କୁଟିଆ କନ୍ଧଙ୍କ ସ୍ୱର୍ଗ ‘ବେଲଘର’

 

ବେଲଘରର ଶାନ୍ତ ପରିବେଶକୁ ଉପଭୋଗ କରିବା ଏବଂ ଏଠାକାର ଆଦିମ ଜନଜାତି କୁଟିଆ କନ୍ଧଙ୍କ ଜୀବନଶୈଳୀକୁ ଅଧ୍ୟୟନ କରିବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଛୁଟି ଆସିଥାନ୍ତି। ଘାଟି ରାସ୍ତା ଓ ପାହାଡ଼, ପର୍ବତ ଦେଇ ବେଲଘରକୁ ଯିବାବେଳେ ଉଭୟ ଶରୀର ଓ ମନରେ ରୋମାଞ୍ଚ ସୃଷ୍ଟି ହୋଇଥାଏ।

ସମୁଦ୍ର ପତ୍ତନଠାରୁ ୨୫୫୫ ଫୁଟ୍‌ ଉଚ୍ଚରେ ଥିବା ବେଲଘରକୁ ଯାତ୍ରା କଲାବେଳେ ମନେହେବ ସ୍ବର୍ଗ ଆଉ କଣ କି? ଏଇଠି ତ ସ୍ବର୍ଗ! ସର୍ପିଳ ଘାଟି ରାସ୍ତାଦେଇ ବେଲଘର ହିଲ୍ ଷ୍ଟେସନ୍‌ରେ ପହଞ୍ଚିଗଲା ପରେ ସ୍ବର୍ଗରେ ପ୍ରଥମ ପାଦ ଥାପିଲା ପରି ଅନୁଭବ ହୋଇଥାଏ।

କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ବେଲଘର ଅଞ୍ଚଳଟି ଆଦିମ ଜନଜାତି କୁଟିଆ କନ୍ଧଙ୍କ ଆବାସ ସ୍ଥଳୀ ଭାବେ ପରିଚିତ। ବେଲଘରକୁ ଓଡ଼ିଶାର ଭୂସ୍ବର୍ଗ ଭାବେ ବର୍ଣ୍ଣନା କରାଯାଇଥାଏ। ତୁମୁଡ଼ିବନ୍ଧର ମାତୃଗାଁଠାରୁ ପ୍ରାୟ ୧୫ କିଲୋମିଟର ଘାଟି ରାସ୍ତା ଅତିକ୍ରମ କରିବା ପରେ ପ୍ରକୃତିର ଅନନ୍ୟ ଉପହାର ବେଲଘର ପଡ଼ିଥାଏ। ମାତୃଗାଁ ଜଂକ୍‌ସନ୍‌ରେ ବଡ଼ ବଡ଼ ହୋର୍ଡିଂରେ ଲେଖାଯାଇଥିବା ‘ଆଦିମ ଜନଜାତିଙ୍କ ଆବାସ ସ୍ଥଳୀ ବେଲଘର ଆପଣଙ୍କୁ ସ୍ବାଗତ କରେ’ ନଜରରେ ପଡ଼େ। ସର୍ପବକ୍ରିଳ ଘାଟି ରାସ୍ତା ଅତିକ୍ରମ କଲାପରେ ପ୍ରକୃତିର ରାଣୀ ବେଲଘର ପଡ଼ିଥାଏ। ମାତୃଗାଁ ଏବଂ ବେଲଘର ମଧ୍ୟରେ ଥିବା ଏହି ସର୍ପବକ୍ରିଳ ଘାଟି ରାସ୍ତା ଅତିକ୍ରମ କରିବାବେଳେ ଛାତିରୁ ହୃତ୍‌ପିଣ୍ଡ ଖସିଗଲା ଭଳି ମନେହୁଏ। ଘାଟି ଉପରୁ ରାଶି ରାଶି ପାହାଡ଼ ଓ ଘଞ୍ଚ ଜଙ୍ଗଲର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆନମନା କରିଥାଏ।

କନ୍ଧମାଳ ଜିଲ୍ଲାର ବେଲଘର ପ୍ରକୃତିର ଏକ ଅନନ୍ୟ ଉପହାର। ଯେଉଁମାନେ ଜୀବନରେ କେବେ ବେଲଘର ଯାଇନାହାନ୍ତି, ସେମାନେ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରୁ ବଞ୍ଚିତ ରହିବେ। ଘାଟି ରାସ୍ତା ଓ ପାହାଡ଼, ପର୍ବତ ଦେଇ ବେଲଘରକୁ ଯିବାବେଳେ ଉଭୟ ଶରୀର ଓ ମନରେ ରୋମାଞ୍ଚ ସୃଷ୍ଟି ହୋଇଥାଏ। ଏଠାକାର କୁଟିଆ କନ୍ଧଙ୍କ ପାରମ୍ପରିକ ଜୀବନଶୈଳୀ ଓ ଆତିଥେୟତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଶୀତଦିନେ ବେଲଘରରେ ତୁଷାରପାତ ହୋଇଥାଏ।

ବନ ବିଭାଗ ଦ୍ୱାରା ନିର୍ମିତ ପ୍ରାଚୀନ କାଠ ବଙ୍ଗଳା ବେଲଘରର ଆଉ ଏକ ପରିଚୟ। ବେଲଘରର ଏହି ପ୍ରକୃତି ନିବାସକୁ ଉପଭୋଗ କରିବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଛୁଟି ଆସିଥାନ୍ତି। ବେଲଘରର ଏହି କାଠ ନିର୍ମିତ ବଙ୍ଗଳା ସହ ବହୁ ଇତିହାସ ଜଡ଼ିତ ହୋଇଛି। କୁହାଯାଏ, ଗୋପୀନାଥ ମହାନ୍ତି ନିଜର ଅମୃତର ସନ୍ତାନ ଉପନ୍ୟାସ ଏହି କାଠବଙ୍ଗଳାରେ ବସି ଲେଖିଥିଲେ। ଏହି କାଠ ବଙ୍ଗଳାର ଚଟାଣଠାରୁ ଆରମ୍ଭ କରି କାନ୍ଥ ଓ ଛାତ ସବୁଠି କାଠର ବ୍ୟବହାର ହୋଇଛି। ଏଥିରେ ଅନେକ କୋଠରି ରହିଛି।
କନ୍ଧମାଳ ଜିଲ୍ଲା ସଦର ମହକୁମାଠାରୁ ୧୬୫ କିଲୋମିଟର ଦୂରରେ ବେଲଘର ଅବସ୍ଥିତ। ବେଲଘର ହେଉଛି ତୁମୁଡ଼ିବନ୍ଧ ବ୍ଲକ୍‌ର ଏକ ପାଞ୍ଚାୟତ ସଦର ମହକୁମା।

ବେଲଘରଠାରେ ଆଦିମ ଜନଜାତି କୁଟିଆ କନ୍ଧମାନେ ବସବାସ କରୁଥିବାରୁ ସେମାନଙ୍କ ଉପରେ ଗବେଷଣା କରିବାକୁ ଦେଶ ବିଦେଶରୁ ବହୁ ଗବେଷକ ଓ ପର୍ଯ୍ୟଟକ ଛୁଟି ଆସିଥାନ୍ତି। କୁଟିଆ କନ୍ଧଙ୍କ ଉତ୍ପତ୍ତି ସ୍ଥଳ ଭାବେ ପରିଚିତ ‘ସାପାଂଗାଡ଼ା’ ବେଲଘର ନିକଟସ୍ଥ ଗୁମା ପାଞ୍ଚାୟତରେ ଅବସ୍ଥିତ। କୁଟିଆ କନ୍ଧମାନେ ଏହି ସାପାଂଗାଡ଼ା ପାହାଡ଼ ଗର୍ତ୍ତରୁ ନିର୍ଗତ ହୋଇ ପ୍ରଥମେ ପୃଥିବୀପୃଷ୍ଠରେ ପାଦ ଥାପିଥିଲେ ବୋଲି ବିଶ୍ୱାସ ରହିଛି।

WordPress.com

କୁଟିଆ କନ୍ଧମାନେ ବିଶ୍ୱାସ କରନ୍ତି, ସେମାନେ ପୃଥିବୀପୃଷ୍ଠରେ ପ୍ରଥମେ ସୃଷ୍ଟି ହୋଇଛନ୍ତି। କୁଟିଆ କନ୍ଧଙ୍କ ଭାଷାରେ ସାପାଂର ଅର୍ଥ ପୃଥିବୀ ଏବଂ ଗାଡ଼ାର ଅର୍ଥ ଗର୍ତ୍ତ। ଏଣୁ ସାପାଂଗାଡ଼ା ହେଉଛି କୁଟିଆ କନ୍ଧମାନଙ୍କର ଆଦି ଉତ୍ପତ୍ତିସ୍ଥଳ। କୁଟିଆ ସମାଜରେ ଏହାକୁ ଏକ ପବିତ୍ର ସ୍ଥାନ ଭାବେ ବିଚାର କରାଯାଏ। ଏଠାରେ ସେମାନଙ୍କ ସର୍ବୋଚ୍ଚ ଦେବତା ସାପାଂଗାଡ଼ା ପୂଜା ପାଇଥାନ୍ତି।

ସାପାଂଗାଡ଼ା ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ଗୁମା ପଞ୍ଚାୟତର କ୍ରାଞ୍ଜା ନିକଟରେ ଅବସ୍ଥିତ। ପାହାଡ଼ ଓ ଜଙ୍ଗଲରେ ପରିପୂର୍ଣ୍ଣ ସାପାଂଗାଡ଼ା ସେମାନଙ୍କର ଏକ ପବିତ୍ର ଧାର୍ମିକ ସ୍ଥଳ ଭାବେ ପରିଚିତ। ଏହା ସେମାନଙ୍କ ଆଦିପୀଠ ଭାବେ ଜଣାଶୁଣା। ଏଠାରେ ଚତୁଃପାର୍ଶ୍ୱରେ ରାଶି ରାଶି ପାହାଡ଼ ଉପତ୍ୟକା ମଧ୍ୟରେ ଏକ ବିଶାଳ ଓ ଗଭୀର ଗର୍ତ୍ତ ରହିଛି। ଏହି ପାହାଡ଼ ଗର୍ତ୍ତରୁ ସେମାନେ ଉତ୍ପତ୍ତି ଲାଭ କରିଛନ୍ତି ବୋଲି ବିଶ୍ୱାସ କରାଯାଏ। ପରୋକ୍ଷରେ ଏହି ଗର୍ତ୍ତକୁ ଧରଣୀ ମାତାଙ୍କ ଗର୍ଭଦ୍ବାର ବୋଲି ଗ୍ରହଣ କରି ଏହାର ଉପାସନା କରିଥାନ୍ତି। କେତେକ ନିର୍ଦ୍ଦିଷ୍ଟ ଗୋତ୍ରର କୁଟିଆ କନ୍ଧମାନେ ଧରଣୀ ମାତାଙ୍କ ଏହି ସ୍ଥଳକୁ ଆସି ନ ଥାନ୍ତି କିନ୍ତୁ ଅନ୍ୟ କେତେକ ଗୋତ୍ରର କୁଟିଆ କନ୍ଧମାନେ ସେମାନଙ୍କ ଉତ୍ପତ୍ତିସ୍ଥଳ ସାପାଂଗାଡ଼ାକୁ ପୂଜା କରିଥାନ୍ତି। ଏହାକୁ ନେଇ ଅନେକ ଲୋକକଥା ଓ କିଂବଦନ୍ତି ରହିଛି।

WordPress.com

କୁଟିଆ କନ୍ଧମାନେ ବିଶ୍ୱାସ କରନ୍ତି, ଦିନେ ସମସ୍ତ ଜୀବଜନ୍ତୁ, ବୃକ୍ଷଲତା ଓ କୀଟପତଙ୍ଗ ପୃଥିବୀ ଗର୍ଭରେ ଏକ ଅନ୍ଧାରିଆ ସ୍ଥାନ (ଗାତ)ରେ ଅବସ୍ଥାନ କରୁଥିଲେ। ଏକଦା ସେମାନଙ୍କ ଉପରେ ଦୈବୀ ଆଲୋକ ରଶ୍ମି ପତିତ ହେବାପରେ ଏହି ଜୀବଜନ୍ତୁ, ବୃକ୍ଷଲତା ଅନ୍ଧାରିଆ ଗାତରୁ ବାହାରକୁ ନିର୍ଗତ ହେଲେ।

ସାପାଂଗାଡ଼ା ବ୍ୟତୀତ ବେଲଘର ଅଞ୍ଚଳରେ ଆଉ ଏକ ପ୍ରସିଦ୍ଧ ଯୁଗ୍ମ ପାହାଡ଼ ରହିଛି, ଯାହାର ନାମ ଶ୍ରାମ୍ବୁଲି-ଡିମ୍ବୁଲି। କୁଟିଆ କନ୍ଧମାନଙ୍କର ଅନ୍ୟ ଏକ ଗୋତ୍ରଧାରୀ ବିଶ୍ୱାସ କରନ୍ତି, ସେମାନେ ଶ୍ରାମ୍ବୁଲି-ଡିମ୍ବୁଲି ପାହାଡ଼ରୁ ସୃଷ୍ଟି ହୋଇଛନ୍ତି। କୁଟିଆ କନ୍ଧମାନେ ସେମାନଙ୍କ ପର୍ବପର୍ବାଣି ସମୟରେ ଶ୍ରାମ୍ବୁଲି-ଡିମ୍ବୁଲିଙ୍କ ନାମ ଉଚ୍ଚାରଣ କରିଥାନ୍ତି। ବେଲଘର ପଞ୍ଚାୟତର ରଙ୍ଗାପାରୁ ଗାଁ ଦେଇ ଅନେକ ବାଟ ଗଲାପରେ ଘୁର୍ଲିମାସ୍କା ଗ୍ରାମ ପଡ଼ିଥାଏ। ଆଉ ଘୁର୍ଲିମାସ୍କା ଗ୍ରାମ ଉପକଣ୍ଠରେ ତିନି ଦିଗରେ ଘେରି ରହିଛି ଏହି ପାହାଡ଼। ଏଠାରେ ପ୍ରତିବର୍ଷ ଜାନୁଆରି ମାସ ବେଳକୁ ବଡ଼ ଯାତ୍ରାର ଆୟୋଜନ ହୋଇଥାଏ। ନିର୍ଦ୍ଦିଷ୍ଟ କେତେକ ଗୋତ୍ରର କୁଟିଆ କନ୍ଧମାନେ ସାପାଂଗାଡ଼ାରୁ ଚାଲିଆସି ଏହି ଶ୍ରାମ୍ବୁଲି-ଡିମ୍ବୁଲି ପାହାଡ଼ରେ ବସବାସ କଲେ ବୋଲି କୁହାଯାଏ। ଏହି ଯୁଗ୍ମ ପାହାଡ଼ଦ୍ୱୟ ବେଶ୍ ଦୀର୍ଘ ଏବଂ ସୁଉଚ୍ଚ ମଧ୍ୟ।

ବେଲଘରର କାଠ ନିର୍ମିତ ବଙ୍ଗଳା

ଗୁମା ପଞ୍ଚାୟତର ସାପାଂଗାଡ଼ା ନିକଟରେ ଆଉ ଦୁଇଟି ପ୍ରସିଦ୍ଧ ପାହାଡ଼ ରହିଛି, ଯାହାର ନାମ ସୁନାଶିଳା ଓ ରୁପାଶିଳା। ଏ ଦୁଇଟି ପାହାଡ଼ ମଧ୍ୟ କୁଟିଆ କନ୍ଧଙ୍କ ଦ୍ୱାରା ପୂଜିତ ହୋଇଥାନ୍ତି। ସୁନାଶିଳା ହେଉଛନ୍ତି ସୁନାର ପାହାଡ଼ ଏବଂ ରୁପାଶିଳା ହେଉଛନ୍ତି ରୁପାର ପାହାଡ଼।

ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବେଲଘରଠାରେ ପ୍ରସିଦ୍ଧ କାଠବଙ୍ଗଳା ବ୍ୟତୀତ ବନ ବିଭାଗ ପକ୍ଷରୁ ଆଉ ଗୋଟିଏ ଦୁଇଟି ଡାକବଙ୍ଗଳା ଓ ପାନ୍ଥନିବାସ ରହିଛି। ପ୍ରତିବର୍ଷ ଡିସେମ୍ବର-ଜାନୁଆରି ବେଳକୁ ବେଲଘରଠାରେ ହାଲୁକା ତୁଷାରପାତ ହୋଇଥାଏ।

ଫୁଲବାଣୀରୁ ରଞ୍ଜନ ପ୍ରଧାନ

ସମ୍ବନ୍ଧିତ ଖବର