ନବରାତ୍ରି ସମୟରେ କୁନି ଝିଅମାନେ ପାଲଟିଯାଆନ୍ତି ଦେବୀ। ସେତେବେଳେ ବଡ଼ମାନେ ସେମାନଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥାନ୍ତି। ଏଭଳି ବିସ୍ମୟ ପଛରେ ରହିଛି ବିଶ୍ବାସ। କୁମାରୀ କନ୍ୟା ମା’ ଦୁର୍ଗାଙ୍କ ପରି ପବିତ୍ର ଓ ପୂଜନୀୟା ବୋଲି ଶାସ୍ତ୍ରରେ ଅଭିହିତ କରାଯାଇଛି। ସପ୍ତମୀ ତିଥିରୁ କନ୍ୟାପୂଜନ ଆରମ୍ଭ ହୁଏ। ଅଷ୍ଟମୀ ଓ ନବମୀ ତିଥିରେ କନ୍ୟାମାନଙ୍କୁ ଦେବୀଙ୍କ ପ୍ରତିନିଧି ସ୍ବରୂପ ପୂଜାର୍ଚ୍ଚନା କରାଯାଏ। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ କୁମାରୀ କନ୍ୟାମାନଙ୍କୁ ପୂଜା କରାଯାଇଥାଏ। ଏପରିକି ପଡ଼ୋଶୀ ରା‌‌ଷ୍ଟ୍ର ନେପାଳରେ ମଧ୍ୟ କୁମାରୀ ପୂଜନର ପୃଥକ୍‌ ପରମ୍ପରା ରହିଛି। କୁମାରୀ ପୂଜନର ବିଭିନ୍ନ ଦିଗକୁ ନେଇ ଏଥରର ପ୍ରମୁଖ ପ୍ରସଙ୍ଗ।
ଉପସ୍ଥାପନା: ପ୍ରଗତି ସାହୁ

Advertisment

ଭାରତୀୟ ସଂସ୍କୃତିରେ ନାରୀ ହିଁ ନାରାୟଣୀ; ଅର୍ଥାତ୍ ସେ ଗୃହର ସର୍ବମୟୀ କର୍ତ୍ତ୍ରୀ। ପାର୍ବତୀ ରୂପେ ସେ ବଶମ୍ବଦା ପତ୍ନୀ, ଲକ୍ଷ୍ମୀ ରୂପେ ଗୃହିଣୀ ଓ ସରସ୍ୱତୀ ରୂପେ ପରିବାରର ଆଦ୍ୟ ଶିକ୍ଷୟିତ୍ରୀ। ଅନ୍ନପୂର୍ଣ୍ଣା ରୂପେ ସେ ପରିବାର ଏବଂ ଅତିଥିମାନଙ୍କର କ୍ଷୁଧାତୃଷା ନିବାରଣରେ ମୁଖ୍ୟ ଭୂମିକା ତୁଲାଏ। ଆବଶ୍ୟକ ସ୍ଥଳେ କାଳୀ ରୂପ ଧାରଣକରି ସେ ଦଣ୍ଡ ପ୍ରଦାନ କରିଥାଏ। ଏଣୁ ଭାରତୀୟ ପରମ୍ପରାରେ ସକଳ ଦେବୀଙ୍କ ପ୍ରତିଭୂ ଭାବେ ନାରୀ ଆରାଧନାକୁ ଅଗ୍ରାଧିକାର ଦିଆଯାଇଛି। ପୂଜାପର୍ବାଣି ଓ ଧର୍ମୀୟ ପରମ୍ପରାରେ ମଧ୍ୟ ଏହାକୁ ସଂଯୁକ୍ତ କରାଯାଇଛି। ଏହି କ୍ରମରେ ନବରାତ୍ରି ଓ ଦଶହରା ସମୟରେ ‌ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ କୁମାରୀ କନ୍ୟାମାନଙ୍କୁ ପୂଜା କରାଯାଇଥାଏ। ଏହା ସମାଜରେ ନାରୀର ମାହାତ୍ମ୍ୟ ସୂଚାଇବା ସହ ସେମାନଙ୍କୁ ନିଜର ଭୂମିକା ଓ ଗୁରୁତ୍ବ ସଂପର୍କରେ ଅବଗତ କରାଇଥାଏ।
 ଚଳିତବର୍ଷ ଶାରଦୀୟ ନବରାତ୍ରି ସେପ୍‌ଟେମ୍ବର୍‌ ୨୨ରୁ ଆରମ୍ଭ ହୋଇ ଅକ୍‌ଟୋବର୍‌ ୨ରେ ଶେଷହେଉଛି। ଏହି ନଅଦିନ ମୁଖ୍ୟତଃ ଉପବାସ ପାଳନକରି ଦେବୀଙ୍କ ଆରାଧନା କରାଯାଏ। ନବରାତ୍ରି ବେଳେ ସପ୍ତମୀ ତିଥିରୁ କନ୍ୟାପୂଜନ ଆରମ୍ଭ ହୁଏ। ଅଷ୍ଟମୀ ଓ ନବମୀ ତିଥିରେ କନ୍ୟାମାନଙ୍କୁ ଦେବୀଙ୍କ ପ୍ରତିନିଧି ସ୍ବରୂପ ପୂଜାର୍ଚ୍ଚନା କରାଯାଏ। ଦେଶର କେତେକ ପ୍ରାନ୍ତରେ ଛୋଟ ଛୋଟ ଝିଅଙ୍କୁ ଘରକୁ ଆମନ୍ତ୍ରଣକରି ଭୋଜନ ଦିଆଯାଇ ତୃପ୍ତ କରିବା ପରମ୍ପରା ବି ରହିଛି। କେତେକ ହୁଏତ ଭାବୁଥି‌େବ, କନ୍ୟା ବା ଝିଅମାନଙ୍କୁ ପୂଜା କରାଯିବାର ତାତ୍ପର୍ଯ୍ୟ କ’ଣ?

କୁମାରୀ କନ୍ୟା ମା’ ଦୁର୍ଗାଙ୍କ ପରି ପବିତ୍ର ଓ ପୂଜନୀୟା ବୋଲି ଶାସ୍ତ୍ରରେ ଅଭିହିତ କରାଯାଇଛି। ରଜସ୍ବଳା ହୋଇ ନଥିବା ଝିଅଙ୍କୁ ଦୁର୍ଗାଙ୍କ ସ୍ୱରୂପ ବୋଲି ବିବେଚନା କରି ପୂଜାକରିବା ସହ ଭୋଜନାର୍ପଣ କରାଯାଏ। ଶାସ୍ତ୍ର କହେ, ହୋମ, ଜପ ଓ ଦାନ ଦ୍ୱାରା ମା’ ଯେତିକି ସନ୍ତୁଷ୍ଟ ହୋଇ ନଥା’ନ୍ତି, କନ୍ୟାଙ୍କୁ ପୂଜା କଲେ ତା’ଠାରୁ ଅଧିକ ସନ୍ତୁଷ୍ଟ ହୋଇଥା’ନ୍ତି। ବିଧିସମ୍ମତ ଓ ଶ୍ରଦ୍ଧାପୂର୍ବକ କୁମାରୀପୂଜନ ହୃଦୟରୁ ଭୟ ଦୂରକରେ ବୋଲି ଲୋକବିଶ୍ବାସ ରହିଛି। କନ୍ୟାପୂଜନ ପାଇଁ ୨ରୁ ୧୦ ବର୍ଷୀୟା କନ୍ୟାଙ୍କୁ ହିଁ ଚୟନ କରାଯାଏ। ୯ଜଣ କନ୍ୟାଙ୍କୁ ଘରକୁ ଆମନ୍ତ୍ରଣକରି ସସମ୍ମାନ ସ୍ୱତନ୍ତ୍ର ଆସନ ଦିଆଯାଏ। ପାଦଧୋଇ ବସାଇବା ପରେ ମଥାରେ ସିନ୍ଦୂରଦେଇ ନାଲିରଙ୍ଗର ଓଢ଼ଣି ପକାଯାଏ। ଦେବୀଙ୍କୁ ସ୍ମରଣକରି ବା ମା’ ଦୁର୍ଗାଙ୍କ ମନ୍ତ୍ର ଜପି ପୂଜାର୍ଚ୍ଚନା ଓ ପ୍ରସାଦ ଅର୍ପଣ କରାଯାଏ। ଏହାପରେ ନବକନ୍ୟାଙ୍କୁ ଭୋଜନ ପରଷାଯାଏ। ଶେ‌ଷରେ ଦାନଦକ୍ଷିଣା ସହ ସେମାନଙ୍କ ପାଦଛୁଇଁ ଆଶୀର୍ବାଦ ନିଆଯାଏ। କେତେକ ଅଞ୍ଚଳରେ କନ୍ୟାପୂଜନ ବେଳେ ଜଣେ ବାଳକକୁ ବାବା ଭୈରବଙ୍କ ସ୍ବରୂପ ଭାବେ ପୂଜା କରାଯିବାର ବିଧି ଅଛି।

ପୁରାଣରେ କନ୍ୟା ପୂଜନ
ପୌରାଣିକ ଆଖ୍ୟାନ ଅନୁସାରେ, ଇନ୍ଦ୍ର ବ୍ରହ୍ମାଙ୍କୁ ମା’ ଭଗବତୀଙ୍କୁ ପ୍ରସନ୍ନ କରିବାର ଉପାୟ ପଚାରିଲାରୁ ବ୍ରହ୍ମା କୁମାରୀ ପୂଜା ସର୍ବୋତ୍ତମ ଉପାୟ ବୋଲି ତାଙ୍କୁ କହିଥିଲେ। ସେହି ବିଧି ଅନୁସାରେ ନଅଜଣ କୁମାରୀଙ୍କୁ ଘରକୁ ଡାକି ତାଙ୍କ ପାଦଧୋଇ, କୁଙ୍କୁମ ଲଗାଇ ପୂଜା କରାଯାଏ। ଏହାପରେ ତାଙ୍କୁ ବସ୍ତ୍ର, ଗହଣା, ଫଳ ଓ ଅନ୍ନ ଆଦି ଦିଆଯାଏ। ପ୍ରତିପଦରୁ ଆରମ୍ଭକରି ନବମୀ ପର୍ଯ୍ୟନ୍ତ ପ୍ରଥମ ଦିନ ଜଣେ, ଦ୍ୱିତୀୟ ଦିନ ଦୁଇଜଣ, ତୃତୀୟ ଦିିନ ତିନିଜଣ, ଏହିଭଳି ନବମୀ ଦିନ ନଅଜଣ କୁମାରୀଙ୍କୁ ପୂଜାକରି ଭୋଜନ ଦେଲେ ମନମୁତାବକ ଫଳ ମିଳେ ବୋଲି ବିଶ୍ବାସ ରହିଛି। ଅଷ୍ଟମୀ ଦିନ ମହାଗୌରୀଙ୍କର ଉପାସନା କରାଯାଏ। କନ୍ୟାପୂଜନ ଦ୍ୱାରା ସମ୍ମାନ, ଲକ୍ଷ୍ମୀ, ବିଦ୍ୟା ଓ ତେଜ ପ୍ରାପ୍ତି ହୋଇଥାଏ। ଭୟ, ବାଧା ଓ ଶତ୍ରୁ ବିନାଶ ମଧ୍ୟ ହୋଇଥାଏ।

ଦେଶରେ କେଉଁଠି
ଭାରତର ଅଧିକାଂଶ ପ୍ରାନ୍ତରେ କୁମାରୀ ପୂଜନ ପ୍ରଚଳିତ ଥିଲେ ହେଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସମେତ ଉତ୍ତର ଓ ପୂର୍ବ ଭାରତରେ ନବରାତ୍ର ସମୟରେ ସ୍ଥାନୀୟ ପରମ୍ପରା ମୁତାବକ ଆଡ଼ମ୍ବର ସହକାରେ କନ୍ୟାପୂଜନ କରାଯାଏ। ସଂସ୍କୃତି ଗବେଷକଙ୍କ ମତାନୁସାରେ, ଓଡ଼ିଶା ଓ ଉତ୍ତରାଖଣ୍ଡ ଭଳି ରାଜ୍ୟର ଏହା ମୌଳିକ ପରମ୍ପରା ହୋଇ ନ ଥିଲେ ବି କାଳକ୍ରମେ ଗ୍ରହଣୀୟ ହୋଇଛି।

 ପଶ୍ଚିମ ଭାରତରେ, ବିଶେଷକରି ଗୁଜରାଟରେ ଧୁମ୍‌ଧାମ୍‌ରେ ନବରାତ୍ରି ପାଳନ କରାଯାଏ। ସେଠାରେ ଝିଅବୋହୂମାନେ ଦାଣ୍ଡିଆ ଓ ଗର୍‌ବା ନୃତ୍ୟ କରିବା ପରମ୍ପରା ରହିଛି। ପୁଣି ବିଶ୍ବାସ ପ୍ରଚଳିତ ଅଛି ଯେ ଏହି ନୃତ୍ୟକଲେ ଝିଅମାନଙ୍କର ଗର୍ଭାଶୟ ଶକ୍ତ ହୋଇଥାଏ ଏବଂ ସେମାନେ ସନ୍ତାନ ପ୍ରସବ ଶକ୍ତି ହାସଲ କରିପାରନ୍ତି।

ନଅ ଦିନରେ ଦେବୀଙ୍କ ନଅରୂପ
ନବରାତ୍ରିରେ ଦେବୀଙ୍କୁ ନଅ ଦିନରେ ନବମାତୃକା ଭାବେ ଆରାଧନା କରାଯାଇଥାଏ।  
ପ୍ରଥମ ଦିନ ମାତା ଶୈଳପୁତ୍ରୀ: ହିମାଳୟଙ୍କ କନ୍ୟା ରୂପେ ଜାତ ମାତାଙ୍କୁ ଶୈଳପୁତ୍ରୀ କୁହାଯାଏ। ନାରୀ ଜୀବନର ବାଲ୍ୟାବସ୍ଥାରେ ମାତୃରୂପ ଅନୁଭବକରି ପୂଜନ ପାଇଁ ଏହି ରୂପ ଉଦ୍ଦିଷ୍ଟ।
ଦ୍ବିତୀୟ ଦିନ ମାତା ବ୍ରହ୍ମଚାରିଣୀ: ଜନ୍ମ ପରେ ଝିଅ କିଶୋରୀ ଏବଂ ପରେ ବିବାହଯୋଗ୍ୟା ହେଲେ ଭଲ ବର ନିମନ୍ତେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନହୁଏ।
ତୃତୀୟ ଦିନ ମାତା ଚନ୍ଦ୍ରଘଣ୍ଟା: ଯୁବତୀ ତା’ କୁମାରୀତ୍ବକୁ ସୁରକ୍ଷିତ ରଖିବା ପାଇଁ ଘଣ୍ଟା ଶବ୍ଦ ବ୍ୟବହାର କରିଥାଏ। ଘଣ୍ଟା ବଜାଇ ନାରୀ ପ୍ରତିପକ୍ଷକୁ ଭୟଭୀତ କରାଇ ସମାଜକୁ ସତର୍କ କରାଇଥାଏ। ଏହି ରୂପ ଚନ୍ଦ୍ରଘଣ୍ଟା ଭାବେ ନାମିତ।
ଚତୁର୍ଥ ଦିନ ମାତା କୁଷ୍ମାଣ୍ଡା: ଉପଯୁକ୍ତ ବର ପ୍ରାପ୍ତିପରେ ନାରୀ ସନ୍ତାନସମ୍ଭବା ହୋଇଥାଏ। କୁ+ଉଷ୍ମ+ଅଣ୍ଡ= କୁଷ୍ମାଣ୍ଡ। ସ୍ତ୍ରୀଲିଙ୍ଗରେ ଏହା କୁଷ୍ମାଣ୍ଡା ବା ସନ୍ତାନସମ୍ଭବ‌ା। ତେଣୁ ନାରୀଙ୍କୁ ଅଗ୍ରପୂଜ୍ୟା ବୋଲି ବିବେଚନା କରାଯାଏ।
ପଞ୍ଚମ ଦିନ ମାତା ସ୍କନ୍ଦମାତା: ଦେବ ସେନାପତି କାର୍ତ୍ତିକଙ୍କ ଅନ୍ୟନାମ ସ୍କନ୍ଦ। ଏଠାରେ ଦେବୀ ତାଙ୍କ ମାତା ରୂପେ ଅଭିଷିକ୍ତା। ସନ୍ତାନ ଲାଳନପାଳନ ଭଳି ସାଧନା ପାଇଁ ସମାଜ ମାତୃରୂପା ନାରୀ ନିକଟରେ ଚିରଋଣୀ।
ଷଷ୍ଠ ଦିନ ମାତା କାତ୍ୟାୟନୀ: ମହିଷାସୁର ଅତ୍ୟାଚାରରେ ତ୍ରିପୁର ଥରହର ହେବାରୁ ଦେବତାଙ୍କ ତେଜପୁଞ୍ଜରୁ ଦେବୀ ସୃଷ୍ଟି ହେଲେ। ମାତ୍ର ଦେବତାଙ୍କ ତେଜପୁଞ୍ଜ ଊଣା ହେବାରୁ କାତ୍ୟାୟନ ଋଷି ତାଙ୍କ ତେଜ ଦାନ କଲେ। ବୀରା ଗୁଣଯୁକ୍ତହୋଇ ସେ ମହିଷାସୁର ବଧ କଲେ। ତେଣୁ ତାଙ୍କ ନାମ କାତ୍ୟାୟନୀ।
ସପ୍ତମ ଦିନ ମାତା କାଳରାତ୍ରି: ସର୍ବଂସହା ନାରୀ ପରିବାରର ବିପଦ ଓ ଦୁଃଖ ଏଡ଼ାଇବା ପାଇଁ ସ‌ାଜେ ଉଗ୍ର କାଳୀ। କାଳରାତ୍ରି ନାରୀର ସବୁଠାରୁ ଭୟଙ୍କର ରୂପ।
ଅଷ୍ଟମ ଦିନ ମାତା ମହାଗୌରୀ: ଅଷ୍ଟମ ସମ୍ମାନ ତଥା ଶୁଭଙ୍କର ଅବସ୍ଥା ଭାବେ ବିବେଚିତ। ତ୍ୟାଗ, ଶୌର୍ଯ୍ୟ, ପରାକ୍ରମ, ସଂଯମ, ସହନଶୀଳତା, ସୁରକ୍ଷା, ଆଦି ସୁଗୁଣ ପୁଣି ଆବଶ୍ୟକ ସ୍ଥଳେ କରାଳ ରୂପ ଧାରଣକରି ସମାଜରୁ ସମ୍ମାନ ପାଇଲେ ନାରୀ ଶାନ୍ତ ରୂପରେ ମାତାମହୀ ରୂପେ ଅବତୀର୍ଣ୍ଣ ହୁଏ। ସେଥିପାଇଁ ସେ ମହାଗୌରୀ ଭାବେ ପୂଜନୀୟା।
ନବମ ଦିନ ମାତା ସିଦ୍ଧିଦାତ୍ରୀ: ଅନ୍ତିମ ଦିବସରେ ମା’ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ରୂ‌େପ ପୂଜା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୁଜା ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ଏଥିସହ ନବରାତ୍ର ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ।

ପୁରୀରେ କୁଆଁରୀଙ୍କ ନେତପର୍ବ
ବଳିରେ ବଳି, ନକର ଅଳି, କାଲି ଅାଣିଦେବି ସରୁଚକୁଳି...। ସରୁଚକୁଳିର ଉପରେ ମହୁ, ଧୂପ, ଖଟିଗଲେ ରଜାଙ୍କ ବହୂ...। ମାର୍କଣ୍ଡ ପୁଷ୍କରିଣୀ କୂଳରେ ସେବାୟତଘର କୁନି କୁନି ଝିଅଙ୍କ ମୁହଁରୁ ଉତୁରିଥାଏ ଏହି ପଂକ୍ତି। ଯୋଗ୍ୟ ବର, ଭଲ ଘର ପାଇବା ପାଇଁ କିଛି ସେବାୟତଙ୍କ ପରିବାରର କୁନି ଝିଅମାନଙ୍କୁ ନେଇ ‘ନେତପର୍ବ’ ପାଳନ ହୁଏ। ବାଜୁବନ୍ଧ, ବାହୁଟି, କଙ୍କଣ, ଚୁଡ଼ି, ମଥାମଣି, ହାରମାଳା, ଓଡ଼ିଆଣୀ ଆଦି ସ୍ବର୍ଣ୍ଣ ଅଳଙ୍କାର ପରିଧାନକରି ଦେବୀ ବେଶରେ ସୁସଜ୍ଜିତା କୁନି ଝିଅମାନେ ସକାଳୁ ଆସି ଏହି ପୂଜା କରନ୍ତି। ଏହା ଆଶ୍ବିନ ପ୍ରତିପଦଠାରୁ ଆରମ୍ଭ ହୁଏ। ଅଢ଼େଇ ବର୍ଷରୁ ୧୦ ବର୍ଷ ବୟସ ମଧ୍ୟରେ କୁନି ଝିଅମାନେ କରନ୍ତି ନେତକନ୍ୟା ଉତ୍ସବ। ଶିବଙ୍କୁ ପାଇବା ପାଇଁ ଦେବୀ ପାର୍ବତୀ ଏହି ପୂଜା କରିଥିବାରୁ ସେବାୟତ ଘରେ ଏହା ପାଳନ କରାଯାଏ ବୋଲି କଥିତ ଅଛି। କୁମାରପୂର୍ଣ୍ଣମୀ ଦିନ ମାନସିକ ଗୁଆ ବିସର୍ଜନ ପରେ ଚାନ୍ଦଉତ୍ସବ କରି ନଡ଼ିଆରେ ଖିରି ରାନ୍ଧି ଖାଇବା ବିଧି ରହିଛି। 

ନେପାଳର କୁମାରୀ ଦେବୀ: ହସ ଲୁହରେ ଦେଶର ଭାଗ୍ୟ
ନେପାଳରେ ରାଜନୈତିକ ଅସ୍ଥିରତା ଚାଲିଥିବା ବେଳେ ସୋସିଆଲ୍‌ ମିଡିଆରେ ଏ ବିଷୟରେ ଭିନ୍ନ ଚର୍ଚ୍ଚା ଚାଲିଛି। କିଛି ନେପାଳବାସୀ ଦାବି କରିଥିଲେ ଯେ ପୂର୍ବରୁ ହିଁ ଦେବୀ ଏହି ଅନିଷ୍ଟର ସଙ୍କେତ ଦେଇଥିଲେ। ସେଠାକାର କିଛି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଇନ୍ଦ୍ର ଯାତ୍ରା ଭିଡିଓ ସେୟାର୍ କରିଥିଲେ। କୁହାଯାଉଛି ଯେ ଯାତ୍ରା ବେଳେ କୁମାରୀ ଦେବୀ ଭାବପ୍ରବଣ ଦିଶୁଛନ୍ତି। ଏହା କୌଣସି ଅନିଷ୍ଟର ପୂର୍ବ ସଙ୍କେତ। ସ୍ଥାନୀୟ ଭାଷାରେ ଏହି ଦେବୀଙ୍କୁ ‘କୁମାରୀ ମାଜୁଦେବୀ’ କହନ୍ତି। ଏବେ ଭାଇରାଲ୍ ହେଉଥିବା ଭିଡିଓରେ ଦେବୀ ରୂପଧାରୀ କୁନିଝିଅଟି କାନ୍ଦୁଥିବା ଦେଖାଯାଉଛି । ଦେବୀଙ୍କର ଏଭଳି ଭାବକୁ ନେପାଳର ବିନାଶ ସହିତ ଯୋଡ଼ାଯାଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୦୧୫ରେ ନେପାଳରେ ୭.୮ ତୀବ୍ର ଭୂକମ୍ପରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା। ସେହି ସମୟରେ କୁମାରୀ ଦେବୀ କ୍ରୋଧିତ ହେବା କଥା କୁହାଯାଇଥିଲା। ତେବେ କିଏ ଏହି କୁମାରୀ ଦେବୀ?

ନେପାଳ ସଂସ୍କୃତି ଅନୁସାରେ, ଶହ ଶହ ବର୍ଷ ଧରି କୁମାରୀ ଦେବୀ ବାଛିବାର ପରମ୍ପରା ଚାଲିଆସୁଛି। ଯେଉଁ କୁମାରୀ ଝିଅଠାରେ ଦୈବୀ ଲକ୍ଷଣ ଦେଖାଯାଏ ଏବଂ ଯିଏ ଦେବୀ ହେବାର ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ତାଙ୍କୁ କୁମାରୀ ଦେବୀ ଭାବରେ ବଛାଯାଏ। ଏହି ଦେବୀ ନେପାଳ ଲୋକଙ୍କୁ ବିପଦରୁ ରକ୍ଷାକରନ୍ତି। ପର୍ବପର୍ବାଣିରେ ଦେବୀଙ୍କୁ ତାଙ୍କ ଆବାସ ବାହାରକୁ ଅଣାଯାଏ ଏବଂ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମେ। କୁମାରୀ ଦେବୀଙ୍କୁ ତାଙ୍କର ମାସିକ ଧର୍ମ ଆରମ୍ଭ ନହେବା ପର୍ଯ୍ୟନ୍ତ ଏହି ପଦରେ ରଖାଯାଏ। ଏହାପରେ ତାଙ୍କୁ ପଦରୁ ହଟାଯାଏ ଏବଂ ନୂଆ କୁମାରୀ ଦେବୀଙ୍କ ସନ୍ଧାନ ଆରମ୍ଭ ହୁଏ। ତେବେ ପଦରୁ ହଟାଯିବା ପରେ ତାଙ୍କୁ ଆଜୀବନ ପେନ୍‌ସନ୍‌ ଓ ସମ୍ମାନ ମିଳେ। ନେପାଳର ଲୋକ କହନ୍ତି ଯେ କୁମାରୀ ଦେବୀ ହେଉଛନ୍ତି ସାକ୍ଷାତ ମା’ କାଳୀ। ଯାତ୍ରାବେଳେ ସେ କେଉଁ ଭକ୍ତଙ୍କୁ କିମ୍ବା ସମସ୍ତ ଭକ୍ତଙ୍କୁ ଦେଖି ହସିଲେ ବର୍ଷଟି ସୁଖ-ସମୃଦ୍ଧିରେ କଟେ, କିନ୍ତୁ ସେ ଯଦି କାନ୍ଦନ୍ତି ତେବେ ଦେଶରେ ଅନିଷ୍ଟ ଘଟେ।

ପଶ୍ଚିମ ଓଡ଼ିଶାରେ କନ୍ୟାପୂଜନ
ଆଶ୍ବିନ ମାସରେ ପଶ୍ଚିମ ଓଡ଼ିଶାରେ ନବରାତ୍ରି ପୂଜା ଆଡ଼ମ୍ବର ସହକାରେ ପାଳନ କରାଯାଏ। ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟି ସମୀର ପ୍ରଧାନ କହିଛନ୍ତି, ଏହିଦିନ ମା’ଙ୍କ ପୂଜା ସହିତ କନ୍ୟାପୂଜନ କରାଯାଏ। ନବମୀ ଦିନ ଉଚିତ ଲଗ୍ନରେ ଏହି ପୂଜା କରିବାର ବିଧି ରହିଛି। ମା’ଙ୍କ ପୂଜା ପରେ ପରେ ୯ଜଣ ଶିଶୁକନ୍ୟାଙ୍କୁ ବସାଇ ସେମାନଙ୍କୁ ଠାକୁରାଣୀ ବେଶକରି ବନ୍ଦାପନା କରାଯାଏ। ତା’ପରେ ମନ୍ଦିର ପରିକ୍ରମା କରାଯାଏ। ଏହାପରେ ଝିଅମାନଙ୍କୁ ଅନ୍ୟ ପୀଠଗୁଡ଼ିକୁ ଦର୍ଶନ ପାଇଁ ନିଆଯାଏ। ସେମିତି ଅନ୍ୟ ପୀଠରେ ଯେଉଁ ଝିଅମାନଙ୍କୁ ପୂଜା କରାଯାଏ ସେମାନେ ମା’ଙ୍କ ଦର୍ଶନ ପାଇଁ ସମଲେଶ୍ବରୀ ମନ୍ଦିରକୁ ଆସିଥାନ୍ତି।