୧୯୮୦ ଦଶକରେ ଲାସିକ୍‌ କୌଶଳର ପ୍ରବର୍ତ୍ତକ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଘୋଲାମ ଏ. ପେମ୍ୟାନ୍ ନିଜର ଦୃଷ୍ଟିଦୋଷ ଦୂର ପାଇଁ ଲାସିକ୍ ଅସ୍ତ୍ରୋପଚାର କରିନାହାନ୍ତି ଏବଂ ଏବେ ବି ଚଷମା ପିନ୍ଧନ୍ତି!

Advertisment

ଲାସିକ୍‌ (ଲେଜର ଆସିଷ୍ଟେଡ୍‌ ଇନ୍‌ ସିଟୁ କିରାଟୋମିଲ୍ୟୁସିସ୍‌) ହେଉଛି ଏକ ଅତ୍ୟାଧୁନିକ ଚକ୍ଷୁ ଅସ୍ତ୍ରୋପଚାର ପ୍ରଣାଳୀ। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ଚଷମା କିମ୍ବା କଣ୍ଟାକ୍ଟ ଲେନ୍ସ ବିନା ସ୍ପଷ୍ଟ ଦୃଷ୍ଟିଶକ୍ତି ହାସଲ କରିବାରେ ସାହାଯ୍ୟ କରିଆସିଛି। ଏହାକୁ ପ୍ରାୟତଃ ନିରାପଦ ଓ ପ୍ରଭାବଶାଳୀ ବିବେଚନା କରାଯାଏ। ତଥାପି ଯେ କୌଣସି ଚିକିତ୍ସା ପ୍ରକ୍ରିୟା ପରି ଲାସିକ୍‌ ବିପଦମୁକ୍ତ ନୁହେଁ। ଆଶ୍ଚର୍ଯ୍ୟଜନକ କଥା ହେଲା, ୧୯୮୦ ଦଶକରେ ଲାସିକ୍‌ କୌଶଳର ପ୍ରବର୍ତ୍ତକ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଘୋଲାମ୍ ଏ. ପେମ୍ୟାନ୍ କିନ୍ତୁ ନିଜର ଦୃଷ୍ଟିଦୋଷ ଦୂର ପାଇଁ ଲାସିକ୍ ଅସ୍ତ୍ରୋପଚାର କରିନାହାନ୍ତି। ଏ ପରିପ୍ରେକ୍ଷୀରେ ଲାସିକ୍‌ ଅସ୍ତ୍ରୋପଚାରର ସମ୍ଭାବ୍ୟ ଜଟିଳତା ବାବଦରେ ଆଲୋଚନା କରିବା। 

ସାଧାରଣତଃ ମାୟୋପିଆ, ହାଇପରୋପିଆ ଓ ଆଷ୍ଟିଗ୍‌ମାଟିଜିମ୍ ଭଳି ଦୃଷ୍ଟିଦୋଷ ଦୂର କରିବା ପାଇଁ ଲେଜର ବ୍ୟବହାର କରି କର୍ନିଆର ଆକାର ସଂଶୋଧନ କରାଯାଇଥାଏ। ଏଥିରେ ଅଧିକାଂଶ ରୋଗୀ ୨୦/୨୫ ପ୍ରତିଶତ କିମ୍ବା ତା’ଠାରୁ ଭଲ ଦୃଷ୍ଟିଶକ୍ତି ହାସଲ କରନ୍ତି। ତେବେ ଅଳ୍ପ ରୋଗୀଙ୍କ ଠାରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇଥାଏ। ଏହା ସ୍ଥାୟୀ ହୋଇପାରେ କିମ୍ବା ଜୀବନର ଗୁଣବତ୍ତା ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ଲାସିକ୍‌ ଅସ୍ତ୍ରୋପଚାର ପରବର୍ତ୍ତୀ ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ଦୀର୍ଘକାଳୀନ ଶୁଷ୍କ ଆଖି। ଏହି ପ୍ରକ୍ରିୟା ଲୁହ କ୍ଷରଣ କରୁଥିବା କର୍ଣ୍ଣିଆଲ୍ ସ୍ନାୟୁକୁ ପ୍ରଭାବିତ କରେ। ଫଳରେ ବେଳେ ବେଳେ ଅସ୍ବସ୍ତିକର ଅନୁଭବ ହୋଇପାରେ ଏବଂ ଆଖିକୁ ଝାପ୍‌ସା ଦିଶିପାରେ। ଅସ୍ତ୍ରୋପଚାର ପରେ କିଛି ବ୍ୟକ୍ତି ବିଶେଷ କରି ରାତିରେ ଆଖି ଝଲସିଯିବା, ତାରା ଆକାରର ଆଲୁଅ ଦିଶିବା ଭଳି ଲକ୍ଷଣ ଅନୁଭବ କରନ୍ତି। ଏହା ରାତିରେ ଗାଡ଼ି ଚଳାଇବା କିମ୍ବା କମ୍ ଆଲୁଅରେ ଦିଗ ନିର୍ଣ୍ଣୟ କରିବାରେ ସମସ୍ୟା ସୃଷ୍ଟି କରିପାରେ।

କେତେକ କ୍ଷେତ୍ରରେ ଲେଜର ଆବଶ୍ୟକ ଠାରୁ କମ୍ ବା ଅଧିକ ଟିସୁ ବାହାର କରିଦେଇଥାଏ, ଫଳରେ ଲାସିକ୍‌ ଅସ୍ତ୍ରୋପଚାର ପରେ ମଧ୍ୟ ପୁଣି ଥରେ ଅସ୍ତ୍ରୋପଚାର କରିବାକୁ କିମ୍ବା ଚଷମା ପିନ୍ଧିବାକୁ ପଡ଼ିପାରେ। କେତେକ କ୍ଷେତ୍ରରେ ଆଖି ଧୀରେ ଧୀରେ ମୂଳ ତ୍ରୁଟିକୁ ଫେରିଯାଏ। ବୟସ, ହରମୋନ୍ ପରିବର୍ତ୍ତନ କିମ୍ବା ଅନ୍ୟ ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଏପରି ହୋଇପାରେ। ଅସ୍ତ୍ରୋପଚାର ପରେ କର୍ଣ୍ଣିଆଲ୍ ଏକ୍ଟାସିଆ ପରି ଏକ ବିରଳ କିନ୍ତୁ ଗମ୍ଭୀର ଅବସ୍ଥା ଦେଖାଦେଇପାରେ, ଯେଉଁଥିରେ କର୍ନିଆ ଫୁଲିଯାଏ ଓ ଦୁର୍ବଳ ହୋଇଯାଏ। ଏହା କ୍ରମେ ଦୃଷ୍ଟିଶକ୍ତି ହ୍ରାସ କରିପାରେ ଏବଂ କର୍ନିଆ ପ୍ରତିରୋପଣ ଆବଶ୍ୟକ ହୋଇପାରେ।