ଦେଶ ସ୍ବାଧୀନ ହେବାରେ ଅଗଣିତ ଭାରତୀୟଙ୍କ ଯୋଗଦାନ ରହିଛି। କିଛି ବ୍ୟକ୍ତି ଇତିହାସ ପୃଷ୍ଠାରେ ସ୍ଥାନ ପାଇଛନ୍ତି ଅନେକେ ଆଢୁଆଳରେ ରହିଯାଇଛନ୍ତି। ଖୁବ୍ କମ୍ ବୟସରୁ ଦେଶସେବାରେ ନିଜକୁ ସମର୍ପି ଦେଇଥିବା ଲକ୍ଷ୍ମୀ ଇନ୍ଦିରା ପଣ୍ଡା ନେତାଜୀଙ୍କ ‘ଭାରତୀୟ ଜାତୀୟ ସେନା’ରେ ଯୋଗଦେଇ ଦେଶ ପାଇଁ ଲଢ଼ିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା ଏବଂ ସେ କେବେ ବି ଜେଲ୍ଯାତ୍ରା କରିନଥିଲେ। ୨୦୦୮ ମସିହା ଅକ୍ଟୋବର ୨୫ ତାରିଖରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲ ତାଙ୍କୁ ‘ରାଷ୍ଟ୍ରୀୟ ସ୍ବତନ୍ତ୍ର ସୈନିକ ସମ୍ମାନ’ରେ ସମ୍ମାନିତ କରିଥିଲେ।
ଲକ୍ଷ୍ମୀ ପଣ୍ଡାଙ୍କ ଜନ୍ମ ୧୯୩୦ ମସିହାରେ ମିଆଁମାରରେ ହୋଇଥିଲା। ନେତାଜୀଙ୍କ ରେଙ୍ଗୁନ କ୍ୟାମ୍ପଠାରୁ ଅଳ୍ପ ଦୂରରେ ବ୍ରିଟିସ ସରକାର ଅଧୀନରେ ରେଳବାଇରେ କାମ କରୁଥିଲେ ତାଙ୍କ ପିତାମାତା। ସେତେବେଳେ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ଲୋକମାନେ ବ୍ରିଟିସମାନଙ୍କ ପାଖରେ ରବର ଶିଳ୍ପ ତଥା ରେଳବାଇର କର୍ମଚାରୀ ଭାବେ ବର୍ମା, ମାଲେସିଆ, ସିଙ୍ଗାପୁରରେ କାମ କରୁଥିଲେ। ଗୋରା ସରକାର ଦ୍ବାରା ପିତାମାତାଙ୍କ ହତ୍ୟା ପରେ ଲକ୍ଷ୍ମୀ ଓ ତାଙ୍କ ସାନଭାଇ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ। କାମ ଖୋଜିବାକୁ ଲକ୍ଷ୍ମୀ ଭାରତୀୟ ଜାତୀୟ ସେନା ଶିବିର ନିକଟରେ ପହଞ୍ଚନ୍ତେ ସିପାହୀମାନେ ତାଙ୍କୁ ବୟସ କମ୍ କହି ଫେରାଇଦେଲେ। ମାତ୍ର ବାଳିକା ଲକ୍ଷ୍ମୀ ଫେରିନଯାଇ ନେତାଜୀଙ୍କୁ ଅପେକ୍ଷା କରି ରହିଲେ। ନେତାଜୀ ଆସିବାପରେ ତାଙ୍କ ରାସ୍ତାକୁ ଅଟକାଇ ନିଜର ସବୁ କଥା କହିଲେ। ଏଥିରେ ନେତାଜୀ ଓ ସଂପୂର୍ଣ୍ଣ ସେନା ଭାବପ୍ରବଣ ହୋଇଗଲେ ଏବଂ ତୁରନ୍ତ ସେନାରେ ଭର୍ତ୍ତି ପାଇଁ ଆଦେଶ ଦେଲେ।
ଲକ୍ଷ୍ମୀ ପଣ୍ଡା ଓଡ଼ିଆ ବୋଲି ଜାଣିବା ପରେ ନେତାଜୀଙ୍କର ତାଙ୍କ ପ୍ରତି ଅନୁକମ୍ପା ଓ ବିଶ୍ବାସ ବଢ଼ିଗଲା। ଲକ୍ଷ୍ମୀଙ୍କ ପ୍ରଖରବୁଦ୍ଧି ଓ ରଣକୌଶଳ ପାଇଁ ନେତାଜୀ ତାଙ୍କୁ ଝାନ୍ସିରାଣୀ ରେଜିମେଣ୍ଟରେ ଲକ୍ଷ୍ମୀ ସେହେଗଲଙ୍କ ଅଧୀନରେ କାର୍ଯ୍ୟ କରିବାକୁ ଆଦେଶ ଦେଲେ। ଲକ୍ଷ୍ମୀ ସେହେଗଲଙ୍କ ସହ ତାଙ୍କ ନାମ ମେଳ ଖାଉଥିବାରୁ ନେତାଜୀ ତାଙ୍କୁ ‘ଇନ୍ଦିରା’ ନାମ ଦେଇଥିଲେ। ୬ମାସର କଠୋର ଟ୍ରେନିଂ ପରେ ଲକ୍ଷ୍ମୀଙ୍କୁ ଇଣ୍ଡିଆ-ବର୍ମା ବର୍ଡର୍ରେ ନିୟୋଜିତ କରାଗଲା। ସେତେେବେଳ ଇଂରେଜଙ୍କ ବିରୋଧରେ ଖବର ସଂଗ୍ରହ କରିବା ଦୁଃସାଧ୍ୟ ଥିଲା। ଏଥିରେ ବି ସେ ସଫଳ ହୋଇଥିଲେ। ସ୍ବାଧୀନତା ସମୟରେ ବ୍ରିଟିସ ସରକାର ହାତରେ ଧରାପଡ଼ି କାରାଦଣ୍ଡରୁ ସେ ବଞ୍ଚିଗଲେ ସିନା ହେଲେ ସେନା ନଜରରେ ପଡ଼ିବା ଭୟରେ ନିଜର ସବୁ ମେଡାଲ୍, ସାର୍ଟିଫିକେଟ୍ ଏପରିକି ସେନା ୟୁନିଫର୍ମକୁ ଫିଙ୍ଗିଦେଇ ଭାରତ ଫେରି ଆସିଲେ। ଓଡ଼ିଶା ଫେରି ସେ ଭାରତୀୟ ଜାତୀୟ ସେନାର ଅନ୍ୟତମ ସହଯୋଗୀ ଖଗେଶ୍ବର ପଣ୍ଡାଙ୍କୁ ୧୯୫୧ରେ ବିବାହ କଲେ। ‘ରାଷ୍ଟ୍ରୀୟ ସ୍ବତନ୍ତ୍ର ସୈନିକ ସମ୍ମାନ’ରେ ସମ୍ମାନିତ କରିବାର ମାତ୍ର ଦୁଇ ସପ୍ତାହ ଭିତରେ ଲକ୍ଷ୍ମୀ ପଣ୍ଡାଙ୍କର ବିୟୋଗ ଘଟିଲା।