କାହିଁକି ରାଜା ନିଜ ନାଆଁରେ ପ୍ରସିଦ୍ଧ ଶୈବପୀଠ ‘ଲଡୁକେଶ୍ୱର ମନ୍ଦିର’ର ନିର୍ମାଣ କରିଥିଲେ ?

ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ ହେଉଛି ଲଡୁକେଶ୍ୱର ମନ୍ଦିର ।ଓଡିଶାର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ନୟାଗଡ଼ -ଆସ୍କା ରୋଡ୍‌ରେ ଏହି ‘ଲଡୁକେଶ୍ୱର ମନ୍ଦିର’ଅବସ୍ଥିତ। ନୟାଗଡ଼ ସଦର ମହକୁମା ଠାରୁ ଏହାର ଦୂରତ୍ୱ ମାତ୍ର ୧୩ କିଲୋମିଟର।ଏହା ଉଭୟ ଭଗବାନ ବିଷ୍ଣୁ ଓ ଶିବଙ୍କ ପୀଠ। ଏଥିପାଇଁ ଏହାକୁ ‘ହରିହର ପୀଠ’ବୋଲି ମଧ୍ୟ କୁହାଯାଏ। ନୟାଗଡ଼ର ରାଜା ଲଡୁକେଶ୍ୱର ସିଂହ ମାନ୍ଧାତା ଏହି ପ୍ରାଚୀନ ଶୈବପୀଠର ନିର୍ମାଣ କରିଥିଲେ। ସେ ଜଣେ ପରମ ଶିବଭକ୍ତ ଥିଲେ। ଭଗବାନ ଶିବଙ୍କ ସ୍ୱପ୍ନ ଆଦେଶ ନେଇ ରାଜା ନିଜ ନାମରେ ଏହି ମନ୍ଦିରର ନାମକରଣ କରିଥିଲେ ‘ଲଡୁକେଶ୍ୱର ମନ୍ଦିର’। ଏହା ‘ଲଡୁବାବା’ପୀଠ ଭାବେ ସାରା ଓଡିଶାରେ ବେଶ୍‌ ଜଣାଶୁଣା। ଏହାକୁ ଦ୍ୱାରବିହୀନ ମନ୍ଦିର ବୋଲି ମଧ୍ୟ କୁହାଯାଏ।


ଏହି ପୀଠରେ ପ୍ରତିବର୍ଷ ‘ମହା ଶିବରାତ୍ରି’ ଅବସରରେ ଏକ ବଡ଼ ବେଳା ଆୟୋଜିତ ହୋଇଥାଏ। ଏତଦ୍‌ବ୍ୟତୀତ ପ୍ରତି ସୋମବାର ଦିନ ବେଶି ସଂଖ୍ୟକ ଭକ୍ତ ମାନଙ୍କର ଆଗମନ ହୋଇଥାଏ। ଇଏ ଜଣେ ପ୍ରତ୍ୟକ୍ଷ ଠାକୁର ହୋଇଥିବା ହେତୁ ଅନେକ ଲୋକ ନିଜର ମନସ୍କାମନା ପୂରଣ ହେବା ପରେ ମୁଣ୍ଡନ ମଧ୍ୟ ହୋଇଥାଆନ୍ତି। ସର୍ବୋପରି ଅନ୍ୟାନ୍ୟ ଶୈବପୀଠ ଭଳି ଏଠାରେ ମଧ୍ୟ ଶ୍ରାବଣମାସର ପ୍ରତ୍ୟେକ ସୋମବାରରେ ବୋଲ୍‌ବମ୍‌ ଭକ୍ତମାନଙ୍କର ଭିଡ ପରିଲିକ୍ଷିତ ହୋଇଥାଏ। ସେମାନେ ଶିବଲିଙ୍ଗରେ ଜଳଲାଗି କରିଥାଆନ୍ତି।

ସମ୍ବନ୍ଧିତ ଖବର