‘ଋକ୍‌ବେଦ’ ଅନ୍ତର୍ଗତ ‘ଶ୍ରୀସୂକ୍ତ’ର ଷଷ୍ଠ ମନ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କର ଯେଉଁ ସ୍ୱରୂପର ବର୍ଣ୍ଣନା ଅଛି, ସେଥିରେ ତାଙ୍କୁ ‘ଆଦିତ୍ୟବର୍ଣ୍ଣା’ ବୋଲି ସମ୍ବୋଧନ କରାଯାଇଛି। କୁହାଯାଇଛି- ହେ ଆଦିତ୍ୟବର୍ଣ୍ଣା! ଆପଣଙ୍କର ସଂକଳ୍ପରୁ ବୃକ୍ଷଙ୍କର ପତି ବିଲ୍ୱବୃକ୍ଷଙ୍କର ଉତ୍ପତ୍ତି ହୋଇଛି। ଏବଂ ଆପଣଙ୍କ କୃପା ଯୋଗୁଁ ହିଁ ସେହି ବୃକ୍ଷଙ୍କର ଫଳ ଆପଣଙ୍କର ବିରୋଧୀ ଅଜ୍ଞାନ, କାମ, କ୍ରୋଧ ଆଦି ବିଘ୍ନର, ତଥା ଅଲକ୍ଷ୍ମୀ ଓ ତାଙ୍କର ସହଚରୀମାନଙ୍କର ବିନାଶ କରିଥାଏ।
‘ଶ୍ରୀସୂକ୍ତ’ର ଅଷ୍ଟମ ମନ୍ତ୍ରରେ ମଧ୍ୟ ଅଲକ୍ଷ୍ମୀଙ୍କର ନିବାରଣ ପାଇଁ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରାଯାଇଛି। ସେଥିରେ କୁହାଯାଇଛି- ହେ ଦେବୀ! ମୁଁ କ୍ଷୁଧା, ତୃଷା, ମଳିନତା ଏବଂ ଦୁଃସହଙ୍କ ପତ୍ନୀ ଅଲକ୍ଷ୍ମୀଙ୍କର ନିବାରଣ ଚାହୁଁଛି। ଆପଣ ତାଙ୍କୁ ନିବାରଣ କରି, ଅନୈଶ୍ୱର୍ଯ୍ୟ ଓ ଅସମୃଦ୍ଧିକୁ ମୋର ଗୃହ ପରିସରରୁ ଦୂର କରନ୍ତୁ।
ତେବେ, ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ଏହି, ଯେ ‘ଶ୍ରୀସୂକ୍ତ’ର ପ୍ରଥମ ଦୁଇ ମନ୍ତ୍ରରେ ଲକ୍ଷ୍ମୀଙ୍କର ପ୍ରୀତିପ୍ରାପ୍ତିପାଇଁ ଲକ୍ଷ୍ମୀପତିଙ୍କୁ ପ୍ରାର୍ଥନା କରାଯାଇଥିବା ବେଳେ, ସପ୍ତମ ମନ୍ତ୍ରରେ ବିଷ୍ଣୁଙ୍କର ପ୍ରୀତିପ୍ରାପ୍ତିପାଇଁ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରାଯାଇଛି। ସେଥିରେ କୁହାଯାଇଛି- ହେ ଲକ୍ଷ୍ମୀ ଦେବୀ! ମୁଁ ଏହି ରାଷ୍ଟ୍ରର ସନ୍ତାନ। କୀର୍ତ୍ତି ଓ ଚିନ୍ତାମଣି ଆଦି ରତ୍ନ ସଂପନ୍ନ ନାରାୟଣ ମୋତେ ପ୍ରାପ୍ତ ହୁଅନ୍ତୁ। ହେ ଦେବୀ! ଆପଣ ମୋତେ ସେହି କୀର୍ତ୍ତିର ସମୃଦ୍ଧି ପ୍ରାପ୍ତ କରାନ୍ତୁ।
ସେହିପରି, ନବମ ମନ୍ତ୍ରରେ ମଧ୍ୟ, ଦେବୀ ଲକ୍ଷ୍ମୀଙ୍କୁ ଆବାହନ କରି କୁହାଯାଇଛି- ହେ ଦେବୀ, ଆପଣ ଯଶ ପ୍ରଦାୟିନୀ। ଆପଣ କେବେ ବି ସାଧନାହୀନ ପୁରୁଷଙ୍କୁ ପ୍ରାପ୍ତ ହୁଅନ୍ତି ନାହିଁ। ସଦାସର୍ବଦା ଆପଣ ଉଦ୍‌ଯୋଗୀ ପୁରୁଷଙ୍କ ପାଇଁ ସମୃଦ୍ଧିଦାୟିନୀ ଓ ମଙ୍ଗଳମୟୀ। ଆପଣ ସେହି ସମସ୍ତ ପୁରୁଷଙ୍କର ଅଧୀଶ୍ୱରୀ ହୋଇଥାଆନ୍ତି।
‘ଶ୍ରୀସୂକ୍ତ’ର ଦଶମ ମନ୍ତ୍ର ମଧ୍ୟ ବିଶେଷ ମହତ୍ତ୍ୱପୂର୍ଣ୍ଣ। ସେଥିରେ କୁହାଯାଇଛି- ହେ ଲକ୍ଷ୍ମୀ! ମନର କାମନା, ବୁଦ୍ଧିର ସଂକଳ୍ପ, ବାଣୀର ପ୍ରାର୍ଥନା, ଜୀବନଧନର ସମୃଦ୍ଧି ସୁସ୍ଥିର ହେଉ; ଅନ୍ୟ ସମସ୍ତ ସମୃଦ୍ଧି ମଧ୍ୟ ସୁସ୍ଥିର ହେଉ- ଏହି ଅଭିଳାଷ ମୁଁ ପୋଷଣ କରୁଛି। ମୋର ଅଭିଳାଷ ପୂରଣ ହେଉ। ମୋତେ ଯଶପ୍ରାପ୍ତି ହେଉ।