ଲକ୍ଷ୍ମୀପୁରାଣ କଥା-୭: ପ୍ରଥମେ ପ୍ରଥମାଷ୍ଟମୀ, ତା’ପରେ ପ୍ରଥମ ପାଳି

ପ୍ରଥମାଷ୍ଟମୀ ଆମ ଓଡ଼ିଶାର ନିଜସ୍ୱ ପର୍ବ। ଏହାର ତିଥି ମାର୍ଗଶିର କୃଷ୍ଣ ଅଷ୍ଟମୀ। ଏହା ଏକ ପାରିବାରିକ ପର୍ବ। ଜ୍ୟେଷ୍ଠ ବା ପ୍ରଥମ ସନ୍ତାନର ସମ୍ମାନ ଓ ପରମାୟୁ ବୃଦ୍ଧିପାଇଁ ଏହି ପର୍ବ ପାଳିତ ହୁଏ। ସେଥିପାଇଁ ଏହାର ନାମ ‘ପ୍ରଥମାଷ୍ଟମୀ’। ‘ପ୍ରଥମା’ ଲୋକ ମୁଖରେ ‘ପୋରୁହାଁ’ ବା ‘ପୋଢ଼ୁଆଁ’ ହୋଇଛି। ଏଣୁ ଲୋକମୁଖରେ ଏହା ‘ପୋରୁହାଁ ଅଷ୍ଟମୀ’ ବା ‘ପୋଢ଼ୁଆଁ ଅଷ୍ଟମୀ’। ଜ୍ୟେଷ୍ଠ ସନ୍ତାନ କନ୍ୟା ହୋଇଥିଲେ ଏବଂ ଦ୍ୱିତୀୟ ସନ୍ତାନ ପୁତ୍ର ହୋଇଥିଲେ, ଉଭୟ ବଡ଼ ଝିଅ ଓ ବଡ଼ ପୁଅ ଏହି ପର୍ବରେ ପୋରୁହାଁ ହୁଅନ୍ତି। ପ୍ରଥମ କନ୍ୟା ସନ୍ତାନକୁ ‘ପୋରୁହାଁ’ ଓ ଦ୍ୱିତୀୟ ପୁତ୍ରସନ୍ତାନକୁ ‘ଦୋହାଁ ପୋରୁହାଁ’ କୁହାଯାଏ।

ଏହି ପର୍ବ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜଙ୍କର ବିଭିନ୍ନ ଯାତ୍ରାର ଅନ୍ତର୍ଗତ। ‘ଏକାମ୍ର ଚନ୍ଦ୍ରିକା’ରେ ଏ ସଂପର୍କରେ ବର୍ଣ୍ଣନା ଅଛି। ଏଥିରେ ଶ୍ରୀଲିଙ୍ଗରାଜ ତାଙ୍କର ମାମୁ ବରୁଣେଶ୍ୱରଙ୍କ ପୀଠକୁ ପୋରୁହାଁ ହେବାକୁ ଯାଆନ୍ତି। କପାଳୀ ଦେବୀ ତାଙ୍କର ମାଇଁ ରୂପେ କଥିତ ହୁଅନ୍ତି। କିଂବଦନ୍ତି ଅନୁସାରେ, ନିଆଳିର ମାଧବ ଶ୍ରୀଜଗନ୍ନାଥଙ୍କର ମାମୁଘର। ପୂର୍ବେ ସେଠାରୁ ଶ୍ରୀମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପ୍ରଥା ଥିଲା। ମଝିରେ ସେହି ପରମ୍ପରା ଲୁପ୍ତ ହେବା ପରେ, ବିଗତ କିଛି ବର୍ଷ ହେଲା ତାହା ପୁନଃ ପ୍ରଚଳିତ ହୋଇଛି। ପ୍ରକୃତରେ ଏହି ପର୍ବ ଷଷ୍ଠୀ ମାର୍କଣ୍ଡେୟଙ୍କର ପୂଜା। ଏହିଦିନ ତାଙ୍କର ପୂଜା କରି ଜ୍ୟେଷ୍ଠ ସନ୍ତାନ ବା ଶ୍ରେଷ୍ଠ ପିଣ୍ଡାଧିକାରୀଙ୍କର ଦୀର୍ଘାୟୁ କାମନା କରାଯାଇଥାଏ। କାରଣ ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ତନ୍ତ୍ର ମତରେ, ଜ୍ୟେଷ୍ଠାଦେବୀ ଜ୍ୟେଷ୍ଠ ସନ୍ତାନର ରକ୍ଷାକାରିଣୀ।

ମାର୍ଗଶିର ମାସ ଗୁରୁବାରର ଲକ୍ଷ୍ମୀପୂଜା ସହିତ ଏହି ପର୍ବ କିପରି ଭାବରେ ସଂପୃକ୍ତ ହେଲା, ତାହାର ନିର୍ଦ୍ଦିଷ୍ଟ ଶାସ୍ତ୍ରୋଲ୍ଲେଖ ମିଳେ ନାହିଁ। କିନ୍ତୁ ଏହି ଦିନଟିକୁ ସୌନ୍ଦର୍ଯ୍ୟ ଓ ସମ୍ପଦର ଦେବୀ ଲକ୍ଷ୍ମୀଙ୍କର ଜନ୍ମଦିବସ ବୋଲି ଗ୍ରହଣ କରାଯାଏ। ଏଣୁ, ଲୋକ ପରମ୍ପରା ଅନୁସାରେ, ପ୍ରଥମାଷ୍ଟମୀ ନଯିବା ପର୍ଯ୍ୟନ୍ତ ମାର୍ଗଶିର ମାସ ଗୁରୁବାରର ଲକ୍ଷ୍ମୀପୂଜା ଅନୁଷ୍ଠିତ ହୁଏ ନାହିଁ। ଲୋକ ବିଶ୍ୱାସ ଅନୁସାରେ, ଏହିଦିନ ପ୍ରଥମେ ଲକ୍ଷ୍ମୀ ପୋରୁହାଁ ହୁଅନ୍ତି ଏବଂ ତା’ପରେ ଯାଇ ତାଙ୍କର ମାର୍ଗଶିର ମାସର ଗୁରୁବାର ପୂଜା ହୁଏ। ସେଥିପାଇଁ ମାର୍ଗଶିର ମାସର ପ୍ରଥମ ଗୁରୁବାର ଲକ୍ଷ୍ମୀପୂଜାର ‘ବାର’ ହୋଇଥିଲେ ହେଁ ତାହା ‘ଅଲାଗି ପାଳି’ ଭାବରେ ବିବେଚିତ ହୁଏ।

ଏହି ପର୍ବରେ ମାଆମାନେ ଘରର ଗୋଟିଏ ସ୍ଥାନକୁ ଲିପାପୋଛା କରି ସେଠାରେ ଅରୁଆ ଚାଉଳ ବଟା ପିଠଉରେ ଚିତା ଲେଖିଥାନ୍ତି। ସେହି ଚିତାରେ କୋଠି ଲେଖା ଯାଇଥାଏ। ପିଢ଼ା ବା ଆସ୍ଥାନରେ ମଧ୍ୟ ଚିତା ଲେଖି ସେହି କୋଠି ଉପରେ ରଖାଯାଏ। ଝିଅ ଓ ପୁଅ ଉଭୟେ, ‘ପୋରୁହାଁ’ ଓ ‘ଦୋହାଁ ପୋରୁହାଁ’ ହେଉଥିଲେ, ଦୁହିଁଙ୍କ ପାଇଁ ଅଲଗା ଅଲଗା ପ୍ରକାରର ଚିତା ଲେଖାଯାଏ। ପୁଅ ‘ବଢ଼ିଆଣ’ ଚିତା ଓ ଝିଅ ‘ପଦ୍ମ’ ଚିତା ଉପରେ ବସନ୍ତି। ତାଙ୍କୁ ଦୁବ, ବରକୋଳି ପତ୍ର, ଅକ୍ଷତ ଓ ଫୁଲ ଆଦି ଦ୍ୱାରା ବନ୍ଦାପନା କରାଯାଏ। ଏହି ପଦ୍ମଚିତା ଲକ୍ଷ୍ମୀଙ୍କ ସହ ସଂପର୍କିତ। ଏହି ପର୍ବରେ ନୂଆ ବିରି, ନୂଆ ଅରୁଆ ଚାଉଳ ଆଣରେ ଏଣ୍ଡୁରି ପିଠା କରି, ଭୋଗ ଲଗାଯାଏ। ଛେନା-ଗୁଡ଼ ଭୋଗ ମଧ୍ୟ କରାଯାଏ। ସମ୍ଭବତଃ ଗୋଲକ୍ଷ୍ମୀ ଓ ଶସ୍ୟଲକ୍ଷ୍ମୀ ଏହି ସୂତ୍ରରେ ପ୍ରଥମାଷ୍ଟମୀ ସହ ସଂପୃକ୍ତ ହୋଇଛନ୍ତି। ଲୋକବିଶ୍ୱାସ ଅନୁସାରେ, ଲକ୍ଷ୍ମୀ ପ୍ରଥମାଷ୍ଟମୀରେ ପୋରୁହାଁ ହେବା ପରେ ହିଁ ତାଙ୍କର ପ୍ରଥମ ପାଳି ପୂଜା ଅନୁଷ୍ଠିତ ହୋଇଥାଏ।
-ଅସିତ ମହାନ୍ତି

ସମ୍ବନ୍ଧିତ ଖବର