‘କୁରୁକ୍ଷେତ୍ର’ ସଂପର୍କରେ ଜାଣନ୍ତି କି ଏସବୁ?

ହରିଆନାର କେତେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ ହେଲା ‘କୁରୁକ୍ଷେତ୍ର’।ଏହା ଏକ ଧାର୍ମିକ ଓ ଐତିହାସିକ ସ୍ଥାନ।ଏହି ସ୍ଥାନରେ ପୁରାଣ ବର୍ଣ୍ଣିତ କୁରୁକ୍ଷେତ୍ର ଯୁଦ୍ଧ ହୋଇଥିଲା।ଆସନ୍ତୁ ଜାଣିବା ଏହି ‘କୁରୁକ୍ଷେତ୍ର’ ସଂପର୍କରେ…..

ଭାରତର ହରିଆନା ଏକ ଛୋଟ ରାଜ୍ୟ ହୋଇଥିଲେ ହେଁ ଏଠାରେ ବେଶ୍‌ କେତୋଟି ପ୍ରସିଦ୍ଧ ସ୍ଥାନ ରହିଛି। ଏଥିମଧ୍ୟରୁ ‘କୁରୁକ୍ଷେତ୍ର’ ଅନ୍ୟତମ।ଏହାର ଅନ୍ୟତମ ନାମ ହେଲା ‘ଧର୍ମକ୍ଷେତ୍ର’।ପୁରାଣ ଅନୁସାରେ ‘କୁରୁ’ ରାଜାଙ୍କ ନାମରେ ଏହି ସ୍ଥାନର ନାମକରଣ କରାଯାଇଛି। ମହାଭାରତରେ‘କୁରୁ’ଙ୍କ ବଂଶଜଙ୍କୁ କୌରବ ଓ ପାଣ୍ଡୁଙ୍କ ବଂଶଜଙ୍କୁ ପାଣ୍ଡବ ବୋଲି କୁହାଯାଇଛି। ମହାଭାରତର ବର୍ଣ୍ଣନା ଅନୁଯାୟୀ ଏହିଠାରେ କୁରୁକ୍ଷେତ୍ର ଯୁଦ୍ଧ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ଏହି ସ୍ଥାନରେ ହିଁ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍‌ଭାଗବତ ବାଣୀ ଶୁଣାଇଥିଲେ ଧନୁର୍ଦ୍ଧର ଅର୍ଜୁନଙ୍କୁ,ଯାହା ଶୁଣିବା ପରେ ଅର୍ଜୁନ ଯୁଦ୍ଧ କରିଥିଲେ।
୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପୂର୍ବରୁ ଏଠାରେ ‘କୁରୁକ୍ଷେତ୍ର’ନାଆଁରେ ଏକ ରିଫ୍ୟୁଜି ଶିବିର ଥିଲା। ଏହା ଥାନେସର୍‌ ତହସିଲ୍‌ ଅନ୍ତର୍ଗତ ଥିଲା। ଏହି ଥାନେସରବା ସ୍ଥାନେଶ୍ୱର କୁରୁକ୍ଷେତ୍ର ନିକଟରେ ଅବସ୍ଥିତ। ‘ସ୍ଥାନେଶ୍ୱର’ର ଅର୍ଥ ହେଲା ସ୍ଥାନର ଇଶ୍ୱର।ଏଠାରେ ଭଗବାନ ଶିବଙ୍କ ମନ୍ଦିର ରହିଛି। ଏହାକୁ ହରିଆନାର ପ୍ରାଚୀନତମ ଶିବ ମନ୍ଦିର ବୋଲି କୁହାଯାଉଛି। କୁରୁକ୍ଷେତ୍ର ସ୍ଥାନେଶ୍ୱର ମନ୍ଦିର ସନ୍ନିକଟ ଏକ ସ୍ଥାନ ବୋଲି ଏବେ ବିଶ୍ୱାସ ରହିଛି। ଏହାର ଅଳ୍ପ କିଲୋମିଟର ଦୂରରେ ଥିବା ‘ଅମୀନ୍‌’ଗ୍ରାମ ମହାଭାରତ ବର୍ଣ୍ଣିତ ଅର୍ଜୁନ ପୁତ୍ର ଅଭିମନ୍ୟୁଙ୍କ ଦୁର୍ଗ ଭାବେ ଖ୍ୟାତ।

photo-holiday.tourbite.com

କୁରୁକ୍ଷେତ୍ର ହରିଆନାର ପଶ୍ଚିମାଞ୍ଚଳ ଓ ପଂଜାବର ଦକ୍ଷିଣାଞ୍ଚଳରେ ଅବସ୍ଥିତ। ‘କୁରୁକ୍ଷେତ୍ର’ଠାରେ ଯେଉଁ ଯୁଦ୍ଧ ହୋଇଥିଲା,ତାହାର ଚିହ୍ନ ବର୍ଣ୍ଣ ନାହିଁ କହିଲେ ଚଳେ,ମାତ୍ର ଲୋକଙ୍କ ବିଶ୍ୱାସରେ ଏହିଠାରେ ହିଁ କୁରୁକ୍ଷେତ୍ର ଯୁଦ୍ଧ ହୋଇଥିଲା।
‘କୁରୁକ୍ଷେତ୍ର’ସନ୍ନିକଟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସର୍ବାଗ୍ରେ ରହିଛି ‘ବ୍ରହ୍ମ ସରୋବର’। ସୋମାବତୀ ଅମାବାସ୍ୟା ତିଥିରେ ଏହି ସରୋବରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥାଆନ୍ତି। ସେମାନଙ୍କ ବିଶ୍ୱାସ ଯେ ଏହି ବ୍ରହ୍ମ ସରୋବରରେ ସ୍ନାନ କରିଲେ ,ଜୀବନ-ମୃତ୍ୟୁ ବନ୍ଧନରୁ ମନୁଷ୍ୟ ମୁକ୍ତ ହୁଏ ଏବଂ ତା’ର ସମସ୍ତ ପାପ ନାଶ ହୋଇଥାଏ।ଏହାକୁ ସର୍ବବୃହତ୍‌ ମନୁଷ୍ୟକୃତ ପୁଷ୍କରିଣୀ ବୋଲି କୁହାଯାଇଥାଏ। ଏହି ବ୍ରହ୍ମ ସରୋବରର ମଧ୍ୟ ଭାଗରେ ଥିବା ପୁରୁଷୋତ୍ତମ ବାଗ୍‌ରେ ରହିଛି ବିଶ୍ୱର ବୃହତ୍ତମ ବ୍ରୋଂଜ୍‌ ନିର୍ମିତ ରଥ।

ଏଠାରେ ଥିବା ଅନ୍ୟ ଦର୍ଶନୀୟ ପୁଷ୍କରିଣୀ ହେଲା ‘ସନ୍ନିହିତ ସରୋବର’ ।ଏହା ପବିତ୍ର ସରସ୍ୱତୀଙ୍କର ସୁପ୍ତ ମିଳନ ସ୍ଥଳ ବୋଲି ବିଶ୍ୱାସ କରାଯାଏ। ଏଥିରେ ଥିବା ଜଳ ଗଙ୍ଗାଜଳ ଭଳି ପାବନୀ ବୋଲି ମଧ୍ୟ ବିଶ୍ୱାସ ରହିଛି। ଅମାବାସ୍ୟା ତିଥିରେ ଏହି ସରୋବରରେ ସ୍ନାନ କରିଲେ ଅଶ୍ୱମେଧ ଯଜ୍ଞ ସମ ପୁଣ୍ୟ ମିଳିଥାଏ ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ ପବିତ୍ର ଅଶ୍ୱତ୍‌ଥ ବୃକ୍ଷ ରହିଛି, ଯାହାକୁ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ଶୁଣାଇଥିବା ଶ୍ରୀମଦ୍‌ ଭଗବତ୍‌ ଗୀତାର ସ୍ୱର୍ଗୀୟ ସନ୍ଦେଶର ମୂକ ସାକ୍ଷୀ ବୋଲି କୁହାଯାଏ। ଏହିଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ବିଷାଦ ଭଙ୍ଗ କରିଥିଲେ।

photo-staticcollege.com

‘କୁରୁକ୍ଷେତ୍ର’ରେ ଥିବା ଶ୍ରୀକୃଷ୍ଣ ସଂଗ୍ରହାଳୟ ମଧ୍ୟ ଅବଶ୍ୟ ଦର୍ଶନୀୟ,ଯେଉଁଠାରେ ମହାଭାରତ ଯୁଦ୍ଧ ସମୟରେ କେତେକ ପେଣ୍ଟିଂ ଓ କଳାତ୍ମକ ସାମଗ୍ରୀ ରହିଛି। କୁରୁକ୍ଷେତ୍ର ପାନୋରାମା ଆଣ୍ଡ୍‌ ସାଇନ୍‌ସ ସେଣ୍ଟର ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଅବଶ୍ୟ ଦର୍ଶନୀୟା। ମହାଭାରତ ଯୁଦ୍ଧର ବୈଜ୍ଞାନିକ ବିଶ୍ଳେଷଣର ନମୁନା ଏଠାରେ ଦେଖିବାକୁ ମିଳେ। ଏଠାରେ ରହିଛି ‘ଧରୋହର୍‌’,ଯାହା ହରିଆନାର ପଂରପରା ଓ ସଂସ୍କୃତିର ଏକ ନିଦର୍ଶନ ସ୍ୱରୂପ।ଏଠାରେ ଥିବା କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ମଧ୍ୟ ଦେଶର ଏକ ଉତ୍ତମ ଶିକ୍ଷାନୁଷ୍ଠାନ ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ଏଠାରେ ଥିବା ଭୀଷ୍ମକୁଣ୍ଡ ଅବଶ୍ୟ ଦର୍ଶନୀୟ। ଏଠାରେ ଅର୍ଜୁନ ଶରବିଦ୍ଧ କରି ପୃଥିବୀରୁ ଜଳ ବାହାର କରି ପିତାମହ ଭୀଷ୍ମଙ୍କ ତୃଷ୍ଣା ନିବାରଣ କରିଥିଲେ।

ସମ୍ବନ୍ଧିତ ଖବର