 ଡିଜିଟାଲ୍‌ ସ୍କ୍ରିନ୍‌ ବ୍ୟବହାର ବଢୁଥିବାରୁ ଆଖିର ଯତ୍ନ କିପରି ନେବା?
ଆଜିକାଲି କମ୍ପ୍ୟୁଟର ଓ ଅନ୍ୟାନ୍ୟ ସ୍କ୍ରିନ୍‌ର ବ୍ୟବହାର ବହୁଳ ପରିମାଣରେ ବଢୁଛି। ସେଥିପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। କିଛି ଦୂର‌ରୁ ସ୍କ୍ରିନ୍‌କୁ ଦେଖିବା ଉଚିତ। ୨୦-୨୦-୨୦ ରୁଲ୍‌କୁ ଅନୁକରଣ କରିବା, ଯାହାର ଅର୍ଥ ୨୦ ମିନିଟ୍‌ ସ୍କ୍ରିନ୍‌କୁ ଦେଖିବା ପରେ ୨୦ ଫୁଟ୍‌ ଦୂରତାକୁ ୨୦ ସେକେଣ୍ଡ୍‌ ପାଇଁ ଅନେଇବା। ଏହାଦ୍ବାରା ଆମ ଆଖିକୁ ବିରତି ମିଳିଥାଏ। ଏହା ସହିତ ମଝିରେ ମଝିରେ ଆଖିରେ ଥଣ୍ଡା ପାଣି ମାରିବା ଉଚିତ। ୟୁ.ଭି. ପ୍ରୋଟେକ୍ସନ ଚଷମା ବ୍ୟବହାର କରିବା ମଧ୍ୟ ଆଖି ପକ୍ଷେ ଭଲ।
 କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କେତେ ଉପକାରୀ?
ମୋ ମତରେ କଣ୍ଟାକ୍ଟ ଲେନ୍‌ସ ଅପେକ୍ଷା ଚଷମା ବ୍ୟବହାର ଅଧିକ ଭଲ। କାରଣ ଚଷମାରେ କୌଣସି ପଦାର୍ଥ ସିଧାସଳଖ ଆଖିରେ ବାଜି ନଥାଏ। ଯଦି ଏହା ଭାଙ୍ଗିଯାଏ ସହଜରେ ଆଉ ଗୋଟିଏ ଚଷମା ତିଆରି କରିପାରିବା। କିନ୍ତୁ କଣ୍ଟାକ୍ଟ ଲେନ୍‌ସ ହାଇ ମାୟୋପିଆ ଥିଲେ ପିନ୍ଧାଯାଏ। ଲେନ୍‌ସ ଦ୍ୱାରା ଅନେକ ସମୟରେ ଆଖି ଜଳାପୋଡ଼ା ହୋଇଥାଏ, ଆଖି ନାଲି ପଡ଼ିଯାଏ। ସେଥିପାଇଁ ଲେନ୍‌ସ ବ୍ୟବହାର କରିବା ସମୟରେ ବହୁତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଆଉ ଯଦି ଏଥିରେ ହେଳା କରନ୍ତି ସବୁଦିନ ପାଇଁ ଦୃଷ୍ଟି ଶକ୍ତି ବି ହରାଇପାରନ୍ତି।
 ଦିନକୁ କେତେ ଘଣ୍ଟା କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରିବା ଉଚିତ?
ଆପଣ ଗୋଟେ ଦିନରେ ୬ରୁ ୭ ଘଣ୍ଟା ପାଇଁ କଣ୍ଟାକ୍ଟ ଲେନ୍‌ସ ଲଗାଇପାରିବେ। ଏହି ସମୟରେ ବାରମ୍ବାର ଲେନ୍‌ସକୁ ଛୁଇଁବାଠାରୁ ଦୂରେଇ ରହିବା ଉଚିତ। ଶୁଷ୍କ କିମ୍ବା ଗରମ ସ୍ଥାନରେ ଅଧିକ ସମୟ ବିତାଇବା ଠାରୁ ଦୂରେଇ ରହନ୍ତୁ। ଏହାସହିତ ଆଖି ଖୁଞ୍ଚିହେବା ଭଳି ଲାଗିଲେ କିମ୍ବା ଜଳାପୋଡ଼ା ଅନୁଭବ ହେଲେ ଆଖିକୁ ରଗଡ଼ିବେ ନାହିଁ।
 କଣ୍ଟାକ୍ଟ ଲେନ୍‌ସ ଯୋଗୁଁ କେଉଁ କେଉଁ ରୋଗ ହେବାର ଆଶଙ୍କା ରହିଛି?
ଆଖିରେ ସଂକ୍ରମଣ ହେବା, ଶୁଷ୍କ ପଡ଼ିଯିବା, କଞ୍ଜକ୍ଟିଭାଇଟିସ୍‌, ଜିପିସି (ଆଖି ପତାରେ ଦାନା ଦାନା ହୋଇ ଫଳିଯିବା) ପରି ରୋଗ ହୋଇପାରେ। 
 କଣ୍ଟାକ୍ଟ ଲେନ୍‌ସ କେତେ ଉପଯୋଗୀ ଏବଂ ଏହାର ଉଚିତ ବ୍ୟବହାର ବିଷୟରେ କ’ଣ କହିବେ? 
କିଛି ସମୟ ପାଇଁ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରିବା ଠିକ୍‌। କିନ୍ତୁ କଣ୍ଟାକ୍ଟ ଲେନ୍‌ସ ଅପେକ୍ଷା ଚଷମା ଅଧିକ ଉପଯୋଗୀ ବୋଲି ମୋର ମତ। କଣ୍ଟାକ୍ଟ ଲେନ୍‌ସ ଲଗାଇବା ପୂର୍ବରୁ ନିଜ ହାତକୁ ସାବୁନରେ ଭଲଭାବେ ଧୁଅନ୍ତୁ। ଧ୍ୟାନ ରଖନ୍ତୁ ହାତରେ ଯେପରି କୌଣସି ଧୂଳି ମଳି ଲାଗି ନଥିବ। ନଚେତ ଏହି ଧୂଳି ଆପଣଙ୍କ ଆଖିକୁ ଚାଲିଯିବ ଏବଂ ସମସ୍ୟା ହେବ। ଶୋଇବା ସମୟରେ କଣ୍ଟାକ୍ଟ ଲେନ୍‌ସକୁ କଦାପି ବ୍ୟବହାର କରନ୍ତୁ ନାହିଁ। ଡେଲି ଡିସ୍‌ପୋଜାଲ୍‌ ଲେନ୍‌ସ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ଅର୍ଥାତ୍‌ ପୁନଃବ୍ୟବହାରକ୍ଷମ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରିବାରୁ ଦୂରେଇ ରହନ୍ତୁ।