ଥିଲେ ଜଣେ କୁଳବୃଦ୍ଧ…

କଟକ : ସେ ଥିଲେ ଓଡ଼ିଆ ସ୍ବାଭିମାନର ପ୍ରତୀକ। ଓଡ଼ିଆ ଜାତି ଆଉ ଭାଷାର ସୁରକ୍ଷା ପାଇଁ ସମର୍ପିତ ପ୍ରାଣ। ଉତ୍କଳ ପ୍ରଦେଶ ଗଠନର ସେ ଥିଲେ ଅନ୍ୟତମ ପ୍ରମୁଖ ବିନ୍ଧାଣୀ। ଓଡ଼ିଆ ଜାତି ତାଙ୍କ ପାଇଁ ଦେଶ ବିଦେଶରେ ହୋଇଥିଲା ଗୌରବାନ୍ବିତ। ସେ ଥିଲେ ସମସ୍ତଙ୍କ ସମ୍ମାନନୀୟ କୁଳବୃଦ୍ଧ ମଧୁସୂଦନ। ଉତ୍କଳ ଗୌରବ, ମଧୁ ବାବୁ, ମଧୁ ବାରିଷ୍ଟର। ୧୮୪୮, ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଠାରେ ଜନ୍ମଗ୍ରହଣ କରିଥିଲେ ଏହି କିମ୍ବଦନ୍ତୀ ପୁରୁଷ। କଟକ ଥିଲା ତାଙ୍କ ଜନ୍ମଭୂମି। କଟକ ବି ଥିଲା ତାଙ୍କ କର୍ମଭୂମି। କିନ୍ତୁ କଟକରୁ କଲିକତା ଆଉ କଲିକତାରୁ ଲଣ୍ଡନ ଯାଏ ବ୍ୟାପି ଯାଇଥିଲା ତାଙ୍କ ପ୍ରତିଭାର ମହକ। ୧୭୧ତମ ଜୟନ୍ତୀ ଅବସରରେ ସ୍ମୃତିଚାରଣ ସହ କୁଳବୃଦ୍ଧଙ୍କ ସ୍ମୃତି ବିଜଡିତ ସ୍ମାରକୀର ସ୍ଥିତିକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଶ୍ରଦ୍ଧା ନିବେଦନ…।

ଜନ୍ମସ୍ଥାନ: ଫାଇଲରେ ପର୍ଯ୍ୟଟନସ୍ଥଳୀ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ୍ ପାଗାସ୍ଥିତ ସତ୍ୟଭାମାପୁର ଗାଁ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ। ସାରା ଜୀବନ ସଂଘର୍ଷ କରି ଓଡ଼ିଆ ଜାତିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଏହି ମହାନ୍ ବରୁପୁତ୍ରଙ୍କ ଜନ୍ମସ୍ଥାନ କିନ୍ତୁ ଆଜି ପରିଚୟ ଖୋଜୁଛି। ରାଜ୍ୟ ସରକାର ମଧୁ ବାବୁଙ୍କ ଜନ୍ମପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଲେ ସତ, କିନ୍ତୁ ସେହି ଅନୁଯାୟୀ ଆଖିଦୃଶିଆ ଉନ୍ନତିକରଣ ହୋଇପାରିଲା ନାହିଁ। ଦୁଇ ବର୍ଷ ତଳୁ ଟଙ୍କା ମଂଜୁର ‌ସରିଲାଣି। କିନ୍ତୁ ଅଦ୍ୟାବଧି ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ, ପାନୀୟ ଜଳ ଭଳି ସର୍ବନିମ୍ନ ସୁବିଧା ଉପଲବ୍ଧ କରାଗଲା ନାହିଁ। ଅତ୍ୟାଧୁନିକ ସଂଗ୍ରହାଳୟ ନିର୍ମାଣ, ରସକୁଣ୍ଡ ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଥିଲେ ବି କାମର ଗତି ଏତେ କଚ୍ଛପ ଯେ କେବେ ସରିବ, କହିବା ମୁସ୍କିଲ। ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ସାଂଗକୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ମଧୁବାବୁଙ୍କ ଜନ୍ମପୀଠକୁ କେବଳ ଅବହେଳିତ କରି ରଖିଛି ତା’ନୁହେଁ, ବରଂ ଓଡ଼ିଶାର ବରପୁତ୍ର ମାନଙ୍କ ସମ୍ମାନ ପ୍ରତି ପ୍ରଶାସନ କେତେ ସମ୍ବେଦନହୀନ ତାହା ସୂଚାଇ ଦେଉଛି।

ଉଲ୍ଲେଖଯୋଗ୍ୟ,  ୨୦୧୬, ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁ ବାବୁଙ୍କ ଜନ୍ମସ୍ଥାନକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇଥିଲେ। ଏହି କ୍ରମରେ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୧୭ରେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ୨କୋଟି ଟଙ୍କା ମଂଜୁର କରିଥିଲେ। ଯୋଜନା ହୋଇଥିଲା, ମଂଜୁର ଅର୍ଥରେ ମଧୁବାବୁଙ୍କ ଏନ୍ତୁଡ଼ିଶାଳ ପୁନରୁଦ୍ଧାର ସମେତ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ନିର୍ମାଣ, ରସକୁଣ୍ଡ ପୁନରୁଦ୍ଧାର, ଶୌଚାଳୟ, ପାନୀୟ ଜଳ ଏବଂ ଆଲୋକୀକରଣ କରାଯିବ। ହେଲେ ବିଡ଼ମ୍ବନାର କଥା ହେଉଛି; ଅଦ୍ୟାବଧି ଏଠାରେ ପର୍ଯ୍ୟଟକଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ କରାଗଲା ନାହିଁ। ନା ଶୌଚାଳୟ ନିର୍ମାଣ ହେଲା ନା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା। କେବଳ ସଂଗ୍ରହାଳୟ ଗୃହ ନିର୍ମାଣ ଓ ରସକୁଣ୍ଡ ପୁନରୁଦ୍ଧାର କାମ ଗତ ବର୍ଷେରୁ ଅଧିକ ଦିନ ହେବ ଚାଲିଛି। ଦିନେ ହେଲେ ସପ୍ତାହ ବନ୍ଦ ନ୍ୟାୟରେ କାମ ଚାଲିଥିବାରୁ କାମ କେବେ ସରିବ, ବିଭାଗୀୟ କର୍ତୃପକ୍ଷ କହିପାରୁନାହାନ୍ତି। ଏଭଳି ସ୍ଥିତିରେ ଆଲୋକୀକରଣ, ଘାସ ଗାଲିଚା ଆଦି ଅନ୍ୟାନ୍ୟ ପ୍ରକଳ୍ପ କେବଳ କାଗଜକଲମରେ ହିଁ ସୀମିତ ରହିଛି।

ସେପଟେ ମଧୁ ବାବୁଙ୍କ ଦ୍ବାରା ନିର୍ମିତ ମଧୁ କୋଠରୀ ଏବେବି ଅବହେଳିତ। କସ୍ତୁରବା ଟ୍ରଷ୍ଟ ଏହି ଗୃହ ସହିତ ଉକ୍ତ ଜାଗାକୁ ଲିଜ୍ ସୂତ୍ରରେ ଆଣି ସୁରକ୍ଷିତ ରଖିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। କସ୍ତୁରବା ଟ୍ରଷ୍ଟ ମୁଖ୍ୟ ସଂଧ୍ୟାରାଣୀ ମଲ୍ଲିକ ସରକାରଙ୍କ ଏପରି ଆଭିମୁଖ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶର ଅନ୍ୟ ମହାପୁରୁଷଙ୍କ ପୀଠକୁ ଯେଭଳି ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ କରାଯାଉଛି, ଓଡ଼ିଶାରେ ସରକାର ସେପରି କରୁନାହାନ୍ତି। ଓଡ଼ିଆ ଜାତି ପ୍ରତି ମଧୁ ବାବୁଙ୍କ ଅବଦାନ ଅତୁଳନୀୟ। କିନ୍ତୁ ତାଙ୍କ ସ୍ମୃତିପୀଠ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୩ ବର୍ଷ ପରେ ବି ଅବହେଳିତ ହୋଇ ରହିବା ଓଡ଼ିଆ ଜାତି ପ୍ରତି ଅପମାନ ବୋଲି ସେ କହିଛନ୍ତି। ତାଙ୍କ କହିବାନୁଯାୟୀ, ପର୍ଯ୍ୟଟନସ୍ଥଳ ମାନ୍ୟତା ମିଳିବା ପରେ ଜନ୍ମପୀଠର ଉନ୍ନତିକରଣ ପାଇଁ କେତେକ ଯୋଜନା ହାତକୁ ନିଆଯାଇ ଅର୍ଥ ବ୍ୟୟବରାଦ ହୋଇଛି। ହେଲେ କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର