ଲକ୍ଷ୍ମୀପୁରାଣ କଥା-୨୭: “ଯେ ବର ମାଗିବି ବର ଦିଅ ମହାମାଇଂ”

ଅସିତ ମହାନ୍ତି

ପଦ୍ମଲୋଚନୀ ମା’ ଲକ୍ଷ୍ମୀ, ଶ୍ରୀୟା ଚଣ୍ଡାଳୁଣୀ ମୁରୁଜରେ ଲେଖିଥିବା ପଦ୍ମ ପ୍ରତି ଶ୍ରଦ୍ଧାଶୀଳା ହେଲେ। ତା’ ଉପରେ ବିଜେ ହୋଇ କହିଲେ- ଲୋ ଚଣ୍ଡାଳୁଣୀ, ବର ମାଗ୍। ମୁଁ ତୋ ଉପରେ ପ୍ରସନ୍ନ ହେଲି। ତୋର ଦୁଃଖ ଗଲା।

ବଜାର ସଂସ୍କରଣରେ ମଧ୍ୟ ଏ କଥା ଅଛି; ମାତ୍ର ଶ୍ରୀୟା ଲକ୍ଷ୍ମୀ ଠାକୁରାଣୀଙ୍କୁ ଯାହା କହିଛି, ତାହା ନାହିଁ। ବଜାର ସଂସ୍କରଣରେ ଅଛି-
“ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ।

କି ବର ମାଗିବି ମା’ଗୋ ମାଗି ନଜାଣଇ।”

ଶ୍ରୀୟା ଅପୁତ୍ରକା ଥିଲା। ପିଲାପିଲି କିଛି ତାର ନଥିଲେ। ଗୁଣ୍ଡିଚା ନଅର ଖରକି ପେଟ ପୋଷୁଥିଲା। ଯାହା ସୂଚିତ, ଗୁହାଳ ଅବଶ୍ୟ ଥିଲା, କିନ୍ତୁ ଗାଈ ବେଶୀ ନଥିଲେ। ଏପରି ସ୍ଥଳେ, ତାର ଯାହା ଯାହା ପ୍ରୟୋଜନ ଥିଲା, ତାହା ସେ ଭଲ ଭାବରେ ଜାଣିଥିଲା। ଶ୍ରୀୟା ନିଜକୁ ଚଣ୍ଡାଳୁଣୀ କହି, ପୂଜାବିଧି ଓ ଭକ୍ତି କ’ଣ ଜାଣିନି, ଏହା କହିବା ସଂପୂର୍ଣ୍ଣ ସ୍ୱାଭାବିକ। କିନ୍ତୁ ତାର କି ବର, ଅର୍ଥାତ୍ କ’ଣ ସବୁ ଦରକାର, ତାହା ସେ ନଜାଣିବା କ’ଣ ସ୍ୱାଭାବିକ?

ସେଥିପାଇଁ ବଳରାମ ଦାସ ତାଙ୍କ ‘ଲକ୍ଷ୍ମୀପୁରାଣ’ରେ କହିଛନ୍ତି-
“ଚଣ୍ଡାଳୁଣୀ କହୁଅଛି ଶିରେ କରଦେଇଂ
ଯେ ବର ମାଗିବି ବର ଦିଅ ମହାମାଇଂ।”
ତେଣୁ, ଶ୍ରୀୟା ବରମାଗିଛି-
“ଗୁହାଳକୁ ଦେବୁ ମାଗୋ ଲକ୍ଷେ ଗଣ୍ଡା ଗାଈ
ଗଙ୍ଗା ଯେ ଯମୁନା ଦେବୁ ଯେ ଧାନ ମରାଇ।”

ଲକ୍ଷ୍ମୀ ପ୍ରସନ୍ନ ହେଲେ ‘ଧନ, ଜନ, ଗୋପ, ଲକ୍ଷ୍ମୀ’ ସବୁ ଦିଅନ୍ତି। ତେଣୁ ଶ୍ରୀୟା ତା’ ଗୁହାଳକୁ ଗାଈ ମାଗିଛି; କୋଳକୁ ପୁଅ ମାଗିଛି; ଗଙ୍ଗା ଯମୁନା ମରାଇରେ ଧାନ, ଚାଉଳ ଓ ଅନ୍ୟ ଶସ୍ୟ ସଂପଦ ମାଗିଛି; ଏବଂ ହାତକୁ ସୁନା ବାହି ବି ମାଗିଛି। ବଳରାମ ଦାସଙ୍କ ଶ୍ରୀୟା ବର ମାଗିବା ପ୍ରସଙ୍ଗରେ କହିଛି- “କୋଳକୁ ନନ୍ଦନ ଦେବୁ ହସ୍ତେ ସୁନା ବାହି।”

କିନ୍ତୁ ଏସବୁ ସହିତ ଶ୍ରୀୟା ଆଉ ଯେଉଁ ବରଟି ମାଗିଛି, ତାହା ଅମର ବର। ସେ କହିଛି- “ଚାରିଯୁଗେ ରହିବି ଅମର ବର ପାଇଂ।” କିନ୍ତୁ ତାହା ଦେବା ଲକ୍ଷ୍ମୀଙ୍କ କର୍ତ୍ତୃତ୍ୱର ଅନ୍ତର୍ଭୁକ୍ତ ନୁହେଁ। ନିଜର ସେହି ସୀମା ସଂପର୍କରେ ମଧ୍ୟ ଲକ୍ଷ୍ମୀ ସଚେତନ। ସେଥିପାଇଁ ବଳରାମ ଦାସ ତାହାର ବର୍ଣ୍ଣନା କରି କହିଛନ୍ତି-
“ଲକ୍ଷ୍ମୀ ଯେ ବୋଇଲେ ତୁ ଗୋ ହୋଇଲୁ କି ବାଈ
ଦ୍ୱାରିକା ସମ୍ପଦଯାକ ଘେନିଲୁ ଛଡ଼ାଇ।”

ଲକ୍ଷ୍ମୀଙ୍କର ଏହି କଥା ମଧ୍ୟରେ ପୁଣି ଥରେ ପୁଷ୍ଟ ହୋଇଛି ‘ଦ୍ୱାରବତୀ ପୁର’ ପ୍ରସଙ୍ଗ। ପୂର୍ବରୁ ଆଲୋଚିତ ହୋଇଛି (ଲକ୍ଷ୍ମୀପୁରାଣ କଥା- ୨୨) ଯେ ‘ଦ୍ୱାରକା’ ବା ‘ଦ୍ୱାରିକା’ର ଅର୍ଥ- ମୁକ୍ତିପଥ ନଗରୀ। ପୁରୀ ନଗର ପରମ ମୁକ୍ତିପଦ; ଏଣୁ ଏହା ‘ଦ୍ୱାରାବତୀ’ ବା ‘ଦ୍ୱାରିକା’। ସେଥିପାଇଁ ଲକ୍ଷ୍ମୀ ଶ୍ରୀୟାକୁ କହିଛନ୍ତି- ଲୋ ଚଣ୍ଡାଳୁଣୀ, ତୁ’ କ’ଣ ବାଈ ହେଲୁ? ଏ ଦ୍ୱାରିକା ସଂପଦ କ’ଣ ତୁ ଛଡ଼ାଇ ନେବୁ ନା କ’ଣ?
ଅମରବର ବା ଚିରନ୍ତନ ମୋକ୍ଷ ପ୍ରଦାନପାଇଁ ନିଜର ଅକ୍ଷମତା ପ୍ରକାଶ କରି ସେ କହିଛନ୍ତି-

“ସବୁ ବରଯାକ ମୁଂ ଯେ ଦେଇଂ ଯେ ପାରଇଂ।
ଅମର ବର ହେଲେ ଦେଇଂ ନ ପାରଇଂ।।”

କିନ୍ତୁ ସେ ଯେହେତୁ ଶ୍ରୀୟା ଉପରେ ପ୍ରସନ୍ନ ହୋଇଛନ୍ତି, ସେଥିପାଇଁ କହିଛନ୍ତି-
“ଜୀବଥିବା ଯାକ ତୁ ଲୋ କୈବଲ୍ୟ ଭୁଂଜିବୁ।
ଅନ୍ତକାଳେ ଅମର ବୈକୁଣ୍ଠରେ ବସିବୁ।।”

ବଜାର ସଂସ୍କରଣରେ କିନ୍ତୁ ଏଇଠି ଗୋଟିଏ ଗୁରୁତର ବ୍ୟତିକ୍ରମ ମିଳେ। ସେଥିରେ ଉଲ୍ଲେଖ ଅଛି-
“ଯେତେ ଦିନ ଜୀଇଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ।
ଅନ୍ତକାଳେ ଯାଇ ବିଷ୍ଣୁ ପଞ୍ଜରେ ପଶିବୁ।।”

‘କୈବଲ୍ୟ’ର ମହତ୍ତ୍ୱ ସ୍ୱତନ୍ତ୍ର। ଏହାର ଅନେକ ଅର୍ଥ ଅଛି। ଗୋଟିଏ ଅର୍ଥ- ଦେବତାଙ୍କର ପ୍ରସାଦ ବା ପାଦୁକା। ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗରେ ଏହାର ଅର୍ଥ- ମହାପ୍ରସାଦ। ଅନ୍ୟ ଅର୍ଥରେ, ଏହା ହେଉଛି ଦୁଃଖ ନିବୃତ୍ତି ରୂପକ ମୋକ୍ଷ ଏବଂ ପୂର୍ଣ୍ଣାନନ୍ଦ ବା ଅଖଣ୍ଡ ଆନନ୍ଦ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ’ରେ କୁହାଯାଇଛି- “ସମସ୍ତ ଦୁଃଖର ଦାରଣ (ଖଣ୍ଡନ) ଏବଂ ଅଖଣ୍ଡ ଆନନ୍ଦ ଦାନ ପାଇଁ ଶ୍ରୀଶ ବା ଶ୍ରୀଜଗନ୍ନାଥ ଦାରୁ ରୂପରେ ବିରାଜମାନ କରିଛନ୍ତି।

ଅଥଚ ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ସେହି ‘କୈବଲ୍ୟ’କୁ ‘ଐଶ୍ୱର୍ଯ୍ୟ’ କରିଦେଇ, ଲକ୍ଷ୍ମୀଙ୍କ ବରର ମହତ୍ତ୍ୱ କ୍ଷୁଣ୍ଣ କରାଯାଇଛି।

ସମ୍ବନ୍ଧିତ ଖବର