ରତ୍ନଚିରାରେ ଅଭାବନୀୟ ସ୍ଥିତି : ନଈ ମଝିରେ ସ୍ଥିତିବାନ ଜମି

ପୁନରୁଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ
ସେପଟେ ଗାଧୁଆ ତୁଠକୁ ପାଣି ନାହିଁ

ପୁରୀ : ନଈ ମଝିରେ ସ୍ଥିତିବାନ ଜମି। ଏଭଳି ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଭାର୍ଗବୀର ଶାଖା ନଈ ରତ୍ନଚିରାରେ। ଏହା ଏବେ ରତ୍ନଚିରାର ପୁନରୁଦ୍ଧାର କାମରେ ପ୍ରତିବନ୍ଧକ ସାଜିଛି। ସେପଟେ ନଈର ପୁନରୁଦ୍ଧାର ପରେ ତୁଠକୁ ପାଣି ଆସିବା ପରେ ଗାଁର ସମସ୍ୟା ଦୂର ହେବ ବୋଲି କିଛି ଗାଁ ଯେଉଁ ଆଶା କରିଥିଲେ, ସେହି ଆଶା ଆଶାରେ ରହିଯାଇଛି। ପୂର୍ବରୁ ଯେଉଁ ଗାଁର ତୁଠ ଶୁଖିଲା ପଡ଼ିଥିଲା ତାହା ପୁନର୍ବାର ଶୁଖିଲା ପଡ଼ିବା ଆଶଙ୍କା ଦେଖାଦେଇଛି। ସେପଟେ କେଉଁ ପରିସ୍ଥିତିରେ ସ୍ଥିତିବାନ ଜମି ନଈ ମଝିରେ ରହିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ରାଜସ୍ୱ ବିଭାଗର ଏଭଳି ତ୍ରୁଟି ପାଇଁ ଜନସାଧାରଣ ଅଯଥାରେ ଅକଳରେ ପଡ଼ିଛନ୍ତି।

ପୁରୀ ସଦର ବ୍ଲକ୍‌ ଅନ୍ତର୍ଗତ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ଯମୁନାକୁଦ ବ୍ରିଜ୍‌ ତଳ ଦେଇ ଯାଇଥିବା ରତ୍ନଚିରା ନଈର ଏବେ ଖନନ କାର୍ଯ୍ୟ ଚାଲିଛି। ୫ ବର୍ଷ ଧରି ଏହା ବନ୍ଦ ପଡ଼ିବା ପରେ ବହୁ ବାଦବିବାଦ ପରେ ଏହି କାମ ଆରମ୍ଭ ହୋଇଛି। କାମ ଆରମ୍ଭ ହେବାର କେଇଦିନ ଯାଇଛି କି ନାହିଁ, ଏବେ ନୂଆ ବିବାଦ ମୁଣ୍ଡ ଟେକିଛି। ନଈ ମଝିରେ ନିଜର ସ୍ଥିତିବାନ ଜମି ରହିଥିବା କହି ଜମି ମାଲିକ ପୁନରୁଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସାଜିଛନ୍ତି। ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ କୁମାରଡିହ, ଧୋବାସାହି ଗାଁ ମଝିରେ ଏହି ନଈ ବହି ଯାଇଥିବାବେଳେ କୁମାରଡିହ ଗାଁ ନିକଟରେ ଅନେକ ଅନାବାଦି ଜାଗା ରହିଛି। ଏହାକୁ ଲାଗି ରତ୍ନଚିରା ନଈ ବହିଯାଇଛି। କିନ୍ତୁ କୁମାରଡିହ ଜାଗୁଳାଇ ଠାକୁରାଣୀଙ୍କୁ ଲାଗି ନଈ ମଝିରେ ଏକ ସ୍ଥିତିବାନ ଜମି ରହିଥିବା ନେଇ ବିବାଦ ମୁଣ୍ଡ ଟେକିଛି।

ମିଳିଥିବା ସୂଚନା ମୁତାବକ, କୁମାରଡିହ ଗାଁ ଆଗରେ ବହିଯାଇଥିବା ରତ୍ନଚିରା ନଈ ମଝିରେ ୩୩୫୬ ନଂ ପ୍ଲଟ୍‌ ରହିଛି। ୧୮ ଡେସିମିଲ୍‌ର ଏହି ଜାଗାର କିସମ ରହିଛି ବାଜେଫସଲ(ଦୁଇ)। ୧୯୩ ଖତିୟାନ ନଂରେ ଥିବା ଏହି ଜାଗା ହାଡ଼ନଈକୂଳ ସୁବଳ ବିଶ୍ୱାଳଙ୍କ ସ୍ତ୍ରୀ ଗୁରୁବାରୀ ବିଶ୍ୱାଳଙ୍କ ନାଁରେ ରହିଥିବା ପଟ୍ଟାରୁ ଜଣାପଡ଼ିଛି। ଯାହା ପୁରୀ ତହସିଲ ଅନ୍ତର୍ଗତ ପ୍ରତାପରାମଚନ୍ଦ୍ରପୁର ମୌଜାରେ ଆସୁଛି। କେବଳ ସେତିକି ନୁହେଁ, ଏ ବାବଦକୁ ଜଳକର ବି ଧାର୍ଯ୍ୟ ହୋଇଥିବା ପଟ୍ଟାରୁ ଜଣାପଡ଼ିଛି। ଏହାକୁ ନେଇ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଜଳସମ୍ପଦ ବିଭାଗ ବି ଚିନ୍ତାରେ ପଡ଼ିଛି। କେମିତି, କେଉଁ ପରିସ୍ଥିତିରେ ଏକ ସ୍ଥିତିବାନ ଜମି ନଈ ମଝିରେ ପଡ଼ିଲା ତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେପଟେ କୁମାରଡିହ ଗାଁର ତୁଠକୁ ଏହା ଅବରୋଧ କରୁଥିବାରୁ ଗାଁ ଲୋକେ ବି ଅଡ଼ୁଆରେ ପଡ଼ିଛନ୍ତି। ଯଦି ଖୋଳିବ ଆଗ ଟଙ୍କା ଦେବ, ତା ପରେ ଖୋଳା କାର୍ଯ୍ୟ କରିବ ବୋଲି ଜମି ମାଲିକ ବାରମ୍ବାର ଚେତାବନୀ ଦେଇ ଚାଲିଛନ୍ତି। କେବଳ ସେତିକି ନୁହେଁ, ନଈ ମଝିରେ ବି ଜମି ମାଲିକ ଖୁଣ୍ଟ ପୋତି ନିଜ ଦଖଲକୁ ନେଇଛନ୍ତି। ଏଭଳି ପରିସ୍ଥିତିରେ ଅଡ଼ୁଆରେ ପଡ଼ିଛନ୍ତି କୁମାରଡିହର ଗାଁ ଲୋକେ। ଏ ପରିସ୍ଥିତିରେ ଖନନ କାର୍ଯ୍ୟରେ ନିୟୋଜିତ ବିଭାଗ ବି ତୁଠ ଖୋଳିବାକୁ ମନା କରି ଦେଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନର ସିଧାସଳଖ ହସ୍ତକ୍ଷେପ ଦାବି କରିଛନ୍ତି ଗାଁ ଲୋକେ।

ସମ୍ବନ୍ଧିତ ଖବର