ଆଇନଜୀବୀ ଆନ୍ଦୋଳନ ପାଇଁ ଜାମିନ ସମସ୍ୟା : କାରାଗାରକୁ ବନ୍ଦୀ ବୋଝ

ଭଦ୍ରକ ସବ୍ ଜେଲରେ ଖୁନ୍ଦି ହୋଇ ରହିଛନ୍ତି ୪୭୪ ବନ୍ଦୀ

ଭଦ୍ରକ : ଭଦ୍ରକ ସବ୍ ଜେଲରେ ୧୬୬ ଜଣ ଅନ୍ତେବାସୀ ରହିବା ପାଇଁ ଜାଗା ରହିଥିବାବେଳେ ଏବେ ଏହି ସଂଖ୍ୟା ୪୭୪ରେ ପହଞ୍ଚିଲାଣି। ବନ୍ଦୀମାନେ ଏବେ ଯମ ଯନ୍ତ୍ରଣା ପାଉଛନ୍ତି। ସେମାନେ ଏଭଳି ଯନ୍ତ୍ରଣା କେବେ ଜୀବନରେ ପାଇ ନଥିବା କଥା କହିଛନ୍ତି। ୧୬୬ ବନ୍ଦୀଙ୍କ ସ୍ଥାନରେ ଭଦ୍ରକ ସବ୍ ଜେଲରେ ଅଛନ୍ତି ୪୭୪ ଜଣ ବନ୍ଦୀ। ଏମାନଙ୍କ ମଧ୍ୟରୁ ୨୨ ଜଣ ମହିଳା ବନ୍ଦୀ ରହିଥିବା ବେଳେ ୪ ଜଣ ଶିଶୁ ରହିଛନ୍ତି। ବିଶେଷ କରି ଜେଲ ଭିତରେ ଏମାନଙ୍କ ପାଇଁ ରହିବା, ଖାଇବା ଓ ଶୋଇବାରେ ସମସ୍ୟା ସୃଷ୍ଟି ହୋଇଛି। ବନ୍ଦୀମାନେ ଏକପ୍ରକାର ଅଣନିଶ୍ବାସୀ ଅବସ୍ଥାରେ ରହିଛନ୍ତି। ସେହିପରି ମହିଳା ବନ୍ଦୀମାନଙ୍କ ପାଇଁ ମଧ୍ୟ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଭଦ୍ରକ ସବ୍ ଜେଲର ସୁପରିନଟେଣ୍ଡେଣ୍ଟ କୁଅଁର ମାରାଣ୍ଡି ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଅଧିକ ସଂଖ୍ୟକ ବନ୍ଦୀ ରହିବା ଯୋଗୁଁ ଜେଲ କତ୍ତୃର୍ପକ୍ଷଙ୍କୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କୋର୍ଟ ନଖୋଲିବା ପର୍ଯ୍ୟନ୍ତ ଜେଲରେ ଏପରି ଅଚଳାବସ୍ଥା ଲାଗି ରହିଥିବ ବୋଲି କହିଛନ୍ତି ଶ୍ରୀ ମାରାଣ୍ଡି।

ନବରଙ୍ଗପୁର ଉପକାରାଗାର ୧୪୬ ସ୍ଥାନରେ ୧୮୯

ନବରଙ୍ଗପୁର : ନବରଙ୍ଗପୁର ଉପକାରାଗାରରେ ନିର୍ଧାରିତ ସଂଖ୍ୟା ଠାରୁ ଅଧିକ ସଂଖ୍ୟକ ବିଚାରାଧୀନ କଏଦୀ ରହିଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଉପକାରାଗାରରେ ୧୪୬ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବା ବେଳେ ଏବେ ଅଛନ୍ତି ୧୮୯ ଜଣ। ଏଥିଯୋଗୁଁ ଜେଲର ସୁରକ୍ଷାକୁ ନେଇ ବି ସମସ୍ୟା ସୃଷ୍ଟି ହୋଇଛି। ନବରଙ୍ଗପୁର ଉପକାରାଗାରରେ ଆଜି ସୁଦ୍ଧା ୧୬୧ଜଣ ବିଚାରାଧୀନ କଏଦୀ ରହିଛନ୍ତି। ୨୨ଜଣ ଦଣ୍ଡିତ ହୋଇ କାରାଦଣ୍ଡ ଭୋଗୁଛନ୍ତି। ସେହିପରି ୬ଜଣ ମହିଳା ବିଚାରାଧୀନ କଏଦୀ ରହିଛନ୍ତି। ୬ଟି ୱାର୍ଡରେ ଉପରୋକ୍ତ କଏଦୀଙ୍କୁ ରଖାଯାଇଛି। ଦିନକୁ ଦିନ ସଂଖ୍ୟା ବଢ଼ି ଚାଲିଥିବାରୁ କାରାଗାର କର୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। ନିର୍ଧାରିତ ସଂଖ୍ୟା ଠାରୁ ଅଧିକ କଏଦୀ ଜେଲ‌ରେ ରହିବା ଯୋଗୁଁ ଜେଲ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଅସୁବିଧା ଦେଖାଦେଉଛି।

କ୍ଷମତା ୧୫୩୯, ଅଛନ୍ତି ୧୭୫୪ : ଗଞ୍ଜାମର ୬ ଜେଲ୍‌ ଭର୍ତ୍ତି, ପ୍ରତିଦିନ ସଂଖ୍ୟା ବଢୁଛି

ବ୍ରହ୍ମପୁର : ହାଇକୋର୍ଟ ଓକିଲ ସ˚ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ କଏଦୀମାନେ ଜାମିନ୍‌ ପାଇପାରୁ ନାହାନ୍ତି। ମାମଲାର ଶୁଣାଣି ଏକ ପ୍ରକାର ଠପ୍‌ ହୋଇ ଯାଇଛି। ଫଳରେ ରାଜ୍ୟର ବିଭିନ୍ନ ଜେଲ୍‌ର କଏଦୀଙ୍କୁ ଜାମିନ୍‌ ମିଳିପାରୁ ନାହିଁ। ଦିନକୁ ଦିନ ଜେଲ୍‌ରେ କଏଦୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ମଧୢ ପରିସ୍ଥିତି ଅସମ୍ଭାଳ ହେବାକୁ ଲାଗିଲାଣି। ଜିଲ୍ଲାରେ ବ୍ରହ୍ମପୁର ସର୍କଲ ଜେଲ୍‌କୁ ମିଶାଇ ମୋଟ ୭ଟି ଜେଲ୍‌ ରହିଛି। ଏହି ୭ଟି ଜେଲ୍‌ଗୁଡ଼ିକରେ ମୋଟ ୧୫୩୯ଜଣ କଏଦୀଙ୍କୁ ରଖିବା କ୍ଷମତା ଥିବା ବେଳେ ଆଜି ସୁଦ୍ଧା ୧୭୫୪ଜଣ କଏଦୀ ରହିଛନ୍ତି। ଯାହାକି କ୍ଷମତା ଠାରୁ ୨୧୫ଜଣ ଅଧିକ।

ହାଇକୋର୍ଟ ଓକିଲ ସ˚ଘର ଆନ୍ଦୋଳନକୁ ରାଜ୍ୟର ବିଭିନ୍ନ ଓକିଲ ସ˚ଘ ସମର୍ଥନ ଜଣାଇଛି। ଏହି ଆନ୍ଦୋଳନକୁ ଗଞ୍ଜାମ ଜିଲ୍ଲା ଓକିଲ ସ˚ଘ ମଧୢ ସମର୍ଥନ ଜଣାଇଥିବା ନେଇ ସଭାପତି ମୋହନ ସିଙ୍ଗାରୀ ସୂଚନା ଦେଇଛନ୍ତି। କିନ୍ତୁ ବର୍ତ୍ତମାନ କୋର୍ଟ ବନ୍ଦ କରାଯାଇ ନାହିଁ। କୋର୍ଟ କାର୍ଯ୍ୟ ସ୍ବାଭାବିକ ରହିଛି। ତଥାପି ବିଭିନ୍ନ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଜାମିନ୍‌ ତଳ କୋର୍ଟରେ ନାମ˚ଜୁର ହେବା ପରେ ତାଙ୍କର ଓକିଲ ହାଇକୋର୍ଟରେ ଆବେଦନ କରୁଛନ୍ତି। କିନ୍ତୁ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ମାମଲା ପରିଚାଳନା ହୋଇପାରୁ ନାହିଁ। ଫଳରେ ଜାମିନ୍‌ ମିଳିବାରେ ବିଳମ୍ବ ହେଉଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜେଲ୍‌ରେ ଏମିତି ବହୁ କଏଦୀ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ମୋଟ ୭ଟି ଜେଲ୍‌ ରହିଛି। ବ୍ରହ୍ମପୁର ସର୍କଲ ଜେଲ୍‌ରେ କଏଦୀ ରଖିବା କ୍ଷମତା ୭୪୩ ଥିବା ବେଳେ ଆଜି ୮୫୩ଜଣ ଅଛନ୍ତି। ସର୍କଲ ଜେଲ୍‌ରେ କ୍ଷମତା ଠାରୁ ୯୨ଜଣ ଅଧିକ ରହିଛନ୍ତି। ସେହିପରି ଭଞ୍ଜନଗର ସବ୍‌ଜେଲ୍‌ର କ୍ଷମତା ୧୭୫ ରହିଥିବା ବେଳେ ୨୨୮ (୫୩ ଅଧିକ) ଜଣ ରହିଛନ୍ତି। ଆସିକା ସବ୍‌ଜେଲ୍‌ର କ୍ଷମତା ୧୫୦ ରହିଥିବା ବେଳେ ୫୦ଜଣ ଅଧିକ ମୋଟ ୨ଶହ କଏଦୀ ଅଛନ୍ତି। ଛତ୍ରପୁର ସବ୍‌ଜେଲ୍‌ରେ ୧୬୪କ୍ଷମତା ଥିବା ବେଳେ ୨୦୯ (୪୫ ଅଧିକ) ଜଣ ଅଛନ୍ତି। କୋଦଳା ସବ୍‌ଜେଲ୍‌ର କ୍ଷମତା ୯୩ ରହିଥିବା ବେଳେ ୧୪୭ (୫୪ଅଧିକ) ଜଣ ରହିଛନ୍ତି। ସୋରଡ଼ା ସବ୍‌ଜେଲ୍‌ର କ୍ଷମତା ୪୫ ରହିଥିବା ବେଳେ ୬୮ (୨୩ଅଧିକ) ଜଣ ଅଛନ୍ତି। କେବଳ ଦିଗପହଣ୍ତି ସବ୍‌ଜେଲ୍‌ରେ କଏଦୀ ସ˚ଖ୍ୟା କ୍ଷମତା ଠାରୁ କମ୍‌ ରହିଛି। ଏହି ଜେଲ୍‌ର କ୍ଷମତା ୧୬୯ ରହିଥିବା ବେଳେ ମାତ୍ର ୬୭ଜଣ କଏଦୀ ରହିଛନ୍ତି। କ୍ଷମତା ଠାରୁ ଅଧିକ କଏଦୀ ରହୁଥିବା ଜେଲ୍‌ରେ ନାନା ଅସୁବିଧା ହେଉଥିବା ଜଣାପଡ଼ିଛି। ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ କଏଦୀମାନେ ଜାମିନ୍‌ ପାଇପାରୁ ନାହାନ୍ତି। ତଳ କୋର୍ଟରେ କେବଳ ଜାମିନ୍‌ ମିଳୁଛି। ହାଇକୋର୍ଟରେ ପରିସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଆଇନଜୀବୀ ମହଲରେ ପ୍ରକାଶ ପାଇଛି।

ବାଲେଶ୍ବର କ୍ଷମତାଠୁ ୯୦ ଅଧିକ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା କାରାଗାରର କ୍ଷମତା ହେଉଛି ୪୮୦। ବାଲେଶ୍ବର ଜେଲ୍‌ରେ କଏଦୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଆଜି ଦିନରେ ଏହା ୫୭୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୪୨ ଜଣ ପୁରୁଷ ଓ ୨୮ ଜଣ ମହିଳା କଏଦୀ ରହିଛନ୍ତି।। କ୍ଷମତାଠାରୁ ୮୪ ଜଣ ଅଧିକ ପୁରୁଷ ଓ ୬ ଜଣ ମହିଳା କଏଦୀ ଜେଲରେ ରହିଥିବାରୁ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷକରି ସୁରକ୍ଷା, ‌େଶୗଚାଳୟ ଓ ଖାଦ୍ୟପାନୀୟ ନେଇ ସମସ୍ୟା ଦେଖା ଦେଉଛି ବୋଲି ଜେଲର ଶୁଭ୍ରକାନ୍ତ ମିଶ୍ର ପ୍ରକାଶ କରିଛନ୍ତି।

ରଗଡ଼ି ଜେଲ୍‌ରେ ୩ ଗୁଣ ଭିଡ଼, ଯାଜପୁର ସବ୍‌ଜେଲ୍ ସ୍ଥିତି ଅସମ୍ଭାଳ

ଯାଜପୁର/ଟାଉନ/ରଗଡ଼ି : ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ କାରାଗାରର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କଏଦୀଙ୍କ ସଂଖ୍ୟା ପାଖାପାଖି ୩ ଗୁଣ ହୋଇଥିବା ଦେଖା‌ଯାଇଛି। ଯାଜପୁର ଜିଲ୍ଲାର ଦୁଇଟି କାରାଗାର ମଧ୍ୟରୁ ଯାଜପୁର ଟାଉନରେ ଥିବା ଉପକାରାଗାରରେ ଆବଶ୍ୟକତା ଠାରୁ ଢ଼େର ଅଧିକ କଏଦୀ ରହୁଛନ୍ତି। ଏହାର କ୍ଷମତା ୧୩୩ ହୋଇଥିବା ବେଳେ ଏଠାରେ ୩୫୦ ଜଣ କଏଦୀ ରହୁଥିଲେ। ମାତ୍ର ଲଘୁଚାପ ଜନିତ ଲଗାଣ ବର୍ଷାରେ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ସେଠାରୁ ୧୫୬ ଜଣ କଏଦୀଙ୍କୁ ରଗଡ଼ି ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ୧୯୩ କଏଦୀ ରହୁଥିଲେ। ମାତ୍ର ଆଇନଜୀବୀ ଆନ୍ଦୋଳନ ଯୋଗୁଁ ଏବେ କଏଦୀ ସଂଖ୍ୟା ପୁଣି ୨୨୦ ରେ ପହଞ୍ଚିଛି। ଦିନକୁ ଦିନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତି ସଂଗିନ ହେବାରେ ଲାଗିଛି। କାରାଗାର ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଦାୟିତ୍ବ ବଢ଼ିଯାଇଥିବା ବେଳେ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ବର୍ତ୍ତମାନ ରଗଡ଼ି ଉପକାରାଗାରରେ ୫୧୨ ଜଣ କଏଦୀ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ମଦ ଜବତ ଘଟଣାରେ ୩୦ ଜଣ ଗିରଫ ହୋଇ ଜେଲକୁ ଆସିଥିବା ବେଳେ ୧୮ଟି ଛୋଟମୋଟ ମାମଲରେ ଗିରଫ ହୋଇଆସିଛନ୍ତି। ଦୁଇ ଜଣ ପିଲା ସେମାନଙ୍କ ମା’ଙ୍କ ସହିତ ଆସିଛନ୍ତି। ରଗଡ଼ି ଜେଲର କ୍ଷମତା ୧୭୩ ଥିବା ବେଳ ଏବେ ତିନିଗୁଣା କଏଦୀଙ୍କୁ ରହିଛନ୍ତି।

ଗାଳି ପାଇଁ ୧୫ ଦିନ ହେଲା ଜେଲ୍‌ରେ

କେନ୍ଦୁଝର : ପାଟଣା ବ୍ଲକ ସିଲିଯୋଡ଼ାର ଗଣେଶ୍ବର ମହାନ୍ତ। ତାଙ୍କ ବିରୋଧରେ ରହିଛି ୩୪୧,୨୯୪ ଏବ˚ ୩୨୪ ଦଫା। ଆଇନଜୀବୀ ଅଶୋକ ଦାସ କହନ୍ତି, ଦଫା ୩୪୧ ହେଉଛି ବେଆଇନ ଭାବେ ଅଟକେଇବା, ୨୯୪ ହେଉଛି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ୩୨୪ ଦଫା -ଆଘାତ ଦେବା। ଏହି ସବୁ ଦଫା ଜାମିନଯୋଗ୍ୟ। ସାଧାରଣତଃ ଏହି ସବୁ ଦଫା ଲାଗିଥିଲେ ତୁରନ୍ତ ଜାମିନ ମିଳିଯାଏ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଗତ ୧୨ ତାରିଖରୁ ଗଣେଶ୍ବର ଜେଲ୍‌ରେ ଅଛନ୍ତି। ଜାମିନ ମିଳୁନି।

ସେହିପରି କରଞ୍ଜିଆର ଶରତ ଚନ୍ଦ୍ର ମହାନ୍ତ। ଗତ ସେପ୍ଟେମ୍ବର ୨୪ ତାରିଖରୁ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ମଧୢ ଜାମିନଯୋଗ୍ୟ ଦଫା ୩୪୧, ୨୯୪ ଓ ୩୨୪ ଲାଗିଛି। ସେ ମଧ୍ୟ ଓକିଲ ଆନ୍ଦୋଳନ ଯୋଗୁଁ ବାହାରି ପାରୁନାହାନ୍ତି।

ଖାଲି ଗଣେଶ୍ବର କି ଶରତ ନୁହନ୍ତି, ଏଭଳି ବହୁ ବିଚାରାଧୀନ ବନ୍ଦୀ ଅଛନ୍ତି, ଯେଉଁମାନେ ଜାମିନ ପାଇବାକୁ ଯୋଗ୍ୟ ଥିଲେ ବି ସେମାନଙ୍କୁ ଜାମିନ ମିଳୁନାହିଁ। ଅଗଷ୍ଟ ୨୯ ରୁ ଚାଲିଥିବା ଓକିଲଙ୍କ ଆନ୍ଦୋଳନର ପ୍ରଭାବ ଏତିକିରେ ସୀମିତ ନାହିଁ। ଏହାର ଚାପ ଜେଲ୍‌ ଉପରେ ମଧ୍ୟ ପଡ଼ିଛି। କେନ୍ଦୁଝର ଜିଲ୍ଲା କାରାଗାର ଏବେ ବନ୍ଦୀଙ୍କ ବୋଝରେ ଭାରାକ୍ରାନ୍ତ ହେଲାଣି। ଜେଲ୍‌ର କ୍ଷମତାଠାରୁ ବହୁ ଅଧିକ ବନ୍ଦୀ ହୋଇଗଲେଣି।

ପୂର୍ବରୁ କେନ୍ଦୁଝର ଜିଲ୍ଲା ଜେଲ୍‌ର କ୍ଷମତା ଥିଲା ୪୦୭। ଏଥିମଧ୍ୟରେ ୩୮୦ ଜଣ ପୁରୁଷ ଓ ୨୭ ଜଣ ମହିଳା ବନ୍ଦୀଙ୍କ ରହିବା ବ୍ୟବସ୍ଥା ଥିଲା। ଦୁଇ ମାସ ପୂର୍ବେ ଏଠାରେ ଅଧିକ ୨୦୦ ବନ୍ଦୀଙ୍କ ରହିବା ବ୍ୟବସ୍ଥା ପରେ କ୍ଷମତା ୬୦୭କୁ ବୃଦ୍ଧି ପାଇଛି। ମାତ୍ର ଏବେ ଜେଲ୍‌ରେ ରହୁଛନ୍ତି ୬୮୪ ଜଣ। ପୁରୁଷ ବନ୍ଦୀ ୬୫୬ ଥିବା ବେଳେ ୨୮ ଜଣ ମହିଳା ବନ୍ଦୀ ରହିଛନ୍ତି। ସେହିପରି ୪ଜଣ ଶିଶୁ ମଧୢ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକେ ଅଭିଯୁକ୍ତ ଜାମିନଯୋଗ୍ୟ ମାମଲାରେ ଅଛନ୍ତି।

ଅନ୍ୟପଟେ ଜିଲ୍ଲା ଜେଲ୍‌ରେ ଏବେ ୨୩୦ ଜଣ ଦୋଷୀସାବ୍ୟସ୍ତ ବନ୍ଦୀ ଥିଲାବେଳେ ସେଥିମଧୢରୁ ୧୫୬ ଜଣ ଆଜୀବନ ବନ୍ଦୀ। ଏହାଛଡ଼ା ବହୁ ହାଇ ପ୍ରୋଫାଇଲ ବନ୍ଦୀ ମଧ୍ୟ ଅଛନ୍ତି। ଗ୍ରାହାମ ଷ୍ଟେନ୍‌ସ୍ ହତ୍ୟାକାଣ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦାରା ସି˚, ଉଲିବୁରୁ ଖଣି ମହାଦୁର୍ନୀତିର ଅଭିଯୁକ୍ତ ଦୀପକ ଗୁପ୍ତା ଏବ˚ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ମଧ୍ୟ ବନ୍ଦୀ ଭାବେ ରହିଛନ୍ତି।

ସମ୍ବନ୍ଧିତ ଖବର