ନୂଆଦିଲ୍ଳୀ: କୌଣସି ମେଟ୍ରୋ ସହରରେ ଭଡ଼ା ଘର ଖୋଜିବା ବହୁତ କଷ୍ଟକର। ଯଦି ଆପଣ ଅବିବାହିତ ଅଛନ୍ତି ତେବେ ଏହି କାର୍ଯ୍ୟ ଅଧିକ କଷ୍ଟସାଧ୍ୟ ହୋଇଯାଏ। କାରଣ ଘର ମାଲିକମାନେ ଅବିବାହିତ ପିଲାମାନଙ୍କୁ ଭଡ଼ା ଦେବାକୁ ପସନ୍ଦ କରନ୍ତି ନାହିଁ।  ବିଶେଷକରି ବେଙ୍ଗାଲୁରରେ ଏହା ଅଧିକ କଠିନ। ଯଦି ଘର ମାଲିକ ଜାଣନ୍ତି ଯେ ଆପଣ ଆଇଟି ଫାର୍ମରେ କାମ କରନ୍ତି, ତେବେ ପ୍ରଥମେ ସେ ଆପଣଙ୍କୁ ଘର ଦେବା ପାଇଁ ଅନେକ ସର୍ତ୍ତ ରଖିବେ ଏବଂ ତା’ପରେ ସେ ଆପଣଙ୍କୁ ଭଡା ପରିମାଣ ଅଧିକ କହିବେ।

Advertisment

ବେଙ୍ଗାଲୁରୁରେ ରହୁଥିବା ଜଣେ ଅବିବାହିତ ଯୁବକ ଭଡା ଘର ପାଇବା ପାଇଁ ସମ୍ମୁଖୀନ ହେଉଥିବା ଅସୁବିଧା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଆପଣ ହ୍ବାଟ୍‌ସଆପ୍‌ ଚାଟ୍‌ର ଏହି ସ୍କ୍ରିନ୍‌ସଟ୍‌କୁ ଦେଖି ପାରୁଥିବେ। ଯେଉଁଥିରେ ଜଣେ ଘର ମାଲିକ ଏବଂ ଭଡା ଘର ଖୋଜୁଥିବା ଜଣେ ଯୁବକଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି। ଏହି ଭାଇରାଲ୍ ଚାଟରେ କୁହାଯାଇଛି ଯେ ଜଣେ ବାଳକ ଦ୍ବାଦଶ ଶ୍ରେଣୀରେ ମାର୍କ କମ ରଖିଥିବାରୁ ଘର ମାଲିକ ତାଙ୍କୁ ଘରଭଡ଼ା ଦେବାକୁ ମନ‌ା କରି ଦେଇଛନ୍ତି।

ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଟ୍‌ରେ ଘର ମାଲିକ ଯୁବକଙ୍କୁ ତାଙ୍କ ଲିଙ୍କଡଇନ୍, ଟ୍ୱିଟର ପ୍ରୋଫାଇଲ୍, ଅଧାରକାର୍ଡ ଆଦି ସହିତ ମାର୍କସିଟ୍‌ ବି ମାଗିଛନ୍ତି। ତେବେ ଆପଣ ଏହା ବି ଦେଖି ପାରୁଥିବେ ଯେ ସବୁକିଛି ପାଇବା ପରେ ଘର ମାଲିକ ଘର ଦେବାକୁ ମନା କରି ଦେଇଥିଲେ। କାରଣ ମାଲିକ ଜଣକ ୯୦ ପ୍ରତିଶତ ଆଶା ରଖିଥିବା ବେଳେ ଉକ୍ତ ଯୁବକ ଦ୍ବାଦଶରେ ୭୫ ପ୍ରତିଶତ ରଖିଥିଲେ।

ଏହି ହ୍ବ‌ାଟ୍‌ସଆପ୍‌ ଚାଟର୍‌ ସ୍କ୍ରିନସଟ୍ ଟ୍ୱିଟରରେ ଶୁଭ ନାମକ ଜଣେ ବ୍ୟବହାରକାରୀ ସେୟାର କରିଛନ୍ତି। ଟ୍ୱିଟର କ୍ୟାପସନରେ ଲେଖିଛନ୍ତି "ମାର୍କ ଆପଣଙ୍କ ଭବିଷ୍ୟତ ସ୍ଥିର କରେ ନାହିଁ, କିନ୍ତୁ ବେଙ୍ଗାଲୁରରେ ଆପଣ ଫ୍ଲାଟ ପାଇବେ କି ନାହିଁ ତାହା ସ୍ଥିର କରିପାରେ।’