ଲକ୍ଷ୍ମୀପୁରାଣ କଥା-୫: ଶ୍ୟାମାଦେଈ ଓଷା କଥା

ଓଡ଼ିଆ ଓଷା-ବ୍ରତକଥାକୁ ନେଇ ଯେଉଁ ସାହିତ୍ୟ ଅଛି, ତାହା ଅତ୍ୟନ୍ତ ସମୃଦ୍ଧ। ସେଥିରେ ଆଉ ଗୋଟିଏ ‘ଧାନମାଣିକା ଓଷାକଥା’ ଅଛି। ତାହା ‘ଶ୍ୟାମାଦେଈ ଓଷା କଥା’ ଭାବରେ ଲୋକପ୍ରିୟ। ସେଥିରେ ଲକ୍ଷଶ୍ରୀ ସାଧବର କଥା ବର୍ଣ୍ଣିତ ହୋଇଛି।

କାର୍ତ୍ତିକ ଯାଇ ମାର୍ଗଶିର ମାସ ପଶିଲା। ମହାଲକ୍ଷ୍ମୀ ବୁଢ଼ୀ ବେଶରେ, କାଖରେ ଅଡ଼ା ଗଉଣି ଘେନି ଘରେ ଘରେ ପଶିଲେ। ସେହିପରି ଦିନେ ଗୁରୁବାରରେ ସେ ଆସି ପହଞ୍ଚିଲେ ଲକ୍ଷଶ୍ରୀ ସାଧବ ଘରେ। ସାଧବାଣୀକୁ କହିଲେ- ଆଜି ଧାନମାଣିକା ଓଷା, ଏ ଉଷା ତୁ କର! କିନ୍ତୁ ସାଧବାଣୀର ଧନର ଗର୍ବ ଥିଲା। ସେ କହିଲା- ଛାର ଧାନ ମାଣକର ଓଷା, ଏ ବ୍ରତ ମୁଁ କାହିଁକି କରିବି?

ଲକ୍ଷ୍ମୀଠାକୁରାଣୀ ତାକୁ ବୁଝାଇବାକୁ ଚେଷ୍ଟା କଲେ। କହିଲେ- ଆଲୋ ମା’, ଏ ଓଷାର ନାଁ ସିନା ଧାନମାଣିକା; କିନ୍ତୁ ଯେ ଯେତେ ଇଚ୍ଛା ସେତେ ମାଣ ଲଗାଇ ଏହି ଓଷା କରିପାରିବ। ତୁ ଯେତେ ଇଚ୍ଛା କରୁଛୁ, ସେତେ ମାଣ ଲଗାଇ ଏ ଓଷା କର! କିନ୍ତୁ ସାଧବାଣୀ ତାହା ଶୁଣିଲା ନାହିଁ। ବରଂ ରଙ୍କୁଣୀ ବୁଢ଼ୀ ଖଣ୍ଡ, ଏଠୁ ଯା’ଯା’ କହି ତାଙ୍କୁ ଗାଳି ଦେଇ ଘରୁ ତଡ଼ିଦେଲା।

ଲକ୍ଷ୍ମୀଠାକୁରାଣୀ ସେଠାରୁ ରୁଷି ଚାଲିଗଲା ବେଳେ, ବାଟରେ ସାଧବାଣୀର ଝିଅ ଶ୍ୟାମାଦେଈକୁ ଦେଖିଲେ। ତାକୁ କହିଲେ- ଆଲୋ ନାତୁଣୀ! ତୋ ମା’ ପାଖକୁ ଯାଇଥିଲି। ତାକୁ ଧାନମାଣିକା ଓଷା କରିବାକୁ କହିଲି। ତୋ’ ମା’ ନାହିଁ କଲା। ମୋତେ ଗାଳି କରି ତଡ଼ିଦେଲା। ତହିଁକି ମୁଁ ରୁଷିକରି ଚାଲିଯାଉଛି। ତାହା ଶୁଣି ଶ୍ୟାମାଦେଈ କହିଲା- ଗୋସେଇଁ ମାଆ, ଏ ଓଷା କଥା ମତେ କୁହ। କେମନ୍ତ ସେ ଓଷା, ମୁଁ କରିବି। ତାହାର ଆଗ୍ରହ ଦେଖି ଲକ୍ଷ୍ମୀ ଠାକୁରାଣୀ ତାକୁ ଓଷାବିଧି ବତାଇ ଦେଲେ। ନିଜେ ଉତ୍ତମ ଶୁଚିମନ୍ତ ହୋଇ, ଘରକୁ ଉତ୍ତମ ଶୁଚିମନ୍ତ କରି, ଅଷ୍ଟରତ୍ନ ଖଟୁଲିରେ ଶୁକ୍ଳ ପାଟ ପାରି, ଧାନଘର, ଚାଉଳଘର, ବିରିଘର, ମୁଗଘର, ଏ ରୂପେ ଚାରିପାଖରେ ବାଡ଼ ଦେଇ, ଧାନ ଗଉଣିକୁ ପଞ୍ଚୁବର୍ଣ୍ଣେ ଚିତି, ଶୁକ୍ଳଧାନ ଗଉଣିଏ ପୂରାଇ ତା’ ଉପରେ ଥାପିବାକୁ କହିଲେ। ବିଭିନ୍ନ ପାଳିର ଓଷାବିଧି ବତାଇଦେଲେ।

ତାଙ୍କଠାରୁ ସେକଥା ଶୁଣି, ଶ୍ୟାମାଦେଈ ଘରକୁ ଗଲା। ସେହି ବିଧିରେ ବ୍ରତ କଲା। ବ୍ରତଫଳରୁ ସେହି ରାଇଜର ରାଜାଙ୍କୁ ସେ ବର ରୂପେ ପାଇ ରାଣୀ ହେଲା। ଶ୍ୟାମାଦେଈ ବାପଘର ଛାଡ଼ି ଶାଶୂଘରକୁ ଚାଲିଯିବାରୁ ସାଧବ ଘରୁ ଲକ୍ଷ୍ମୀ ଛାଡ଼ିଗଲେ। ସାଧବ ହତଲକ୍ଷ୍ମା ହୋଇଗଲା। ବହୁ ହୀନସ୍ତା ହେବା ପରେ, ସାଧବାଣୀ ଦିନେ ଯାଇ ପହଞ୍ଚିଲା ରାଜ ଉଆସରେ। ସେଠାରେ ଝିଅ ସହ ଆଦରରେ ରହିଲା। ସେହି ସମୟରେ କାର୍ତ୍ତିକ ଯାଇ ମାର୍ଗଶିର ମାସ ଆସିଲା। ଶ୍ୟାମାଦେଈ ରାଣୀ ହୋଇ ମଧ୍ୟ, ଧାନମାଣିକା ଓଷା କରିବାକୁ ଉଦ୍‌ଯୋଗ କଲା। ତାହା ଦେଖି ସାଧବାଣୀ ପଚାରିବାରୁ ଶ୍ୟାମାଦେଈ କହିଲା- ଲକ୍ଷ୍ମୀ ଠାକୁରାଣୀଙ୍କ ଅନବଧାନରୁ ତୋର ଏତେ ସରି ହେଲା। ଏବେ ଧାନମାଣିକା ଓଷା କର। ଠାକୁରାଣୀଙ୍କ କୃପାରୁ ସର୍ବଶୁଭ ହେବ।

ସାଧବାଣୀ ସେଥିରେ ରାଜି ହେଲା ଏବଂ ମାଆ ଝିଅ ଉଭୟେ ଧାନମାଣିକା ଓଷା କଲେ। ତାହା ଦେଖି ଲକ୍ଷ୍ମୀ ଠାକୁରାଣୀ କହିଲେ- ଆଲୋ ସାଧବାଣୀ! ମୋତେ ଅନାଦର କଲୁ, ତହିଁ ସକାଶରୁ ଏତେ ଦୁଃଖ ପାଇଲୁ। ଏବେ ଆମ୍ଭଙ୍କୁ ସେବା କଲୁ। ଆମ୍ଭେ ତୋ ଉପରେ ପ୍ରସନ୍ନ। ବର ମାଗ। ତାହା ଶୁଣି ସାଧବାଣୀ ତାଙ୍କୁ ପୂର୍ବର ଧନ ସମ୍ପଦ ସବୁ ମାଗିଲା। ଲକ୍ଷ୍ମୀଠାକୁରାଣୀ ତାକୁ ତା’ଠୁ ଶତଗୁଣ ଅଧିକ ଧନ ସମ୍ପଦ ଦେଲେ। ତାହା ପାଇ ସାଧବ-ସାଧବାଣୀ ପରିବାର ସହ ସୁଖରେ ରହିଲେ।

ଅସିତ ମହାନ୍ତି

ସମ୍ବନ୍ଧିତ ଖବର