ଅର୍ଦ୍ଧକୁମ୍ଭ ହେଉ କି ପୂର୍ଣ୍ଣକୁମ୍ଭ ବା ମହାକୁମ୍ଭ; ସବୁ କୁମ୍ଭମେଳାରେ ଯେଉଁମାନେ ସ୍ନାନାର୍ଥୀ ହେଇ ବିଭିନ୍ନ କୁମ୍ଭପୀଠରେ ସମବେତ ହେଇଥାନ୍ତି, ସେମାନଙ୍କ ମଧ୍ୟରେ ନାଗା ସାଧୁମାନଙ୍କର ସଂଖ୍ୟା ଓ ବିଚିତ୍ରତା ବିଶେଷ ଦୃଷ୍ଟି ଆକର୍ଷଣ କରିଥାଏ। ‘ନାଗା’ ଶବ୍ଦର ମୁଖ୍ୟତଃ ଦୁଇଟି ଅର୍ଥ ପ୍ରଚଳିତ। ଗୋଟିଏ- ଏହା ନଗ୍ନ ଶବ୍ଦରୁ ସୃଷ୍ଟ ଏବଂ ଅନ୍ୟଟି- ଏହା ନଗ ବା ପର୍ବତ ଶବ୍ଦରୁ ସୃଷ୍ଟ। ଏହି ନାଗାମାନେ ବିଶେଷତଃ ପାର୍ବତ୍ୟ ଜାତିର ସାଧୁ ଏବଂ ଏମାନେ ପ୍ରାୟ ନଗ୍ନ ରହିଥାଆନ୍ତି।
କଥିତ ଅଛି, ଯେ କୁମ୍ଭମେଳାକୁ ବ୍ୟାପକ ଭାବରେ ଆୟୋଜିତ କରିବାରେ ଅଷ୍ଟମ-ନବମ ଶତାବ୍ଦୀର ଆଦି ଶଙ୍କରାଚାର୍ଯ୍ୟଙ୍କର ବିଶେଷ ଭୂମିକା ରହିଥିଲା। ସେ ଲକ୍ଷ୍ୟ କରିଥିଲେ, ଯେ ସନାତନ ହିନ୍ଦୁଧର୍ମର ବିଭିନ୍ନ ସଂପ୍ରଦାୟ ମଧ୍ୟରେ ମିତ୍ରତା ନାହିଁ। ସେମାନଙ୍କର ପାରସ୍ପରିକ ବୈରତା ଭାରତକୁ ଦୁର୍ବଳ କରିବା ସହିତ ସନାତନ ହିନ୍ଦୁଧର୍ମକୁ ଅବକ୍ଷୟ ପଥରେ ନେଇଯାଉଛି। ତେଣୁ ଗଣେଶ, ବିଷ୍ଣୁ, ଶିବ, ଅମ୍ବିକା ଓ ସୂର୍ଯ୍ୟ ଉପାସକମାନଙ୍କୁ ଏକାଠି କରିବାପାଇଁ ସେ ଯେପରି ପଞ୍ଚଦେବତା ଉପାସନାର ପ୍ରଚଳନ କରିଥିଲେ, ସେହିପରି ଦଶନାମୀ ସଂପ୍ରଦାୟକୁ ଏକତ୍ର ରଖିବାପାଇଁ କୁମ୍ଭମେଳାର ବ୍ୟାପକ ଆୟୋଜନ କରାଇଥିଲେ। ଏହି ଦଶନାମୀ ସଂପ୍ରଦାୟର ସଂପ୍ରଦାୟଗୁଡ଼ିକ ହେଉଛି- ତୀର୍ଥ, ଆଶ୍ରମ, ବନ, ଅରଣ୍ୟ, ଗିରି, ପର୍ବତ, ସାଗର, ସରସ୍ବତୀ ଭାରତୀ ଓ ପୁରୀ। ଏହି ଦଶନାମଧାରୀ ସାଧୁ ସଂପ୍ରଦାୟ କୁମ୍ଭମେଳାରେ ସମବେତ ହେବା ସହିତ ତୀର୍ଥଜଳରେ ସ୍ନାନ-କରିବାର ବିଧିବ୍ୟବସ୍ଥା ସେ କରାଇଥିଲେ। ତାହା ଫଳରେ ଏହି ଦଶ ସଂପ୍ରଦାୟ ଏକତ୍ର ହୋଇ ଏକ ମହାଶକ୍ତିର ପ୍ରଦର୍ଶନ କରିଥିଲେ। ସେହି ଧାରା ଏ ପର୍ଯ୍ୟନ୍ତ ପ୍ରଚଳିତ ଅଛି। ଏହି ଦଶନାମୀ ସଂପ୍ରଦାୟର ଏକ ଉପସଂପ୍ରଦାୟ ହେଉଛନ୍ତି ନାଗା। ଏହି ସ୍ନାନ ଅବସରରେ ସେମାନେ ସେମାନଙ୍କର ଶକ୍ତି ମଧ୍ୟ ପ୍ରଦର୍ଶନ କରିଥାନ୍ତି।