‘କୌଣସି କାମ କରିବା ପାଇଁ ଆବଶ୍ୟକ ନଥାଏ ବଡ଼ ପଦବୀ’ କିଛି ଏଭଳି କୁହନ୍ତି ଶିଶୁ ଶ୍ରମିକଙ୍କ ପାଇଁ ଦେବୀ ସାଜିଥିବା ମହିଳା କନେଷ୍ଟବଳ

ଫିରୋଜବାଦ: କୌଣସି କାମ କରିବା ପାଇଁ ଆବଶ୍ୟକ ନଥାଏ ବଡ଼ ପଦବୀ | ଇଛାଶକ୍ତି ରହିଲେ ଜଣେ ସବୁ କାମ କରିପାରିବ | କିଛି ଏଭଳି ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ ଫିରୋଜବାଦର ମହିଳା କନେଷ୍ଟବଳ ରିଙ୍କି ସିଂ | ରିଙ୍କିଙ୍କୁ ନେଇ ଉତ୍ତରପ୍ରଦେଶ ପୁଲିସ ଗର୍ବ ଅନୁଭବ କରେ | କାରଣ ରିଙ୍କି ଏଭଳି କିଛି କରି ଦେଖାଇଛନ୍ତି ଯେଉଁଥିପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି। ଆସନ୍ତୁ ଜାଣିବା ଏହି ମହିଳା କନେଷ୍ଟବଳଙ୍କ ସାହସର କାହାଣୀ | ୩୦ ବର୍ଷୀୟ ରିଙ୍କି ସିଂ ଫିରୋଜାବାଦରେ ଆଣ୍ଟି ଟ୍ରାଫିକିଙ୍ଗ ୟୁନିଟରେ ଜଣେ କନଷ୍ଟେବଳ ଭାବରେ କାର୍ଯ୍ୟ କରନ୍ତି।

ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କର ଶୈଶବକୁ ବଞ୍ଚାଇବା ପାଇଁ ସେ ଏକ ଅଭିଯାନ ଚଳାଇଛନ୍ତି। କିଭଳି ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିବ ଓ ସେମାନଙ୍କ ଜୀବନକୁ ନୂଆ ଢଙ୍ଗରେ ଗଢ଼ିହେବ ସେହି କାମରେ ରିଙ୍କି ଦିନରାତି ଏକ କରିଦେଇଥାନ୍ତି | ଢ଼ାବା, ହୋଟେଲ ଏବଂ ଗ୍ୟାରେଜରେ କାମ କରିବାକୁ ବାଧ୍ୟ ହୋଇଥିବା ପିଲାମାନଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ଓ ସେମାନଙ୍କୁ ଶିକ୍ଷାଦାନ କରି ଆତ୍ମନିର୍ଭରଶୀଳ କରାଯାଇପାରିବ, ସେ ଦିଗରେ ଚେଷ୍ଟିତ ରହିଥାନ୍ତି ଏହି ମହିଳା କନେଷ୍ଟବଳ | ୨୦୨୦ ରେ ରିଙ୍କି ୧୫୩ଜଣ ଶିଶୁ ଶ୍ରମିକଙ୍କୁ ମୁକ୍ତ କରିଥିଲେ।

ସେ ପ୍ରାୟ ଶହେ ପିଲାଙ୍କୁ ଏକ ଉନ୍ନତ ଜୀବନ ଦେଇଛନ୍ତି, ଯେଉଁମାନେ ପୂର୍ବରୁ ମନ୍ଦିର, ମସଜିଦରେ ଭିକ ମାଗୁଥିଲେ। ଏହିପରି, ରିଙ୍କିଙ୍କ ଟିମ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ପିଲାଙ୍କୁ ଉଦ୍ଧାର କରିଛନ୍ତି | ତାଙ୍କ ଦଳରେ ୭ ଜଣ ପୁଲିସ କର୍ମଚାରୀ ଅଛନ୍ତି। ଯେଉଁଥିରେ ଦୁଇଜଣ ମହିଳା କନେଷ୍ଟବଳଙ୍କ ସହ ୫ ଜଣ ପୁରୁଷ କନେଷ୍ଟବଳ ଅଛନ୍ତି | ରିଙ୍କିଙ୍କ ସହ ଏହି ଟିମ ନିଖୋଜ ପିଲାଙ୍କୁ ଖୋଜିବା ସହ କିଭଳି ତାଙ୍କୁ ଶ୍ରମିକ ଭାବରେ କେହି ନିୟୋଜିତ କରିପାରିବେନାହିଁ ସେ ଉପରେ ନଜର ରଖନ୍ତି | ରିଙ୍କି ଏହି ପିଲାମାନଙ୍କୁ ଉଦ୍ଧାର କରି ସାମାଜିକ ଅନୁଷ୍ଠାନରେ ରଖନ୍ତି | ସରକାରୀ ଯୋଜନା ଅଧୀନରେ କିଭଳି ପିଲାମାନେ ମାଗଣା ଶିକ୍ଷା ଠାରୁ ଆରମ୍ଭ କରି ମାସିକ ଭତ୍ତା ପାଇପାରିବେ ସେ ବ୍ୟବସ୍ଥା ମଧ୍ୟ କରନ୍ତି |

ସମ୍ବନ୍ଧିତ ଖବର