ଲଳିତା ସପ୍ତମୀ

ରାଧା ଓ କୃଷ୍ଣ ଉଭୟଙ୍କର ଜନ୍ମ ଭାଦ୍ରବ ମାସରେ। ତେଣୁ ଭାଦ୍ରବ ମାସ ବୈଷ୍ଣବମାନଙ୍କର ଅତି ପ୍ରିୟ ମାସ। ସାଧାରଣତଃ ଏହି ମାସରେ ବୃନ୍ଦାବନରେ ଅନେକ ମହୋତ୍ସବ ପାଳିତ ହୁଏ। ସେ ମଧ୍ୟରୁ ଭାଦ୍ରବ ଶୁକ୍ଳ ସପ୍ତମୀ ତିଥିଟି ବୈଷ୍ଣବମାନଙ୍କର ଅତି ପ୍ରିୟ। ଜନ୍ମାଷ୍ଟମୀର ଚଉଦଦିନ ପରେ ଓ ରାଧାଷ୍ଟମୀର ଗୋଟିଏ ଦିନ ପୂର୍ବରୁ ଏହି ଉତ୍ସବ ପାଳିତ ହୋଇଥାଏ। କାରଣ, ଏହା ରାଧାଙ୍କର ଅଷ୍ଟସଖୀ (ଲଳିତା, ବିଶାଖା, ଚିତ୍ରଲେଖା, ଚମ୍ପକଲତା, ତୁଙ୍ଗଭଦ୍ରା, ଇନ୍ଦୁଲେଖା, ରଙ୍ଗଦେବୀ, ସୁଦେବୀ)ଙ୍କ ମଧ୍ୟରୁ ସଖୀ ଲଳିତାଙ୍କର ଜନ୍ମଦିନ। ଲଳିତା ରାଧାଙ୍କର ଅତ୍ୟନ୍ତ ପ୍ରିୟସଖୀ। ଭକ୍ତିଶାସ୍ତ୍ରରେ ଯେଉଁ ନବଧା ଭକ୍ତିର କଥା କୁହାଯାଇଛି, ସେ ମଧ୍ୟରୁ ବୈଷ୍ଣବମାନେ ଦାସ୍ୟ ଓ ସଖ୍ୟ ଭକ୍ତିକୁ ସର୍ବଶ୍ରେଷ୍ଠ ସ୍ଥାନ ଦେଇଥାନ୍ତି। ଏହି ହେତୁ ସଖା ଭାବରେ ଅର୍ଜୁନ ଯେପରି ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ, ସେହିପରି ସଖୀ ଭାବରେ ଲଳିତା ରାଧା ଓ କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ।

ଲଳିତା ଥିଲେ ରାଧାଙ୍କର ନର୍ମ ସଖୀ। ରାଧାକୃଷ୍ଣଙ୍କର ରାସଲୀଳାରେ ସେ ଯେପରି ଶ୍ରେଷ୍ଠ ସହଯୋଗୀ ଥିଲେ, ସେହିପରି ରାଧାକୃଷ୍ଣଙ୍କର ବିରହ ତଥା ମିଳନ ଆଦିରେ ସେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ। ନ କହିଲେ ମଧ୍ୟ, ସେ ରାଧାଙ୍କର ସମସ୍ତ ମନୋଭାବକୁ ବୁଝିବା ନିମିତ୍ତ ସମର୍ଥ ଥିଲେ। ତେଣୁ ସେ ଅକାତରରେ ରାଧାଙ୍କର ମନକଥା ନେଇ କୃଷ୍ଣଙ୍କ ପାଖରେ ବ୍ୟକ୍ତ କରିପାରୁଥିଲେ। ଭାରତୀୟ ସାହିତ୍ୟରେ ଯେତେ କୃଷ୍ଣକାବ୍ୟ ରଚିତ ହୋଇଛି, ସେଥିରେ ଲଳିତା ଏକ ବିଶେଷ ଭୂମିକା ଗ୍ରହଣ କରିଛନ୍ତି। ରାଧାକୃଷ୍ଣଙ୍କର ମିଳନରେ ହିଁ ତାଙ୍କର ଥିଲା ସର୍ବଶ୍ରେଷ୍ଠ ଆନନ୍ଦ। କୃଷ୍ଣ ଯେତେବେଳେ ସବୁଦିନ ପାଇଁ ରାଧାଙ୍କୁ ଓ ବୃନ୍ଦାବନକୁ ଛାଡ଼ି ମଥୁରା ଚାଲିଗଲେ, ସେତେବେଳେ ଲଳିତା ଯେପରି ରାଧାଙ୍କ ପାଇଁ ବ୍ୟାକୁଳ ହୋଇଛନ୍ତି, ସେଥିରୁ ତାଙ୍କର ରାଧାଙ୍କ ପ୍ରତି ସମର୍ପଣ ଭାବ ପ୍ରକଟ ହୁଏ। ଏହାର ଏକ ସୁନ୍ଦର ବ୍ୟାଖ୍ୟା ଶ୍ରୀମଦ୍ ରୂପଗୋସ୍ୱାମୀଙ୍କ ‘ହଂସଦୂତ’ କାବ୍ୟରେ ଦେଖାଯାଏ। ରାଧାଙ୍କର ବ୍ୟାକୁଳତା ଦେଖି, ଆକାଶରେ ଉଡ଼ିଯାଉଥିବା ଏକ ହଂସକୁ ଦୂତ କରି ସେ ମଥୁରା ପଠାଇଛନ୍ତି। ରାଧାଙ୍କ ବ୍ୟାକୁଳତା ଦେଖି ଅଧୀର ହୋଇ ରାଧାଙ୍କୁ ବୁଝାଇଛନ୍ତି-
‘‘ଅୟି ପାଗଳିନୀ ରାଈ ରେ
ଫିଟି ପଡ଼ିଲାଣି ଅଙ୍ଗର ବସନ ତିଳେ ତ ଜାଣିଲ ନାହିଁ।”
ସେହିପରି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପଦ- “କାଳିଆ କମଳ ଦେଖିଲେ କମଳ ନୟନ ହୁଅଇ ଜରଜର।” ଆଦି ପଙ୍‌କ୍ତିରେ ଲଳିତାଙ୍କର ରାଧାପ୍ରାଣତା ପ୍ରକଟିତ। ସେଥିପାଇଁ ତ ବୈଷ୍ଣବମାନେ ରାଧାଙ୍କର ସଖୀ ବା ଦାସୀ ଭାବରେ ହିଁ କୃଷ୍ଣଙ୍କୁ ପାଇବାର ବାଞ୍ଛା ରଖନ୍ତି। ତେଣୁ ବିଦଗ୍‌ଧ କବିଙ୍କ ଲେଖନୀରେ ପ୍ରକାଶ ପାଏ-
“ଔଷଧୀଶାନନ ହେ ମାଗୁଛି ପଦ ଧରି,
ଓ କରିବି ଆଲୋ ଦାସୀ ଡାକିଲେ କିଶୋରୀ।”
– ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର