍କୁ ପଥରରେ ଛେଚି ମାରିବାପାଇଁ ଗଲା, କଂସ ହାତରୁ ଖସିଯାଇ ସେ ଏକ ଅଲୌକିକ ମୂର୍ତ୍ତି ଧାରଣ କରି ଆକାଶ ମାର୍ଗରେ ଚାଲିଗଲେ। ସେହି ଦେବୀ ଯାଇ ବିନ୍ଧ୍ୟପର୍ବତରେ ନିବାସ କଲେ। ଦେବତାଙ୍କ ଅନୁରୋଧରେ ସେ ମହିଷାସୁରକୁ ବଧ କରିଥିଲେ। ବିନ୍ଧ୍ୟରେ ନିବାସ ହେତୁ ତାଙ୍କ ନାମ ବିନ୍ଧ୍ୟବାସିନୀ। ସେ ଅଷ୍ଟଭୁଜା। ଚୈତ୍ର ନବରାତ୍ରିରେ ତାଙ୍କର ବିଶେଷ ପୂଜା ଅନୁଷ୍ଠିତ ହୁଏ। ସେତେବେଳେ ସମଗ୍ର ବିନ୍ଧ୍ୟାଚଳ ଉତ୍ସବମୁଖର ହୋଇଉଠେ।