ଓଡ଼ିଆ ଗଳ୍ପରେ ହାସ୍ୟରସର ଦୁର୍ଭିକ୍ଷ

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌ର ଅନ୍ତିମ ଦିବସ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟରେ ଗଳ୍ପ ବିଭାଗ ସମୃଦ୍ଧ। ମାତ୍ର ଓଡ଼ିଆ ଗଳ୍ପ ଧୀରେଧୀରେ ହାସ୍ୟ ରସହୀନ ହୋଇଯାଉଛି। କେବଳ ଓଡ଼ିଆ ସାହିତ୍ୟ ନୁହେଁ, ବରଂ ସାଧାରଣ ଜୀବନରେ ମଧ୍ୟ ହସ ଏବେ ଦୁର୍ଭିକ୍ଷ। ‘ଟାଟା ଷ୍ଟିଲ୍‌’ ପକ୍ଷରୁ ‘ସମ୍ବାଦ’ ସହଯୋଗରେ ଆୟୋଜିତ ଲିଟରାରି ମିଟ୍‌ର ତୃତୀୟ ଦିବସର ଶେଷ ପର୍ଯ୍ୟାୟରେ ‘ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ’ ସମ୍ବନ୍ଧୀୟ ଆଲୋଚ୍ୟ ବିଷୟରେ ମତ ରଖି ଏହା ସ୍ୱୀକାର କରିଥିଲେ ବିଶିଷ୍ଟ ଗାଳ୍ପିକ ରାମଚନ୍ଦ୍ର ବେହେରା ଏବଂ ବିଶିଷ୍ଟ କଥାକାର ଗୌରହରି ଦାସ। ଦୁଇ କଥାକାରଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ ଅନୁବାଦକ ଯତୀନ୍ଦ୍ର ନାୟକ। ଉଭୟ ଲେଖକ ତାଙ୍କ ଗଳ୍ପର ସମସ୍ତ ଚିତ୍ର ଓ ଚରିତ୍ରଙ୍କୁ କରୁଣ ଓ ଗମ୍ଭୀର ଅବସ୍ଥାରେ ଭେଟିଥିବାରୁ ତାଙ୍କ ଗଳ୍ପରେ ଏତେ ହାସ୍ୟରସ ନଥିବା ସ୍ୱୀକାର କରିଥିଲେ।

୧୯୭୦ ମସିହାରେ କଲେଜ୍‌ରେ ଅଧ୍ୟାପକ ହେବା ପରେ ଏକ ମଜାଳିଆ ଘଟଣାକୁ ନେଇ ‘ନବରବି’ ପତ୍ରିକାରେ ବାହାରିଥିବା ଗପଟି ତାଙ୍କର ପ୍ରଥମ ବିଧିବଦ୍ଧ ଗପ ବୋଲି କହିଥିଲେ ଶ୍ରୀ ବେହେରା। ଏହି ଗପ ପାଇଁ ତାଙ୍କୁ ସେତେବେଳେ କଣ୍ଡୁରି ଚରଣ ଦାସଙ୍କ ଦ୍ୱାରା ପତ୍ରରେ ପ୍ରଶଂସା ଏବଂ ତାଙ୍କ ସହ ଏକ ପତ୍ରିକା ପାଇଁ କାମ କରିବା ପାଇଁ ଡାକିବା ସବୁଠୁ ସ୍ମରଣୀୟ ଉପଲବ୍ଧି ବୋଲି ସେ କହିଥିଲେ। ସେହିଭଳି ୧୯୭୧ ମସିହାରେ ଭଦ୍ରକ ଓ ଚାନ୍ଦବାଲି ଅଞ୍ଚଳ ବିପନ୍ନ ହୋଇପଡ଼ିଥିବା ବେଳେ ‘କଲ୍ୟାଣୀ’ ପତ୍ରିକାରେ ‘କ୍ଷୀଣାଲୋକ’ ଗଳ୍ପରୁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିବା ଗୌରହରି ଦାସ କହିଥିଲେ, ମୋ ଗପ ବାହାରିବା ପରେ ବନ୍ଧୁମାନେ ଏହାକୁ ମୁଁ ଲେଖିଥିବା ବିଶ୍ୱାସ କଲେନାହିଁ। ସାଙ୍ଗମାନେ କହିଲେ, କୋଉଠୁ ପତ୍ରିକାରୁ ଉତାରି ଦେଇଛୁ। କିନ୍ତୁ ଗପଟି କ୍ଲାସ୍‌ରେ ପଢ଼ା ହେବା ପରେ ମୋ’ ଶିକ୍ଷକ କହିଥିଲେ ଏ ଗପଟି ଗୌରହରି ଛଡ଼ା ଆଉ କେହି ଲେଖିନାହିଁ। ସେଦିନ ମୁଁ ଖୁସିରେ କାନ୍ଦି ପକାଇଥିଲି ବୋଲି କହିଛନ୍ତି ଶ୍ରୀ ଦାସ।

ଅନୁଭୂତିକୁ ଗଳ୍ପରେ କେମିତି ଉତାରନ୍ତି ବୋଲି ପ୍ରଶ୍ନ ପରେ ଶ୍ରୀ ବେହେରା କହିଥିଲେ, ଅନୁଭୂତି ହିଁ ବିବର୍ତନ ଦେଇ ଗଳ୍ପରେ ପରିଣତ ହୁଏ। ଶୁଣିଥିବା ଓ ଦେଖିଥିବା କଥାଟି ନଲେଖିବା ପର୍ଯ୍ୟନ୍ତ ତାହା ମତେ ଅସ୍ଥିର କରେ ବୋଲି ସେ କହିଥିଲେ।

ଶ୍ରୀ ଦାସ ଦେଖିଥିବା ଏକ ଘଟଣାକୁ ନେଇ ଲେଖିଥିବା ‘କାହ୍ନର ଘର’ ଗଳ୍ପର ଉଦାହରଣ ଦେଇ କହିଲେ ଅନେକ ସତକଥାକୁ ସିଧା କହିବା ସମ୍ଭବ ହୁଏନି। ତେଣୁ ତାହା ଗଳ୍ପର କାହାଣୀ ରୂପେ ନିଆଯାଏ। ସେକ୍ସପିୟର ଓ ଦୋସ୍ତୋଭସ୍କିଙ୍କ ଗଳ୍ପ ଶ୍ରୀ ବେହେରାଙ୍କୁ ପ୍ରଭାବିତ କରିଥିବା ବେଳେ ଶ୍ରୀ ଦାସ କହିଥିଲେ ମତେ ଦର୍ଶନ ପଢ଼ିବାକୁ ଭଲ ଲାଗେ। ସେହିପରି ନୂଆପିଢ଼ିର ଲେଖାରେ ପ୍ରଚୁର ସମ୍ଭାବନା ରହିଥିବା ଉଭୟ ଲେଖକ କହିଥିଲେ।

ସମ୍ବନ୍ଧିତ ଖବର