ଦିନେ ହିନ୍ଦୁସ୍ତାନୀ ଓ ଓଡ଼ିଶୀ ସଂଗୀତରେ ସମସ୍ତଙ୍କୁ ମଜାଉଥିଲେ। କଳାକାରଙ୍କ ଜୀବନ ଗଢୁଥିଲେ। ପ୍ରତିକୂଳ ପରିସ୍ଥିତିରେ ବି ହାର ନ ମାନି ସଂଗୀତକୁ ବ୍ରତ କରିଥିଲେ। ଏଥିପାଇଁ ସେ ରାଜ୍ୟ ତଥା ଦେଶରେ ଅନେକ ସୁନାମ ଅର୍ଜିଛନ୍ତି। ସ୍ବର୍ଣ୍ଣପଦକ ସହ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି। ଓଡ଼ିଶାକୁ ଦେଶରେ ପରିଚୟ ଦେଇଛନ୍ତି। କିନ୍ତୁ ଏବେ ସେ ବୟସର ଅପରାହ୍ଣରେ ବି କଳାକୁ ଶୀର୍ଷରେ ପହଞ୍ଚାଇବାକୁ ସ୍ବପ୍ନ ଦେଖୁଛନ୍ତି ଗୁରୁମା କୁଞ୍ଜଲତା ସାହୁ।
ପୁରୀ ଦୋଳମଣ୍ଡପ ସାହି ପାତ୍ରଲେନ୍ରେ କୁଞ୍ଜଲତା ସାହୁଙ୍କ ଘର, ବୟସ ୭୨ ବର୍ଷ। ଗୁରୁମା ନାମରେ ସେ ବେଶ୍ ପରିଚିତ। ୧୯୫୬ ମସିହାରେ ମାତ୍ର ୪ ବର୍ଷ ବୟସରେ ସେ ପୋଲିଓ ଆକ୍ରାନ୍ତ ହୋଇ ଚାଲିବାର କ୍ଷମତା ହରାଇଥିଲେ। ସେ ସମୟରେ ବହୁ ଚେଷ୍ଟା ସତ୍ତ୍ବେ ତାଙ୍କ ଶରୀର ଅଣ୍ଟାଠାରୁ ତଳକୁ ଅଚଳ ହୋଇଯାଇଥିଲା। କିନ୍ତୁ ସେ ଜୀବନଯୁଦ୍ଧରେ ଭାଙ୍ଗି ପଡ଼ିନଥିଲେ। ବାପା ମୁରଲୀଧର ସାହୁ ଓ ମା’ ମୁକ୍ତା ଦେଇଙ୍କ ପ୍ରେରଣା ତାଙ୍କୁ ଆଗକୁ ବଢ଼ିବାର ଆଶା ଦେଇଥିଲା। ପିଲାବେଳୁ ଚାଟଶାଳୀ ମାଡ଼ି ନଥିଲେ ବି ଦୃଢ଼ ଇଚ୍ଛାଶକ୍ତି ପାଇଁ ଘରେ ଭାଇ, ଭଉଣୀଙ୍କଠାରୁ ଶିଖି ସେ ଓଡ଼ିଆ କହିବା ଓ ଲେଖିବା ଜାଣିଥିଲେ। ମା’ ଘର କାମରେ ବ୍ୟସ୍ତ ଥିବାବେଳେ ଘରେ ରାମାୟଣ, ଭାଗବତ ପଢ଼ି ଶୁଣାଉଥିଲେ। ଗୁରୁମା କୁଞ୍ଜଲତା କହନ୍ତି, ତାଙ୍କର ସୁଲଳିତ କଣ୍ଠ ଶୁଣି ମା’ ମୁକ୍ତା ଦେଇ ତାଙ୍କୁ ସଂଗୀତ ଶିଖାଇବାର ମନ ବଳାଇଥିଲେ। ସେତେବେଳେ ଦୋଳମଣ୍ଡପ ସାହିରେ ଥିବା ସଂଗୀତ କଳା ପ୍ରତିଷ୍ଠାନରେ ନାମ ଲେଖାଇଥିଲେ। ସେଠାରେ ୧୪ ବର୍ଷ ବୟସରେ ସଂଗୀତଗୁରୁ ସ୍ବର୍ଗତା ନାଗମଣି ମହାନ୍ତିଙ୍କଠାରୁ ସେ ସଂଗୀତ ଶିକ୍ଷା ନେଇଥିଲେ। ପରେ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତରେ ଚଣ୍ଡୀଗଡ଼ ପ୍ରାଚୀନ କଳାକେନ୍ଦ୍ର ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତରେ ପୁନେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟରୁ ସଂଗୀତ ଆଚାର୍ଯ୍ୟ ଓ ସଂଗୀତ ବିଶାରଦ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।
ସେ ସମୟରେ ଦେଶର ସମଗ୍ର ପୂର୍ବାଞ୍ଚଳରେ କୁଞ୍ଜଲତା ସବୁଠୁ ଅଧିକ ମାର୍କ ରଖିଥିବାରୁ ସ୍ବର୍ଣ୍ଣପଦକ ହାସଲ କରିବାର ଗୌରବ ଅର୍ଜନ କରିଥିଲେ। ତାଙ୍କର ଏହି ପ୍ରତିଭା ଦେଖି ସ୍ବର୍ଗତ ସିଂହାରୀ ଶ୍ୟାମସୁନ୍ଦର କର ତାଙ୍କ ଦ୍ବାରା ପୁରୀ ବଡ଼ଦାଣ୍ଡରେ ପ୍ରତିଷ୍ଠିତ ସଂଗୀତ ମହାବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଆମନ୍ତ୍ରଣ କରିଥିଲେ। ସେଠାରେ ତାଙ୍କୁ ୨୦ ବର୍ଷର ସଂଗୀତ ଶିକ୍ଷା ଦେଇଥିଲେ। ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ପାଇଁ ତାଙ୍କୁ ୧୯୮୭ ମସିହାରେ ‘ଶ୍ରୀକ୍ଷେତ୍ର ଶ୍ରୀ’ ସମ୍ମାନ ମିଳିଥିଲା। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ବି ତାଙ୍କୁ ସମ୍ମାନିତ କରିଥିଲା। ୧୯୮୬ ମସିହାଠାରୁ ସେ ଆକାଶବାଣୀ କେନ୍ଦ୍ରରେ ଜଣେ ସ୍ବୀକୃତିପ୍ରାପ୍ତ ଗାୟିକା ଭାବେ ୧୫ ବର୍ଷ ଧରି ଭଜନ ଓ ଜଣାଣ ପରିବେଷଣ କରିଥିଲେ। ପରେ ପୁରୀର ଉସ୍ତି ଫାଉଣ୍ଡେସନ୍ରେ ସଂଗୀତଗୁରୁ ଭାବେ ଶିକ୍ଷାଦାନ କରିଥିଲେ। ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅନେକ ଲେଖା ଲେଖିଛନ୍ତି। ‘କ’ ରୁ ‘ଲ’ ପର୍ଯ୍ୟନ୍ତ ମଧ୍ୟ ସେ ଭଜନ ଲେଖିଛନ୍ତି, ଯାହା ଖୁବ୍ ଶ୍ରୁତିମଧୁର। ଗୁରୁମା କୁଞ୍ଜଲତା କହନ୍ତି, ୨୦୧୪ ମସିହାରୁ ସେ ଚାକିରିରୁ ଅବସର ନେଇ ଘରେ ରହୁଛନ୍ତି। ବୟସାଧିକ୍ୟ ଓ ଶାରୀରିକ ଅକ୍ଷମତା କାରଣରୁ ପୂର୍ବର ସଚଳ ଶରୀର ଧୀରେ ଧୀରେ ଅଚଳ ହୋଇଗଲାଣି। କିନ୍ତୁ ଏବେ ବି ଏ ଶରୀର ଓ ମନ ମହାପ୍ରଭୁଙ୍କ ନାମରେ ଉତ୍ସର୍ଗୀକୃତ।