ଭୁବନେଶ୍ବର: ଖାଦ୍ୟ ଖାଇଲେ ହିଁ ଆମ ଶରୀର ପୋଷଣ ପାଇଥାଏ। କିନ୍ତୁ ଖାଦ୍ୟ ଆମେ ଭୋକ ଲାଗିଲେ ଖାଉ ଏବଂ ଲୋଭରେ ବି ଖାଉ। ଲୋଭରେ ଖାଇଲେ ତାହା ଆମର ପୁଷ୍ଟି ସାଧନ ନ କରି ଅହିତ କରିଥାଏ। ସୁତରାଂ ଭୋକ ଲାଗିଲେ ହିଁ ଖାଇବା ଉଚିତ। ଭୋକ ନ ଥାଇ ଖାଦ୍ୟ ଲୋଭରେ ଖାଇବା ଉଚିତ ନୁହେଁ। ପୁଣି ଖାଦ୍ୟ ଖାଇବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ରହିବା ଉଚିତ। ଯେତେବେଳେ ଇଚ୍ଛା ସେତେବେଳେ ଖାଇବା ଏବଂ ବିଳମ୍ବିତ ରାତିରେ ଖାଇବା ଉଚିତ ନୁହେଁ। ଆୟୁର୍ବେଦ ଶାସ୍ତ୍ର ମତରେ ସକାଳର ଖାଇବାଟା ରାଜକୀୟ ଭୋଜନ ପରି ଗରିଷ୍ଠ ହେବା ଉଚିତ। ମଧ୍ୟାହ୍ନଭୋଜନ ତା’ଠୁ ହାଲୁକା ଏବଂ ସନ୍ଧ୍ୟାକାଳୀନ ଭୋଜନ ସବୁଠୁ ହାଲୁକା ହେବା ଉଚିତ। ବିଳମ୍ବିତ ରାତିରେ ଆଦୌ ଖାଇବା ଉଚିତ ନୁହେଁ। ରାତିରେ ଶୋଇବା ପୂର୍ବରୁ ଆପଣ ଛୋଟ କାଚ ଗ୍ଲାସ୍ରେ ଏକ ଗ୍ଲାସ୍ ଦେଶୀ ଗାଈ କ୍ଷୀର ପିଇ ଶୋଇପାରିବେ। କିନ୍ତୁ କ୍ଷୀର ପିଇସାରି କୁଳି କରିବା ନିହାତି ଆବଶ୍ୟକ, ନ ହେଲେ ଦାନ୍ତ ପୋକ ଖାଇବ। ବିଳମ୍ବିତ ରାତିରେ ବା ମଧ୍ୟରାତ୍ରିରେ ଯେଉଁମାନେ ଭୋଜନ କରନ୍ତି ତାକୁ ରାକ୍ଷସୀ ଭୋଜନ କୁହାଯାଏ।
ସ୍ନାନ, ଦାନ, ଭୋଜନ ଓ ଭଜନ- ଏ ଚାରିଟି ଆମ ଜୀବନର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହାକୁ ପ୍ରତ୍ୟହ ନିର୍ଦ୍ଦିଷ୍ଟ ସମୟରେ କରିବା ଉଚିତ। ଶାସ୍ତ୍ରରେ ଅଛି-
‘‘ଶତଂ ବିହାୟ ଭୋକ୍ତବ୍ୟଂ ସହସ୍ରଂ ସ୍ନାନମାଚରତ୍।
ଲକ୍ଷଂ ବିହାୟ ଦାତବ୍ୟଂ କୋଟିଂ ତ୍ୟକ୍ତ୍ୱା ହରିଂ ଭଜେତ୍।।’’ (ସୁଭାଷିତ)
ଅର୍ଥାତ୍, ଶହେ କାମ ଛାଡି ଭୋଜନ କର, ହଜାରେ କାମ ଛାଡି ସ୍ନାନ କର, ଲକ୍ଷେ କାମ ଛାଡି ଦାନ କର ଏବଂ କୋଟିଏ କାମ ଛାଡି ହରିଙ୍କୁ ଭଜନ କର।
ଶହେ କାମ ଛାଡ଼ି ଭୋଜନ କର, ମାନେ ଯଦି ଭୋଜନର ସମୟ ହୋଇଯାଇଛି ଓ ଭୋକ ହେଉଛି, ତେବେ ଅନ୍ୟ ସବୁ କାମ ଛାଡ଼ି ଆଗେ ଭୋଜନ କରିବା ଉଚିତ। କାରଣ ନିର୍ଦ୍ଦିଷ୍ଟ ସମୟରେ ଭୋଜନ କଲେ ତାହା ଆମ ଦେହର ଅଭ୍ୟାସଗତ ହୋଇଯାଇଥାଏ। ସେଥିରେ ବିଳମ୍ବ ବା ଅନିୟମିତତା ହେଲେ ଆମ ହଜମ ଶକ୍ତି ଉପରେ ପ୍ରଭାବ ପଡ଼େ। ଖାଦ୍ୟ ହଜମ କରିବା ପାଇଁ ଆମ ଶରୀରରେ ଏକ ପ୍ରକାର ଅମ୍ଳ ସୃଷ୍ଟି ହୁଏ, ଯାହାକୁ ଇଂରାଜୀରେ କୁହାଯାଏ ହାଇଡ୍ରୋକ୍ଳୋରିକ୍ ଏସିଡ୍ ବା ଲବଣାମ୍ଳ। ପେଟ ଯଦି ଦୀର୍ଘ ସମୟ ଧରି ଖାଲି ରହେ ଏବଂ ଏହା ଦିନ ଦିନ ଧରି ଘଟେ, ତେବେ ସେହି ଅମ୍ଳ ଆମର ଅନ୍ତନଳୀର ମ୍ୟୁକସ୍ ମେମ୍ବ୍ରେନକୁ ଖାଇଯାଏ। ଫଳରେ ପେଟରେ ଘାଆ ସୃଷ୍ଟି ହୁଏ, ଯାହାକୁ ଷ୍ଟୋମାକ୍ ଅଲ୍ସର କୁହାଯାଏ। ଶୀଘ୍ର ଚିକିତ୍ସା ନ କଲେ ତାହା ମାରାତ୍ମକ ହୋଇପାରେ। ତେଣୁ ନିୟମିତଭାବେ ଠିକ୍ ସମୟରେ ଖାଇବା ଉଚିତ। ପୁଣି ଖାଦ୍ୟ ତ ଆମକୁ କାମ କରିବା ପାଇଁ ବଳ ଯୋଗାଇଥାଏ। ଆମେ ଖାଇବାନି ଯଦି ଅନ୍ୟସବୁ କାମ କରିବା ପାଇଁ ବଳ ପାଇବା କିପରି? ତେଣୁ ଶହେ କାମ ଛାଡ଼ି ଆଗ ଖାଇବା ପାଇଁ ପରାମର୍ଶ ଦିଆଯାଇଛି। ଏହା ବିଶେଷକରି ମାଆମାନେ ଧ୍ୟାନରେ ରଖିବା ଉଚିତ, ଯେଉଁମାନେ ଘରକାମ କରୁକରୁ ଓ ପରିବାରର ଅନ୍ୟ ସମସ୍ତଙ୍କ କଥା ବୁଝୁବୁଝୁ ନିଜ ଖାଇବା ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ଫଳରେ ସେମାନେ ଅସୁସ୍ଥ ହୋଇ ନିଜକୁ ତଥା ପରିବାରକୁ ଅସୁବିଧାରେ ପକାଇଥାନ୍ତି।
ଠିକ୍ ସମୟରେ ଖାଇବା ଅପେକ୍ଷା ଠିକ୍ ସମୟରେ ଗାଧୋଇବା ଆହୁରି ଗୁରୁତ୍ବପୂର୍ଣ୍ଣ। କାରଣ ଗାଧୋଇବା ଦ୍ବାରା ଆମ ଶରୀର ନିର୍ମଳ ଓ ପବିତ୍ର ହୋଇଯାଇଥାଏ। ଗାଧୋଇବା ପରେ ଆମେ ପୂଜା ଓ ସନ୍ଧ୍ୟା-ଉପାସନା ଆଦି କରିଥାଉ। ପୁଣି ଗାଧୋଇବା ପରେ ହିଁ ଆମେ ଖାଇଥାଉ। ଗାଧୋଇବା ପରେ ଶରୀର ଓଦା ଥିବା ଅବସ୍ଥାରେ ଖାଇବାକୁ ଆୟୁର୍ବେଦ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି। ଘରର ମୁରବିମାନେ କହିଥାନ୍ତି, ଗାଧୋଇସାରି ତୁରନ୍ତ କିଛି ଖାଇନିଅ, ନ ହେଲେ ଥଣ୍ଡା ଧରିବ। ଅନେକେ ଗାଧୋଇବା ପରେ ନିର୍ମାଲ୍ୟ ବା ଲୁଣ ଟିକେ ଅନ୍ତତଃ ପାଟିରେ ପକାଇଥାନ୍ତି।
ପୁଣି ଗାଧୋଇବା ଅପେକ୍ଷା ଦାନ କରିବାକୁ ଅଧିକ ଗୁରୁତ୍ବ ଦିଆଯାଇଛି। କୁହାଯାଇଛି, ଲକ୍ଷେ କାମ ଛାଡ଼ି ଦାନ କରିବା ଉଚିତ। ଏହା ପ୍ରତ୍ୟହ ନିୟମିତ ଦାନକୁ ସୂଚିତ କରେ, ଯାହାକୁ ଅନେକେ ନିଜ ଜୀବନର ଏକ ଅଙ୍ଗ କରିଥାନ୍ତି। କୁହାଯାଇଛି- ଦେଇଥିଲେ ପାଇ, ବୁଣିଥିଲେ ଦାଇ। ଆମେ ଯାହାକିଛି ପାଇଛୁ, ସେଥିରେ ଅନ୍ୟମାନଙ୍କର ଅବଦାନ ରହିଛି। ଆମେ ପାଣି ପିଉ, ବାୟୁକୁ ପ୍ରଶ୍ବାସରେ ନେଉ, ମାଟିରୁ ଫସଲ ଅମଳ କରି ଖାଉ- ଏ ସବୁ ଦେବତାଙ୍କ ଦାନ। ବାପା, ମାଆ, ଗୁରୁ, ପଡ଼ୋଶୀ, ଦେବତା ସମସ୍ତଙ୍କର ଆମେ ଋଣୀ। ତେଣୁ ସେମାନଙ୍କୁ ନ ଦେଇ ଖାଇବାକୁ ଗୀତାରେ ଚୌର୍ଯ୍ୟବୃତ୍ତି (ଇଷ୍ଟାନ୍ ଭୋଗାନ୍...ସ୍ତେନ ଏବ ସଃ) ବୋଲି କୁହାଯାଇଛି। ତେଣୁ ପ୍ରତ୍ୟହ ଦେବତାଙ୍କୁ ଅର୍ପଣ କରି ବା ‘ସର୍ବଦେବମୟୋ ଗୁରୁଃ’ ହୋଇଥିବାରୁ ତାଙ୍କୁ ଅର୍ପଣ କରି ବା ଦେବଯଜ୍ଞ ସମାପନ କରି ଭୋଜନ କରିବାକୁ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି।
ଦାନ କରିବା ଅପେକ୍ଷା ଆହୁରି ଗୁରୁତ୍ବପୂର୍ଣ୍ଣ ହେଉଛି- ହରିଭଜନ। କୋଟିଏ କାମ ଛାଡ଼ି ହରିଙ୍କୁ ଭଜନ କରିବାକୁ ବା ନାମଜପ କରିବାକୁ କୁହାଯାଇଛି। ଖାଦ୍ୟ ସିନା ଆମ ଦେହକୁ ପୋଷଣ କରେ, ନାମ ଆମର ମନ ଓ ଆତ୍ମାକୁ ପୋଷଣ କରେ। ତେଣୁ ନାମ ଜପ ଓ ଧ୍ୟାନ ନିୟମିତ କରିବା ଉଚିତ। ଏହି ନାମ, ବିଶେଷତଃ ଗୁରୁଙ୍କ ପ୍ରଦତ୍ତ ନାମକୁ ମନ୍ତ୍ର କୁହାଯାଏ। ମନ୍ତ୍ର କାହାକୁ କହନ୍ତି- ମନନାତ୍ ତ୍ରାୟତେ ଇତି ମନ୍ତ୍ରଃ। ମନନ କଲେ ଯାହା ଆମକୁ ତ୍ରାଣ କରେ ତାହା ହେଉଛି ମନ୍ତ୍ର। ଏହା ସବୁ ରୋଗର ମହୌଷଧି। ଏହାକୁ ଆମେ କେତେବେଳେ ଜପ କରିବା? ‘‘ଉଷାନିଶାରେ ମନ୍ତ୍ରସାଧନ ଚଲାବୁଲାରେ ଜପ, ଯଥାସମୟରେ ଇଷ୍ଟ ନିଦେଶ ମୂର୍ତ୍ତ କରିବା ତପ।’’ (ଅନୁଶ୍ରୁତି) ଖାଇବା, ଶୋଇବା, ଗାଧୋଇବା, ସନ୍ଧ୍ୟାପ୍ରର୍ଥନା କରିବା, ଜପଧ୍ୟାନ କରିବା ଯାହାର ଯେତେ ଶୃଙ୍ଖଳିତ, ତାହାର ସ୍ବାସ୍ଥ୍ୟ ସେତେ ଠିକ୍ ଥାଏ।