ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାରୋହ – କୁମ୍ଭ ମେଳା, ଜାଣନ୍ତୁ ଏହାର ମହତ୍ତ୍ୱ, ଏହା ପଛରେ ଥିବା ପୌରାଣିକ ଗାଥା

ପ୍ରୟାଗରାଜ : ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠାରୁ ଆରମ୍ଭ ହେଉଛି ସନାତନ ସଂସ୍କୃତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ବିଶାଳ ଧାର୍ମିକ ସମାରୋହ କୁମ୍ଭ । ଆଜିଠାରୁ ପ୍ରୟାଗରାଜଠାରେ ଥିବା ପବିତ୍ର ସଂଗମଠାରେ ବୁଡ଼ ପକାଇ କୋଟି କୋଟି ହିନ୍ଦୁ ସାଧୁସନ୍ଥ ଓ ସାଧାରଣ ଶ୍ରଦ୍ଧାଳୁ ଏହି ଶୁଭାରମ୍ଭ କରିବେ । ଆସନ୍ତା ୪ ମାର୍ଚ୍ଚ ମହାଶିବରାତ୍ରୀ ଅବସରରେ ଏହି ସମାରୋହର ଅନ୍ତିମ ବୁଡ଼ ପଡିବ ।

କୁମ୍ଭମେଳାକୁ ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମ୍ମିଳନୀ ବୋଲି କୁହାଯାଏ । ଏହା ଅର୍ଦ୍ଧକୁମ୍ଭ ହେଲେ ମଧ୍ୟ ଏହା ଗତ ୨୦୧୩ରେ ଆୟୋଜିତ କୁମ୍ଭ ତୁଳନାରେ ଅଧିକ ବିଶାଳ ବୋଲି ଉତ୍ତରପ୍ରଦେଶର ଯୋଗୀ ସରକାର ଦାବି କରୁଛନ୍ତି । ଆଗରୁ ପ୍ରାୟ ୨୦ ବର୍ଗକିଲୋମିଟର ପରିମିତ ଅଞ୍ଚଳରେ କୁମ୍ଭ ଅନୁଷ୍ଠିତ ହେଉଥିବାବେଳେ ଏଥର ୪୫ ବର୍ଗ କିଲୋମିଟର ପରିମିତ ଅଂଚଳରେ ଅନୁଷ୍ଠିତ ହେଉଛି । ଏଥର ପ୍ରାୟ ୧୩ ରୁ ୧୫ କୋଟି ଶ୍ରଦ୍ଧାଳୁ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ସେଥିମଧ୍ୟରୁ ପ୍ରାୟ ୧୦ ଲକ୍ଷ ବିଦେଶୀ ସାଧୁ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଯୋଗ ଦେବାର ସମ୍ଭାବନା ରହିଛି । ଏବର୍ଷ ୧୫,୨୧ ଜାନୁୟାରୀ, ୪,୧୦ ଓ ୧୯ ଫେବ୍ରୁଆରୀ ଓ ୪ ମାର୍ଚ୍ଚରେ ପବିତ୍ର ବୁଡ ପଡିବ ।

ଭାରତର ୪ଟି ସ୍ଥାନରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ । ସେଗୁଡ଼ିକ ହେଉଛି ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ । ଏଗୁଡ଼ିକ ଯଥାକ୍ରମେ ଗଙ୍ଗା, ଗୋଦାବରୀ ଓ କ୍ଷୀପ୍ରା ନଦୀ କୂଳରେ ଅନୁଷ୍ଠିତ ହୁଏ । ପ୍ରତି ସ୍ଥାନରେ ୧୨ ବର୍ଷ ବ୍ୟବଧାନରେ କୁମ୍ଭମେଳା ହୁଏ ଓ ୬ ବର୍ଷ ବ୍ୟବଧାନରେ ଅର୍ଦ୍ଧକୁମ୍ଭ ହୁଏ । ପ୍ରୟାଗରାଜରେ ୨୦୧୩ରେ କୁମ୍ଭ ମେଳା ହୋଇଥିଲା, ଏଥର ଅର୍ଦ୍ଧକୁମ୍ଭ ହେଉଛି, ୨୦୨୫ରେ କୁମ୍ଭ ଅନୁଷ୍ଠିତ ହେବ ।


ତେବେ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା କୁମ୍ଭ ସବୁଠାରୁ ମହତ୍ୱପୂର୍ଣ୍ଣ, କାରଣ ଏହା ଗଙ୍ଗା-ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ସଂଗମରେ ଅନୁଷ୍ଠିତ ହୋଇଥାଏ । ପୌରାଣିକ ମାନ୍ୟତା ଅନୁସାରେ ସାଗରମନ୍ଥନ କାଳରେ ଏହି ୪ଟି ସ୍ଥାନରେ ଅମୃତକଳସରୁ ଅମୃତ ବିନ୍ଦୁ ପଡିଥିଲା । ଭଗବାନ ଶ୍ରୀହରି ମୋହିନୀ ବେଶରେ ଦେବତାଙ୍କ ମଧ୍ୟରେ ଅମୃତ ବଣ୍ଟନ କଲାବେଳେ ଏସବୁ ସ୍ଥାନରେ ଅମୃତ ପଡିଥିଲା । ତେବେ କୁମ୍ଭ ମେଳା ପ୍ରକୃତରେ କେବେ ଆରମ୍ଭ ହେଲେ ତାହା ଜାଣିବାରେ ଏପର୍ଯ୍ୟନ୍ତ ଐତିହାସିକମାନେ ବିଫଳ ରହିଛନ୍ତି ।

ସମ୍ବନ୍ଧିତ ଖବର