ଯୌତୁକ ମାଗିବାରୁ ମେଡିକାଲ୍‌ କଲେଜ୍‌ ପ୍ରଫେସରଙ୍କୁ ବାହା ହେବାକୁ ମନା କରିଦେଲେ ମହିଳା ଡାକ୍ତର

କୋଟା: ବର ଘର ଲୋକେ ଏକ କୋଟି ଟଙ୍କା ଯୌତୁକ ମାଗିବାରୁ ବିବାହ କରିବାକୁ ମନା କଲେ ଯୁବତୀ । କନ୍ୟା ଦନ୍ତ ଚିକିତ୍ସକ ହୋଇଥିବା ବେଳେ ତାଙ୍କ ବାପା ଡ଼.ଅନିଲ ସାକ୍ସେନା କୋଟା ମେଡ଼ିକାଲ କଲେଜରେ ବରିଷ୍ଠ ପ୍ରଫେସର ଭାବେ କରନ୍ତି । ରବିବାର ସଂନ୍ଧ୍ୟାରେ ଯୁବତୀଙ୍କର ଉତ୍ତରପ୍ରଦେଶର ମୋରାଦାବାଦ୍‌ରେ ଥିବା ମେଡ଼ିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିବା ସକ୍ଷମ୍‌ ମଧୋକଙ୍କ ସହ ବିବାହ ହେବା ବୋଲି ସବୁ ପ୍ରସ୍ତୁତି ସରିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏକ କୋଟି ଟଙ୍କା ଯୌତୁକ ମାଗିବାରୁ ଯୁବତୀ ବିବାହ କରିବାକୁ ସିଧା ସିଧା ମନା କରିଦେଇଥିଲେ ।

ଡ. ଅନିଲ ସାକ୍ସେନାଙ୍କ କହିବା ଅନୁଯାୟୀ, “ବିବାହ ପୂର୍ବରୁ ହଠାତ୍‌ ବର ଘର ଲୋକେ ଯୌତୁକ ମାଗିବାଟା ଆମକୁ ଆଶ୍ଚର୍ଯ୍ୟ କରିଥିଲା । ଶନିବାର ନିର୍ବନ୍ଧ ସମୟରେ ଆମେ ତାଙ୍କୁ ଗୋଟେ କାର ଦେବା ସହ ୧୦ ଭରିର ୫ଟି ସୁନା କଏନ ଦେଇଥିଲୁ । କିନ୍ତୁ ବାହାଘର ଦିନ ଏକ କୋଟି ଟଙ୍କା ସହ ଅଳଙ୍କାର ଦେବା ପାଇଁ ସେମାନେ ଆମକୁ କହିଥିଲେ । ସେମାନଙ୍କୁ ଯୌତୁକ ଦେବାରେ ଏବଂ ବାହାଘର ପ୍ରସ୍ତୁତିରେ ଆମେ ପ୍ରାୟ ୩୦ରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲୁ । ପୁଣି ଥରେ ଏକ କୋଟି ଟଙ୍କା ମାଗିବାରୁ ମୁଁ ଏବଂ ମୋ ସ୍ତ୍ରୀ ଏ ବିଷୟରେ ଆମ ଝିଅକୁ ଜଣାଇଥିଲୁ । ଏହା ପରେ ମୋ ଝିଅ ପୁଅକୁ ଫୋନ ମାଧ୍ୟମରେ ଏ ବିଷୟରେ ପଚାରିବାରୁ ସେ ମଧ୍ୟ ତାଙ୍କ ପରିବାର ଲୋକଙ୍କ କଥାରେ ରାଜି ବୋଲି କହିଥିଲେ । ଏହା ଜାଣିବା ପରେ ମୋ ଝିଅ ବିବାହ ନ କରିବାର ନିଷ୍ପତ୍ତିି ନେଇଥିଲା।”

ବିବାହ ବନ୍ଦ କରାଯାଇଥିଲେ ମଧ୍ୟ ସବୁ ବନ୍ଧୁବାନ୍ଧବଙ୍କୁ ଭୋଜି ଦିଆଯାଇଥିଲା ଏବଂ ଭୋଜି ସରିବା ପରେ ସମସ୍ତଙ୍କୁ ଏହି ଘଟଣା ବିଷୟରେ କୁହା ଯାଇଥିଲା । ଏହି ବିଷୟରେ ଜାଣିବା ପରେ ସମସ୍ତେ ଡ଼. ରାଶିଙ୍କର ନିଷ୍ପତ୍ତିିକୁ ପସନ୍ଦ କରିବା ସହ ତାଙ୍କର ଏହି ନିଷ୍ପତ୍ତିି ଅନ୍ୟମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିବ ବୋଲି ମତ ପ୍ରକାଶ ପାଇଥିଲା।

ଏ ନେଇ ଡ଼.ଅନିଲ ସକ୍ସେନା ବର, ତାର ଭଉଣୀ ଭିଣୋଇ ଏବଂ ତାଙ୍କ ପିତା-ମାତାଙ୍କ ବିରୋଧରେ ପୁଲିସରେ ଏତଲା ଦେଇଛନ୍ତି । ପୁଲିସ ଡ଼.ଅନିଲ ସକ୍ସେନାଙ୍କ ଅଭିଯୋଗ ରଖିବା ସହ ତା’ ଉପରେ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର