ଯେକୌଣସି ମାସର ଲକ୍ଷ୍ମୀପୂଜା, ବିଶେଷକରି ମାର୍ଗଶିର ମାସର ଲକ୍ଷ୍ମୀପୂଜା କେବଳ ଦେବୀଲକ୍ଷ୍ମୀଙ୍କର ପୂଜା ବୋଲି ସାଧାରଣରେ ଗୋଟିଏ ଧାରଣା ଅଛି। ବିଶେଷକରି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ କାହାଣୀ ସହିତ ଏହା ଯୋଡ଼ା ହୋଇଥିବାରୁ ଏପରି ଧାରଣା ସୃଷ୍ଟି ହୋଇଛି। ଏହି କାହାଣୀ ଅନୁସାରେ, ଦେବୀ ଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଯାଇ ତାହାର ଶୁଚିତା ଦେଖି, ସେ ଆଙ୍କିଥିବା ପଦ୍ମଚିତା ଉପରେ ବିରାଜମାନ କରିଥିଲେ। ସେଥିପାଇଁ ବଡ଼ଭାଇ ବଳରାମ ରୋଷହୋଇ ତାଙ୍କୁ ବଡ଼ଦେଉଳର ବଡ଼ଘରୁ ଘଉଡ଼େଇ ଦେଲେ। ଲକ୍ଷ୍ମୀ ଯିବାବେଳେ ଅଭିଶାପ ଦେଇ ଯାଇଥିବାରୁ, ଦୁଇଭାଇ ଅନ୍ନଜଳ ନ ପାଇ ବହୁ କଷ୍ଟ ଭୋଗିଥିଲେ। ଶେଷରେ ଲକ୍ଷ୍ମୀଦେବୀ ରନ୍ଧନ କରି ଦେବାରୁ ହିଁ ସେମାନେ ଭୋଜନ କରିଥିଲେ।

Advertisment

ଏହା ଏକ କାଳ୍ପନିକ କାହାଣୀ ହେଲେ ହେଁ ଓଡ଼ିଆ ଜାତିର ମର୍ମରେ ଭେଦିଯାଇଛି। ଅନେକ ଏହାକୁ ସତ୍ୟ ବୋଲି ବିଶ୍ୱାସ କରି ଆସିଛନ୍ତି। କିନ୍ତୁ ଶାସ୍ତ୍ର-ଗ୍ରନ୍ଥମାନଙ୍କରେ ସ୍ପଷ୍ଟ ଉଲ୍ଲେଖ ଅଛି, ଯେ ଲକ୍ଷ୍ମୀ-ନାରାୟଣ କେବେ ବି ଅଭିନ୍ନ ନ ଥାନ୍ତି। ଦେବୀ ଲକ୍ଷ୍ମୀଙ୍କର ପ୍ରକୃତ ନିବାସ ନାରାୟଣଙ୍କର ବକ୍ଷସ୍ଥଳ ଏବଂ ଯେତେବେଳେ ମହାପ୍ରଳୟ ହୋଇ ସମଗ୍ର ସୃଷ୍ଟି ପ୍ରଳୟ ଜଳରେ ନିମଜ୍ଜିତ ହୋଇଯାଏ, ସେତେବେଳେ କେବଳ ନାରାୟଣ ରହିଥାଆନ୍ତି ଏବଂ ଦେବୀ ଲକ୍ଷ୍ମୀ ତାଙ୍କର ବକ୍ଷସ୍ଥଳରେ ବିରାଜମାନ କରୁଥାଆନ୍ତି।

‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ର ଦ୍ୱିତୀୟ ଅଧ୍ୟାୟରେ ଅଛି ଲକ୍ଷ୍ମୀଦେବୀଙ୍କୁ ଯମରାଜଙ୍କ ସ୍ତୁତି। ଏହା ଅନୁସାରେ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବା ଶ୍ରୀକ୍ଷେତ୍ରରେ ତାଙ୍କର କୌଣସି କର୍ତ୍ତୃତ୍ୱ ନାହିଁ ବୋଲି ଜାଣିବା ପରେ, ଯମରାଜ ସେହି କ୍ଷେତ୍ରରେ ନିଜର ଅଧିକାର ଦୃଢ଼ କରିବା ଉଦ୍ଦେଶ୍ୟରେ ଶ୍ରୀନାରାୟଣଙ୍କୁ ସ୍ତୁତି କରିଥିଲେ। ସେହି ସ୍ତୁତି ମଧ୍ୟରେ ଏହା ପ୍ରତିପାଦିତ ହୋଇଛି। ସେହି ସ୍ତୁତିରେ ଯମରାଜ କହିଛନ୍ତି- ହେ ନାରାୟଣ ! ହେ ଦେବଦେବ ଈଶ୍ୱର ! କମଳା (ଲକ୍ଷ୍ମୀ)ଙ୍କର ଅପାଙ୍ଗ (ନେତ୍ରଭଙ୍ଗୀ ବା ବାଙ୍କ ଚାହାଣୀ)ରେ ଆପଣଙ୍କର ନୟନ ନିୟତ ଶୋଭିତ। ଆପଣଙ୍କର ପାଦପଦ୍ମ-ଯୁଗଳକୁ ଆଶ୍ରୟ କରି ଲକ୍ଷ୍ମୀଦେବୀ ଐଶ୍ୱର୍ଯ୍ୟଶାଳିନୀ ହୋଇଛନ୍ତି ଏବଂ ତାହା ବଳରେ ହିଁ ଆଶ୍ରିତ ବ୍ୟକ୍ତିମାନଙ୍କୁ ସେ ଐଶ୍ୱର୍ଯ୍ୟ ପ୍ରଦାନ କରିଥାଆନ୍ତି। ସୃଷ୍ଟିକାର୍ଯ୍ୟରେ ଆପଣଙ୍କର ପ୍ରବୃତ୍ତି ହେଲେ, ସେହି ପରାପ୍ରକୃତି ଆପଣଙ୍କଠାରୁ ଭିନ୍ନ ରୂପରେ ପ୍ରତୀୟମାନ ହୋଇ ନିର୍ବିକାର ବ୍ରହ୍ମଙ୍କର (ଆପଣଙ୍କର) ବିକାର ସଂପାଦନ କରନ୍ତି। ସେହି ସର୍ବଲକ୍ଷଣରେ ସଂପୂର୍ଣ୍ଣା, ଶୁଭଲକ୍ଷଣରେ ଲକ୍ଷିତା ଦେବୀ ଲକ୍ଷ୍ମୀ ଆପଣଙ୍କର ବକ୍ଷସ୍ଥଳରେ ସର୍ବଦା ବାସ କରିଥାନ୍ତି। ଆପଣଙ୍କୁ ପ୍ରଣାମ କରିବା ସହିତ, ସେହି ଲକ୍ଷ୍ମୀଦେବୀଙ୍କୁ ମଧ୍ୟ ମୁଁ ପ୍ରଣାମ କରୁଛି। ‘ସ୍କନ୍ଦପୁରାଣ’ରେ ବର୍ଣ୍ଣିତ ଯମଦେବଙ୍କର ଏହି ସ୍ତୁତି ସୂଚାଏ, ଯେ ଦେବୀ ଲକ୍ଷ୍ମୀଙ୍କର ନିତ୍ୟନିବାସ ଶ୍ରୀନାରାୟଣଙ୍କର ବକ୍ଷସ୍ଥଳ। ଏଣୁ ତାଙ୍କର ପୂଜା ପ୍ରକୃତରେ ଲକ୍ଷ୍ମୀ-ନାରାୟଣଙ୍କର ପୂଜା।