ରେମଣ୍ଡା: ବରଗଡ଼ ଜିଲ୍ଲା କୁରୁଆଁ ଗ୍ରାମର ମା’ ଉମା ମାହେଶ୍ବରୀଙ୍କ ଶକ୍ତିପୀଠ ବହୁ ପୁରାତନ ଓ ଅନନ୍ୟ। ଜିଲ୍ଲା ମୁଖ୍ୟାଳୟଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ କୁରୁଆଁ ଗ୍ରାମ। ଗ୍ରାମର ମଧ୍ୟଭାଗରେ ବିରାଜମାନ କରିଛନ୍ତି ଆଦିଶକ୍ତି ମା’ ଉମା ମାହେଶ୍ୱରୀ। ଚତୁର୍ଭୁଜା ମା’ ମାହେଶ୍ୱରୀ ପଦ୍ମାସନା ସୁବର୍ଣ୍ଣ ପ୍ରତିମା। ଗୋଟିଏ ହସ୍ତରେ ସର୍ପ, ଗୋଟିଏ ହସ୍ତରେ ଅଙ୍କୁଶ, ଆଉ ଗୋଟିଏ ହସ୍ତରେ ବରଦାୟିନୀ ଓ ଅନ୍ୟ ହସ୍ତରେ ଧନଦାୟିନୀ।  

Advertisment

ମା’ ଉମା ମାହେଶ୍ୱରୀଙ୍କ ଆବିର୍ଭାବର ରୋଚକ ଲୋକକଥା ଅଛି। ଦ୍ବାଦଶ ଶତାବ୍ଦୀରେ ମା’ ଉମା ମାହେଶ୍ୱରୀ ଡୁମ୍ବାଳ ଜାତିର ନଅଜଣ- ମହାକୁର, ତଅଁଳା, ଦେହେରୀ, ପଧାନ, ମେଣ୍ଡଳି, ପାତ୍ର, ଥାଟି, କର୍ଣ୍ଣ ଓ କର୍ମୀ ବର୍ଗର ନଅ ଜଣ ସେବାୟତ। ଯେଉଁମାନେ ଆଗରୁ ମା’ଙ୍କର ଶାଳକା ବାଡ଼ି ପୂଜା କରୁଥିଲେ। ସେମାନଙ୍କୁ ରାତିରେ ସ୍ବପ୍ନାଦେଶ ହେଲା, ମା’ ଗାଁ ମୁଣ୍ଡରେ ଥିବା ମାଉଳିପଦରଠାରେ ଅଛନ୍ତି।‌ ସମସ୍ତେ ନିଜ ନିଜ ମଧ୍ୟରେ ରାତିର ସ୍ବପ୍ନ ବିଷୟରେ କଥା ହେଲେ। ଆଉ ଜଣାଗଲା ଯେ ସମସ୍ତଙ୍କର ସ୍ବପ୍ନ ସମାନ। ସମସ୍ତେ ଏକା ସାଙ୍ଗରେ ଯାଇ ଦେଖିଲେ ଯେ ଗୋଟିଏ ଜାଗାରେ ମା’ଙ୍କର ଜ୍ୟୋତି ବିକିରଣ ହେଉଛି। ଧୂପଦୀପ ଦେଇ ମା’ଙ୍କ ପ୍ରତିମାକୁ ପୂଜା କରାଯିବା ସହ ବାଜା, ହରିବୋଲ, ହୁଳହୁଳିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା। ସମୟ କ୍ରମେ କୁରୁଆଁସ୍ଥିତ ମା’ ଉମା ମାହେଶ୍ୱରୀଙ୍କର ମଙ୍ଗଳମୟୀ ପ୍ରଭାବ ବଢ଼ି ବଢ଼ି ଚାଲିଲା। କୁହାଯାଏ ଷୋଡ଼ଶ ଶତାଦ୍ଦୀର ମଧ୍ୟଭାଗରେ ସମ୍ବଲପୁର ମହାରାଜା ବଳିଆର୍ ସିଂହ ଯକ୍ଷ୍ମାରେ ପୀଡ଼ିତ ଥିଲେ। ପାଖ ପଡେ଼ାଶୀ ରାଜ୍ୟର ରାଜବଇଦମାନେ ଚିକିତ୍ସା କରି ମହାରାଜାଙ୍କ ଅସାଧ୍ୟ ରୋଗ ଉପଶମ କରି ପାରି ନଥିଲେ। ମା’ ଉମା ମାହେଶ୍ୱରୀଙ୍କର ଅଲୌକିକ ଶକ୍ତିର ମହିମା ପ୍ରଜାଙ୍କ ସୂତ୍ରରୁ ମହାରାଜା ବଳିଆର୍ ସିଂହଙ୍କ କାନକୁ ଆସିଲା। କୁରୁଆଁ ମା’ ମାହେଶ୍ୱରୀଙ୍କର ବରୁଆମାନଙ୍କୁ ତାଙ୍କ କଟୁଆଳମାନଙ୍କ ଦ୍ବାରା ନିମନ୍ତ୍ରଣ କରାଗଲା। କୁରୁଆଁ ବରୁଆମାନେ ଯାଇ ମା’ ମାହେଶ୍ୱରୀଙ୍କ ନାମରେ ଫୁଲ, ବେଲପତ୍ର ଦେଇ ମହାରାଜାଙ୍କୁ ଅସାଧ୍ୟ ରୋଗରୁ ଉପଶମ କରିଦେଲେ। ମହାରାଜା ଖୁସି ହୋଇ ମା’ ମାହେଶ୍ୱରୀଙ୍କ ଅନ୍ନଭୋଗ ପାଇଁ ୪୧ ଏକର ଜମି ମା’ ମାହେଶ୍ୱରୀଙ୍କ ନାମରେ ଦାନ କଲେ। ଏବେବି ତାହା ରେକର୍ଡଭୁକ୍ତ ଅଛି ବୋଲି କୁହାଯାଏ। 

କୁରୁଆଁ ମା’ ମାହେଶ୍ୱରୀ ଶକ୍ତିପୀଠରେ ମାହେଶ୍ୱରୀ ସଂସ୍କୃତି ଆଧାରରେ ଦଶହରା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା କରାଯାଏ। ପଶ୍ଚିମ ଓଡ଼ିଶାର ସମସ୍ତ ଦେବଦେବୀ ପୀଠରେ ଭାଦ୍ରବ ଶ୍ରୀପଞ୍ଚମୀରେ ନୂଆଁଖାଇ ପର୍ବ ପାଳିତ ହୁଏ। ହେଲେ ମାହେଶ୍ୱରୀ ସଂସ୍କୃତିରେ ମହାନବମୀ ଦିନ ନୂଆଁଖାଇ ତିହାର ପାଳନ କରାଯାଏ। ଦଶହରା ଦଶମୀରେ ରଣଜିତା ପର୍ବ। କୁମାରପୂର୍ଣ୍ଣିମା ମହୋତ୍ସବ, ଫଗୁଣ ମାସରେ ଦୋଳପୂର୍ଣ୍ଣିମା, ଚୈତ୍ର ମାସରେ ଚୈତ୍ର ପୂର୍ଣ୍ଣିମା ପର୍ବ ଗାଁର ଆବାଳବୃଦ୍ଧବନିତା ମିଳିମିଶି ପାଳନ କରିଥାନ୍ତି। ମାହେଶ୍ବରୀ ସଂସ୍କୃତିରେ ଅନେକ ଭିନ୍ନ ପରମ୍ପରା କୁରୁଆଁ ଶକ୍ତିପୀଠରେ ଦେଖିବାକୁ ମିଳିଥାଏ। ଯେମିତିକି ମହାଷ୍ଟମୀ ଯାଉଥିବ ଏବଂ ମହାନବମୀ ଆସୁଥିବ ଏହି ସମୟରେ ଦନ୍ତାନଦୀ ବାଲିପଠାରେ ସନ୍ଧିପୂଜା ହୁଏ। ପରେ ମା’ ସ୍ନାନ ସାରି ଆସୁଥିବା ସମୟରେ ମା’ଙ୍କୁ ସୁରାପାନ କରାଯାଏ। ଏହାକୁ ଦର୍ଶନ କରିବା ପାଇଁ କୁରୁଆଁ ରାଜରାସ୍ତା ଜନସମୁଦ୍ର ପାଲଟିଯାଏ। ମା’ ଦୁର୍ଗା ମହିଷାସୁରକୁ ବଧ କରିବା ଆଗରୁ ଯେଉଁ ସୁରାପାନ କରିଥିଲେ ଏହି ପରମ୍ପରା ଉଜ୍ଜୀବିତ କରେ। କୌଣସି ଦେବୀ ପୀଠରେ ଜଳାଶାୟୀ ହୁଏନାହିଁ। କିନ୍ତୁ କୁରୁଆଁ ଶକ୍ତିପୀଠରେ ଏହି ପରମ୍ପରା ପାଳିତ ହୁଏ। ଏହାର ପ୍ରକୃତ ରହସ୍ୟ ହେଲା ଏଠାରେ ମା’ ମାହେଶ୍ୱରୀ ଏବଂ ମହେଶ୍ବରଙ୍କ ଯୁଗଳ ପ୍ରତିମା ବିରାଜମାନ କରିଛନ୍ତି। ମା’ଙ୍କ ପୀଠରେ ମା’ ବାଉତି, ମା’ ଖମ୍ବେଶ୍ବରୀ, ମା’ ନାରାୟଣୀ, ମା’ ଭୁବନେଶ୍ୱରୀ, ମା’ ଦଶମତୀ, ବାବା ମହାଦେବଙ୍କ ସହିତ ବିଭିନ୍ନ ଦେବଦେବୀ ମଧ୍ୟ ପୂଜା ପାଉଛନ୍ତି। ଏହି ଶକ୍ତିପୀଠରେ ବର୍ଷତମାମ ମା’ଙ୍କଠାରେ ଅନ୍ନଭୋଗ ଲାଗି ହୁଏ। ଏହି ପୀଠ ହେଉଛି ମାହେଶ୍ବରୀ ସଂସ୍କୃତିର ଅନ୍ୟନ୍ୟ ଶକ୍ତିପୀଠ।