ଧାନ ବିହନ ସଂଗ୍ରହ କରିବା ତାଙ୍କର ନିଶା। ପାରମ୍ପରିକ ବା ଦେଶୀ ଧାନ ବିହନ ସଂଗ୍ରହ କରିବାରେ ଖାଲି ଓଡ଼ିଶା ନୁହେଁ, ସାରା ଦେଶରେ ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି। ସେ ସଂଗ୍ରହ କରିଥିବା ଧାନ ବିହନ ସଂପର୍କରେ ଜାଣି ଦେଶ ବାହାରୁ ଲୋକେ ଡ‌କ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ତିଆରି କରୁଛନ୍ତି। ସେ ହେଉଛନ୍ତି ବାଲେଶ୍ବରର ଉଚ୍ଚଶିକ୍ଷିତା ମହିଳା ତଥା ଆଇନଜୀବୀ କୁସୁମ ମିଶ୍ର(୭୦)।

Advertisment

କୁସୁମ ଲୋପ ପାଇଯାଉଥିବା ପାରମ୍ପରିକ ବିଭିନ୍ନ ପ୍ରଜାତିର ଦେଶୀ ବିହନକୁ ସଂଗ୍ରହ କରିବାରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପରିବେଶ ଅନୁକୂଳ ଅର୍ଥାତ୍‌ ପ୍ରାକୃତିକ ଦୁର୍ବିପାକ, ମରୁଡ଼ି ଓ ଲୁଣି ଅଞ୍ଚଳରେ ଚାଷ ହୋଇପାରୁଥିବା ବିଭିନ୍ନ ଦେଶୀ ବିହନଗୁଡ଼ିକୁ ସେ ସଂଗ୍ରହ କରିଛନ୍ତି। ବନ୍ୟା କି ଲୁଣିପାଣି ମାଡ଼ିଲେ ଚାଷୀ ଯେମିତି କ୍ଷତି ସହିବ ନାହିଁ ଏହାକୁ ସେ ପ୍ରମାଣ କରି ମଧ୍ୟ ଦେଖାଇଛନ୍ତି। ଏହି ବିହନକୁ ସାଇତି ରଖିବା ପାଇଁ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ କଅଁରପୁର ପଞ୍ଚାୟତ ଚଣ୍ଡିପୁର ଗ୍ରାମରେ ସେ ‘ସେଣ୍ଟ୍ରାଲ ସିଡ୍‌ ବ୍ୟାଙ୍କ’ ପ୍ରତିଷ୍ଠା କରିଛନ୍ତି। ଏଥିରେ କୁସୁମ୍‌ ବିଭିନ୍ନ ପ୍ରଜାତିର ଦେଶୀ ବିହନ ରଖିଛନ୍ତି, ଯାହାକୁ ଓଡ଼ିଶା ସହିତ ବିଭିନ୍ନ ଦେଶର ଲୋକେ ଆସି ନେଉଛନ୍ତି। ଏହି ସିଡ୍‌ ବ୍ୟ‌ାଙ୍କର ରକ୍ଷଣାବେକ୍ଷଣ ପାଇଁ ୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି।

‘ସିଡ୍‌ ବ୍ୟାଙ୍କରେ ରଖିଛନ୍ତି ୧୦୭୨ ପ୍ରଜାତିର ବିହନ

୨୦ ବର୍ଷ ହେଲା ପାରମ୍ପରିକ ବିହନ ସଂଗ୍ରହ କରୁଛନ୍ତି

କୁସୁମଙ୍କ ଶାଶୁଘର ଚଣ୍ଡିପୁର ଗ୍ରାମରେ ହୋଇଥିବା ବେଳେ ସେ ସ୍ବାମୀ ଏଫ୍‌ଏମ୍‌ ସ୍ବୟଂଶାସିତ କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଶୋକ କୁମାର ପାଣିଗ୍ରାହୀଙ୍କ ସହ ବାଲେଶ୍ବର ସହର ରାଣୀପାଟଣା ଅଞ୍ଚଳରେ ରହୁଛନ୍ତି। ସେ ୨୦୦୨ ମସିହାରେ ଚଣ୍ଡିପୁରରେ ଆରମ୍ଭ କରିଥିବା ସିଡ୍‌ ବ୍ୟାଙ୍କରେ ୧୦୭୨ ପ୍ରଜାତିର ବିହନ ରଖିଛନ୍ତି। ଏଥିରେ ବାସ୍ନା ଧାନ ୮୯ ପ୍ରକାର, ପଙ୍ଖ ଧାନ ୧୮ ପ୍ରକାର, ଔଷଧୀୟ ଧାନ ୮ ପ୍ରକାର, ଶୃଙ୍ଗ ଧାନ ୬୯ ପ୍ରକାର, ପେନ୍ଥା ଧାନ ୬୦ ପ୍ରକାର, କଳା ଧାନ ୪ ପ୍ରକାର ଓ କଳା ଚାଉଳ ୩ ପ୍ରକାର ରଖିଛନ୍ତି। ସେହିପରି ଲୁଣି ଅଞ୍ଚଳ ପାଇଁ ୫୪ ପ୍ରକାରର ଧାନ ରଖିଥିବା ବେଳେ ବନ୍ୟା ଅଞ୍ଚଳ ପାଇଁ ୭୦ ଏବଂ ମରୁଡ଼ି ଅଞ୍ଚଳ ପାଇଁ ୧୨୫ ପ୍ରକାର ଦେଶୀ ଧାନ ସଂଗ୍ରହ କରି ରଖିଛନ୍ତି। ବିହନକୁ ଛୋଟ ମାଟି ମାଠିଆରେ ନାମ ଲେଖି ଅଲଗା କରି ସଜାଇ ରଖିଛନ୍ତି। କୁସୁମ ନିଜ ୪ ଏକର ଜମିରେ ବିଭିନ୍ନ ପ୍ରଜାତିର ଧାନ ଚାଷ କରି ଏହି ବ୍ୟାଙ୍କରେ ରଖିଛନ୍ତି। ଗୋଟିଏ ଧାନରୁ ଦୁଇଟି ଚାଉଳ ବାହାରୁଥିବା ବିହନକୁ ବି କୁସୁମ ଏହି ସିଡ୍‌ ବ୍ୟାଙ୍କରେ ରଖିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଦେଶୀ ବିହନ ଚାଷ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କରାଯାଉଥିବା ବେଳେ ଏଥିରେ କୀଟନାଶକ ଔଷଧ ପରିବର୍ତ୍ତେ ନିମ୍ବ ପିଡ଼ିଆ, ନିମ୍ବ ତେଲ, କରଞ୍ଜ ପିଡ଼ିଆ, ଜିଆ ଖତ, ଗାଈ ମୂତ ଆଦି ବ୍ୟବହାର କରାଯାଉଛି। କୁସୁମ ସିଡ୍‌ ବ୍ୟାଙ୍କରେ ୩୮୦ ପ୍ରକାର ଋତୁ ସହଣି ବିହନ ରଖି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏହି କାର୍ଯ୍ୟ ବାବଦରେ ଜାଣି ଜର୍ମାନୀର ଚଳଚ୍ଚିତ୍ରନିର୍ମାତା ଏଠାକୁ ଆସି ଥର୍ଣ୍ଣ ଚଳଚ୍ଚିତ୍ର କରିଛନ୍ତି। ଧାନ ଗବେଷକମାନେ ବି ଏହି ସିଡ୍‌ ବ୍ୟାଙ୍କର ସହଯୋଗ ଲୋଡ଼ୁଛନ୍ତି।

publive-image IndiaFilings

କୁସୁମ ବାଲେଶ୍ବର ଜିଲ୍ଲା ସହିତ ପୁରୀ, ଜଗତ୍‌ସିଂହପୁର, ନନ୍ଦିଗ୍ରାମ ଓ ମୟୂରଭଞ୍ଜ ଜିଲ୍ଲାରେ ବିହନ ସଂଗ୍ରହ ବ୍ୟାଙ୍କ ଖୋଲିଛନ୍ତି। ଇଣ୍ଡୋନେସିଆ, ଜର୍ମାନୀ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ଚାଷୀ ଆସି ଏହି ବ୍ୟାଙ୍କରୁ ବିହନ ନେଉଛନ୍ତି। ଏହି ବ୍ୟାଙ୍କରୁ ୬ ଶହରୁ ଅଧିକ ଚାଷୀ ବିହନ ନେଇ ଚାଷ କରୁଛନ୍ତି। ଏଥିପାଇଁ ୧୫ଟି ଗ୍ରାମରେ ମହିଳା ଅନ୍ନ ସ୍ବରାଜ ଗ୍ରୁପ୍ ବି ତାଙ୍କର କାମ କରୁଛି। ମହିଳାମାନେ ଜୈବିକ ପଦ୍ଧତିରେ ପରିବା ଓ ଧାନ ଚାଷ ମଧ୍ୟ କରୁଛନ୍ତି। ଏ ସଂପର୍କରେ କୁସୁମ କହିଛନ୍ତି, ‌ଦେଶୀ ଧାନରୁ ପ୍ରସ୍ତୁତ ଖାଦ୍ୟର ଗୁଣ ଅଧିକ। ରୋଗନାଶକ ଶକ୍ତି ମଧ୍ୟ ଅଧିକ। ପୂର୍ବରୁ ଏହାକୁ ଖାଇ ଲୋକେ ନିରୋଗ ରହୁଥିଲେ। ହେଲେ ଏବେ ଦେଶୀ ଧାନ ପରିବର୍ତ୍ତେ ଅଧିକ ଅମଳ ଆଶାରେ ଚାଷୀ ହାଇବ୍ରିଡ୍‌ ଧାନ ଚାଷ କରୁଛି। ଦିଲ୍ଲୀର ଡ. ବନ୍ଦନା ଶିବାଙ୍କଠାରୁ ପ୍ରେରିତ ହୋଇ ପ୍ରଥମେ ଏହି ଚାଷ ଆରମ୍ଭ କରିଥିଲି। ଯେଉଁ ଅଞ୍ଚଳକୁ ଯାଏ ସେହି ଅଞ୍ଚଳରେ କେଉଁ ପ୍ରଜାତିର ଧାନ ଚାଷ ହେଉଛି ତାହା ଉପରେ ଜାଣି ସଂଗ୍ରହ କରି ଆଣିଥାଏ। ମହାବାତ୍ୟା ପରେ ଏହି ଦେଶୀ ବିହନ ଅସ୍ତରଙ୍ଗ ଓ ଜଗତ୍‌ସିଂହପୁର ଜିଲ୍ଲାର ଚାଷୀଙ୍କୁ ପ୍ରଦାନ କରି ସଫଳ ହୋଇଥିଲି। ଦେଶୀ ଧାନ ଓ ଜୈବିକ କୃଷିର ଗୁରୁତ୍ବ ବୁଝି ସରକାର ଚାଷୀଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବା ଉଚିତ ବୋଲି କୁସୁମ କହିଛନ୍ତି।