ଟିସ୍‌କୋକୁ ପୁରୁଣା ଦରରେ ଜମି, ଏକର ପିଛା ୭୫ ହଜାର ଟଙ୍କା

ଲାନ୍‌କୋ, ଜିଏମ୍‌ଆର୍‌କୁ ଅନୁକମ୍ପା ପାଇଁ ୧୦ କୋଟି କ୍ଷତି

ଭୁବନେଶ୍ୱର : ଶିଳ୍ପ ସଂସ୍ଥା ସ୍ଥାପନ କରିବା ଲାଗି ଜମି ଯୋଗାଇ ଦେବାରେ ରହିଥିବା ତ୍ରୁଟିଗୁଡ଼ିକୁ ଧରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)। ରାଜ୍ୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ସମୀକ୍ଷା ବେଳେ ସିଏଜି ବିଭିନ୍ନ ଅନିୟମିତତାକୁ ଧରିଛନ୍ତି। ଶିଳ୍ପନୀତି ୨୦୦୭କୁ ଉଲ୍ଲଂଘନ କରି ଦୁଇଟି ତାପଜ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନି ଲାନ୍‌କୋ ଓ ଜିଏମ୍‌ଆର୍‌କୁ ୧୧୭ ଏକର ସରକାରୀ ଜମି ରିହାତି ଦରରେ ଆବଣ୍ଟନ କରାଯାଇଛି। ଏହାଫଳରେ ସେମାନଙ୍କଠାରୁ ୧୦.୦୪ କୋଟି ଟଙ୍କା କମ୍ ଆଦାୟ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଥିବା କମ୍ପାନି ଗୁଡ଼ିକୁ ଜମି ଯୋଗାଇ ଦେବା ଦାୟିତ୍ବ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ ବା ଇଡ୍‌‌କୋ ହାତରେ ନ୍ୟସ୍ତ କରାଯାଇଛି।

ସେହିଭଳି ୧୯୯୬ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଏକ ସମନ୍ବିତ ଇସ୍ପାତ କାରଖାନା ପାଇଁ ଟିସ‌୍‌କୋକୁ ୫୩୭.୮୨ ଏକର ସରକାରୀ ଜମି ଯୋଗାଇ ଦିଆଯାଇଥିଲା। କିନ୍ତୁ ଟିସ୍‌କୋ ସେହି ପ୍ରକଳ୍ପ କରି ନଥିଲା। ଏହାସତ୍ତ୍ବେ ଟିସ୍‌‌କୋଠାରୁ ସେହି ଜମିକୁ ଫେରାଇ ଆଣାଗଲା ନାହିଁ କିମ୍ବା ସଂଶୋଧିତ ଦରରେ କମ୍ପାନି ଠାରୁ ଅର୍ଥ ଆଦାୟ କରାଯାଇନାହିଁ। ବରଂ ପୁରୁଣା ଦରରେ ସେହି ଜମିକୁ ଟାଟା କମ୍ପାନିକୁ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସଇଜେଡ) ଏବଂ ଘରୋଇ ଶୁଳ୍କ ଅଞ୍ଚଳ (ଡିଟିଏ) ପାଇଁ ପୁନଃଆବଣ୍ଟିତ କରାଯାଇଛି। ଏଥିପାଇଁ ସରକାରଙ୍କୁ ଜମି ପ୍ରିମିୟମ ବାବଦରେ ୧୪.୨୩ କୋଟି ଟଙ୍କାର କମ୍ ଏବଂ ପ୍ରଶାସନିକ ଦେୟ ବାବଦରେ ୧.୪୨ କୋଟି ଟଙ୍କା କମ୍ ମିଳିଛି। ଶିଳ୍ପ ନୀତି ୧୯୯୬ ଅନୁସାରେ ଟିସକୋ ଜମି ପାଇଁ ଏକର ପିଛା ୭୫ ହଜାର ଟଙ୍କା ଦେଇଥିଲା। କିନ୍ତୁ ଟିସକୋକୁ ଆଗୁଆ ପ୍ରଦାନ କରାଯାଇଥିବା ‌ସେହି ୫୩୭.୮୨ ଏକର ଜମିକୁ ୨୦୧୪ ଡିସେମ୍ବରରୁ ୨୦୧୮ ନଭେମ୍ବର ମଧ୍ୟରେ ପୁନଃ ଆବଣ୍ଟିତ କରାଯାଇଥିଲା। ଶିଳ୍ପ ନୀତି ୨୦୦୭ ଅନୁଯାୟୀ ଏକର ପିଛା ୨ ଲକ୍ଷ ଟଙ୍କାରେ ଜମି ଆବଣ୍ଟନ କରିବାର ବ୍ୟବସ୍ଥା ଥିବାବେଳେ ଏସ‌ଇଜେଡ ପାଇଁ ଟାଟା କମ୍ପାନିକୁ ୭୫ ହଜାର ଟଙ୍କା ଲେଖାଏଁ ମୂଲ୍ୟରେ ୧୬୨.୪୭ ଏକର ଜମି ପୁନଃ ଆବଣ୍ଟିତ କରାଯାଇଛି। ସେହିଭଳି ଡିଟିଏ ପ୍ରକଳ୍ପ ପାଇଁ ୨୦୧୮ ମସିହାରେ ଟାଟା କମ୍ପାନିକୁ ୩୭୫.୩୫ ଏକର ଜମି ପୁନଃ ଆବଣ୍ଟିତ କରାଯାଇଛି। ଶିଳ୍ପ ନୀତି ୨୦୧୫ ଅନୁଯାୟୀ ଏକର ପିଛା ୪ ଲକ୍ଷ ଟଙ୍କାରେ ଜମି ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ କମ୍ପାନିକୁ ସେହି ପୁରୁଣା ଦରରେ ଜମି ପୁନଃଆବଣ୍ଟନ କରାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର