ଚୈତ୍ର ଶୁକ୍ଳ ଏକାଦଶୀ ଓଡ଼ିଶାରେ ‘କାମଦା ଏକାଦଶୀ’ ଭାବରେ ପାଳିତ ହୁଏ। ଏକାଦଶୀଗୁଡ଼ିକର ଉପାସ୍ୟ ଦେବତା ବିଷ୍ଣୁ। ଏହା କୃଷ୍ଣ ଏକାଦଶୀ ଓ ଶୁକ୍ଳ ଏକାଦଶୀ ଭାବରେ ମାସକୁ ଦୁଇଥର ପାଳିତ ହୋଇଥାଏ। ଶରଶଯ୍ୟାଶାୟୀ ଭୀଷ୍ମ, ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତ ପାଳନର ମାହାତ୍ମ୍ୟ କହିଥିଲେ।
ସାଧାରଣତଃ କୌଣସି କାମନା ନ ରଖି ଏକାଦଶୀ ବ୍ରତ ପାଳନ କରାଯାଉଥିବାବେଳେ, ଚୈତ୍ର ଶୁକ୍ଳ ଏକାଦଶୀ ‘କାମଦା’ ବା କାମନା ପରିପୂରଣକାରୀ ଏକାଦଶୀ ଭାବରେ ପାଳିତ ହେବା ବିଶେଷ ତାତ୍ପର୍ଯ୍ୟ ବହନ କରେ।

Advertisment

ସାଧାରଣତଃ କୌଣସି କାମନା ନ ରଖି ଏକାଦଶୀ ବ୍ରତ ପାଳନ କରାଯାଉଥିବାବେଳେ, ଚୈତ୍ର ଶୁକ୍ଳ ଏକାଦଶୀ ‘କାମଦା’ ବା କାମନା ପରିପୂରଣକାରୀ ଏକାଦଶୀ ଭାବରେ ପାଳିତ ହେବା ବିଶେଷ ତାତ୍ପର୍ଯ୍ୟ ବହନ କରେ।

ଏହି ଏକାଦଶୀ ବ୍ରତର ଉପାଖ୍ୟାନ ଅନୁସାରେ, ନାଗରାଜ ପୁଣ୍ଡରିକଙ୍କ ଦରବାରରେ ଥିଲେ ଲଳିତ ନାମରେ ଏକ ଗନ୍ଧର୍ବ। ଲଳିତା ତାଙ୍କର ନବବିବାହିତା ପତ୍ନୀ। ସେ ପରମା ସୁନ୍ଦରୀ। ତେଣୁ ରାଜ ଦରବାରରେ ନୃତ୍ୟ-ଗୀତ ପରିବେଷଣ ସମୟରେ, ଲଳିତ ଗନ୍ଧର୍ବଙ୍କର ଧ୍ୟାନ ବାରମ୍ବାର ଲଳିତାଙ୍କ ପ୍ରତି ଆକର୍ଷିତ ହେଉଥିଲା। ଫଳରେ ଗୀତ ଓ ନୃତ୍ୟର ତାଳ ଓ ଲୟ ଭଙ୍ଗ ହେଉଥିଲା। ତାହା ଦେଖି କର୍କଟକ ନାମକ ନାଗ ନାଗରାଜ ପୁଣ୍ଡରିକଙ୍କୁ ତାହା ଜଣାଇବାରୁ, ପୁଣ୍ଡରିକ ଲଳିତ ଗନ୍ଧର୍ବଙ୍କୁ ରାକ୍ଷସ ହୋଇ ଅରଣ୍ୟରେ ବୁଲିବା ପାଇଁ ଅଭିଶାପ ଦେଲେ। ସ୍ୱାମୀ ରାକ୍ଷସ ହୋଇ ଅରଣ୍ୟ ନିବାସୀ ହେବା ଦେଖି, ଲଳିତା ବି ସ୍ୱାମୀଙ୍କ ସହ ବନଚାରିଣୀ ହେଲେ। ଏହିପରି ଭାବରେ ଦୁହେଁ ବନରେ ବୁଲୁବୁଲୁ ଦିନେ ଋଷ୍ୟମୂକ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଋଷ୍ୟମୂକ ମୁନି ତାଙ୍କୁ ଚୈତ୍ର ଶୁକ୍ଳ ଏକାଦଶୀରେ ଉପବାସ କରି ବ୍ରତ ପାଳିବା ସହିତ, ବାସୁଦେବ ଶ୍ରୀକୃଷ୍ଣ ବା ବିଷ୍ଣୁଙ୍କର ପୂଜା କରିବାକୁ କହିଲେ। ସେହି ବ୍ରତ ପାଳନ କରି, ବ୍ରତସିଦ୍ଧି ଫଳରୁ ଲଳିତ ଓ ଲଳିତା ପୁନର୍ବାର ନିଜର ପୂର୍ବସ୍ଥିତି ଫେରିପାଇଲେ। ଏଣୁ ଚୈତ୍ର ଶୁକ୍ଳ ଏକାଦଶୀର ଏହି ବ୍ରତ କାମନା ପୂରଣକାରୀ ଏକାଦଶୀ ଭାବରେ ‘କାମଦା’ ଏକାଦଶୀ ନାମରେ ଖ୍ୟାତ।