ମାଲେସିଆର ପ୍ରାଶାସନିକ ରାଜଧାନୀ ପୁତ୍ରାଜୟ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏକ ଗୋଲାକାର ଛକ ସମ୍ପ୍ରତି ବିଶ୍ବର ବୃହତ୍ତମ ଗୋଲେଇ ଛକର ମାନ୍ୟତା ବହନ କରୁଛି। ‘ପର୍ସିଆରାନ୍‌ ସୁଲତାନ ସାଲାହୁଦ୍ଦିନ୍‌ ଅବଦୁଲ ଅଜିଜ୍‌ ଶାହ ଗୋଲେଇ’ ବା ‘ପୁତ୍ରାଜୟ ଗୋଲେଇ’ ଭାବେ ପରିଚିତ ଏହି ଛକ ପରିଧିର ଦୈର୍ଘ୍ୟ ୩.୪ କିଲୋମିଟର୍‌ ହୋଇଥିବା ବେଳେ ଏହା ସହରର ୧୫ଟି ପ୍ରମୁଖ ରାସ୍ତାକୁ ସଂଲଗ୍ନ କରୁଛି। ୨୦୦୩ରେ ଲୋକାର୍ପିତ ହୋଇଥିବା ଏହି ଛକ ବିଶେଷ କରି ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି।

Advertisment

ଏହା ମାଲେସିଆର ଦ୍ବିତୀୟ ବୃହତ୍ତମ ରାଜ ନଅର ‘ପୁତ୍ରା ପେର୍ଦାନା ଲାଣ୍ଡମାର୍କ’ ସମେତ ଏକ ବିଶାଳ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲକୁ ପରିବେଷ୍ଟନ କରି ନିର୍ମିତ ହୋଇଛି। ଏଥିରେ ମିଶିଥିବା ରାସ୍ତାଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଦେଶର ପ୍ରମୁଖ ମସଜିଦ୍‌ଗୁଡ଼ିକୁ ସଂଯୋଗ କରୁଛି। ତ୍ରିନିଦାଦ ଓ ଟବାଗୋର ପୋର୍ଟ ଅଫ୍‌ ସ୍ପେନ୍‌ ସ୍ଥିତ ବିଶ୍ବର ଅନ୍ୟତମ ବିରାଟ ଗୋଲେଇ ଛକ ‘କ୍ବିନ୍‌ସ ପାର୍କ ସାଭାନ୍ନା’ର ପରିସୀମା ୩.୭ କି.ମି. ଅର୍ଥାତ୍‌ ‘ପୁତ୍ରାଜୟ’ ଗୋଲେଇଠାରୁ ୩୦୦ ମିଟର ଅଧିକ, କିନ୍ତୁ ତାହା ଚାରିକଡ଼େ ବୁଲି ଆସିବା ଲାଗି ସଂପୂର୍ଣ୍ଣ ଗୋଲାକାର ପଥ ପରିବର୍ତ୍ତେ ୫ଟି ୯୦ ଡିଗ୍ରି ବୁଲାଣି ଦେଇ ଯିବାକୁ ପଡ଼ିଥାଏ। ତେଣୁ ୧୯୭୦ରୁ କାର୍ଯ୍ୟକ୍ଷମ ହୋଇଥିବା ‘କ୍ବିନସ ପାର୍କ ସାଭାନ୍ନା’କୁ ସଂପୂର୍ଣ୍ଣ ଗୋଲେଇ ଛକର ମାନ୍ୟତା ମିଳି ନାହିଁ।