ଆଇନଶୃଙ୍ଖଳା ଓ ପୁଲିସ ଉପରେ ଲେଖିଲେ, ପୁଲିସ ଯେ ଏକ ବୃହତ୍ତର ସମଷ୍ଟିର ଏକ ଅଂଶ, ତାହା ବୁଝିବାକୁ ହେବ। ଏ ବ୍ୟବସ୍ଥା ଅପରାଧ ଓ ନ୍ୟାୟିକ ଅବସ୍ଥା ବା କ୍ରିମିନାଲ୍ ଜଷ୍ଟିସ୍ ସିଷ୍ଟମ୍। ଏ ବ୍ୟବସ୍ଥାର ତିନିଟି ମୁଖ୍ୟ ଅଙ୍ଗ ହେଲା ପୁଲିସ, ବିଚାରାଳୟ ଓ କାରାଗାର ବ୍ୟବସ୍ଥା, ଯାହା ସଙ୍ଗେ ଅପରାଧୀମାନଙ୍କ ଚରିତ୍ର ସଂଶୋଧନ ଓ ମାନସିକତା ପରିବର୍ତ୍ତନ ଜଡ଼ିତ। ଭାରତ ସ୍ବାଧୀନତା ପାଇବା ପରେ ନୂତନ ଭାରତ ଗଠନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସରକାର ଆରମ୍ଭ କଲେ ଓ ବିଭିନ୍ନ ସଂସ୍ଥାମାନଙ୍କରେ ସଂସ୍କାର ଅଣାଗଲା। କିନ୍ତୁ ଏହି ତିନିଟି ସଂସ୍ଥା ସେଥିରୁ ବାଦ୍ ପଡ଼ିଲେ। କେବଳ କାରାଗାର ବିଭାଗରେ କିଛି ନୂତନ ଚିନ୍ତନ ଆରମ୍ଭ ହେଲା। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଦୀର୍ଘ ୧୦ ବର୍ଷ ଧରି କାରାଗାରରେ ରହି ତାଙ୍କର ପୁସ୍ତକମାନ ଲେଖିଥିଲେ ଓ କାରାଗାରମାନଙ୍କ ଅବସ୍ଥିତି ଦେଖି ମ୍ରିୟମାଣ ହେଉଥିଲେ। ସ୍ବାଧୀନତା ପ୍ରାପ୍ତି ପରେ ସେ ଆମେରିକାରୁ ଜଣେ ବିଶେଷଜ୍ଞ ଆଣିଲେ ଏ ଦିଗରେ ପରାମର୍ଶ ଦେବାକୁ, ଯାହା ଫଳରେ ପ୍ରୋବେସନ୍‌ ଓ କରେକ୍ସନାଲ୍ ସର୍ଭିସ୍‌ ବା ଅପରାଧୀମାନଙ୍କ ମାନସିକ ଯତ୍ନ ଓ ଚରିତ୍ର ସଂଶୋଧନ ବିଭାଗ ଖୋଲିଲା। ୧୯୬୦ରେ ଶିଶୁ ଆଇନ ପାରିତ ହେଲା।

Advertisment

ଅପରାଧ ନିବାରଣ ଓ ନ୍ୟା‌ୟିକ ବ୍ୟବସ୍ଥା କଥା ଉଠିଲେ ସମସ୍ତ ଆଖି ପ୍ରଥମେ ପଡ଼ିବ ପୁଲିସ ଉପରେ, କାରଣ ପୁଲିସ ଅଧିକ ଦୃଶ୍ୟମାନ। ଗ୍ରାମମାନଙ୍କରେ ବିଟ୍‌ ହାଉସ୍ ଛଡ଼ା ଫାଣ୍ଡି, ତା’ପରେ ଥାନାରୁ ଜିଲ୍ଲା ଓ ରାଜ୍ୟସ୍ତର, ସବୁଠାରେ ପୁଲିସ। ରାସ୍ତାରେ ପୁଲିସ ଆଇନଶୃଙ୍ଖଳା ରକ୍ଷା ପାଇଁ, ଛକମାନଙ୍କରେ ପୁଲିସ ଯାନବାହନ ନିୟନ୍ତ୍ରଣ ପାଇଁ, ଭି.ଆଇ.ପି. ସୁରକ୍ଷାରେ ପୁଲିସ, ଉଚ୍ଛେଦନ କାମ, ଯାତ୍ରା ନିୟନ୍ତ୍ରଣ, ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ପୁଲିସ ନାହିଁ। ନାଗରିକ ସମାଜର ଦୈନନ୍ଦିନ ଜୀବନ ସୁରୁଖୁରୁରେ ବିତିବା ପାଇଁ ପୁଲିସ ଅପରିହାର୍ଯ୍ୟ। ଅନ୍ୟ ପକ୍ଷରେ ସେହି ପୁଲିସ, ଏକ ବ୍ୟକ୍ତି ବା ଅନୁଷ୍ଠାନ ଯାହା ସେହି ନାଗରିକମାନଙ୍କ ମନରେ ବିତୃଷ୍ଣା ଭାବ ଜାତ କରିଥାଏ। ଦେଶରେ ଏପରି କୌଣସି ଆଇନ ନାହିଁ ଯେଉଁଠାରେ ପୁଲିସ ନାହିଁ। ଆଇନରେ ଥିବା ଅମାପ କ୍ଷମତା ଯେତେବେଳେ ପୁଲିସ ଅପବ୍ୟବହାର କରେ, ସମାଜରେ ଲୋକପ୍ରିୟତା ହରାଇଥାଏ। ଆମ ପୁଲିସ ବ୍ୟବସ୍ଥାକୁ ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ଏହା ବ୍ରିଟିଶ୍ ସାମ୍ରାଜ୍ୟବାଦର ପ୍ରଧାନ ଦୃଶ୍ୟମାନ ରକ୍ଷକ ଥିଲା ଦମନମୂଳକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ।

ଏ ଦୃଶ୍ୟପଟ ଭାରତ ସ୍ବାଧୀନ ହେବା ପରେ ବଦଳିଗଲା, କାରଣ ପ୍ରଶାସନକୁ ସଂବିଧାନ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିଲା। ଯାହାର ମୂଳଦୁଆ ଥିଲା ବ୍ୟକ୍ତି ସ୍ବାଧୀନତା, ବାକ୍ ସ୍ବାଧୀନତା, ମାନବିକ ଅଧିକାର ଓ ଅସମାନତା ଦୂରୀକରଣ ଆଦି। ଆଉ ପୁଲିସର କାର୍ଯ୍ୟପ୍ରଣାଳୀ ଏପରି ଯେ ସଂବିଧାନସମ୍ମତ ଅଧିକାରମାନଙ୍କ ଉଲ୍ଲଂଘନ ପ୍ରତି ପଦକ୍ଷେପରେ ହୋଇପାରେ। କିଛି ଉଦାହରଣ ଦେଖନ୍ତୁ, ଏକ ଅଭିଯୋଗକାରୀ ଦୁଃଖ ଓ ମାନସିକ ଚାପରେ ପଡ଼ି ଥାନାକୁ ଆସି ତା’ର ଅଭିଯୋଗ ଫର୍ଦ୍ଦ ଦାଖଲ କରିଥାଏ। ଥାନାବାବୁ ମନ୍ଦ ଉଦ୍ଦେଶ୍ୟ ନେଇ ଅଭିଯୋଗକୁ ଏଫ୍.ଆଇ.ଆର୍. କରିବେ ନାହିଁ। ମନ୍ଦ ଉଦ୍ଦେଶ୍ୟ ଛଡ଼ା ଆଉ ଏକ ସମସ୍ୟା ରାଜନୀତିକ ଚାପ। ତା’ପରେ ଯଥେଷ୍ଟ କାରଣ ନ ଥାଇ ଗିରଫ କରିବା, ବିନା ୱାରେଣ୍ଟ୍‌ରେ ଘରେ ପଶିବା, ମାତ୍ରାଧିକ ବଳପ୍ରୟୋଗ କରିବା। ଲମ୍ବା ତାଲିକା। ଏସବୁ ଘଟଣା ବ୍ରିଟିଶ୍ ସମୟରେ ଘଟୁଥିବା ବେଳେ କେହି କହୁ ନ ଥିଲେ, ପୁଲିସର ଦମନ ଭୟରେ। ପୁଲିସ ବିଭାଗର ସଂସ୍କାର ଓ ଏହାକୁ ଲୋକାଭିମୁଖୀ କରି ସଂବିଧାନର ମର୍ଯ୍ୟାଦା ପ୍ରତି ସମ୍ମାନ, ନାଗରିକମାନଙ୍କ ପାଇଁ ପୁଲିସର ଲୋକପ୍ରିୟତା ଉପରେ ଚିନ୍ତନ ୬୦ ଦଶକରେ ଆରମ୍ଭ ହେଲା। ୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ, ଏହା ଥିଲା ପୁଲିସ ପାଇଁ ଏକ ଦୁର୍ଭାଗ୍ୟଜନକ ଓ ଦୁଃଖଦ ସମୟ। ଜରୁରୀକାଳୀନ ପରିସ୍ଥିତି ଜାରି ହେଲା ସଂବିଧାନରେ ଥିବା ଧାରାମାନଙ୍କ ସାହାଯ୍ୟରେ ଏବଂ ସବୁ ଅସାଂବିଧାନିକ କାର୍ଯ୍ୟକ୍ରମ ନିଆଗଲା ପୁଲିସ ମାଧ୍ୟମରେ। ସବୁ ବିରୋଧୀ ଦଳ ନେତା ଓ ଅସଂଖ୍ୟ ନିରୀହ ଜନସାଧାରଣ ଗିରଫ ହୋଇ ଜେଲ୍‌ରେ ରହିଲେ। ଜନସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହେଲେ। ଏହା କହିବାର ଉଦ୍ଦେଶ୍ୟ ହେଲା, ଏକ ଗଣତନ୍ତ୍ରରେ ମଧ୍ୟ କ୍ଷମତାଶୀଳ ଦଳ ପୁଲିସର ଅପବ୍ୟବହାର କରିପାରେ ଏବଂ ଏ ସବୁ ଘଟଣା କ୍ବଚିତ୍‌ ବିଚାରାଳୟକୁ ଯାଏ।

ଏହାକୁ କୁହାଯାଏ ‘ଅନ୍‌ହୋଲି ଆଲାଏନ୍‌ସ’ ବା ‘ଅପବିତ୍ର ମେଣ୍ଟ’। ଏପରି ମେଣ୍ଟ ସବୁ କ୍ଷେତ୍ରରେ ଗଢ଼ି ଉଠିଲା, ପୁଲିସ ଓ ଖଣି ମାଫିଆ, ମଦ ମାଫିଆ, ମାଦକଦ୍ରବ୍ୟ ଚାଲାଣ ଓ ବିତରଣ ବ୍ୟବସ୍ଥା, ନାରୀ ଓ ଶିଶୁ ଚାଲାଣ ରାକେଟ୍, ଜମି ମାଫିଆ। ଅଧିକାଂଶ ମାଫିଆଙ୍କ ଅପବିତ୍ର ମେଣ୍ଟର ତ୍ରାଣକର୍ତ୍ତା ଥାଆନ୍ତି ରାଜନେତା। ୧୯୭୭ରେ ଜରୁରୀକାଳୀନ ବ୍ୟବସ୍ଥା ଉଠିବା ପରେ ନିର୍ବାଚନ ହେଲା। ଇନ୍ଦିରା ଗାନ୍ଧୀ ପରାଜିତ ହେଲେ ଓ ଜନତା ଦଳ କ୍ଷମତାକୁ ଆସି କଂଗ୍ରେସ ସମୟର ବିଭିନ୍ନ କାର୍ଯ୍ୟକ୍ରମକୁ ବନ୍ଦ କଲେ। ସରକାରୀ କର୍ମଚାରୀଙ୍କୁ ତଡ଼ିଲେ। ଦଳ କନ୍ଦଳ ଯୋଗୁଁ ଜନତା ଦଳ ଅଢ଼େଇ ବର୍ଷରେ ତଡ଼ା ଖାଇଲେ ଓ ଇନ୍ଦିରା ଗାନ୍ଧୀ ପୁଣି କ୍ଷମତାକୁ ଫେରିଲେ। ଜନତା ଦଳ କ୍ଷମତାକୁ ଆସିଲା ପରେ ୧୯୭୭ରେ ପୁଲିସରେ ସଂସ୍କାର ଆଣି, ତାକୁ କିପରି ଲୋକାଭିମୁଖୀ କରାଯାଇପାରିବ, କ୍ଷମତାର ଅପବ୍ୟବହାର ବନ୍ଦ କରାଯାଇପାରିବ, ସେଥିପାଇଁ ଏକ ଜାତୀୟ ପୁଲିସ କମିଶନ ଗଠନ କଲେ। ୧୯୮୦ ସୁଦ୍ଧା ଏ କମିଶନ ସାତଟି ରିପୋର୍ଟ ପ୍ରଦାନ କଲେ। ସେତେବେଳେ ଇନ୍ଦିରା ଗାନ୍ଧୀ କ୍ଷମତାକୁ ଫେରିଆସିଲେଣି। ସବୁ ରିପୋର୍ଟ ଶୀତଳ ଭଣ୍ଡାରକୁ ଗଲା। ଅନ୍ୟପକ୍ଷରେ, ସାମାଜିକ କ୍ଷେତ୍ରରେ ସଚେତନତା ଜାଗରଣ ଫଳରେ ସମାଜର ସବୁ ବର୍ଗକୁ ସୁରକ୍ଷା ଓ ସମାନ ଅଧିକାର ଦେବା ଲକ୍ଷ୍ୟରେ ବିଭିନ୍ନ ସାମାଜିକ ଆଇନମାନ ପାରିତ ହେଲା। ୧୯୫୦ ଦଶକରୁ ଅସ୍ପୃଶ୍ୟତା ନିବାରଣ ଆଇନ, ଶିଶୁ ସୁରକ୍ଷା ଆଇନ, ପଛୁଆ ବର୍ଗଙ୍କ ସୁରକ୍ଷା ଆଇନ, ଶ୍ରମିକମାନଙ୍କ ସୁବିଧା ଓ ମଙ୍ଗଳ ପାଇଁ ଆଇନମାନ ପାରିତ ହେଲା। ଯୌତୁକ ପ୍ରଥା ନିରୋଧ, ନାରୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ପ୍ରତିରୋଧ, ମାନବିକ ଅଧିକାର ଉପରେ ମଧ୍ୟ ଆଇନ ପ୍ରଣୟନ ହେଲା। ପୁଲିସ ନେତୃତ୍ବ ମଧ୍ୟ ଏ ଦିଗରେ ସଚେତନ ରହି କ୍ରିୟାଶୀଳ କାର୍ଯ୍ୟାନୁଷ୍ଠାନ କଲେ ଓ ବିଭିନ୍ନ ଯୋଜନାରେ ଅର୍ଥ ଅନୁଦାନ ଆସିଲା। କିନ୍ତୁ ପୁଲିସରେ କର୍ମଚାରୀ, ବୈଷୟିକ କୁଶଳତା ଓ ପ୍ରଶିକ୍ଷଣର ଏତେ ଅଭାବ ଥିଲା ଯେ, ଏ ସବୁ ସମୁଦ୍ରକୁ ଶଙ୍ଖେ ପାଣି ପରି ଥିଲା।

ଏ ପରିପ୍ରେକ୍ଷୀରେ ଅର୍ଥାତ୍ ପୁଲିସରେ ସଂସ୍କାରର ଅବର୍ତ୍ତମାନରେ ଦୃଷ୍ଟିପାତ କରିବା ବିଚାର ବ୍ୟବସ୍ଥା ଉପରେ। ଏ କ୍ଷେତ୍ରରେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ଉଲ୍ଲେଖନୀୟ ସଂସ୍କାର ହୋଇପାରି ନାହିଁ। ଅପରାଧ ନିରାକରଣରେ ଆମ ବିଚାର ବ୍ୟବସ୍ଥା ବ୍ରିଟେନ୍‌ର ନ୍ୟାୟିକ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ। ଏହା ହେଲା ୟୁନିଭର୍ସାଲ୍ ସିଷ୍ଟମ୍, ଯେଉଁଥିରେ ପୁଲିସକୁ କୋର୍ଟ ବିରୋଧୀ ଭୂମିକାରେ ରଖିଥାଏ। ପୁଲିସର ଦାୟିତ୍ବ ଶତପ୍ରତିଶତ ସାକ୍ଷ୍ୟ ପ୍ରମାଣ ପ୍ରଦାନ କରିବା, ନ ହେଲେ ଅଭିଯୁକ୍ତକୁ ନିର୍ଦ୍ଦୋଷ ବୋଲି ରାୟ ଦିଆଯାଏ। ବିଚାରପତି ବିଚାର ସମୟରେ ଏକ ନିରବ ଦର୍ଶକ ରୂପେ ବସି ପୁଲିସ ଓ ଅଭିଯୁକ୍ତର ବୟାନ ଶୁଣିଲା ପରେ ସାମାନ୍ୟ ସନ୍ଦେହ ଥିଲେ ଦୋଷୀକୁ ଖଲାସ କରିଦିଅନ୍ତି। ଇଂଲିଶ ଚାନେଲ୍ ପାର୍ ହୋଇ ୟୁରୋପୀୟ ଦେଶମାନଙ୍କରେ ପହଞ୍ଚିଲେ ପ୍ରଚଳିତ କଣ୍ଟିନେଣ୍ଟାଲ୍ ସିଷ୍ଟମ୍‌ରେ ବିଚାର ବ୍ୟବସ୍ଥା ଅଲଗା। ଏଥିରେ ଅଭିଯୁକ୍ତକୁ ପ୍ରମାଣ କରିବାକୁ ହେବ ସେ ନିର୍ଦ୍ଦୋଷ ଓ କୋର୍ଟ ନିରବ ନ ରହି ପୁଲିସ ଓ ଅଭିଯୁକ୍ତଙ୍କ ସାକ୍ଷ୍ୟ ଉପରେ ଅଧିକ ତଥ୍ୟ ପ୍ରଦାନ ଉପରେ ଆଲୋଚନା କରିବେ। ବିଚାରପତିଙ୍କ ଭୂମିକା ହେବ ସତ୍ୟର ସନ୍ଧାନ ବା ‘କ୍ବେଷ୍ଟ୍‌ ଫର୍ ଟ୍ରୁଥ୍’। ୨୦୦୪ରେ ବିଚାର ପ୍ରଥାରେ ସଂସ୍କାର ପାଇଁ ଜଷ୍ଟିସ୍ ମାଲିମଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିସ କରିଥିଲେ ପ୍ରଚଳିତ ପ୍ରଥାରେ ୟୁରୋପ ମହାଦେଶୀୟ ପ୍ରଥାର କିଛି ଅଂଶ ରହିବା ଉଚିତ, ଯାହା ଫଳରେ ବିଚାରପତି ଅନୁସନ୍ଧାନକାରୀ ପୁଲିସ ଓ ଅଭିଯୁକ୍ତଙ୍କ ସକାରାତ୍ମକ ଯୋଗଦାନ ରହିବ।

ପୁଲିସର ଅନୁସନ୍ଧାନ ଓ କାରାଗାରମାନଙ୍କରେ କଏଦୀମାନଙ୍କ ସଂଖ୍ୟା ହ୍ରାସ ଓ ଆନୁଷଙ୍ଗିକ ସମସ୍ୟାମାନଙ୍କ ଉପରେ ବହୁତ ସୁପାରିସ ଦେଇଛନ୍ତି। କିଛି ସାମାନ୍ୟ ସୁପାରିସମାନଙ୍କ ଛଡ଼ା ଏହା ମଧ୍ୟ ଶୀତଳ ଭଣ୍ଡାରକୁ ଗଲା। ତା’ପରେ ଆସିଲା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା- ନୂତନ ନ୍ୟାୟ ସଂହିତା, ଯାହା ହେବ ସବୁ ଦିଗରୁ ଭାରତୀୟ। ଔପନିବେଶବାଦର ସଂପୂର୍ଣ୍ଣ ବିଲୋପ ହେବ। ୧୮୬୦/୬୧ରେ ବ୍ରିଟିଶ୍ ସଂସଦରେ ଗୃହୀତ ହୋଇଥିବା ତିନିଟି ଆଇନ ଭାରତୀୟ ପିଙ୍ଗଳ ଧାରା, ଅପରାଧ ବିଚାର ଧାରା ଓ ସାକ୍ଷ୍ୟ ପ୍ରମାଣ ଧାରା ସ୍ଥାନରେ ତିନିଟି ନ୍ୟାୟ ସଂହିତା ଅତି ତରତରରେ ୨୦୨୩ ଡିସେମ୍ବରରେ ଆଇନର ରୂପ ନେଲା। ୧୦୦ ଜଣ ସାଂସଦଙ୍କୁ ଗୃହରୁ ବହିଷ୍କାର କରାଗଲା। ଏ ତିନିଟି ଆଇନର ବିଶ୍ଳେଷଣ ଜରୁରି ନୁହେଁ। ଏତିକି କହିଲେ ହେବ ଯେ ଏହା ପୂର୍ବ ଆଇନମାନଙ୍କ ଆକ୍ଷରିକ ପୁନଃସ୍ଥାପନ।
ଅଳ୍ପ କିଛି ସ୍ବାଗତଯୋଗ୍ୟ ପରିବର୍ତ୍ତନ ହୋଇଛି। ବାକି ଧାରାମାନଙ୍କରେ ପୁଲିସର କ୍ଷମତା ବୃଦ୍ଧି ହୋଇଛି। କିଛି ଉଦାହରଣ ଦେବା ନିତାନ୍ତ ଆବଶ୍ୟକ। କୁହାଗଲା ଘୃଣ୍ୟ ଦେଶଦ୍ରୋହ ଆଇନ ଯାହା ପୂର୍ବ ପିଙ୍ଗଳ ଧାରା ୧୨୪ ଥିଲା, ତାହା ନୂତନ ନ୍ୟାୟ ସଂହିତା‌ରେ ଆହୁ‌ରି କଠୋର କଳେବର ସହ ଧାରା ୧୫୬ରେ ସ୍ଥାନିତ ଅଛି। ଜାମିନ୍ ଉପରେ ସୁପ୍ରିମ୍ କୋର୍ଟ, ଜାମିନ୍ ସାଧାରଣ ରୂପରେ ଦେବା ଉଚିତ। ଏହା କେବଳ ଜେଲ୍‌ରେ ଭିଡ଼ ଜମାଇବ ନାହିଁ, ଏହା ମାନବିକ ଅଧିକାରର ଅଂଶ ରୂପେ ବିବେଚିତ ହେବା ଆବଶ୍ୟକ। କିନ୍ତୁ ନ୍ୟାୟ ସଂହିତାରେ ଜାମିନ୍ ପାଇବା ଜଟିଳ ହେବ। ଆଗ ଏଫ୍.ଅାଇ.ଆର୍. ପଞ୍ଜୀକରଣ ଉପରେ ଆଇନ ଥିଲା ଅଭିଯୋଗକାରୀର ଅଭିଯୋଗ ଥାନାରେ ସଙ୍ଗେ ସଙ୍ଗେ ପଞ୍ଜୀକରଣ ହେବ। ସୁପ୍ରିମ୍ କୋର୍ଟ  ମଧ୍ୟ ସେପରି ପନ୍ଥା ଦେଇଥିଲେ। ବର୍ତ୍ତମାନ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏଫ୍.ଆଇ.ଆର୍. ତତ୍କାଳ ଭିତ୍ତିରେ ପଞ୍ଜୀକରଣ ନ କରି, ପୁଲିସ ଏକ ପ୍ରାଥମିକ ତଦନ୍ତ କରିପାରିବ। ଅନ୍‌ଲଫୁଲ୍ ଆକ୍‌ଟିଭିଟିସ୍ ପ୍ରିଭେନ୍‌ସନ୍ ଆଇନ ନ୍ୟାୟ ସଂହିତାର ଅଂଶ ହେଲା, ଏହାର ଆବଶ୍ୟକତା ନ ଥିଲା।

ଓଡ଼ିଶାର ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତି ଉପରେ ଦୃଷ୍ଟି ପକାଇଲେ ଯାହା ଜଣାପଡ଼ିବ ଅପରାଧ ପ୍ରତି ବର୍ଷ ବଢୁଛି। ଏହା କିଛି ଅସାଧାରଣ ନୁହେଁ। ଏକ ବର୍ଦ୍ଧିଷ୍ଣୁ ଅପରାଧିକ ପରିବେଶରେ ପୁଲିସ କେତେ ତତ୍ପର ଅଛି ଓ କେତେ ସୁରକ୍ଷା ନାଗରିକମାନଙ୍କୁ‌ ଯୋଗାଉଛି ତାହା ଦେଖିବା କଥା। ୨୦୨୩ରେ ରାଜ୍ୟରେ ୨ ଲକ୍ଷ ଧର୍ତ୍ତବ୍ୟ ଅପରାଧ ଘଟିଛି। ୧୦ ବର୍ଷ ତଳେ ୨୦୧୩ରେ ଏହା ଥିଲା ପ୍ରାୟ ୯୦ ହଜାର। ୧୦ ବର୍ଷ ପରେ ଯଦି ଅପରାଧ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି, ତାହା ଚିନ୍ତାଜନକ। ଏ ବୃଦ୍ଧି କିପରି ଅପ୍ରାକୃତିକ ଲାଗୁଛି। ଆଗରୁ ପିଙ୍ଗଳ ଧାରାରେ ପଞ୍ଜୀକୃତ ଅପରାଧ ସଂଖ୍ୟା ଅଲଗା ଦିଆଯାଉଥିଲା। ଯାହା ୨୦୨୩ରେ ଦେଖାଯାଉନାହିଁ, ଯେହେତୁ ଜନସଂଖ୍ୟାର ଅାକଳନ ହୋଇ ନାହିଁ। ଏ ବୃଦ୍ଧି ଗୃହୀତ ସୂଚକାଙ୍କରେ ଆସୁଛି କି ନାହିଁ କ‌ହି ହେବନାହିଁ। ହତ୍ୟା, ଚୋରି, ଡକାୟତି, ଲୁଣ୍ଠନ, ଠକେଇ ଆଦି ଚିରାଚରିତ ଅପରାଧମାନଙ୍କ ବୃଦ୍ଧି ହୋଇଛି। ଯେଉଁ ଅପରାଧମାନ ଜନସାଧାରଣଙ୍କ ଦୈନନ୍ଦିନ ଦୃଷ୍ଟିକୁ ଆସି ପୁଲିସକୁ ସମାଲୋଚନାର ଶିକାର କରାଯାଏ, ସେପରି ଅପରାଧ ଅର୍ଥାତ୍ ଦୁଷ୍କର୍ମ ବା ଧର୍ଷଣ, ନାରୀମାନଙ୍କ ଉପରେ ଅତ୍ୟାଚାର, ମୋଟରଯାନଜନିତ ଦୁର୍ଘଟଣା, ଅନୁସୂଚିତ ବର୍ଗଙ୍କ ଉପରେ ଅତ୍ୟାଚାରମାନ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ଅନ୍ୟ ଏକ ସମସ୍ୟା ହେଲା, ୨୦୨୩ର ସଠିକ୍ ସଂଖ୍ୟା ଜଣାପଡୁନାହିଁ। ୨୦୧୩ରେ ଏହା ୫,୦୦୦ରୁ ଅଧିକ ଥିଲା। ଦୁଷ୍କର୍ମ ଦେଖନ୍ତୁ, କଲିକତାରେ ଘଟିଥିବା ପାଶବିକ କାଣ୍ଡ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲା। ସେପରି ଘଟଣା ଭୁବନେଶ୍ବରରେ ବର୍ତ୍ତମାନ ଆଲୋଡ଼ନ ସୃଷ୍ଟି କରିଛି। ୨୦୧୩ରେ ୧୮୦୦ ଉପରେ ଅପରାଧ ଘଟିଥିବା ବେଳେ ୨୦୨୩ରେ ଏହା ୨,୮୨୬ରେ ପହଞ୍ଚିଛି। ପ୍ରତିଦିନ ଓଡ଼ିଶାରେ ୮ ଜଣ ନାରୀ ଏ ଅପରାଧର ଶିକାର ହେଲେଣି। ସେପରି ମୋଟର ଦୁର୍ଘଟଣାରେ ପ୍ରତିଦିନ ୮ରୁ ୧୦ ଜଣ ପ୍ରାଣ ହରାଉଛନ୍ତି। ନାରୀ ନିର୍ଯାତନା, ‌େଯୗତୁକଜନିତ ଓ ଅଣଯୌତୁକ ଅପରାଧ ୨୦୧୩ରେ ୫,୪୦୦ ଥିଲା ବେଳେ ୨୦୨୩ରେ ୧୦,୭୦୦ ହୋଇଛି। ସାଇବର୍ ଅପରାଧ ବର୍ତ୍ତମାନ ଏକ ତୀବ୍ର ଗତିରେ ବଢୁଥିବା ଅପରାଧ। ୨୦୧୩ରେ ଏପରି ଅପରାଧ ଘଟି ନ ଥିବା ବେଳେ ୨୦୨୩ରେ ୨,୩୪୮ଟି ଘଟିଛି। ଏହା ଅତି ଚିନ୍ତାଜନକ ଓ ଆହ୍ବାନମୂଳକ। 

ପୁଲିସର ମୁଖ୍ୟ ସମସ୍ୟା ହେଲା, ଉତ୍ତରଦାୟିତ୍ବ ଓ ପୁଲିସ ବିରୋଧରେ ଅଭିଯୋଗର ସନ୍ତୋଷଜନକ ବ୍ୟବସ୍ଥା। ୧୯୮୦ରୁ ଜାତୀୟ ପୁଲିସ କହିଥିଲେ ମଧ୍ୟ ଏହା ପ୍ରାୟ ଶୀତଳ ଭଣ୍ଡାରରେ। ନାମମାତ୍ର କିଛି ଅନୁଷ୍ଠାନ କରି କେନ୍ଦ୍ର ସରକାରଙ୍କୁ ଭୁତାଇବା କଥା। ଏକ ଦିଗରେ କୁହାଯାଇପାରେ ଅନ୍ୟ ବିଭାଗ ଅପେକ୍ଷା ପୁଲିସ ବିଭାଗରେ ସର୍ବାଧିକ ଦଣ୍ଡ ପ୍ରଦାନ ହେଉଛି। କିନ୍ତୁ ସେହି ସଂଖ୍ୟାର କେତେ ପ୍ରତିଶତ ଜନସାଧାରଣଙ୍କ ଅଭିଯୋଗ ଭିତ୍ତିରେ, ତାହା ଜଣାପଡୁନାହିଁ। ଏ ବ୍ୟବସ୍ଥାର ସମୀକରଣ ସ୍ବଚ୍ଛତା ଦୃଷ୍ଟିରୁ ନିତାନ୍ତ ଆବଶ୍ୟକ। ପୁଲିସର ଉତ୍ତରଦାୟିତ୍ବ ପ୍ରସଙ୍ଗରେ ପ୍ରଥମ ପ୍ରଶ୍ନ ହେବ ପୁଲିସକୁ ରାଜନୀତିରୁ ଅଲଗା କରାଯାଇପାରିବ କି? ଯଦି ୟୁରୋପର ଗଣତନ୍ତ୍ରମାନଙ୍କରେ ଏହା ସମ୍ଭବ ହୋଇପାରୁଛି, ଭାରତୀୟ ଗଣତନ୍ତ୍ରରେ ଏହା ଅସମ୍ଭବ ନ କହି ପ୍ରତିବଦ୍ଧତା ପ୍ରଦର୍ଶନ କରିବା ନିତାନ୍ତ ଆବଶ୍ୟକ।
[email protected]