ଖବର ଏବେ ମନୋରଞ୍ଜନ ପାଲଟି ଯାଇଛି: ବର୍ଖା ଦତ୍ତ

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌ର ଅନ୍ତିମ ଦିବସ

ସାମ୍ବାଦିକତା ଅନ୍ୟ ବୃତ୍ତିଠାରୁ ଭିନ୍ନ: ସୌମ୍ୟରଂଜନ

ଭୁବନେଶ୍ୱର : ଟାଟା ଷ୍ଟିଲ ଓ ସମ୍ବାଦର ମିଳିତ ସହଯୋଗରେ ହୋଟେଲ ଟ୍ରାଇଡେଣ୍ଟଠାରେ ଚାଲିଥିବା ଭୁବନେଶ୍ୱର ଲିଟେରାରି ମିଟ୍‌ର ଆଜି ଥିଲା ଅନ୍ତିମ ଦିବସ। ଶେଷ ଦିନରେ ଲୋକଙ୍କ ସହିତ ଆଲୋଚନା କରିଥିଲେ ବିଶିଷ୍ଟ ଟିଭି ଉପସ୍ଥାପିକା ବର୍ଖା ଦତ୍ତ ଓ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ସାମ୍ବାଦିକତା ଓ ଏହାର ଭବିଷ୍ୟତ, ମିଛ ଖବର ଓ ପ୍ରଯୁକ୍ତି ଜ୍ଞାନର ସାମ୍ବାଦିକତାରେ ପ୍ରଭାବ ଉପରେ ଦୁହେଁ ମନଖୋଲି ଆଲୋଚନା କରିଥିଲେ।

ବର୍ଖା ଦତ୍ତ କହିଥିଲେ, ଖବର ଏବେ ମନୋରଂଜନ ଓ ରେଡିଓ ପାଲଟି ଯାଇଛି। ଆଜିର ସମୟରେ ଖବର ପାଇଁ ଗଣମାଧ୍ୟମ ସଂସ୍ଥା ଟଙ୍କା ଖର୍ଚ କରିବାକୁ ପ୍ରସ୍ତୁତ ନୁହନ୍ତି। ଘଟଣାସ୍ଥଳକୁ ଯାଇ ସେଠାରୁ ରିପୋର୍ଟିଂ ପାଇଁ ଆବଶ୍ୟକ ହେଉଥିବା ଗସ୍ତ ଓ ହୋଟେଲ ସାଙ୍ଗକୁ ଅନ୍ୟାନ୍ୟ ଖର୍ଚ ପାଇଁ ସଂସ୍ଥା ଇଚ୍ଛୁକ ନୁହେଁ। ତେଣୁ କେବଳ ଷ୍ଟୁଡିଓରେ ବସି ସମସ୍ତେ ଆଲୋଚନା କରିବାକୁ ଚାହୁଁଛନ୍ତି। ନ୍ୟୁଜ୍‌ ଆଙ୍କର ଉପରେ ସବୁକିଛି ପର୍ଯ୍ୟବସିତ ରହୁଛି।

ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଛାପା ଗଣମାଧ୍ୟମ ସଂକଟ ଭିତରେ ଗତି କରୁଛି। ନ୍ୟୁଜ୍‌ ପ୍ରିଣ୍ଟ ବହୁତ ମହଙ୍ଗା ହୋଇଯାଇଛି। ଆଜିର ସମୟରେ ଛାପା ଗଣମାଧ୍ୟମ ପାଇଁ ଟିଭି ବଡ଼ ଘାତକ ସାଜିଛି। ଟିଭି ରିପୋର୍ଟିଂ ସଂସ୍କୃତିକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଛି। ଗୋଟିଏ ଦିନରେ ଟିଭିରେ ଚାଲିଥିବା ସ୍କ୍ରଲିଂ ଆସନ୍ତାକାଲି ଖବରକାଗଜରେ କ’ଣ ନ୍ୟୁଜ୍‌ ବାହାରିବ ତାହାର ଏଜେଣ୍ଡା ପ୍ରସ୍ତୁତ କରୁଛି। ତେବେ ଟିଭି ଆସିବା ପରେ ଛାପା ଗଣମାଧ୍ୟମର ମୃତ୍ୟୁ ହେବ ବୋଲି ଯେଉଁ ଆଶଙ୍କା କରାଯାଉଛି ତାହିଁରେ ମୁଁ ଏକମତ ନୁହେଁ। ଯେଉଁମାନେ ପଢ଼ିବା ପାଇଁ ଚାହାନ୍ତି ଓ ଖବରର ଗଭୀର ଅନୁଶୀଳନ କରିବାକୁ ଚାହାନ୍ତି ସେମାନେ ନିଶ୍ଚିତଭାବେ ଛାପା ଗଣମାଧ୍ୟମକୁ ପସନ୍ଦ କରିବେ। ନ୍ୟୁଜ୍‌ ପ୍ରିଣ୍ଟ ପାଇଁ ଯେତିକି ଟଙ୍କା ଖର୍ଚ ହେଉଛି ତାହାର ଅର୍ଥ କିଏ ଭରଣା କରୁଛି ତାହା ସଂପର୍କରେ ପାଠକମାନେ ଜାଣି ରଖିବା ଦରକାର ବୋଲି ସେ କହିଥିଲେ।

ବର୍ଖା ଦତ୍ତ ମଧ୍ୟ ଏହାକୁ ସମର୍ଥନ କରିବା ସହିତ ଖବର ପାଇଁ କିଏ ଅର୍ଥ ଖର୍ଚ କରୁଛି ତାହା ଜାଣି ରଖିବା ଦରକାର ବୋଲି କହିଥିଲେ। ସମସ୍ତ ଖବର ପଢ଼ିବାକୁ ଚାହାନ୍ତି ମାତ୍ର ଏଥିପାଇଁ ଖର୍ଚ କରିବାକୁ ଇଚ୍ଛୁକ ନୁହନ୍ତି। ସମସ୍ତ ରାଜନୈତିକ ଦଳ ଗଣମାଧ୍ୟମକୁ ହାତରେ ରଖିବାକୁ ଚାହାନ୍ତି। ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ରିପୋର୍ଟର ମଧ୍ୟ କେଉଁ ସଂସ୍ଥା ଏହାକୁ ଚଳାଉଛି ତାହା ଜାଣି ନ ଥାନ୍ତି। ଏଭଳି ସ୍ତରରେ ପାଠକ ମଧ୍ୟ ଏ ସଂପର୍କରେ ଜାଣିବା ସମ୍ଭବ ନୁହେଁ। ବିଶ୍ୱରେ ଗଣମାଧ୍ୟମରେ ୩ ପ୍ରକାର ବ୍ୟବସାୟିକ ମଡେଲ କାର୍ଯ୍ୟ କରୁଛି। ସରକାର, ଜନସାଧାରଣ ଓ କର୍ପୋରେଟ୍‌ ହାଉସଙ୍କ ହାତରେ ଗଣମାଧ୍ୟମ ରହିଛି। ଏହି ୩ଟି ମଡେଲକୁ ଛାଡ଼ି ଦେଲେ ଅନ୍ୟ କୌଣସି ଚତୁର୍ଥ ମଡେଲ ବିଷୟରେ ସେ ଜାଣି ନ ଥିବା କହିଥିଲେ।

ଫେକ୍‌ ନ୍ୟୁଜ୍‌ ବା ମିଛ ଖବର ଉପରେ ବର୍ଖା କହିଥିଲେ, ସେ ନିଜେ ଏଭଳି ଖବରର ଶିକାର ହୋଇଛନ୍ତି। ଜୀବନରେ ବିବାହ କରି ନ ଥିଲେ ମଧ୍ୟ ହ୍ଵାଟସ୍‌ଆପ ଓ ଅନ୍ୟ କ୍ଷେତ୍ରରେ ସେ ୩ଟି ବିବାହ କରିଥିବା ଚର୍ଚା ହେଉଛି। ଆଜିର ସମୟରେ ସାମ୍ବାଦିକମାନଙ୍କ ପାଇଁ ହ୍ଵାଟ୍‌ସଆପ୍‌ ଖବର ସଂଗ୍ରହର ମୂଳ ଆଧାର ପାଲଟିଛି। ଅପରପକ୍ଷରେ ଶ୍ରୀ ପଟ୍ଟନାୟକ ଫେକ୍‌ ନ୍ୟୁଜ୍‌କୁ ନେଇ ବିଶେଷ ଚିନ୍ତିତ ନ ଥିବା କହିଥିଲେ। ସେ କହିଥିଲେ, ଏହା ଏକ ସାମୟିକ ପ୍ରକ୍ରିୟା। ଆଜି ମଧ୍ୟ ଛାପା ଗଣମାଧ୍ୟମ ଓ ଟିଭି ଲୋକଙ୍କ ପାଇଁ ବିଶ୍ୱସ୍ତ ହୋଇ ରହିଛନ୍ତି। ସମସ୍ତ ଲୋକଙ୍କୁ ସବୁ ସମୟରେ ବୋକା ବନାଇବା ସମ୍ଭବ ନୁହେଁ। ତେଣୁ ସାମ୍ବାଦିକମାନେ ନିଜକୁ ଚତୁର୍ଥ ସ୍ତମ୍ଭ ବୋଲି ନ ଭାବି ଏହାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବା ଦରକାର। ଭିନ୍ନ ଜୀବନଶୈଳୀ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ନିଜର ଏଜେଣ୍ଡାକୁ ଲୁଚେଇ ରଖିବା ପରିବର୍ତେ ପକ୍ଷଭୁକ୍ତ ହୋଇ ଖବର ପରିବେଷଣ କରିବା ଭଲ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଡ. ମାଳବିକା ବାର୍ନାଜୀ।

ସମ୍ବନ୍ଧିତ ଖବର